କାହିଁକି ଗ୍ରୀନଲାଣ୍ଡ ଏତେ ଗୁରୁତ୍ବପୂର୍ଣ୍ଣ ?

BHUBANESWAR:  ଭେନେଜୁଏଲା ପରେ, ଇରାନକୁ ନେଇ ଚର୍ଚ୍ଚା… ଆଉ ଏବେ ଗ୍ରୀନଲାଣ୍ଡ । କେଉଁଠି ଏ ଗ୍ରୀନଲାଣ୍ଡ ? କାହିଁକି ଏବେ ଚର୍ଚ୍ଚାରେ ଗ୍ରୀନଲାଣ୍ଡ ? ଗ୍ରୀନଲାଣ୍ଡ ଉପରେ କାହାର ଲୋଲୁପ ନଜର ? ଗ୍ରୀନଲାଣ୍ଡ ଉପରୁ କାହା ଲୋଲୁପ ନଜରକୁ କିଏ ଲୁଟି ନେବାକୁ ଚାହୁଁଛି ? ଗ୍ରୀନଲାଣ୍ଡରେ ଏମିତି କଣ ଅଛି କି ? ସତ କହିବାକୁ ଗଲେ, ଗ୍ରୀନଲାଣ୍ଡରେ ଅନେକ କିଛି ଅଛି । ଗ୍ରୀନଲାଣ୍ଡ ହିଁ ଆଗାମୀ ବିଶ୍ବର ଭବିଷ୍ୟତ… ଗ୍ରୀନଲାଣ୍ଡ ହିଁ ଆଗାମୀ ବିଶ୍ବ… ଗ୍ରୀନଲାଣ୍ଡ ହିଁ ସୃଷ୍ଟି କରିପାରେ ଆଉ ଏକ ବିଶ୍ବଯୁଦ୍ଧ… ଆଉ ସର୍ବଶେଷରେ କହିବାକୁ ଗଲେ, ଗ୍ରୀନଲାଣ୍ଡ ହିଁ ବଦଳାଇ ଦେଇପାରେ ଏ ସାରା ବିଶ୍ବର ଭୌଗଳିକ ମାନଚିତ୍ରଠାରୁ ଆରମ୍ଭ କରି ସବୁକିଛି…

ନାଁ ଟା ତା’ହେଲେ ଗ୍ରୀନଲାଣ୍ଡ… ଖୁବ ଭଲ ନାଁ’ଟେ । ପରିବେଶ ବେଶ ମନୋରମ ଏବଂ ଉପଭୋଗ୍ୟ ହୋଇଥିବା ନିଶ୍ଚୟ । ବୋଧହୁଏ, ସବୁଜ ବନାନୀରେ ଭରି ଯାଇଥିବ ! କାରଣ ଗ୍ରୀନ ସେୟା ହିଁ ବୁଝାଉଛି ନା ! ନା, ସେମିତି କଦାପି ନୁହେଁ, କାରଣ ନାଁଟା ସିନା ଗ୍ରୀନ ବା ସବୁଜ, ଚେହେରା କିନ୍ତୁ ସମ୍ପୂର୍ଣ୍ଣ ହ୍ୱାଇଟ୍ ବା ଧଳା । ବର୍ଷ ସାରା ଏହା ବରଫାବୃତ୍ତ । ଏହି ଦେଶର ଚଟାଣ ଶହ ଶହ ବର୍ଷ ଧରି ବରଫାବୃତ୍ତ, ସବୁଜ ବନାନୀ ଆସିବା କେଉଁଠୁ ! ଆକାରରେ ଏହା ବ୍ରିଟେନଠାରୁ ୮/୯ ଗୁଣା ବଡ଼ । କିନ୍ତୁ ଆଶ୍ଚର୍ଯ୍ୟର କଥା, ବ୍ରିଟେନର ଲୋକସଂଖ୍ୟା ପାଖାପାଖି ୭ କୋଟି ହୋଇଥିବା ବେଳେ ଗ୍ରୀନଲାଣ୍ଡର ୫୭ ହଜାରରୁ କିଛି କମ । ଜନସଂଖ୍ୟା ସାନ୍ଧ୍ରତା ଦୃଷ୍ଟିକୋଣରୁ କହିଲେ, ଏହା ବିଶ୍ବର ତଳଆଡୁ ୧ ନମ୍ବରରେ ପ୍ରଥମରୁ ହିଁ ରହି ଆସିଛି ।…

ସବୁଜ ବନାନୀର ଗ୍ରୀନଲାଣ୍ଡ, ନିଶ୍ଚିତ ବାସୋପଯୋଗୀତା ଦୃଷ୍ଟିକୋଣରୁ ସର୍ବୋତ୍ତମ, ହେଲେ ଏ ଗ୍ରୀନଲାଣ୍ଡ କିନ୍ତୁ ନୁହେଁ । ଏ ଏମିତି ବରଫାବୃତ୍ତ, ଯେଉଁଠି ଗଛ, ଲତା କିମ୍ବା ଗୁଳ୍ମଟେ ଖୋଜି ପାଇବା ଅତ୍ୟନ୍ତ କଷ୍ଟକର । ଏଠି ଶୀତ ଦିନେ ତାପମାତ୍ରା ମାଇନସ୍ ୪୦ ଡିଗ୍ରୀ ସେଲସିଅସ ଯାଏଁ ଚାଲିଯାଏ, ଖରାଦିନେ ଅତିବେଶୀରେ ୧୦ ଡିଗ୍ରୀ ସେଲସିଅସ । ଏଠି ଖରାଦିନେ, ବର୍ତ୍ତମାନ ସୁଦ୍ଧା ସର୍ବାଧିକ ତାପମାତ୍ରା ୨୦ ଡିଗ୍ରୀ ସେଲସିଅସ ଯାଏଁ ଯାଇଛି । ଯାହା ହୁଏତ, ସେଠାକାର ଲୋକ ଏବଂ ଜୀବଜଗତର ଅନ୍ୟ ଜୀବଜନ୍ତୁଙ୍କ ପାଇଁ ଅତ୍ୟନ୍ତ ଅସହ୍ୟ ହୋଇଥାଇପାରେ ନିଶ୍ଚିତ ।…

କହିବାକୁ ଗଲେ, ଡେନମାର୍କର ସବସିଡିରେ, ଗ୍ରୀନଲାଣ୍ଡ ଏକ ସ୍ବୟଂଶାସିତ ଦେଶ । ଏ ଦେଶର ଇତିହାସ ଅନେକ, ହେଲେ ବର୍ତ୍ତମାନ ଏହାର ଗୁରୁତ୍ବ ଅନେକ । କାହିଁକି, ଗ୍ରୀନଲାଣ୍ଡରେ ଏମିତି କି ବରଫ ଅଛି କି ? ବରଫ ନାହିଁ ଆଜ୍ଞା, ବରଫ ତଳେ ଅନେକ କିଛି ଅମୂଲ୍ୟ ସମ୍ପଦ ରହିଛି । ଯେଉଁଥି ପାଇଁ ଗ୍ରୀନଲାଣ୍ଡକୁ ନେଇ ଏତେ ଚର୍ଚ୍ଚା, ଏତେ ଆଲୋଚନା, ଏତେ ଟଣା-ଓଟରା । ଆଉ ଏବେ ଗ୍ରୀନଲାଣ୍ଡକୁ ନେଇ ସମ୍ଭାବ୍ୟ ତୃତୀୟ ବିଶ୍ବଯୁଦ୍ଧର ସ୍ଥିତି ।…

କାହିଁକି ଗ୍ରୀନଲାଣ୍ଡକୁ ଡେନମାର୍କଠାରୁ ଜୋରଜବରଦସ୍ତ କିଣିନେବାକୁ ଚାହୁଁଛି ଆମେରିକା ? କାହିଁକି ଡେନମାର୍କ ନବିକିଲେ, ତଠାରୁ ଛଡ଼ାଇ ନେବାକୁ ଚାହୁଁଛି ? ଗ୍ରୀନଲାଣ୍ଡ ପାଇଁ କିଏ ଆମେରିକାକୁ ସାମ୍ନା କରିବ ? ଡେନମାର୍କ, ନାଟୋର ସଦସ୍ୟ ହୋଇଥିବା ବେଳେ ନାଟୋ ମୁଖ୍ୟ ଆମେରିକା, ଏବେ ଡେନମାର୍କକୁ କରିଛି ଟାର୍ଗେଟ । ଏଭଳି ସ୍ଥିତିରେ ନାଟୋର ସଦସ୍ୟ ରାଷ୍ଟ୍ରଙ୍କ ଷ୍ଟାଣ୍ଡ କଣ ?

ୟୁରୋପ ମହାଦେଶର ଅନେକ ଦେଶ ନାଟୋର ସଦସ୍ୟ । କିନ୍ତୁ ୟୁରୋପୀୟ ସଂଘର ଆଭିମୁଖ୍ଯ ବର୍ତ୍ତମାନ ପରିସ୍ଥିତିରେ କିଛି ଦ୍ବନ୍ଦ୍ବାତ୍ମକ । ଆମେରିକାର ଇରାନ ବିରୋଧୀ ଆଭିମୁଖ୍ୟକୁ ସବୁ ସ୍ତରରୁ ସମର୍ଥନ କରିବାକୁ ପ୍ରସ୍ତୁତ ଥିବା ଏହି ୟୁରୋପୀୟ ସଂଘ କିନ୍ତୁ ଗ୍ରୀନଲାଣ୍ଡ ପ୍ରସଙ୍ଗରେ ଆମେରିକାକୁ କରୁଛି ବିରୋଧ । ଏଭଳି ସ୍ଥିତିରେ ଆମେ କହିପାରିବା କି, ଏଇଠୁ ଆରମ୍ଭ ହେଲା, ନାଟୋର ନଷ୍ଟ ହେବା ପ୍ରକ୍ରିୟା ଏବଂ ଯୁରୋପୀୟ ସଂଘର The End ! ୧୯୫୦ ଦଶକରୁ ଆମେରିକା କାନ୍ଧରେ ନିଜ ସୁରକ୍ଷାକୁ ବିଶ୍ବାସ ଓ ଭରସାର ସହ ଲଦି ଦେଇ, ନିଜ ପ୍ରତିରକ୍ଷା ବଜେଟକୁ ଅଣଦେଖା କରି ଆସିଥିବା ୟୁରୋପୀୟ ନାଟୋ ସଦସ୍ୟ ରାଷ୍ଟ୍ର ସମୂହ ଏବେ କରିବେ କଣ !

ନାଟୋ ଏବଂ ୟୁରୋପୀୟ ସଂଘର ସ୍ଥିତି କଣ ହେବ ! … ଛାଡ଼ନ୍ତୁ ସେ କଥା । ଏବେ ଆସନ୍ତୁ ଜାଣିବା, କାହିଁକି ଗ୍ରୀନଲାଣ୍ଡ ପଛରେ ଏମିତି ପଡ଼ିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ? ଗ୍ରୀନଲାଣ୍ଡକୁ ନେଇ କିଛି Financial, Strategical ଏବଂ Geo-political Strategy ଚିନ୍ତା କରୁଛନ୍ତି କି ରାଷ୍ଟ୍ରପତି ଟ୍ରମ୍ପ ସାହେବ !

ବରଫ ତଳେ କଣ ରହିଛି, ଆଗାମୀ ଭବିଷ୍ୟତର ଏକ ସଫେଦ ବିଶ୍ବ ! ହଁ ଆଜ୍ଞା, ଏଠି ବରଫ ତଳେ ରହିଛି ଅନେକ ଅମୂଲ୍ୟ ଖଣିଜ ସମ୍ପଦ, ଯାହା ବର୍ତ୍ତମାନର ଉପଲବ୍ଧ ଖଣିଜ ସମ୍ପଦଠାରୁ ଅନେକ ଗୁଣରେ ମୂଲ୍ୟବାନ । ଗ୍ରୀନଲାଣ୍ଡ ଦେଶର ତଳେ ରହିଛି ପ୍ରଚୁର ପରିମାଣର ବିରଳରୁ ବିରଳତମ ମୃତ୍ତିକା, ଗ୍ରାଫାଇଟ, ଲୁହା, ଜିଙ୍କ, ଲିଥିଅମ ଏବଂ ସୁନାର ଅମାପ ଖଣି । ତେଲ ଏବଂ ଗ୍ୟାସ ଖୁନ୍ଦି ହୋଇ ରହିଛି । ଏଠି ଏମିତି ଖଣିଜ ସମ୍ପଦ ରହିଛି, ଯାହା ଭବିଷ୍ୟତର ପ୍ରତିରକ୍ଷା ଏବଂ ଆଧୁନିକ ପ୍ରଯୁକ୍ତି ଜ୍ଞାନକ୍ଷେତ୍ରରେ ବହୁ ସହାୟକ ହେବ । ଯାହା ବୋଧହୁଏ, ଗ୍ରୀନଲାଣ୍ଡ ଉପରେ ଟ୍ରମ୍ପଙ୍କ ଲୋଲୁପ ନଜରର ପ୍ରଥମ କାରଣ ।…

ଟ୍ରମ୍ପ କହୁଛନ୍ତି, ଗ୍ରୀନଲାଣ୍ଡ ଯଦି ଆମେରିକାର ନହେବ, କାଳେ ରୁଷିଆ ତାକୁ କବଜା କରିନେବ । ଆଉ ଗ୍ରୀନଲାଣ୍ଡକୁ କବଜା କରିନେବା ପରେ ରୁଷିଆ, ଆମେରିକାର ପଡ଼ୋଶୀ ଦେଶ ହୋଇଯିବ । ଦୂରରେ ଥିବା ଶତ୍ରୁଟା ପାଖକୁ ଆସିଲେ, ପରିସ୍ଥିତି କଣ ହେବ କହିଲେ ! କେବଳ ରୁଷିଆକୁ ନୁହେଁ, ଚୀନକୁ ମଧ୍ୟ ସନ୍ଦେହ କରୁଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । କାରଣ ବିସ୍ତାରବାଦୀ ଡ୍ରାଗନ ବି ଗ୍ରୀନଲାଣ୍ଡରେ ତାର କିଛି କମ ପଞ୍ଝା ବିଛାଇନି ।…

କୌଣସି ଦେଶକୁ ଆମେରିକା କିଣିବା କିମ୍ବା ଜୋରଜବରଦସ୍ତ ନିଜ ସହ ମିଶାଇବା କିଛି ନୂଆ ନୁହେଁ । ଗ୍ରୀନଲାଣ୍ଡ କ୍ଷେତ୍ରରେ ଯାହା ଦେଖିବାକୁ ମିଳୁଛି ବା ଯାହା କିଛି ଅନୁମାନ କରାଯାଉଛି, ତାହା କେବେ ବି ନୂଆ ନୁହେଁ । ୧୯୪୬ରେ ବି ଗ୍ରୀନଲାଣ୍ଡକୁ କିଣିବାକୁ ଡେନମାର୍କକୁ ଭିତିରିଆ ପ୍ରସ୍ତାବ ଦେଇଥିଲା ଆମେରିକା । ଡେନମାର୍କ ଏବେ ଯେମିତି ମନା କରୁଛି, ସେତେବେଳେ ପୂରା କାଟି ଦେଇଥିଲା । ଆଉ ତା ପରଠାରୁ ନାଟୋ ସୁରକ୍ଷା ବଳୟରେ ରହିଛି ଗ୍ରୀନଲାଣ୍ଡ । ଯେଉଁଠି କି ନାଟୋର ଦୁଇ ସଦସ୍ୟ ହେଉଛନ୍ତି ଆମେରିକା ଓ ଡେନମାର୍କ । ଫ୍ରାନ୍ସ, ଜର୍ମାନୀ, ବ୍ରିଟେନଠାରୁ ଆରମ୍ଭ କରି ଅନେକ ଦେଶ ଏବେ ଗ୍ରୀନଲାଣ୍ଡ ପାଇଁ ଆମେରିକା ବିରୋଧରେ ବାହାରିଲେଣି । ଆମେରିକାର ଇରାକ ବିରୋଧୀ, “ସଦ୍ଦାମ ହୁସେନ ହତ୍ୟାକାଣ୍ଡ”ର ସହ ଅଭିଯୁକ୍ତ ବ୍ରିଟେନ ଏବେ ଭିନ୍ନ ରାସ୍ତାରେ । ଏହା କଣ ସୂଚାଉଛି ! …

ଗ୍ରୀନଲାଣ୍ଡକୁ କବଜାକୁ ନେବା, ଆମେରିକା ପାଇଁ କାଣି ଆଙ୍ଗୁଠିର ବଳଠାରୁ କମ ଖର୍ଚ୍ଚ ହେବ କହିଲେ ଭୁଲ ହେବନି । କିନ୍ତୁ ବର୍ତ୍ତମାନର ପରିସ୍ଥିତିରେ ଇରାନ-ଗ୍ରୀନଲାଣ୍ଡ ଏବଂ ଗ୍ରୀନଲାଣ୍ଡ-ଇରାନ Puzzle ଭିତରେ ଟ୍ରମ୍ପଙ୍କ ପଏଣ୍ଟ ପ୍ରକୃତରେ କାହା ଉପରେ ! ଟ୍ରମ୍ପଙ୍କ ନିର୍ଦ୍ଦେଶରେ ପେଣ୍ଟାଗନ୍ କାହାକୁ ପଏଣ୍ଟ କରିବ ! ଇରାନ ପରର ଗ୍ରୀନଲାଣ୍ଡ ଚର୍ଚ୍ଚା ଭିତରେ ଆମେରିକାର ଯୁଦ୍ଧ ଜାଜାହ ଆବ୍ରାହମ ଲିଙ୍କନ ଏବଂ ଜର୍ଜ ବୁଶ, ଇରାନକୁ ଟାର୍ଗେଟ କରିବାକୁ ଖୁବ ଶୀଘ୍ର ସମୁଦ୍ରରେ Strategic Position ନେବାକୁ ଯାଉଛନ୍ତି । ପୁଣି କୌଣସି ଅଜ୍ଞାତ ନାଟୋ ସଦସ୍ୟ ଦେଶରେ ଆମେରିକାର B-2 Bomber ତେହେରାନ ଆଡ଼କୁ ମୁହଁକରି Position ନେଇ ସାରିଲାଣି । ସେପଟେ ଶୁଣିବାକୁ ମିଳୁଛି, ଆବ୍ରାହମ ଲିଙ୍କନକୁ ଖୋଜି, Target ଏବଂ Challenge କରିବାକୁ କାଳେ ଇରାନ ପାଖରେ ରହିଛି Beyond Visual Range Tactical Nuclear Technology ।…

ଭେନେଜୁଏଲା ମାଟି ତଳେ ବିଶ୍ବର ସର୍ବାଧିକ ଅଏଲ୍ ରିଜର୍ଭ, କିନ୍ତୁ କାରାକସ ପାଖରେ ଅର୍ଥ ଓ ବୈଷୟିକ ଜ୍ଞାନକୌଶଳ ଅଭାବ । ଠିକ ସେମିତି, ଗ୍ରୀନଲାଣ୍ଡ ତଳେ ଅମୂଲ୍ୟ ଖଣିଜ ସମ୍ପଦର ଅପାମ ଭଣ୍ଡାର, ସେଠି ବି ଅର୍ଥ ଓ ବୈଷୟିକ ଜ୍ଞାନକୌଶଳର ଅଭାବ । ବୋଧହୁଏ, ଏସବୁ Heavenly Bodiesକୁ ନିଜ କବଜାକୁ ନେଇ ବିଶ୍ବର ସବୁ ଅଭାବ ଦୂର କରିବାକୁ ଭଗବାନ ଆମେରିକାକୁ ଠିକା ଦେଇଛନ୍ତି !…

Leave a Reply

Your email address will not be published. Required fields are marked *