ବିଜେପି ପ୍ରାର୍ଥୀଙ୍କୁ ରାଜ୍ୟସଭା ନିର୍ବାଚନରେ ନବୀନଙ୍କ ସମର୍ଥନ ଅନ୍ତରାଳେ
ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପ୍ରଥମ ଥର ପାଇଁ ଦିଲ୍ଲୀ ଯାଇଥିଲେ। ଜୁନ ୧୦ ତାରିଖରେ ପୂର୍ବତନ ଆଇଏଏସ ଅଫିସର ଅଶ୍ୱିନୀ ବୈଷ୍ଣବ ବିଭିନ୍ନ କମ୍ପାନୀର ନିର୍ର୍େଦ୍ଦଶକ ପଦରୁ ଇସ୍ତଫା ଦେଇଥିଲେ। ଅଶ୍ୱିନୀ ଓଡ଼ିଶା କ୍ୟାଡରର ଆଇଏଏସ ଅଫିସର ଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଯୋଗ ଦେବା ପରେ ଆଉ ଓଡ଼ିଶାର ପ୍ରଶାସନିକ ବ୍ୟବସ୍ଥା ସହ ସଂଶ୍ଳିଷ୍ଟ ନଥିଲେ ଅଶ୍ୱିନୀ।
ଜୁନ ୧୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ସରକାରୀ ବାସଭବନରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଥିଲେ। ଜୁନ ୧୫ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଯୋଗ ଦେଇଥିଲେ ନବୀନ। ପୂର୍ବରୁ ସେ ଆୟୋଗର କୌଣସି ବୈଠକକୁ ପ୍ରାୟତଃ ଯାଉ ନଥିଲେ। ଜୁନ ୧୯ ତାରିଖରେ ଏକ ରାଷ୍ଟ୍ର ଓ ଏକକ ନିର୍ବାଚନ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡକାଇଥିବା ସର୍ବଦଳୀୟ ବୈଠକରେ ମଧ୍ୟ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଲକ୍ଷ୍ୟ କରିବାର ବିଷୟ, ଏତେ ସ୍ୱଳ୍ପ ସମୟ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ କେବେ ଦୁଇଦୁଇ ଥର ଦିଲ୍ଲୀ ଯାଇନାହାନ୍ତି। ଏମିତିକି ପ୍ରଧାନମନ୍ତ୍ରୀଙ୍କ ଆହୂତ ବୈଠକରେ ଯୋଗଦେଇ ନାହାନ୍ତି। ମୁଖ୍ୟମନ୍ତ୍ରୀ ୨୧ ତାରିଖ ଦିନ ଫେରିଲେ ନୂଆଦିଲ୍ଲୀରୁ। ସନ୍ଧ୍ୟାରେ ରାଜ୍ୟସଭା ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ହେଲା। ପ୍ରଥମେ ସେ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ପ୍ରାର୍ଥୀ ଭାବରେ ଉପସ୍ଥାପନ କରିଥିଲେ। କିନ୍ତୁ ପରେ ଏଥିରେ ସଂଶୋଧନ କରି ଅଶ୍ୱିନୀ ବିଜେପି ପ୍ରାର୍ଥୀ ବୋଲି ସ୍ୱୀକାର କଲେ ମୁଖ୍ୟମନ୍ତ୍ରୀ। ଏଥିସହିତ ଅଶ୍ୱିନୀଙ୍କୁ ବିଜେଡି ସମର୍ଥନ କରିବ ଏବଂ ଏସମ୍ପର୍କରେ ସେ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ ନବୀନ।

କେବଳ ୧୧ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ନବୀନ। ଏହା ପୂର୍ବଦିନ ଘରୋଇ କମ୍ପାନୀ ଚାକିରି ଛାଡ଼ିଲେ ଅଶ୍ୱିନୀ। ଅର୍ଥାତ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଅଶ୍ୱିନୀ ଜାଣିସାରିଥିଲେ ଯେ, ଓଡ଼ିଶାରେ ଭାଜପାର ସଂଖ୍ୟା ନଥାଇ ମଧ୍ୟ ସେ ରାଜ୍ୟସଭାକୁ ଯାଉଛନ୍ତି। ନହେଲେ ସେ କାହିଁକି ବିଭିନ୍ନ କମ୍ପାନୀର ନିର୍ଦ୍ଦେଶକ ପଦବୀ ଛାଡ଼ିଥାନ୍ତେ କାହିଁକି?
ଅର୍ଥାତ ଏହି ୧୦ ତାରିଖ ଦିନ ଏମିତି କିଛି ଘଟଣା ଘଟିଥିଲା, ଯାହା ମୋଦୀ-ଶାହା ଏବଂ ଅଶ୍ୱିନୀଙ୍କୁ ବିଶ୍ୱାସ ଦେଇସାରିଥିଲା ଯେ, ନବୀନ ଫାଶରେ ପଡ଼ିସାରିଛନ୍ତି। ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ କରିବା ଛଡ଼ା ତାଙ୍କ ପାଖରେ ଆଉ କୌଣସି ଚାରାନାହିଁ।
କ’ଣ ଘଟିଥିଲା ୧୦ ଓ ୧୧ ତାରିଖରେ? ଏହାହିଁ ସବୁଠୁ ରୋଚକ ଓ ଚମକପ୍ରଦ ଖବର। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଖଣି ଫାଇଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ହୋସ ଉଡ଼ାଇ ଦେଇଛି। ଏଥିପାଇଁ ୧୧୧ ବିଧାୟକ ଜିତାଇ ଆଣିଥିବା ନବୀନ ପଟ୍ଟନାୟକ ରାଜ୍ୟସଭାର ଗୋଟିଏ ଆସନ ବିଜେପି ହାତକୁ ଟେକି ଦେଇଥାନ୍ତେ କାହିଁକି?
୧୧ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କୁ ନବୀନ ସାକ୍ଷାତ କରୁଥିବା ବିଷୟ ସ୍ଥିର ହୋଇସାରିଥିଲା। ପିଏମଓରୁ ସମୟ ମଧ୍ୟ ଜଣାଇ ଦିଆଯାଇଥିଲା। କୁହାଯାଉଛି, ୧୦ତାରିଖ ଦିନ ଜଣେ କେନ୍ଦ୍ରୀୟ ଅଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ଏହି ଅଧିକାରୀ ନବୀନଙ୍କୁ ଖଣି ଫାଇଲର ଏକ ନୋଟିଂ ଦେଖାଇଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଏ ବିଷୟ ଉଠିବ ବୋଲି ନବୀନଙ୍କୁ ସୂଚିତ କରିଦିଆଯାଇଥିଲା।
ସେତିକିରେ ମୁଖ୍ୟମନ୍ତ୍ରୀଙ୍କ ଅକଲଗୁଡ଼ୁମ। ୧୧ ତାରିଖ ଦିନ ଏହି ଖଣି କଥା ଉଠିଥିଲା। ନବୀନଙ୍କ ପାଖରେ କୌଣସି ଉତ୍ତର ନଥିଲା। ଏହି ମୌକାରେ ପ୍ରଧାନମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଉଠାଇ ଥିଲେ। ଓଡ଼ିଶାରୁ ବିଜେପି ତାଙ୍କୁ ରାଜ୍ୟସଭା ପଠାଇବାକୁ ଚାହୁଁଛି ବୋଲି ସ୍ପଷ୍ଟ ସ୍ୱରରେ ଜଣାଇ ଦେଇଥିଲେ ନବୀନଙ୍କୁ। ଅନ୍ୟ କୌଣସି ପ୍ରସଙ୍ଗ ଉପରେ ମୋଦୀ ଓ ନବୀନଙ୍କ ଭିତରେ ଆଲୋଚନା ହୋଇ ନଥିଲା। ଅଶ୍ୱିନୀଙ୍କ ନାମ ପରେ ସମ୍ମତି ଜଣାଇ ଫେରି ଆସିଥିଲେ ମୁଖ୍ୟମନ୍ତ୍ରୀ।
ଏହାଛଡ଼ା ଆଉ ଏକ ସାଙ୍ଘାତିକ ଅଭିଯୋଗର ଦସ୍ତାବିଜ କେନ୍ଦ୍ର ସରକାରଙ୍କ ହାତରେ ଅଛି। ତାହା ହେଉଛି କୋଲ ବ୍ଲକ ଆବଣ୍ଟନ ଦୁର୍ନୀତି। ଏ ବ୍ୟାପାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିବିଆଇ ଜେରା ମଧ୍ୟ କରିସାରିଛି। ଏହାକୁ ଉଭୟ କେନ୍ଦ୍ର ଓ ନବୀନ ସରକାର ଗୋପନ ରଖିଥିଲେ। କିନ୍ତୁ ନିର୍ବାଚନ ପ୍ରଚାର କାଳରେ ଏହି ଖବର ବାହାରକୁ ଆସିଥିଲା। ସିବିଆଇ ରିପୋର୍ଟ ନବୀନଙ୍କ ବିରୋଧରେ ଯାଇଛି। ତେଣୁ ନବୀନ ଅଦାଲତକୁ ଟଣାଯିବାର ଯଥେଷ୍ଟ ଆଶଙ୍କା ଥିବାରୁ ଏହାକୁ ମୋଦୀ-ଶାହା ଯୋଡ଼ି କାମରେ ଲଗାଇ ଦେଇଛନ୍ତି। ବୋଧହୁଏ ଏହି ଫାଇଲଟି ନବୀନଙ୍କୁ ଦେଖାଇ ଦିଆଯାଇଥିଲା। ଫଳରେ ଆତ୍ମସମର୍ପଣ ଛଡ଼ା ଚାରା ନଥିଲା।
କସ୍ମିନକାଳେ ବିଜେପି ଓଡ଼ିଶାରୁ ଗୋଟିଏ ବି ଆସନ ଜିତିପାରିନଥାନ୍ତା। ଅଥଚ ବିଜେପିକୁ ଉପହାର ସୂତ୍ରରେ ଗୋଟିଏ ଆସନ ଟେକିଦେଇଛି ବିଜେଡି। ଯଦିଓ ଏଭଳି ନିଷ୍ପତ୍ତି ରାଜ୍ୟ ବିଜେପିକୁ ଶକ୍ତ ଧକ୍କା ହୋଇଛି, ତଥାପି କହିବାକୁ ହେବ ଯେ, ସବୁଠୁ ବଡ଼ ରାଜନୈତିକ ପରାଜୟ ହୋଇଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର।