ନିର୍ବାଚନ ସରିବାପରେ ଆୟୁଷ୍ମାନ ଭାରତକୁ ବଦଳିଲେ ରାଜ୍ୟ ସରକାର
ମୋଦୀ ସରକାରଙ୍କ ବହୁ ଚର୍ଚ୍ଚିତ ସ୍ୱାସ୍ଥ୍ୟବୀମା ଯୋଜନା ବା ‘ଆୟୁଷ୍ମାନ ଭାରତ’କୁ ନବୀନ ସରକାର ଆରମ୍ଭରୁ ବିରୋଧ କରିଥିଲେ। ୨୦୧୮ ସେପ୍ଟେମ୍ୱର ୨୩ ତାରିଖରୁ ଏହା ସାରା ଭାରତରେ ଲାଗୁ ହେଲା। ଏଥିପାଇଁ ୨୦୧୮କେନ୍ଦ୍ର ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଇଥିଲା ଏବଂ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ତାଙ୍କ ବଜେଟ ଭାଷଣରେ ଏହା ଉଲ୍ଲେଖ କରିଥିଲେ। ଏହାକୁ କୁହାଯାଉଥିଲା ‘ମୋଦୀ କେୟାର’।

କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନବୀନ ସରକାର ଏହାକୁ କାର୍ଯ୍ୟକାରୀ ନକରି ନିଜ ଆଡ଼ୁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନା ଆରମ୍ଭ କରିଦେଲେ। ରାଜ୍ୟ ସରକାରଙ୍କର ଯୁକ୍ତି ଥିଲା, ଆୟୁଷ୍ମାନ ଭାରତ ଅପେକ୍ଷା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ଏବଂ ଏହାଦ୍ୱାରା ରାଜ୍ୟର ସବୁ ପରିବାର ଉପକୃତ ହେବେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ଆସୁଥିବା ବେଳେ ବାରମ୍ୱାର ଏହି ଆୟୁଷ୍ମାନ ଭାରତ ଯୋଜନା କଥା ଉଲ୍ଲେଖ କରି ଓଡ଼ିଶାର ଗରିବ ଲୋକଙ୍କ ସ୍ୱାର୍ଥ ସକାଶେ ତୁରନ୍ତ ଏହାକୁ ଲାଗୁ କରିବା ପାଇଁ ନବୀନ ସରକାରଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ଅଡ଼ି ରହିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏହି ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସବୁଠୁ ବଡ଼ ପାର୍ଥକ୍ୟ ଥିଲା ଆୟୁଷ୍ମାନ ଭାରତ କାର୍ଡ଼ଧାରୀ ଦେଶର ଯେକୌଣସି ସ୍ୱୀକୃତିପ୍ରାପ୍ତ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ପାଇପାରିବେ। କିନ୍ତୁ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟବୀମା ଯୋଜନା କେବଳ ଓଡ଼ିଶା ଭିତରେ ସୀମିତ ଥିଲା। ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ୬୦କୋଟି ଲୋକ ଉପକୃତ ହେବେ ଏବଂ ସେମାନଙ୍କୁ ପ୍ରତିବର୍ଷ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସହାୟତା ସୁଯୋଗ ମିଳିବ।
ଓଡ଼ିଶା ଛଡ଼ା ପଶ୍ଚିମବଙ୍ଗ, ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ଏହି ଯୋଜନାକୁ କାର୍ଯ୍ୟକାରୀ କରିନଥିଲେ। ଫଳରେ ଓଡ଼ିଶାର ଗରିବ କେନ୍ଦ୍ର ସରକାରଙ୍କ ଏହି ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଲେ। କେବଳ ଅହଙ୍କାର ଓ ଜିଦଯୋଗୁଁ ନବୀନ ସରକାର କେନ୍ଦ୍ରର ଏହି ଯୋଜନାକୁ କାର୍ଯ୍ୟକାରୀ କଲେ ନାହିଁ, ଅଥଚ ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ମଧ୍ୟ କରିପାରିଲେ ନାହିଁ। ଆଜି ବି ହଜାର ହଜାର ଗରିବଙ୍କ ପାଖରେ ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ନାହିଁ।
ଏହାର ବଡ଼ କାରଣ ଥିଲା, ନବୀନ ସରକାର ଆଶଙ୍କା କରୁଥିଲେ ଯେ, ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେଲେ ଫାଇଦା ମୋଦୀ ଏବଂ ବିଜେପି ନେଇଯିବେ। ତେଣୁ ପାଖାପାଖି ଗୋଟିଏ ବର୍ଷ ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଅକାମୀ କରିଦେଲେ ନବୀନ ସରକାର। ଆୟୁଷ୍ମାନ ଭାରତ ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକସଙ୍ଗେ କାର୍ଯ୍ୟକାରୀ ହୋଇପାରିଥାନ୍ତା ଏବଂ ରାଜ୍ୟ ସରକାରଙ୍କ ଉପରେ ଅଧିକ ଆଥିର୍କ ବୋଝ
ପଡ଼ି ନଥାନ୍ତା।
ନିର୍ବାଚନ ସରି ରାଜ୍ୟରେ ପୁଣି ନବୀନ ସରକାର ଆସିବା ପରେ ଏବେ ଆୟୁଷ୍ମାନ ଭାରତ ଯୋଜନା ଭଲ ବୋଲି ହୃଦବୋଧ ହେଲାଣି ନବୀନଙ୍କର। କେନ୍ଦ୍ର ସହିତ ବର୍ତ୍ତମାନ ପରିସ୍ଥିତିରେ ଆଉ ମୁକାବିଲା କରିବାର ସାହସନାହିଁ। ବୋଧହୁଏ ସେଥିପାଇଁ ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ପାଇଁ ଅନୁକୂଳ ମତିଗତି ଦେଖାଇଛନ୍ତି ସରକାର।
ଦ୍ୱିତୀୟ କାରଣଟି ହୋଇପାରେ ରାଜ୍ୟ ଦେବାଳିଆ ପରିସ୍ଥିତିକୁ ଟାଣି ହୋଇଯାଉଥିବା ସମୟରେ ଆଉ ଅହଙ୍କାର ପ୍ରଦର୍ଶନ ସ୍ଥିତିରେ ନାହାନ୍ତି ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ସହାୟତା ଯୋଜନା ଆୟୁଷ୍ମାନ ଭାରତକୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ସବୁଜ ସଂକେତ ଦେଇଛନ୍ତି।