ଏବେ ସିବିଆଇ ନିଦରୁ ଉଠିବ ନାଁ ଶୋଇବ?

ରାଜ୍ୟର ଅଧିକାଂଶ ଲୋକଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିବାରେ ଲାଗିଛି। ରାଜ୍ୟର ଗରିବ ଲୋକଙ୍କଠାରୁ ସେମାନଙ୍କ ଝାଳବୁହା ପଇସା ଠକି ନେଇଥିବା ଚିଟଫଣ୍ଡ ମାଲିକଙ୍କ ଦୁର୍ନୀତିର ସିବିଆଇ ତଦନ୍ତରେ ଡୋର ଲାଗିଯିବ ନା, ନୂଆ ସରକାରରେ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ସିବିଆଇ ତଦନ୍ତ ତ୍ୱରାନ୍ୱିତ ହେବ?

ଚିଟଫଣ୍ଡ ଦୁର୍ନୀତିରେ ଶାସକ ବିଜୁ ଜନତା ଦଳ ନେତାମାନଙ୍କ ସମ୍ପୃକ୍ତିକୁ ନେଇ କାହା ମନରେ ତିଳେ ହେଲେ ବି ସନ୍ଦେହ ନାହିଁ। କିନ୍ତୁ ସନ୍ଦେହ ଅଛି ସିବିଆଇର ଗତିବିଧିକୁ ନେଇ। ଚିଟଫଣ୍ଡ କମ୍ପାନୀଗୁଡ଼ିକ ଛୋଟମୋଟ ପୁଞ୍ଜି ନିବେଶକାରୀଙ୍କୁ ପ୍ରାୟ ୫୦ହଜାର କୋଟି ଟଙ୍କାର ଠକେଇ କରିଛନ୍ତି। ଆରମ୍ଭରୁୁ ନବୀନ ସରକାର ତଥ୍ୟପ୍ରମାଣ ନଷ୍ଟ କରିବା ନିମନ୍ତେ କ୍ରାଇମ ବ୍ରାଞ୍ଚ ଏବଂ କମିଶନରେଟ ପୁଲିସକୁ ତଦନ୍ତ ଦାୟିତ୍ୱ ଦେଇଥିଲେ।

ଏପରିକି ଦୁର୍ନୀତିର ସିବିଆଇ ତଦନ୍ତକୁ ରାଜ୍ୟ ସରକାର ଜୋରଦାର ବିରୋଧ କରୁଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୨୦୧୪ ଜୁନ-ଜୁଲାଇରୁ ସିବିଆଇ ଏହାର ତଦନ୍ତ ଦାୟିତ୍ୱ ନେଇଥିଲା। ତେଣୁ ଏଥିରେ କେନ୍ଦ୍ର ସରକାରଙ୍କର କୌଣସି ଭୂମିକା ନଥିଲା। ମାତ୍ର ଲୋକଙ୍କ ଆଶା ଭରସା ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବିପରୀତରେ ଯାଇଥିଲେ ମୋଦୀ ସରକାର। ପ୍ରାରମ୍ଭରେ ସିବିଆଇ ଅତ୍ୟନ୍ତ ତପିରତା ଦେଖାଇଥିଲା। ପରବର୍ତ୍ତୀ କାଳରେ ଏହି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ତଦନ୍ତକୁ ଧିମାଇ ଦେଲା ଏବଂ ପରିଶେଷରେ ଶୋଇ ବି ପଡ଼ିଲା।

ଗତ ପ୍ରାୟ ଦୁଇବର୍ଷ ଧରି ସିବିଆଇ ତଦନ୍ତର ସ୍ୱର ଶବ୍ଦ କେହି ଶୁଣୁ ନଥିଲେ। ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳର ସାହାଯ୍ୟ ସମର୍ଥନ ୨୦୧୯ ସରକାରଙ୍କ ପାଇଁ ଲୋଡ଼ା ହୋଇପାରେ ବୋଲି ଅନୁମାନ କରି ମୋଦୀ ସରକାର ସିବିଆଇକୁ ଗୋ-ସ୍ଲୋ କରିଦେଇଥିଲେ। କିନ୍ତୁ ଗତ ନିର୍ବାଚନ ପ୍ରଚାରରେ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଅମିତ ଶାହ ସମସ୍ତେ ବାରମ୍ୱାର ଚିଟଫଣ୍ଡ ଦୁର୍ନୀତି କଥା ଉଠାଇଥିଲେ। ୨୦୧୯ ନିର୍ବାଚନରେ ବିଜେପିକୁ ପ୍ରଚଣ୍ଡ ବହୁମତ ମିଳିସାରିଛି। ନରେନ୍ଦ୍ର ମୋଦୀ ଦ୍ୱିତୀୟଥର ସରକାର ଗଠନ କରିସାରିଛନ୍ତି।

ରାଜ୍ୟ ସରକାରଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିଆସୁଥିବା ଅମିତ ଶାହ ମୋଦୀ-୨ କ୍ୟାବିନେଟରେ ସବୁଠାରୁ ଶକ୍ତିଶାଳୀ ମନ୍ତ୍ରୀଭାବେ ଉଭା ହୋଇଛନ୍ତି। ତାଙ୍କୁ ସ୍ୱରାଷ୍ଟ୍ର ବିଭାଗ ମିଳିଛି। ସିବିଆଇ ତଦନ୍ତ ତ୍ୱରାନ୍ୱିତ ହେବ ନା ଶୀଥିଳ ହୋଇ ରହିବ, ଏହି ନିଷ୍ପତ୍ତି ନେବା ଅଧିକାର ଶାହଙ୍କର ରହିଛି। ତେଣୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ଯେ,ଶାହ କି ନିଷ୍ପତ୍ତି ନେଉଛନ୍ତି।

Leave a Reply

Your email address will not be published. Required fields are marked *