ପ୍ରବାସୀ ଶ୍ରମିକ ବ୍ୟବସ୍ଥା: ଆତ୍ମନିର୍ଭର ହେବା କେମିତି?

କରୋନା ଭୂତାଣୁ ସମସ୍ୟା ଏବଂ ଦେଶ୍ୟବ୍ୟାପୀ ଲକ୍ଡାଉନ୍ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରବାସୀ ଶ୍ରମିକ ସମ୍ବନ୍ଧୀୟ ଘଟଣାବଳୀ ଆମ ସମସ୍ତଙ୍କ ମନକୁ ଯଥେଷ୍ଟ ଆନ୍ଦୋଳିତ କରିଛି । ଏଭଳି ସମୟରେ ଦେଶର ପ୍ରଧାନମନ୍ତ୍ରୀ ଯେଉଁ “ଆତ୍ମନିର୍ଭର ଭାରତ” ଡାକରା ଦେଇଛନ୍ତି ତାହା ନୂଆ ନହେଲେ ମଧ୍ୟ ସ୍ୱାଗତଯୋଗ୍ୟ।
ଆମ ଦେଶର ଗରିବ, ମଧ୍ୟବିତ ବା ଅନ୍ୟ ବର୍ଗର ବ୍ୟକ୍ତିମାନେ ନିଜ ବାସସ୍ଥାନ ଛାଡ଼ି ଅନ୍ୟ ରାଜ୍ୟରେ ନିଜ ପାଇଁ କର୍ମସଂସ୍ଥାନ ଖୋଜିବା କିଛି ନୂଆ କଥା ନୁହେଁ। ଦେଖିବାକୁ ଗଲେ ମାନବ ସମାଜ ଆରମ୍ଭରୁ ହିଁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ବସବାସ କରିଆସିଛି । ଏହି ଧାରାରେ ବିଚାର କଲେ ଗରିବ ଶ୍ରମିକଟିଏ ଆମ ରାଜ୍ୟରୁ ଯାଇ ଅନ୍ୟ ରାଜ୍ୟରେ କର୍ମନିଯୁକ୍ତି ପାଇ ନିଜର ପେଟ ପୋଷିବା କ’ଣ ଆତ୍ମ ନିର୍ଭରଶୀଳ ହେବାର ପ୍ରମାଣ ନୁହେଁ? ନିଜ ପେଟ ପୋଷିବା ଲାଗି କ’ଣ ନିଜ ଜନ୍ମସ୍ଥାନରେ ରହି କାମ କରିବା ନିତାନ୍ତ ଆବଶ୍ୟକ? ଯଦି ବାସସ୍ଥାନ ବଦଳେଇ ଅନ୍ୟ ରାଜ୍ୟକୁ ଗଲେ ସେ ଦୁଇପଇସା ଭଲ ଆୟ କରିପାରୁଛି ଓ ସେଥିରେ ତା’ର ପ୍ରଗତି ହାସଲ ହୋଇପାରୁଛି ତେବେ ସେଥିରେ ଅସୁବିଧା କ’ଣ ଅଛି?
ଭାରତବର୍ଷରେ ଶ୍ରମିକମାନଙ୍କର ଆନ୍ତଃରାଜ୍ୟ ଯାତାୟାତ ଏବଂ ବସବାସ ମାଧ୍ୟମରେ ରୋଜଗାର ଖୋଜିବା ପଛରେ ଯେଉଁ ପ୍ରମୁଖ କାରଣମାନ ରହିଛି, ସେଗୁଡ଼ିକ ହେଲା: ଅସଂଗଠିତ ସାମାଜିକ ବ୍ୟବସ୍ଥା, ବଡ଼ପରିବାର, ଏବଂ ପ୍ରକୃତିକ ବିପର୍ଯ୍ୟୟ! ଏସବୁ ସମସ୍ୟାକୁ ଏଡ଼ାଇବାକୁ ଯାଇ ଗୋଟିଏ ଯୁବଶକ୍ତି ରାଜ୍ୟ ସୀମା ପାର ହୋଇଥିଲେ ମଧ୍ୟ ଅନ୍ୟ ରାଜ୍ୟରେ ଯେ ସେ ଖୁସିରେ ରହେ ତା’ ନୁହେଁ। ନିଜ ସ୍ଥାନ ଛାଡ଼ି ଯେଉଁମାନେ ନୂଆ ଅଞ୍ଚଳରେ ଆସି ବସବାସ କରନ୍ତି ସେମାନେ ବିଭିନ୍ନ ଶୋଷଣର ଶିକାର ହେବା ସଙ୍ଗେ ନିଜର ପରିଚୟ ହରାଇଥା’ନ୍ତି ଏବଂ ନିଜକୁ ଅସୁରକ୍ଷିତ ମନେ କରିବା ସହ ନାନା ସମସ୍ୟାର ସମ୍ମୁଖୀନ ହୋଇଥା’ନ୍ତି ।
ପ୍ରାୟତଃ ସବୁ ପ୍ରବାସୀ ଶ୍ରମିକ ଭାରତରେ ଅଣ ସଂଗଠିତ କ୍ଷେତ୍ର ବା କ୍ଷୁଦ୍ର ଶିଳ୍ପମାନଙ୍କରେ କାର୍ଯ୍ୟ କରନ୍ତି । ଏସବୁ କ୍ଷେତ୍ର “ଆତ୍ମନିର୍ଭର ଭାରତ”ର ଅବିଚ୍ଛେଦ୍ୟ ଅଙ୍ଗ ହୋଇ ଅନେକ ଦିନରୁ ରହିଆସିଛନ୍ତି । ତେଣୁ ଆତ୍ମନିର୍ଭରଶୀଳ ହେବା ପାଇଁ ଆଉ କ’ଣ ଆବଶ୍ୟକ?
ଯେଉଁ ପ୍ରବାସୀ ଶ୍ରମିକଙ୍କ କଥା ଆମେ ଏଠାରେ ଚର୍ଚ୍ଚା କରୁଛୁ, ସେମାନେ ଭାରବର୍ଷକୁ ଆତ୍ମନିର୍ଭରଶୀଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି । ଆମେ ନଜାଣି ପାରିଲେ ମଧ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଅନେକ ଦ୍ରବ୍ୟ ଓ ଜିନିଷପତ୍ର ଯାହା ଆମ ଜୀବନକୁ ଆଗକୁ ବଢିବାରେ ସାହାଯ୍ୟ କରୁଛି ତାହା ପଛରେ କୌଣସି ନା କୌଣସି ପ୍ରବାସୀ ଶ୍ରମିକଙ୍କର ହାତ ରହିଛି ।
କିନ୍ତୁ ଏଠାରେ ମୌଳିକ ପ୍ରଶ୍ନ ମନକୁ ଆସେ ଯେ, ସେ ଶ୍ରମିକ ଭାଇ ବା ଭଉଣୀ ପ୍ରବାସୀ ହେଲେ କାହିଁକି? ଏବଂ ଆଜି ଘରକୁ ଫେରିବା ପରେ ସେ ପୁଣି ଥରେ ତାଙ୍କର ପେଟକୁ ଦାନା ଓ ଦେହକୁ କନା ଯୋଗାଇବାରେ ସକ୍ଷମ ହେବେ ବି?
ଯଦି କୌଣସି ବ୍ୟକ୍ତି ନିଜ ଘର ପାଖରେ ରୋଜଗାରର ପନ୍ଥା ପାଇପାରିବ, ସେ ଘର ଛାଡ଼ି ନିଜର ପରିଚୟ ହଜାଇବା ପାଇଁ ଆଗ୍ରହୀ କାହିଁକି ହେବ? ମୋ ଦୃଷ୍ଟି କୋଣରୁ ଏହା ଆଦୌ ହେବା କଥା ନୁହଁ । ଯଦି ଗରିବ ଶ୍ରମକଟିଏ ତାର ବାସସ୍ଥାନରେ ଜାତି ବ୍ୟବସ୍ଥାର ଶିକାର ହେବ ନାହିଁ କିମ୍ବା ସରକାରଙ୍କର ଦ୍ୱାରା ଗୃହୀତ ବିକାଶ ବ୍ୟବସ୍ଥାର ଫଳାଫଳ ତା’ ପାଖରେ ପହଞ୍ଚୁଥିବ, ତେବେ ସେ କାହିଁକି ଘର ଛାଡ଼ି ଯିବା ପାଇଁ ବାଧ୍ୟ ହେବ? ଏସବୁ ବ୍ୟାପକ ବ୍ୟବସ୍ଥା ଯାହା ପାଇଁକି ସରକାରମାନ ବିଗତ ସାତ ଦଶନ୍ଧି ଧରି ବିଭିନ୍ନ ନିୟମ କାନୁନ ଓ ସରକାରୀ କାର୍ଯ୍ୟକ୍ରମର ଡିଣ୍ଡିମ ପିଟି ଆସୁଛନ୍ତି ତାହାର ସୁଫଳ ଯଦି ତଳ ସ୍ତରରେ ଆଖି ଦୃଶିଆ ଭାବେ ପହଞ୍ଚିଚିଥାନ୍ତା ତେବେ ଲୋକମାନେ ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ଯିବା ପାଇଁ ଆଦୌ ଆଗ୍ରହ ପ୍ରକାଶ କରି ନଥାଆନ୍ତେ।
ତେଣୁ ଆତ୍ମନିର୍ଭରଶୀଳତାର ଯଦି ଅନ୍ୟଏକ ପରିଭାଷା ଆମେ ଖୋଜିବା ତେବେ ନିଜ ରାଜ୍ୟ ଛାଡ଼ି ଅନ୍ୟ ରାଜ୍ୟକୁ ନଯିବା ପାଇଁ ଯେଉଁ ବ୍ୟବସ୍ଥା ଦରକାର ତାହା ଆମକୁ ପ୍ରସ୍ତୁତ କରିବାକୁ ପଡ଼ିବ । ବ୍ୟାପକ ବ୍ୟବସ୍ଥା ପରିବର୍ତନ ସରକାର ଆଣିପାରିବେ ଏବଂ ଏଭଳି କରିବା ସରକାରଙ୍କ ମୌଳିକ ଦାୟିତ୍ୱ । କରୋନା ଭୂତାଣୁ ଯୋଗୁଁ ଆସିଥିବା ଏହି ପ୍ରତିକୂଳ ପରିସ୍ଥିତି ଆମକୁ ଏକ ନୂତନ ସୁଯୋଗ ଦେଇଛି । ଏକ ଗଠନମୂଳକ ସମାଜର ନାଗରିକ ହିସାବରେ ଏହା ଆମର କର୍ତ୍ତବ୍ୟ ଯେ, ସରକାରଙ୍କ ପାଖରେ ଯୁକ୍ତି ଉପସ୍ଥାପନ କରି ଆତ୍ମନିର୍ଭରଶୀଳ ଓଡ଼ିଶା ଏବଂ ଭାରତ ଗଠନ ଦିଗରେ ଆମର ପ୍ରବାସୀ ଶ୍ରମିକମାନେ ଅନ୍ୟ ରାଜ୍ୟରେ ଯେଉଁ ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି, ସେଥିପାଇଁ ସୁଯୋଗ ସରକାର ଆମ ରାଜ୍ୟରେ ସୃଷ୍ଟି କରନ୍ତୁ।
ଏ ଦିଗରେ ଯେଉଁ ପ୍ରସ୍ତୁତି ଆବଶ୍ୟକ ତା’ ମଧ୍ୟରେ ସରକାରଙ୍କର ପ୍ରମୁଖ ଭୂମିକା ରହିଛି । ଭୋଟ ବାକ୍ସ ଆଗକୁ ଯାଇ କିଛି ଚିନ୍ତାଧାରା ସୃଷ୍ଟି କରି ପ୍ରକୃତପକ୍ଷେ ସରକାରୀ କଳ, ସରକାରୀ ବ୍ୟବସ୍ଥା ଏବଂ କାର୍ଯ୍ୟରତ ସରକାରୀ କର୍ମୀମାନେ ଏଭଳି ଏକ ପ୍ରଚେଷ୍ଟାରେ ସାମିଲ ହୋଇ ପରିବର୍ତନ ଆଣିବାରେ ସହାୟକ ହେବା ପ୍ରବାସୀ ଶ୍ରମିକମାନଙ୍କ ପ୍ରତି ପ୍ରକୃତ ସେବାର ପରିଚାୟକ ହେବ ।
ସେମାନଙ୍କୁ ଟ୍ରେନରୁ ପାଛୋଟି ନେବା, ତୋରଣ ଲାଗାଇ ସ୍ୱାଗତ କରିବା ଏବଂ ଅନ୍ୟାନ୍ୟ ସାମୟିକ ସୁବିଧା ଦେବା ପ୍ରଭୃତି ସାମୟିକ ଆବଶ୍ୟକତା । କିନ୍ତୁ, ଆମର ପ୍ରଚେଷ୍ଟା ସେତିକିରେ ସମାପ୍ତ ହୋଇଗଲେ ଆମେ ‘ଗୋଦରା କୋଡ଼େ ଯେତେ ମାଡ଼େ ସେତେ’ ଭଳି ଯେଉଁ ଦୁର୍ଦଶା ଆଗରୁ ଭୋଗିଥିଲେ ଭବିଷ୍ୟତରେ ତାହାକୁ ପୁଣି ଡାକି ଆଣିବା!
ତେଣୁ ବର୍ତମାନର ପରିସ୍ଥିତିରେ ସରକାରଙ୍କଠାରୁ ଏବଂ ରାଜ୍ୟର ଅନ୍ୟ ସବୁ ପ୍ରମୁଖ ଗୋଷ୍ଠୀମାନଙ୍କ ଠାରୁ ଏହି ରାଜ୍ୟ ଫେରନ୍ତା ପୁଅକୁ କିପରି କାମରେ ଲଗାଯାଇପାରିବ, ସେ କେମିତି ତା’ର ଆବଶ୍ୟକତା ପୂରଣ କରିପାରିବ ସେଥିଲାଗି ସୁଯୋଗ ସୃଷ୍ଟି କରିବାକୁ ଆଗଭର ହେବେ ବୋଲି ଆଶା କରାଯାଏ । ପ୍ରବାସୀ ଶ୍ରମିକ ଯଦି ଆତ୍ମସନ୍ତୋଷ ଯୋଗ୍ୟ ଓ ସମ୍ମାନସ୍ପଦ ରୋଜଗାର ପନ୍ଥା ଆମ ରାଜ୍ୟରେ ପାଇବେ ସେମାନେ ଘର ପାଖରେ ରହି ଆତ୍ମନିର୍ଭରଶୀଳ ହେବା ଲାଗି ଆଦୌ ପଛଘୁଞ୍ଚା ଦେବେ ନାହିଁ । ବରଂ ଆତ୍ମନିର୍ଭରଶୀଳ ଭାରତ ଗଠନ ପାଇଁ ଅନ୍ୟ ରାଜ୍ୟରେ ଯେତିକି ପରିଶ୍ରମ କରୁଥିଲେ ଏବେ ଘର ପାଖରେ ରହି ତା’ଠାରୁ ଅଧିକ ପରିଶ୍ରମ କରିବେ ଓ ରାଜ୍ୟ ପାଇଁ ଗୌରବ ଆଣିବେ, ନୁହେଁ କି?
(ଲେଖକ ଜଣେ ସାମାଜିକ କର୍ମୀ , ଗବେଷକ ଓ ସ୍ତମ୍ଭକାର। ସମ୍ପୃକ୍ତ ସ୍ତମ୍ଭରେ ପ୍ରତିଫଳିତ ମତ ତାଙ୍କ ବ୍ୟକ୍ତିଗତ ଚିନ୍ତନ ଉପରେ ଧାରିତ। ମୋବାଇଲ୍ ନମ୍ବର: ୯୯୩୭୧୦୦୫୪୯ )
ଲେଖକଙ୍କ ଅନ୍ୟ ସନ୍ଦର୍ଭ