ରାଜ୍ୟରେ ‘ସ୍ଥିର’, କେନ୍ଦ୍ରରେ ‘ଅସ୍ଥିର’ ସରକାର କାହିଁକି ଚାହୁଁଛନ୍ତି ନବୀନ?

କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ଆରମ୍ଭ କଲାବେଳେ କେନ୍ଦ୍ରରେ ଖେଚୁଡ଼ି ସରକାର ହେବ ବୋଲି ଭବିଷ୍ୟବାଣୀ କରିଥିଲେ। ଏହି ଖେଚୁଡ଼ି ସରକାରରେ ତାଙ୍କ ବିଜୁ ଜନତା ଦଳ କିଙ୍ଗ ମେକରର ଭୂମିକା ଗ୍ରହଣ କରିବ ବୋଲି ସେ ସୂଚନା ଦେଇଥିଲେ। ତେଣୁ ତାଙ୍କର ସ୍ଲୋଗାନ ଥିଲା, ୨୧ ଲୋକସଭା ଆସନରୁ ୨୧ ବିଜଦକୁ ଜିତାନ୍ତୁ ଭୋଟର।

ଗତ ଲୋକସଭା ନିର୍ବାଚନରେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜୁ ଜନତା ଦଳ ୨୦ଟିରେ ବିଜୟୀ ହୋଇଥିଲା। ଅନ୍ୟ ଆସନଟି ଯାଇଥିଲା ଭାରତୀୟ ଜନତା ପାର୍ଟି ହାତକୁ। କଂଗ୍ରେସ ପ୍ରଥମ ଥର ପାଇଁ ଖାତା ଖୋଲି ନଥିଲା। ଏଥର ନିର୍ବାଚନରେ ସବୁ ୨୧ଟି ଯାକ ଆସନ ଚାହାଁନ୍ତି ନବୀନ। ଏହା ଫଳରେ କେନ୍ଦ୍ରରେ ରାଜ୍ୟର ସ୍ୱର ମଜଭୁତ ହେବ ବୋଲି ସେ ଆଶା କରୁଛନ୍ତି।

ଗତ ନିର୍ବାଚନରେ ୨୦ଆସନ ଜିଣି ଲୋକସଭାରେ ଓଡ଼ିଶାର ଦାବିକୁ ବିଜେଡି ବିଶେଷ ଭାବେ ବା ପ୍ରଭାବୀ ଢଙ୍ଗରେ ଉଠାଇ ନାହିଁ। ବରଂ କେନ୍ଦ୍ର ବିରୋଧରେ ବିଜେଡିର ସ୍ୱର ବିଧାନସଭାରେ ଅଧିକ ଶୁଭିଛି। ସେମାନେ ବିଧାନସଭାକୁ ଅଚଳ କରିଛନ୍ତି। ଯେଉଁ ପଦକ୍ଷେପ ସଂସଦରେ ବିଜେଡି ନେବା କଥା, ତାହା ଦେଖିବାକୁ ମିଳିନାହିଁ। ବରଂ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ଏନଡିଏ ସହ ସ୍ୱର ମିଳାଇଛି।

କେନ୍ଦ୍ରରେ ବିଜେପି ଏବଂ କଂଗ୍ରେସ କାହାକୁ ପୂର୍ଣ୍ଣ ବହୁମତ ମିଳିବ ନାହିଁ ବୋଲି ନବୀନ ମନେ କରନ୍ତି। ୨୦୧୪ ପୂର୍ବରୁ ମଧ୍ୟ ତାଙ୍କର ଏମିତି ଧାରଣା ଥିଲା। ତେବେ ୫ବର୍ଷ ପରେ ଏନଡିଏ ଆଉ ସେଭଳି ସଂଖ୍ୟା ଗରିଷ୍ଠତା ହାସଲ କରିବ ନାହିଁ ବୋଲି ନବୀନଙ୍କ ଗଣିତ ପଛରେ ଯାହା ବି କାରଣ ଥାଉ ନା କାହିଁକି, ସେ ଚାହାଁନ୍ତି କେନ୍ଦ୍ର ‘ଅସ୍ଥିର’ ସରକାର ଗଢ଼ା ହେଉ ଏବଂ ଏଥିରେ ବିଜେଡିର ବଡ଼ ଭୂମିକା ରହୁ। ଏହା ଫଳରେ ରାଜ୍ୟର ସ୍ୱାର୍ଥ ସଂରକ୍ଷିତ ରହିବ ବୋଲି ସେ ଆଶା କରୁଛନ୍ତି।

ତେଣୁ ନବୀନ ଏବଂ ବିଜୁ ଜନତା ଦଳ ଯୁକ୍ତିରେ କେନ୍ଦ୍ରରେ ଅସ୍ଥିର ସରକାର ହେଲେ, ବିଜେଡିର ଏବଂ ଓଡ଼ିଶାର ଲାଭ। ଏହା ଦ୍ୱାରା ଦେଶର କି ପ୍ରକାର ଲାଭ ହେବ ସେକଥା ନବୀନ କହୁ ନାହାନ୍ତି।

ଦେଶ ପାଇଁ ‘ଅସ୍ଥିର’ ସରକାର ଆଶା କରୁଥିବା ନବୀନ କିନ୍ତୁ ଓଡ଼ିଶାରେ ସ୍ଥିର ସରକାରର ପକ୍ଷପାତି। ସେଥିପାଇଁ ବିଜୁ ଜନତା ଦଳର ସ୍ଲୋଗାନ ହେଲା- ‘ଓଡ଼ିଶାର ପ୍ରଗତି ପାଇଁ ଦରକାର ସବୁବେଳେ ଏକ ସ୍ଥିର ସରକାର। ସ୍ଥିରତା ପାଇଁ ନବୀନ ଦରକାର।’

ଅର୍ଥାତ ସ୍ଥିର ସରକାର କେବଳ ନବୀନ ଦେଇପାରିବେ। ଓଡ଼ିଶାର ପ୍ରଗତି ପାଇଁ ଏକ ସ୍ଥିର ସରକାରର ଆବଶ୍ୟକତା ଅଛି ଏବଂ ନବୀନ ହେଉଛନ୍ତି ସ୍ଥିରତା ଏବଂ ବିକାଶର ପ୍ରତୀକ।

୨୦୦୦ ମସିହାରୁ ଆଜି ଯାଏଁ ନବୀନ ସ୍ଥିର ସରକାରର ନେତୃତ୍ୱ ନେଇ ଆସିଛନ୍ତି। ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟ ସରକାରର ନେତୃତ୍ୱ ନେଇଥିଲେ ନବୀନ। ୨୦୦୯ରୁ ୨୦୧୯ ଯାଏଁ ବିଜୁ ଜନତା ଦଳ ଏକାକୀ ଶାସନ କରୁଛି। ତେଣୁ ଦୀର୍ଘ ୧୯ ବର୍ଷ ସ୍ଥିର ସରକାରର ନେତୃତ୍ୱ ନେଇଥିବା ନବୀନ ପଟ୍ଟନାୟକ ପୁଣି ପ୍ରଗତି ପାଇଁ ନବୀନଙ୍କ ନେତୃତ୍ୱରେ ସ୍ଥିର ସରକାର ଚାହୁଁଛନ୍ତି।

୧୯ ବର୍ଷ ଭିତରେ ରାଜ୍ୟରେ କାହିଁକି ପ୍ରଗତି ହୋଇପାରି ନାହିଁ ଏବଂ ଓଡ଼ିଶାରେ ପ୍ରଗତି କାହିଁକି ଆବଶ୍ୟକ ପଡ଼ିଛି, ଏକଥା ମୁଖ୍ୟମନ୍ତ୍ରୀ କଦାପି କହୁ ନାହାନ୍ତି। ଅଥଚ ପ୍ରାୟ ସବୁ ନିର୍ବାଚନୀ ସଭାରେ ସେ ଗୋଟିଏ ଭାଷଣ ନବୀନ ପଢ଼ି ଚାଲିଛନ୍ତି। ଏହାର ମୂଳ ନିର୍ଯ୍ୟାସ ହେଲା, କେନ୍ଦ୍ର ଅବହେଳା କରୁଛି।

କିନ୍ତୁ ୨୧ରୁ ୨୧ ଲୋକସଭା ଆସନ ଜିଣ ନବୀନ କେନ୍ଦ୍ରରେ ସରକାର ଗଢ଼ି ପାରିବେ କି? ବିଜୁ ଜନତା ଦଳ ଏନଡିଏ ବା ଉପା’ର ଅଂଶୀଦାର ନୁହେଁ। ତେଣୁ ବିଜେଡି ସରକାର ଗଢ଼ି କେନ୍ଦ୍ର ଅବହେଳାର କଳଙ୍କ ପୋଛିଦେବ ବୋଲି ମନେ କରିବା ଠିକ ହେବ ନାହିଁ।

ଓଡ଼ିଶାର ପ୍ରଗତି ପାଇଁ ନବୀନ ଚାହାଁନ୍ତି ସ୍ଥିର ସରକାର। ଅଥଚ ବିଜୁ ଜନତା ଦଳର ଲାଭ ପାଇଁ ସେ ଚାହାଁନ୍ତି କେନ୍ଦ୍ରରେ ଖେଚୁଡ଼ି ବା ଅସ୍ଥିର ସରକାର। କୌଣସି ଅସ୍ଥିର ସରକାର ପ୍ରଗତି ବାହାକ ହୋଇପାରିବ କି?

୧୯୯୬ରୁ ୯୮ ପର୍ଯ୍ୟନ୍ତ ଖେଚୁଡ଼ି ସରକାରର କାରବାର ଦେଶ ଦେଖିଛି। ଏପରି କି ୟୁପିଏ ସରକାର ଅମଳରେ ସବୁଠୁ ବଡ଼ବଡ଼ ଦୁର୍ନୀତି ଆତ୍ମ ପ୍ରକାଶ କରିବାର ମୂଳ କାରଣଟି ହେଲା, କଂଗ୍ରେସ ଏକାକୀ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନଥିଲା। ଏଥିପାଇଁ ଅଂଶୀଦାର ଦଳଗୁଡ଼ିକ ଭାରୀ ମନମାନୀ କରିଥିଲେ।

କିନ୍ତୁ ୨୦୧୪ରେ ଯଦିଓ କେନ୍ଦ୍ରରେ ଏନଡିଏ ସରକାର କ୍ଷମତାସୀନ ହୋଇଥିଲା, ତଥାପି ବିଜେପିକୁ ଲୋକେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଦେଇଥିଲେ। କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ସେହିଭଳି ଅସ୍ଥିର ସରକାର ଚାହୁଁଛନ୍ତି। ଏହା ନବୀନଙ୍କର ଦୋମୁହାଁ ନୀତି ନୁହେଁ କି?

ଓଡ଼ିଶାରେ ସ୍ଥିର ସରକାର, ଅଥଚ ଦେଶରେ ଅସ୍ଥିର ସରକାର? ଏହା ପ୍ରମାଣିତ କରୁଛି ଯେ, କିଛି ବିପଦ ଆଶଙ୍କାରୁ ବିଜେଡିକୁ ସୁରକ୍ଷିତ ରଖିବା ପାଇଁ ନବୀନ କେନ୍ଦ୍ରରେ ଏକ ଦୁର୍ବଳ ଏବଂ ପ୍ରଗତି ପରିପନ୍ଥୀ ସରକାର ଚାହୁଁଛନ୍ତି। କିନ୍ତୁ ଜନତା ପ୍ରକୃତରେ ଏହା ଚାହାଁନ୍ତି କି?

ଏହାର ଉତ୍ତର ପାଇବାକୁ ହେଲେ ମେ’୨୩ ତାରିଖ ଦିନ ବିଧାନସଭା ଏବଂ ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ସ୍ପଷ୍ଟ ହୋଇଯିବ।

Leave a Reply

Your email address will not be published.