କରୋନା ପାଇଁ ଲକ୍ଡାଉନ୍: ଆସ ପିତା ଖାଇବା
କୋଭିଡ୍ ୧୯ କରୋନା ଦୁଶ୍ଚିନ୍ତା ଦିନକୁ ଦିନ ଘାରିବାରେ ଲାଗିଛି। ଆମେ ଯେ ସଂକ୍ରମଣର ଷ୍ଟେଜ୍-୨ରେ ଅଛୁ ଏବଂ ଷ୍ଟେଜ୍-୩ରେ ପହଞ୍ଚି ନାହୁଁ ତାହା ବିଶ୍ଵାସ ହେଉନାହିଁ। ସରକାର ଏହା ଘୋଷଣା କରୁ ନଥିଲେ ମଧ୍ୟ ଯେଉଁ କାର୍ଯ୍ୟ ଆପଣାଉଛନ୍ତି ତାହା ଆମକୁ ଏହା ଚିନ୍ତା କରିବାକୁ ବାଧ୍ୟ କରୁଛି ଯେ, ଆମେ କେଉଁ ମୁହୂର୍ତ୍ତରେ ବି ସଂକ୍ରମିତ ହୋଇପାରୁ! ଆଉ ଏଥିରୁ ବର୍ତ୍ତିବାର ଏକମାତ୍ର ମାଧ୍ୟମ ହେଉଛି ଅଲଗା ରହିବା, ପୃଥକ ରହିବା। ଏହା ଏକ ସ୍ଵାସ୍ଥ୍ୟରକ୍ଷା ପାଇଁ ଜରୁରୀ କାଳୀନ ପରିସ୍ଥିତି। ଏଥିରେ ଆମର ଅଧିକାର କ୍ଷୁଣ୍ଣ ହେଉଥାଇପାରେ କିନ୍ତୁ ଜୀବନ ରକ୍ଷା ପାଇଁ ଜୀବନର ଏହି ଅଧିକାରସବୁକୁ ଆମକୁ କିଛିଦିନ ପାଇଁ ହରାଇବାକୁ ହେବ। ନହେଲେ ନା ରହିଥିବା ଜୀବନ ନା ଆମର ଅଧିକାର! ଯେମିତି ସଂକ୍ରମଣରୁ ରକ୍ଷା ପାଇବାକୁ ଆମକୁ ପିତା ଖାଇବାକୁ କୁହାଯାଇଥାଏ ଠିକ୍ ସେମତି ଏବେ ପରିସ୍ଥିତି ଆସିଛି ବନ୍ଧୁ, ପ୍ରିୟ, ପରିଜନ, ଖଟି ସବୁଥିରୁ ନିଜକୁ ଅଲଗା ରଖିବା ସ୍ଵରୂପ ପିତା ଖାଇବା!, ଘରେ ରହିବା। ନହେଲେ ଆଗକୁ ପରିସ୍ଥିତି ଆହୁରି ବିଗିଡ଼ିପାରେ
ରବିବାର ସକାଳୁ ଆରମ୍ଭ ହେଉଛି ଜନତା କର୍ଫ୍ୟୁ। ସକାଳ ୭ରୁ ରାତି ୯ ଯାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରର ସମସ୍ତ ନାଗରିକଙ୍କୁ ଘରେ ବସି ରହିବାକୁ ଅନୁରୋଧ କରୁଛନ୍ତି। ସଂକ୍ରମଣକୁ ବ୍ୟାପିବାକୁ ନଦେଇ ଯଥା ସମ୍ଭବ ନିଜକୁ ଅଲଗା ରଖିବାକୁ ଅନୁରୋଧ କରିଛନ୍ତି। ସାରା ଦେଶ ଯଦି ନିଜର ରିବାରୀୟ ଖୁସି, ଆନନ୍ଦ ଓ ସାମାଜିକ ସମ୍ପର୍କରୁ ମୁକ୍ତ ହେବ ତେବେ ହୁଏତ ଆମେ କରୋନା ଭୟରୁ କିଛି ତ୍ରାହି ପାଇବା ବୋଲି ଆଶା କରାଯାଇଛି।
ସେହିଦିନଠାରୁ ଓଡ଼ିଶା ସରକାର ୫ ଜିଲ୍ଲାକୁ ସମ୍ପୂଣ୍ଣ ଲକ୍ଡାଉନ୍ ବା ବନ୍ଦ ଘୋଷଣା କରିଛନ୍ତି। ଗାଡ଼ିମୋଟର ଯିବା ଆସିବା ବନ୍ଦ ହେବା ସହ ଏହି ଜିଲ୍ଲାଗୁଡ଼ିକରୁ କେହି ବାହାରକୁ ଯିବା ଏବଂ ବାହାର ଲୋକଙ୍କୁ ଜିଲ୍ଲା ଭିତରକୁ ପ୍ରବେଶ ଉପରେ କଟକଣା ରହିଛି। କେବଳ କିଛି ଅତ୍ୟାବଶ୍ୟକ ସେବା ଛାଡ଼ିଦେଲେ ଅନ୍ୟସବୁ ଏଠି ବନ୍ଦ ରହିବ। ଏହି ୫ ଜିଲ୍ଲା ସହ ୮ଟି ପ୍ରମୁଖ ସହର ବି ରହିଛି।
ଏହି ଜିଲ୍ଲାଗୁଡ଼ିକ ହେଉଛନ୍ତି, ଖେର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଏବଂ ଅନୁଗୁଳ। ସେହିପରି ଯେଉଁ ୮ ସହରକୁ ସରକାର ପ୍ରାୟ ସମ୍ପୂଣ୍ଣ ବନ୍ଦ ଘୋଷଣା କରିଛନ୍ତି ସେଗୁଡ଼ିକ ହେଲା: ପୁରୀ, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ଵର, ଯାଜପୁର ରୋଡ, ଯାଜପୁର ଟାଉନ ଏବଂ ଭଦ୍ରକ।
ପ୍ରଥମ ରାଜ୍ୟ
ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଲ ନିଜର ୪୦ ପ୍ରତିଶତ ଭାଗକୁ ଲକ୍ଡାଉନ୍ ଲକା ସାଙ୍ଗରେ ଘୋଷଣା କରିଛି। ଏହା ପଛରେ ଏକ ମୂଳ କାରଣ ହେଉଛି ଜନସାଧାରଣଙ୍କ ଖାମ ଖଆଲି ଭାବ। ବଆମ ରାଜ୍ୟରେ ରହୁଥିବା ଲୋକଙ୍କଠାରୁ ଏ ଭୁତାଣୁ ସୃଷ୍ଟି ହୋଇ ନାହିଁ। ଏଯାଏ ଯେଉଁ ଦୁଇଟି ମାମଲା ଆସିଛି ସେମାନେ ବାହାର ଦେଶବୁଲିକରି ଆସିଥିବା ଲୋକ। ଏବେ ଏହି ସଂଖ୍ୟଶ ରାଜ୍ୟରେ ୩୨୦୦ ପାଖାପାଖି ରହିଛି। ଏହି ଲୋକମାନଙ୍କୁ ସରକାର ପଞ୍ଜିକରଣ କରି ଏକଲା ରହିବାକୁ ପରାର୍ଶ ଦେଇଥିଲେ ମଧ୍ୟ ସେମାନେ ସରକାରଙ୍କ କଥାକୁ ଫୁ’ କରିଦେଇଛନ୍ତି। ଏହା ବିଶ୍ଵସ୍ଵାସ୍ଥ୍ୟ ସଂଗଠନର ନିର୍ଦେଶାବଳୀକୁ ଫୁ’ କରିବା ଭଳି। ଏଣୁ ଏମାନଙ୍କ ପାଖରେ ଥିବା ଭୁତାଣୁ ଅନ୍ୟ ଲୋକଙ୍କ ଦେହରେ ସଞ୍ଚରିଥିବା ସରକାର ଆଶଙ୍କା କରୁଛନ୍ତି। ଯଦି ଏହା ହୋଇଥାଏ ତେବେ ଆଗକୁ ଭୟାବହ ହୋଇପାରେ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ। ଅବଶ୍ୟ ଏପରି କୌଣସି ମାମଲା ଆସିନାହିଁ କିନ୍ତୁ ଆସିବାର ଆଶଙ୍କା ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି କଠୋର ପଦକ୍ଷେପ ନେଇଛନ୍ତି।
ନିୟମ କ’ଣ, କଣ ହେବ
ମହାମାରୀ ଆଇନ ୧୮୯୭ ଅନୁସାରେ ରାଜ୍ୟ ବା କେନ୍ଦ୍ର ସରକାର ଚାହିଁଲେ ଏମିତି କିଛି ଅସ୍ଥାୟୀ ନିୟମ ଘୋଷଣା କରିପାରିବେ ଯାହା ସବୁଦିନର କାର୍ଯ୍ୟକ୍ଷମ ଥିବା ଆଇନରେ ନଥିବ ଏବଂ ତାହା ସଂକ୍ରମଣ ବା ମହାମାରୀକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଇଥିବ। ପୁଣି ଏହି ଆଇନ ପଛରେ କିଛି ବୈଜ୍ଞାନିକ କାରଣ ରହିଛି ବା ନାହିଁ ତାହାକୁ କେହି ପ୍ରଶ୍ନ କିପାରିବେ ନାହିଁ ବା ତାହାର ଉତ୍ତର ରଖିବାକୁ ସେ ବାଧ୍ୟ ନୁହନ୍ତି। ପୁଣି ଏହି ନିୟମକୁ ଭିତ୍ତି କରି ସେ ପରବର୍ତ୍ତୀ ସମୟରେ କୌଣସି ଆଇନଗତ ବିଚାରର ସମ୍ମୁଖୀନ ହେବେ ନାହିଁ। ଏହିକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ଜନତା କର୍ଫ୍ୟୁକୁ ନମାନିଲେ ସରକାର ଚାହିଁଲେ ସମ୍ପୃକ୍ତ ନାଗରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ଅର୍ଥାତ୍ ସରକାରୀ କଳ ଏହି ନିୟମକୁ କାର୍ଯ୍ୟକ୍ଷମ କରିବା ପାଇଁ ନିଜସ୍ଵ ବଳ (ପୁଲିସ)କୁ ନିୟୋଜିତ କରିପାରିବ। ପୁଣି ଚାହିଁଲେ ଆପଣଙ୍କୁ ଗିରଫ କରିପାରିବେ! ଏଣୁ ନୈତିକ ଓ ଆଇନଗତ ଦୃଷ୍ଟିକୋଣରୁ ଆମେ ଏହି ଘୋଷଣା ବା ଆହ୍ବାନ ବା ଆବଶ୍ୟକତାକୁ ପାଳନ କରିବାକୁ ବାଧ୍ୟ।
ହଁ, ଚୀନର ୟୁହାନ୍ ସହର ଆଜି କରୋନା ମୁକ୍ତ ହୋଇ ପୁଣିଥରେ ସଚଳ ହେବା ପଛରେ ଏହି ରଣନୀତି ହିଁ କାର୍ଯ୍ୟ କରିଛି। କେବଳ ଦିନେ କି ଦୁଇଦିନ ନୁହେଁ ଏଠାରେ ମାସାଧାକ କାଳ ଲୋକଙ୍କୁ ଲକ୍ଡାଉନ୍ କରାଯାଇଥିଲା। ରୋବଟ୍ ଦ୍ଵାରା ରେଷ୍ଟୁରାଣ୍ଟରୁ ଖାଦ୍ୟ ଲୋକଙ୍କ ଘରେ ପ୍ରଦାନ କରାଯାଉଥିଲା।
ଏପରି ଲକ୍ଡାଉନ୍ କି ଫଳ ଦେବ?
ବିଶ୍ଵସ୍ଵାସ୍ଥ୍ୟ ସଂଗଠନର କୋଭିଡ୍-୧୯ ଅବସ୍ଥିତି ରିପୋର୍ଟ ସଂଖ୍ୟା-୬୦ ଯାହା ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ପ୍ରକାଶ ପାଇଛି, ସେ ଅନୁସାରେ ଏବେ ବିଶ୍ଵରେ ୨ ଲକ୍ଷ ୩୪ ହଜାର ୭୩ ଜଣ କୋଭିଡ୍-୧୯ ସଂକ୍ରମିତ। ସେଥିରୁ ୨୪୨୪୭ ଜଣ ନୂଆ ଚିହ୍ନିତ। ସମୁଦାୟ ୯୮୪୦ଜଣଙ୍କ ମୃତ୍ୟୁ ଘଟିଛି। ଏ କ୍ଷେତ୍ରରେ ସର୍ବାଧିକ ମୃତ୍ୟୁ ଘଟିଛି ଇଟାଲୀରେ ଏଠାରେ ମୃତ୍ୟୁ ସଂଖ୍ୟା ରହିଛି ୩୪୦୭। ତା’ ପଛକୁ ଚୀନ୍ରେ ମୃତ୍ୟୁ ସଂଖ୍ୟା ୩୨୫୩ ରହିଥିବା ବେଳେ ଇରାନ୍ ୧୨୮୪, ସ୍ପେନ୍ ୭୬୭, ଫ୍ରାନ୍ସ ୩୭୨ଜଣ, ଆମେରିକା-୧୫୦ଙ୍କ ମୃତ୍ୟୁ ଘଟିଛି। ଭାରତରେ ଏବେ ୧୯୫ ଜଣଙ୍କୁ କରୋନା ଭୁତାଣୁ ଆକ୍ରମଣ କରିଥିବା ସ୍ପଷ୍ଟ ହୋଇଛି। ସେଥିରୁ ୪ ଜଣଙ୍କ ମୃତ୍ୟୁ ଘଟିଛି। ଯଦିଓ ମୃତ୍ୟୁ ଘଟିଥିବା ସମସ୍ତେ ଭାରତୀୟ ନାଗରିକ କିନ୍ତୁ ଏଠାରେ ସମୁଦାୟ ସଂକ୍ରମଣ ହୋଇ ନାହିଁ।
ଓଡ଼ିଶାରେ ଯଦିଓ ସଂକ୍ରମଣ ସଂଖ୍ୟା ନିମ୍ନ ରହିଛି କିନ୍ତୁ ୨ ଜଣଙ୍କ ଦେହରେ କରୋନା ଭୁତାଣୁ ଚିହ୍ନଟ କରାଯାଇଛି। ପୁଣି ଏ ଦୁଇଜଣ ବିଦେଶ ଫେରନ୍ତା। ଉଭୟ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଅର୍ଥାତ୍ ତାଙ୍କ ଦ୍ଵାରା ଭୁତାଣୁ ସଂକ୍ରମଣର ଯଥେଷ୍ଟ ଆଶଙ୍କା ରହିଛି। ବିଶ୍ଵସ୍ଵାସ୍ଥ୍ୟ ସଂଗଠନ ହିସାବ ଅନୁସାରେ ପଅତି ଜଣେ ସଂକ୍ରମିତ ବ୍ୟକ୍ତି ୨.୫ ଜଣଙ୍କୁ ସଂକ୍ରମିତ କରିଥାଏ। ଯଦି ଏହିଭଳି ଚାଲିଥାଏ ତେବେ ସହରର ଅନେକ ଲୋକ ଏବେ ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କଠାରୁ ସଂକ୍ରମିତ ହୋଇଥିବାର ଆଶଙ୍କା କରାଯାଉଛି।
ବୈଜ୍ଞାନିକ କାରଣ
ଏଭଳି ଏକ ପରିସ୍ଥିତିରେ ଆମ ଆଗରେ ଚ୍ୟାଲେଞ୍ଜ ହେଉଛି କିପରି ସମୁଦାୟ ସଂକ୍ରମଣରୁ ଆମେ ରକ୍ଷା ପାଇବା। ଏଥିଲାଗି ଲକ୍ ଡାଉନ୍ ପ୍ରଭାବ କ’ଣ ହେବ ତାହା ଅସ୍ପଷ୍ଟ। ଯଦିବି ଏ ବନ୍ଦ ସଫଳ ହୁଏ ତେବେ ଓଡ଼ିଶାରୁ କରୋନା ଆଶଙ୍କାଯେ ଦୂରେଇଯିବ ତାହା କହିବା ସମ୍ଭବ ନୁହେଁ। ଏ ବାବଦରେ କୌଣସି ବୈଜ୍ଞାନିକ କାରଣ ନାହିଁ। କିନ୍ତୁ କୋଭିଡ୍-୧୯ ଭୁତାଣୁର ଯେଉଁ ଗୁଣ ଏଯାଏ ସାମ୍ନାକୁ ଆସିଛି ସେହି ଅନୁସାରେ ଯଦି ଲୋକେ ଭୁତାଣୁ ପାଖକୁ ଯିବେ ନାହିଁ ତେବେ ଭୁତାଣୁ ବଞ୍ଚିବ ନାହିଁ। ଅର୍ଥାତ୍ କେବଳ ମାନବ ଶରୀର ଖୋଜୁଥିବା ଏହି ଭୁତାଣୁ ବିନା ମଣିଷରେ ଆପେ ମିରିଯିବେ ଏବଂ ବ୍ୟାପିବାର ଆଶଙ୍କା କମାଯାଇପାରିବ।
କେତେ ଘଣ୍ଟା ବଞ୍ଚେ କରୋନା ଭୁତାଣୁ
ଯଦିଓ ଏକ କରୋନା ଭୁତାଣୁ କେତେ ସମୟ ବଞ୍ଚିପାରିବ ତାହା ନେଇ କୌଣସି ପ୍ରମାଣିତ ତଥ୍ୟ ଉପଲବ୍ଧ ନାହିଁ, କିନ୍ତୁ ନ୍ୟୁ ଇଂଲାଣ୍ଡ ଜଣ୍ଣାଲ୍ ଅଫ୍ ମେଡିସିନ୍ଙ୍କ ରିପୋର୍ଟକୁ ଆଧାର କରି ଲାଇଭ୍ ସାଇନ୍ସ ପୋର୍ଟାଲ୍ରେ ଉପଲବ୍ଧ ତଥ୍ୟ ଅନୁସାରେ ଏହି ଭୁତାଣୁ ବାୟୁ ମଣ୍ଡଳରେ ମାତ୍ର ୩ ଘଣ୍ଟା ବଞ୍ଚିପାରିବ। ତମ୍ବା ଉପରେ ୪ ଘଣ୍ଟା ରହିପାରିବ ଆଉ କାର୍ଡବୋର୍ଡ ଉପରେ ୨୪ ଘଣ୍ଟା ସମୟ ବଞ୍ଚିପାରିବ। ଷ୍ଟିଲ୍ ପୃଷ୍ଠ ଉପରେ କରୋନା ଭୁତାଣୁର ଆୟୁ ୭୨ ଘଣ୍ଟା ହୋଇପାରେ। ଏଣୁ ଯଦି ରୋଗୀ ସଂସ୍ପର୍ଶରେ କେହି ଆସିବେ ନାହିଁ ତେବେ ଭୁତାଣୁ ଆଉ ସଂକ୍ରମଣ ପାଇଁ ମାନବ ଶରୀର ପାଇବ ନାହିଁ। ପୁଣି ମଣିଷ ଶରୀର ବାହାରେ ଏହାକୁ ଦୁଇ ମିନିଟ୍ ଭିତରେ ବି ମାରି ଦିଆଯାଇପାରେ। ଏଥିଲାଗି ଭାରତର ଗରମ ବାୟୁମଣ୍ଡଳ ତାପମାତ୍ରା ଏବଂ ଘରେ ବ୍ୟବହାର ହେଉଥିବା ଘର ସଫାପାଇଁ ବ୍ୟବହାର ହେଉଥିବା ଅନେକ ପ୍ରକାର ସାନିଟାଇଜର ଦ୍ରବଣ ସବୁ ଏଥିଲାଗି ଅଧିକ ଫଳପ୍ରଦ ହୋଇଥାଏ।
ଅପରପକ୍ଷେ ତାପମାତ୍ରା ୩୦ ଡିଗ୍ରୀରୁ ଅଧିକ ହେଲେ ଏହି କରୋନା ଭୁତାଣୁ ନଷ୍ଟ ହୋଇଯାଇଥାଏ। ଏଣୁ ଯଦି ଦିନବେଳେ ବିଭିନ୍ନ ସର୍ବସାଧାରଣ ସ୍ଥାନରେ ପଡ଼ିଥିବା କରୋନା ଭୁତାଣୁକୁ କୌଣସି ମଣିଷ ନଛୁଏଁ ଏବଂ ସେହିଦିନର ତାପମାତ୍ରା ୩୦ ଡିଗ୍ରୀରୁ ଅଧିକ ହୁଏ ତେବେ ସେଠାରେ ଭୁତାଣୁ ନଷ୍ଟ ହୋଇଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ସଫାସୁତୁରା ରହନ୍ତୁ
ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଘରେ ବ୍ୟବହାର କରାଯାଉଥିବା କୀଟାଣୁ ନାଶକ ଯାହା ଆମେ ଗାଧୁଆଘର, ପାଇଖାନା ଅଥବା ଶୋଇବା ଘରର ଚଟାଣରେ ବ୍ୟବହାର କରୁ ସେଥିରେ ମଧ୍ୟ କରୋନା ଭୁତାଣୁର ମୃତ୍ୟୁ ଘଟେ। ଯେଉଁ ଦ୍ରବଣରେ ୬୨ରୁ ୭୧ ପ୍ରତିଶତ ଇଥାନଲ, ୦.୫ ପ୍ରତିଶତ ହାଇଡ୍ରୋଜେନ୍ ପେରକ୍ସାଇଡ୍ କିମ୍ବା ୦.୧ ପ୍ରତିଶତ ସୋଡ଼ିୟମ୍ ଆଇପୋକ୍ଲୋରାଇଡ୍ ( ବ୍ଲିଚ୍) ରହିଥାଏ ତାହା ଦକ୍ଷତାର ସହ ଭୁତାଣୁ ମାରିବାରେ ସକ୍ଷମ ହୋଇଥାଏ। ମାତ୍ର ଗୋଟିଏ ମିନିଟ୍ରେ ଏହା ନୋଭେଲ୍ କରୋନା ଭୁତାଣୁକୁ ମାରି ଦେଇପାରେ ବୋଲି ସମ୍ପୃକ୍ତ ଗବେଷଣା ରିପୋର୍ଟ ପ୍ରକାଶ କରିଛି। ଏହିକ୍ରମରେ ଆମ ଦେଶର ଯଦି ସବୁ ନାଗକରିକ (ଯେଉଁମାନେ ଅତ୍ୟାବଶ୍ୟକୀୟ ସେବାରେ ନିଯୁକ୍ତ ସେମାନଙ୍କୁ ଛାଡ଼ି) ୧୪ ଘଣ୍ଟା ନିଜ ଘରେ ବନ୍ଦ ରହିବେ ତେବେ ସର୍ବସାଧାରଣ ସ୍ଥାନଗୁଡ଼ିକୁ ଆମେ ନଭେଲ୍ କରୋନା ଭୁତାଣୁରୁ ମୁକ୍ତ କରିବା ପାଇଁ ଏକ ସୁଯୋଗ ପାଇପାରିବା। ଗୋଟିଏ ପଟେ ଖରାରେ ସେ ଅଞ୍ଚଳର ଶୋଧନ ହୋଇପାରିବ ଆଉ ଛାଇସ୍ଥାନରେ ଥିବା ବିଭିନ୍ନ ସର୍ବସାଧାରଣ ସ୍ଥାନ ଯେମିତି ଟ୍ରେନ୍, ପ୍ଲାଟ୍ଫର୍ମ, ବସ୍, ବା ଅଫିସ୍ ଲିଫ୍ଟ ପ୍ରଭୃତିକୁ ଆମେ ସାଧାରଣ କୀଟାଣୁନାଶକ ଦ୍ରବଣରେ ସଫା କରିପାରିବା।
ଏହିକ୍ରମରେ ଆମ ଘରକୁ ବି ଆମେ ନିଜେ ବିଶୋଧନ କରିପାରିବା। ଯେଉଁ ୭ଦିନନିଆ ବନ୍ଦ ବା ବାଧ୍ୟତାମୂଳକ ଛୁଟି ମିଳିଛି ସେଥିରେ ଆମେ ଆମ ଘରକୁ ମଧ୍ୟ ସଫା ସୁତୁରା କରି ସେଥିରେ ବେଶୀ ବ୍ୟବହାର ହେଉଥିବା ସ୍ଥାନ ଓ ସାମଗ୍ରୀକୁ ଭଲ ଭାବେ ସାଧାରଣ କିଟ ନାଶକ ଦ୍ରବଣରେ ପୋଛିପାରିବା। ଫିନାଇଲ୍, ଲାଇଜଲ, ବ୍ଲିଚିଂ ପାଉଡର ବା ଅନ୍ୟ କୌଣସି ପାଣି ମିଶିଥିବା ଦ୍ରବଣକୁ ବ୍ୟବହାର କରି ଆମେ କରୋନା ଭୁତାଣୁ ମୁକ୍ତ କରିପାରିବା।
ଏଣୁ କିଛିଦିନର ଏ କଷ୍ଟ ଯଦି ଆମକୁ ମହାମାରୀରୁ ରକ୍ଷା ଦେବ ବୋଲି ଆଶା ରହିଛି ତେବେ ଏଥିପ୍ରତି ଦ୍ଵିଧା କାହିଁକି କରିବା? ବରଂ ଆସନ୍ତୁ ପିତା ଖାଇବା ଓ ଅନ୍ୟକୁ ପିତା ଖାଇବା ପାଇଁ ପରାମର୍ଶ ଦେବା!!