ବାଲେଶ୍ୱରରେ ସର୍ବାଧିକ ମହିଳା ଉଦ୍ୟୋଗୀ
ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ସଂଖ୍ୟା ୪୦ହଜାର ଟପିଥିବାବେଳେ ଗତ ୨୮ବର୍ଷ ମଧ୍ୟରେ ଏମାନେ ରାଜ୍ୟରେ ବିଭିନ୍ନ ପ୍ରକାର ଶିଳ୍ପ ସ୍ଥାପନା କରିଛନ୍ତି। ସବୁଠାରୁ ଅଧିକ ୩୫୫୨ ଜଣ ମହିଳା ଉଦ୍ୟୋଗୀ ଥିବାବେଳେ ବାଲେଶ୍ୱର ଜିଲ୍ଲାରେ ଅଛନ୍ତି । ଦ୍ୱିତୀୟ ସ୍ଥାନରେ ଅଛନ୍ତି ଭୁବନେଶ୍ୱରର ମହିଳା ଉଦ୍ୟୋଗୀମାନେ।
ଭୁବନେଶ୍ୱର ରେ ୨୫୫୧ ଜଣ ମହିଳା ଉଦ୍ୟୋଗୀ ଥିବାବେଳେ କଟକରେ ୨୯୫୮, ସମ୍ବଲପୁରରେ ୨୩୦୨, କେନ୍ଦ୍ରାପଡାରେ ୨୧୫୮, ଗଞ୍ଜାମରେ ୧୯୮୩, ଜଗତ୍ପୁରରେ ୨୦୨୧ ଓ ପୁରୀରେ ୧୮୮୭ ଜଣ ମହିଳା ଉଦ୍ୟୋଗୀ ଅଛନ୍ତି। ସବୁଠାରୁ କମ୍ ମାତ୍ର ୧୫୫ ଜଣ ମହିଳା ଉଦ୍ୟୋଗୀ ମାଲକାନଗିରିରେ ଥିବାବେଳେ ସୋନପୁରରେ ୧୬୧ ଓ ବୌଦରେ ୧୬୬ ଜଣ ରହିଛନ୍ତି।
ଉଦ୍ୟୋଗ ପ୍ରତିଷ୍ଠା ପାଇଁ ମହିଳାମାନେ ଯେଭଳି ଅଧିକରୁ ଅଧିକ ସଂଖ୍ୟାରେ ଆଗେଇ ଆସିବେ ସେଥିପାଇଁ ରାଜ୍ୟର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ଏଥିପାଇଁ ଓଡିଶା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ନୀତି ୨୦୧୬ କାର୍ଯ୍ୟକାରୀ ହେଉଛି। ମହିଳା ଉଦ୍ୟୋଗୀଙ୍କ ଲାଗି ମଧ୍ୟ ରାଜ୍ୟ ସରକାର ଓଡିଶା ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ନୀତି ୨୦୧୬ ଓ ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ ପ୍ରଣୟନ କରିଛନ୍ତି। ଏହି ନୀତି ଦ୍ୱାରା ମହିଳା ଉଦ୍ୟୋଗୀମାନଙ୍କୁ ଯନ୍ତ୍ରପାତି ମୂଲ୍ୟ ଉପରେ ଅତିରିକ୍ତ ୩୦ ପ୍ରତିଶତ ବା ସର୍ବାଧବକ ଏକ କୋଟି ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଛି
ସେହିଭଳି ପୁଞ୍ଜି ସହାୟତା ବାବଦରେ କେବଳ ପଛୁଆ ଜିଲ୍ଲା ଗୁଡିକ ଲାଗି ସ୍ଥାୟୀ ପୁଞ୍ଜି ଋଣର ୧୦ପ୍ରତିଶତ ଅଥବା ସର୍ବାଧିକ ୧୫ଲକ୍ଷ ଟଙ୍କା ଯୋଗାଯାଉଛି। ସେହିଭଳି ଓଡିଶା ଖାଦ୍ୟ ପ୍ରକ୍ରିୟାକରଣ ନୀତି ୨୦୧୬ ରେ ପୁଞ୍ଜି ବିନିଯୋଗ ଅନୁଦାନ ବାବଦରେ ଯନ୍ତ୍ରାଂଶ ମୂଲ୍ୟର ୩୩ ପ୍ରତିଶତ କିମ୍ବା ସର୍ବାଧିକ ୩କୋଟି ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯାଉଛି
ଏହାବାଦ୍ ପ୍ରଧାନ ମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ ଜରିଆରେ ମହିଳାମାନଙ୍କୁ ଉଦ୍ୟୋଗ ପ୍ରତିଷ୍ଠା ଲାଗି ପ୍ରକଳ୍ପର ଶତକଡା ୫ ପ୍ରତିଶତ ଅଂଶଧନ ଦେବାକୁ ପଡିଥାଏ। ସହରାଞ୍ଚଳରେ ମହିଳାଙ୍କୁ ପ୍ରକଳ୍ପର ୨୫ ପ୍ରତିଶତ ସବ୍ସିଡ୍ ମିଳୁଥିବାବେଳେ ଗ୍ରାମାଞ୍ଚଳରେ ଏହା ୩୫ ପ୍ରତିଶତ ରହିଛି।
ମହିଳାମାନେ ଗଠନ କରୁଥିବା ଉଦ୍ୟୋଗ ଜରିଆରେ ଗାଁ ଗହଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ସେ କ୍ଷେତ୍ରରେ ପ୍ରୋତ୍ସାହନ ରାଶି ବୃଦ୍ଧି କରୁଥିବା ଜଣାଯାଇଛି ସୂକ୍ଷ୍ମ ଓ ଅଣୁ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ମହିଳା ଉଦ୍ୟୋଗୀଙ୍କ ଅବଦାନ ଅଧିକ ରହିଥିବା ଜଣାଯାଇଛି।