କଂଗ୍ରେସକୁ ମହଙ୍ଗା ପଡ଼ିଲା ଚୌକିଦାର ଚୋର ହୈ’ ସ୍ଲୋଗାନ

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଥିବାବେଳେ କଂଗ୍ରେସ ପୁଣିଥରେ ଧରାଶାୟୀ ହୋଇଛି। ୨୦୧୪ରେ ମଧ୍ୟ କଂଗ୍ରେସ ଏହି ସ୍ଥିତିର ସମ୍ମୁଖୀନ ହୋଇଥିଲା। ଏବେ ବିରୋଧୀ ଦଳରେ ବସିବା ପାଇଁ ମଧ୍ୟ କଂଗ୍ରେସ ନିକଟରେ ସଂଖ୍ୟା ନାହିଁ। ତେବେ ପ୍ରଶ୍ନ ଉଠୁଛି, କଂଗ୍ରେସକୁ କାହିଁକି ଲୋକେ ଗ୍ରହଣ କରିପାରୁନାହାନ୍ତି।

ରାଜନୀତିକ ମହଲରେ ଯୁକ୍ତି ହେଉଛି, ଯେଉଁ ପ୍ରସଙ୍ଗ ନେଇ କଂଗ୍ରେସ ଲୋକଙ୍କ ନିକଟକୁ ଯିବା କଥା, ସେହି ପ୍ରସଙ୍ଗଠାରୁ ଦୂରେଇ ଯାଉଛି। ଆଉ ଯେଉଁ ଅଯଥା ପ୍ରସଙ୍ଗ ଆଣୁଛି, ତାହା ବିଜେପିକୁ ସୁହାଉଛି। ୨୦୧୪ରେ ଚା ବାଲା ପ୍ରସଙ୍ଗକୁ କଂଗ୍ରେସ ଉଠାଇଥିଲା। ହେଲେ ଏହି ପ୍ରସଙ୍ଗକୁ ଧରି ବିଜେପି ଆଗକୁ ବଢିଥିଲା। ଅର୍ଥାତ କଂଗ୍ରେସ ବିଜେପିକୁ କେଉଁ ପ୍ରସଙ୍ଗକୁ ନେଇ ଲୋକଙ୍କ ନିକଟକୁ ଯିବ, ତାହା ଧରାଇ ଦେଇଥିଲା।

ଚା ବିକାଳୀ ପ୍ରସଙ୍ଗକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକଙ୍କ ନିକଟକୁ ଯାଇ ଏକ ଭାବାବେଗର ପରିବେଶ ସୃଷ୍ଟି କରିଥିଲେ। ଯାହାଫଳରେ କଂଗ୍ରେସ ୪୪ଟି ଆସନରେ ସୀମିତ ରହିଲା। ୨୦୧୯ରେ କଂଗ୍ରେସ ଆଗରେ ଅନେକ ପ୍ରଶ୍ନ ରହିଥିଲା। ୫ ବର୍ଷର ମୋଦୀ ସରକାରଙ୍କ ବିଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇବାର ବଡ ସୁଯୋଗ ଥିଲା କଂଗ୍ରେସ ନିକଟରେ।

କଂଗ୍ରେସ ଚୌକିଦାର ଚୋର ହୈ ଏବଂ ରାଫେଲ ଡିଲ ଉପରେ ଫୋକସ କରିଥିଲା। ସୁପ୍ରିମକୋର୍ଟକୁ ଏହି ମାମଲା ଯାଇଥିଲା। ହେଲେ କଂଗ୍ରେସ ଅଧ୍ୟକ୍ଷ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମଧ୍ୟ ଭୁଲ ଭାବେ ବାହାରେ ପ୍ରକାଶ କରି ଅପମାନର ଶିକାର ହୋଇଥିଲେ। ଅଦାଲତଙ୍କ ଅବମାନନା ପରେ କ୍ଷମା ମାଗିବାକୁ ବାଧ୍ୟ ହୋଇଥିଲେ ରାହୁଲ। ଆଉ ଏହି ସମୟରେ କଂଗ୍ରେସର ସ୍ଲୋଗାନ ଚୌକିଦାର ଚୋର ହୈକୁ ଆପଣାଇନେଇଥିଲା ବିଜେପି।

ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ଟ୍ୱିଟର ଆକାଉଣ୍ଟରେ ନିଜ ନାମ ପୂର୍ବରୁ ଚୌକିଦାର ଲଗାଇଥିଲେ। ପରେ ଦଳର ଅନ୍ୟ ନେତାମାନେ ମଧ୍ୟ ଯାଇଥିଲେ ଏହି ଧାରାରେ। ଅର୍ଥାତ କଂଗ୍ରେସର ସ୍ଲୋଗାନକୁ ପ୍ରଚାର ପାଇଁ ନିଜେ ବ୍ୟବହାର କରିନେଲା ବିଜେପି। ଆଉ ଏହି ସ୍ଲୋଗାନର ଯଥାର୍ଥତା ରହିଲା ନାହିଁ କଂଗ୍ରେସ ନିକଟରେ କିମ୍ୱା ଲୋକଙ୍କ ନିକଟରେ ଗ୍ରହଣୀୟ ହେଲା ନାହିଁ।

କଂଗ୍ରେସର ଏହି ନକରାତ୍ମକ ସ୍ଲୋଗାନକୁ ଲୋକେ ମାନିବାକୁ ଏକପ୍ରକାର ପଛଘୁଞ୍ଚା ଦେଇଥିଲେ। ଯାହାଫଳରେ ନିର୍ବାଚନରେ ଏହି ସ୍ଲୋଗାନ କଂଗ୍ରେସକୁ ମହଙ୍ଗ ପଡିଲା। ଅନେକ ରାଜନୈତିକ ବିଶେଷଜ୍ଞ ଏବଂ କଂଗ୍ରେସର ଅନେକ ନେତା ମଧ୍ୟ ଏହି ବିଷୟକୁ ସ୍ୱୀକାର କରୁଛନ୍ତି ଯେ ଚୌକିଦାର ଚୋର ହୈ ସ୍ଲୋଗାନ ଆମକୁ ମହଙ୍ଗ ପଡିଗଲା।

କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ପୁଅ ଅନିଲ ଶାସ୍ତ୍ରୀ କହିଛନ୍ତି ଯେ କଂଗ୍ରେସକୁ ‘ଚୌକିଦାର ଚୋର ହୈ’ର ସ୍ଲୋଗାନ ମହଙ୍ଗା ପଡ଼ିଲା ବୋଲି ଖୋଲାଖୋଲି ଆଲୋଚନା ହେଉଛି।

ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ବିପୁଳ ଭୋଟ ପାଇ କ୍ଷମତାକୁ ଆସିଛନ୍ତି। ତାଙ୍କୁ ଅଟକାଇବା ପାଇଁ କଂଗ୍ରେସ ନକରାତ୍ମକ ପ୍ରଚାର କରିଥିଲା। ଲୋକେ ଏହି ପ୍ରଚାରକୁ ଗ୍ରହଣ ନକରିବା କାରଣରୁ ଏହା ଦଳକୁ ଭାରି ପଡ଼ିଲା। ଦଳ ଲୋକଙ୍କ ଆବଶ୍ୟକତାକୁ ବୁଝିବାର ଚେଷ୍ଟା ନକରି ବାରମ୍ୱାର ଏହି ସ୍ଲୋଗାନକୁ ଜାରି ରଖିଲା। ତେଣୁ ଲୋକେ ଏହି ସ୍ଲୋଗାନକୁ ଗୁରୁତ୍ୱ ଦେଲେ ନାହିଁ କି କର୍ଣ୍ଣପାତ କଲେନାହିଁ।

କଂଗ୍ରେସ ନେତା ଅନିଲ ଶାସ୍ତ୍ରୀ ଦଳର ପରାଜୟ ନେଇ କହିଛନ୍ତି ଯେ, ଏହା ଜନମତ। ପୂର୍ବରୁ ମୁଁ ମଧ୍ୟ କହିଆସିଛି ଲୋକେ ହେଉଛନ୍ତି ମାଲିକ। ଆଉ ସେମାନେ ତାଙ୍କର ମତ ଦେଇଛନ୍ତି। ମୁଁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପିକୁ ଶୁଭେଚ୍ଛା ଜଣାଉଛି।

ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୪ରେ ମୋଦୀ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରିବାରେ ବିଫଳ ହୋଇଥିବାର ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ଲୋକଙ୍କୁ ଏହି ବିଷୟ ମନେ ପକାଇଦେବା ନିମନ୍ତେ ‘ଚୌକିଦାର ଚୋର ହୈ’ର ସ୍ଲୋଗାନ ପ୍ରସ୍ତୁତ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ମୋଦୀ ଯେଉଁ ସ୍ୱଚ୍ଛ ଭାବମୂର୍ତ୍ତି କଥା କହୁଛନ୍ତି ତାକୁ ଭାଙ୍ଗିବା। ନୋଟବନ୍ଦୀ ଏବଂ ରାଫେଲ ଦୁର୍ନୀତିକୁ ପଦାକୁ ଆଣି ମୋଦୀଙ୍କୁ ବିରୋଧ କରିବା। ସେହି ଉଦ୍ଦେଶ୍ୟରେ ସ୍ଲୋଗାନ ପ୍ରସ୍ତୁତ ହୋଇଥିବା ସ୍ୱୀକାର କରିଛନ୍ତି ଏହାକୁ ଲେଖିଥିବା ପ୍ରବିଣ ମିଶ୍ରା। ସେ କହିଛନ୍ତି ଯେ ପରେ ଏହି ସ୍ଲୋଗାନକୁ ରାହୁଲଙ୍କୁ ଦିଆଯାଇଥିଲା।

ଗତବର୍ଷ ସେପ୍ଟେମ୍ୱର ୨୦ରେ ରାଜସ୍ଥାନର ଏକ ସଭାରେ ପ୍ରଥମ ଥର ପାଇଁ ରାହୁଲ ଏହି ସ୍ଲୋଗାନକୁ ବ୍ୟବହାର କରିଥିଲେ। ସେ କହିଥିଲେ ଯେ, ‘ଗଲି ଗଲି ମେଁ ସୋର ହୈ, ଦେଶକା ଚୌକିଦାର ଚୋର ହୈ’। ପରଦିନ ଦେଶର ସମସ୍ତ ଗଣମାଧ୍ୟମରେ ଏହା ପ୍ରମୁଖ ପୃଷ୍ଠାରେ ରହିଥିଲା। କଂଗ୍ରେସ ଦଳ ଧରିନେଇଥିଲା ଯେ, ଏହି ସ୍ଲୋଗାନ କାମ କରିବ। ପରେ ଏହା ଦଳର ନେତାଙ୍କ ପାଇଁ ଏକ ନିୟମିତ ସ୍ଲୋଗାନ ପାଲଟିଥିଲା। ସେପ୍ଟେମ୍ୱର ପରେ ଅନୁଷ୍ଠିତ କିଛି ରାଜ୍ୟର ବିଧାନସଭାରେ ଏହି ସ୍ଲୋଗାନ କାମ ଦେବାରୁ ଲୋକସଭାରେ ମଧ୍ୟ ଏହାର ବ୍ୟବହାର କରାଯିବା ନେଇ ନିଷ୍ପତ୍ତି ହୋଇଥିଲା।

Leave a Reply

Your email address will not be published.