କ’ଣ ପାଇଁ ଚୀନର ଆତଙ୍କବାଦ ଆନ୍ତରିକତା: କାହିଁକି ଚୀନର ଆତଙ୍କବାଦୀ ଆଝାର ପ୍ରେମ ?


ବିଭୂତି ପତି
ସଫ୍ଦରଜଙ୍ଗ୍ ଏନ୍କ୍ଲେଭ, ନୂଆଦିଲ୍ଲୀ
୯୯୧୦୭୪୦୮୩୯


ଚୀନର ଜିଙ୍ଗଜିଆନ୍ ପ୍ରଦେଶରେ ବଳି ପଡୁଛନ୍ତି ମୁସଲମାନ ଓ ଇସଲାମ


୨୬/୧୧ ମୁମ୍ବାଇର ତାଜ ହୋଟେଲ, ୧୩/୧୨ ସଂସଦ ଭବନ, ୧୮/୧୧ ଉରୀ ଆର୍ମି କ୍ୟାମ୍ପ୍, ୧/୧ ପଠାନକୋଟ୍ ଏୟାର ବେସ୍, ଏବଂ ୧୪/୦୨ ପୁଲୱାମା ଆତଙ୍କବାଦୀ ଆକ୍ରମଣ : ଏସବୁ ଥିଲା ପାକିସ୍ତାନ ପାଳିତ ଆତଙ୍କବାଦୀ ସଂଗଠନ ଜୈସ୍ ଏ ମହମ୍ମଦ୍ ଏବଂ ଏହାର ମୁଖ୍ୟ ମାସୁଦ ଆଝାର ଏବଂ ଅନ୍ୟ କେତେକ ଆତଙ୍କବାଦୀଙ୍କ ଦ୍ୱାରା ଭାରତର ଆତ୍ମାକୁ ଦୋହଲାଇବାକୁ ଆତ୍ମଘାତୀ ଆକ୍ରମଣ । ଥାଉ ଏସବୁ ଭୟଙ୍କର ଆକ୍ରମଣ ପଛରେ ସେମାନଙ୍କ ହାତ ରହିଛି ବୋଲି ପରବର୍ତ୍ତୀ ସମୟରେ ଜୈସ୍-ଏ-ମହମ୍ମଦ ଏବଂ ଏହାର ଆତଙ୍କବାଦୀ କମାଣ୍ଡର ମାସୁଦ ଆଝାର ଏବଂ ଅନ୍ୟମାନେ ନିଜକୁ ଦାୟୀକରି ସର୍ବସାଧାରଣରେ ଘୋଷଣା କରିଛନ୍ତି । ଏହାପରେ ଅତି ନର୍ଲ୍ଲଜ୍ଜ ଭାବରେ ଚୀନ ଓ ପାକିିସ୍ତାନ ଏଭଳି ଆତଙ୍କବାଦୀ ଆକ୍ରମଣର ପ୍ରମାଣ ମାଗିଆସୁଛନ୍ତି । ଅବଶ୍ୟ ବିଭିନ୍ନ ସମୟରେ ବିଶ୍ୱ ସମୁଦାୟ ଚାପର ବଶବର୍ତ୍ତୀ ହୋଇ ପାକିସ୍ତାନର କେତେକ ସରକାର ଏଭଳି ଆତଙ୍କବାଦୀ ସଙ୍ଗଠନ ଉପରେ ଲୋକ ଦେଖାଣିଆ ପଦକ୍ଷେପ ଗ୍ରହଣ କରିଛନ୍ତି କିନ୍ତୁ ଚୀନର ଦରଦ କମ୍‍ ହେଉନାହିଁ । ପୁଲ୍‍ୱାମା ଆକ୍ରମଣ ପରବର୍ତ୍ତୀ ସମ୍ରରେ ଚୀନ୍‍ର ପୁନଶ୍ଚ ଭିଟୋ ପ୍ରୟୋଗ ଏଠାରେ ଉଲ୍ଲେଖଯୋଗ୍ୟ । ଏସବୁ ଭିତରେ ଆଜି ଏକ ବିରାଟ ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରୁଛି ।


ପ୍ରଶ୍ନଟି ହେଉଛି କ’ଣ ପାଇଁ ପାକିସ୍ତାନ ଦ୍ୱାରା ପାଳିତ ଓ ପରିଚାଳିତ ଆତଙ୍କବାଦ ସଂଗଠନ ଜୈସ-ଏ-ମହମ୍ମଦ ପ୍ରତି ଚୀନର ଏତେ ଆନ୍ତରିକତା ତଥା କାହିଁକି ଆତଙ୍କବାଦୀ ମାସୁଦ ଆଝାର ପ୍ରତି ଚୀନର ଏତେ ପ୍ରେମ ? ଥରେ ଅଧେ ନୁହେଁ ଚାରି ଚାରିଥର ଭିଟୋ ପ୍ରୟୋଗ କରି ଚୀନ ଆତଙ୍କବାଦ ସଂଗଠନ ଜୈସ-ଏ-ମହମ୍ମଦ ଓ ଆତଙ୍କବାଦୀ ମାସୁଦ ଆଝାରକୁ ଜାତିସଂଘରେ ସୁରକ୍ଷା ଦେଇଆସୁଛି?


ଏକଦା ଚୀନର ସୁରକ୍ଷାକୁ ଲକ୍ଷ୍ୟକରି ପାକିସ୍ତାନର ଜଣେ ମୁସଲମାନ ଧର୍ମଗୁରୁ, ତଥା ଜୈସ-ଏ-ମହମ୍ମଦ ଓ ମାସୁଦ ଆଝାରର ଆତଙ୍କବାଦ ଆଦର୍ଶରେ ଅନୁପ୍ରାଣିତ ନାଭିନ ମସୁଦ ହାସିମ୍ କହିଥିଲେ, “”ଏହା ହିଁ ସର୍ବଶକ୍ତିମାନ ଆଲ୍ଳାଙ୍କ ବିଚାର । ଭାରତ ଓ ଭାରତୀୟଙ୍କ ସମର୍ଥକ ଭଡ଼ାଟିଆ ଏଜେଣ୍ଟ୍ମାନେ ବିଶ୍ୱରେ ଜୈସ-ଏ-ମହମ୍ମଦ ଓ ମାସୁଦ ଆଝାର ପଛରେ ପଡ଼ିଯାଇଥିଲେ । ସରିଫ୍ ସରକାର ମାସୁଦ ଆଝାର ଓ ଏହାର ସଙ୍ଗଠନ ଜୈସ-ଏ-ମହମ୍ମଦ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । ଭାରତ ସପକ୍ଷବାଦୀ ଗଣମାଧ୍ୟମ ଜୈସ-ଏ-ମହମ୍ମଦ ଓ ମାସୁଦକୁ ଗରିଫ କରି ବିଶ୍ୱ ଆତଙ୍କବାଦୀ ତାଲିକାରେ ସାମିଲ କରିବାକୁ ଜାତିସଂଘ ଉପରେ ଚାପ ପ୍ରୟୋଗ କଲେ । ଏଭଳି ପରିସ୍ଥିତିରେ ଚୀନ ହସ୍ତକ୍ଷେପ କଲା ଏବଂ ଜାତିସଂଘରେ ସବୁ ପ୍ରସ୍ତାବକୁ ନାକଚ କରି ଜୈସ-ଏ-ମହମ୍ମଦକୁ ସୁରକ୍ଷା କଲା । ଭାରତ ଭକୁଆ ହେଲା । ଆଲ୍ଲା ଏହିପରି କାର୍ଯ୍ୟ କରନ୍ତି ।” ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଜାତିସଂଘରେ ଚୀନ ଭିଟୋ ପ୍ରୟୋଗ କରି ପୁଣି ମାସୁଦ ଆଝାରକୁ ସୁରକ୍ଷା ଦେଇଛି ।


କେତେକ ଆର୍ନ୍ତଜାତୀୟ ରାଜନୈତିକ ବିଶ୍ଲେଷକ ସମୀକ୍ଷା କରି କୁହନ୍ତି, “”ଭାରତ ଦଲାଇ ଲାମାକୁ ସୁରକ୍ଷା ଦେଇଥିବା କାରଣରୁ ଚୀନ କ୍ଷୁବ୍ଧ ଅଟେ । ଚୀନର ବହୁ ପ୍ରତିକ୍ଷୀତ “ୱାନ୍ ବେଲ୍ଟ୍ ୱାନ୍ ରୋଡ଼’ ପ୍ରକଳ୍ପ ଓ ଗ୍ୱାଦାର ବନ୍ଦର ଯୋଜନାକୁ ପାକିସ୍ତାନ ନିଜର ସାର୍ବଭୌମତ୍ତ୍ୱକୁ ବଳି ପକାଇ ଅନ୍ଧ ଭଳି ସମର୍ଥନ ଦେଇଆସୁଛି । ଏପରିକି ପାକିସ୍ତାନର ବିଶିଷ୍ଟ ଅର୍ଥନୀତିଜ୍ଞମାନଙ୍କ ଭବିଷ୍ୟତ ବିପଦର ଆକଳନକୁ ମଧ୍ୟ ପାକିସ୍ତାନ ସେନା ଖାତିର ନକରି ଚୀନକୁ ସାହାଯ୍ୟ ଓ ସହଯୋଗ କରୁଛି । ଏସବୁ କାରଣରୁ ଚୀନ ମାସୁଦ ଆଝାର ଆତଙ୍କବାଦୀକୁ ସମର୍ଥନ କରି ସୁରକ୍ଷା ଦେଉଛି । ଏହା କେତେକାଂଶରେ ଠିକ୍ ହୋଇପାରେ । ପ୍ରତିରକ୍ଷା ବିଶେଷଜ୍ଞ ଓ ଆତଙ୍କବାଦ ସଂଗଠନର କାର୍ଯ୍ୟକଳାପ ଓ ଗତିବିଧି ଉପରେ ଗବେଷଣା କରୁଥିବା ଗବେଷକ ପ୍ରତୀକ ପାର୍ଥସାରଥୀ ଓ ସିଦ୍ଧିକ ଆଟ୍ଟାଙ୍କ ମତାମତକୁ ତର୍ଜ୍ଜମା କଲେ ଉପରୋକ୍ତ କାରଣ ଶତ ପ୍ରତିଶତ ଠିକ୍ ନୁହେଁ ବୋଲି ସ୍ପଷ୍ଟ ହେଉଛି । ଏହା ପଛରେ ଚୀନର ଏକ ଦୂରାଭିଷନ୍ଧି ଷଡ଼ଯନ୍ତ୍ର ଲୁଚି ରହିଥିବାର କାରଣ ସ୍ପଷ୍ଟ ପ୍ରତୀୟମାନ । ଯାହାକୁ ସାଧାରଣ ଭାବେ ବୁଝିବା ଅତି କଷ୍ଟକର । ଏହା ଗହନ ଗହିରର ଗଭୀର ଗୁମର କଥା । ଚୀନ ନିଜ ଦେଶର ଜିଙ୍ଗ୍ ଜିଆଙ୍ଗ ପ୍ରଦେଶର ମୁସଲମାନ ସମ୍ପ୍ରଦାୟ ଉପରେ ବଳପୂର୍ବକ ବର୍ବର ଆକ୍ରମଣ ଓ ଦମନଲୀଳା ଚଳାଇ ନିଜ ସ୍ୱାର୍ଥ ସାଧନର ଭୟଙ୍କର ଷଡ଼ଯନ୍ତ୍ର ରଚାଉଛି । ଏହାକୁ ପାକିସ୍ତାନ ଓ ମାସୁଦ ଆଝାର ଭଳି ଆତଙ୍କବାଦୀମାନେ ମଧ୍ୟ ନିଜ ସ୍ୱାର୍ଥର ସୁରକ୍ଷା ପାଇଁ ବୁଝି ନପାରି ଇସ୍ଲାମ୍କୁ ବଳି ପକାଉଛନ୍ତି ।
ଏଭଳି ପରିସ୍ଥିତିରେ ଏକ ସ୍ୱଭାବିକ ପ୍ରଶ୍ନ ମନରେ ଉଙ୍କିମାରୁଛି । ଜୈସ-ଏ-ମହମ୍ମଦ ଓ ମାସୁଦ ଆଝାରକୁ ଯଦି ବିଶ୍ୱ ସମର୍ଥନରେ ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷଣା କରାହୁଏ ତେବେ ଭାରତ କଣ ଶତ ପ୍ରତିଶତ ଲାଭବାନ୍ ହେବ? ଭାରତରେ ଆତଙ୍କବାଦ ଆକ୍ରମଣ କ’ଣ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ?? ପାକିସ୍ତାନରେ ପାଳିତ ଆତଙ୍କବାଦ ସଂଗଠନ ଓ ଆତଙ୍କବାଦୀମାନେ କ’ଣ ସେଠାରୁ ମୂଳପୋଛ ହୋଇଯିବେ???
ଯଦି ଉତ୍ତର ନା ହୁଏ, ତେବେ କଂଗ୍ରେସର ୟୁ.ପି.ଏ କିମ୍ବା ବିଜେପିର ଏନ୍.ଡ଼ି.ଏ ସରକାର ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଏତେ ବ୍ୟଗ୍ର କାହଁକି? ଏ ପ୍ରଶ୍ନର ସିିଧାସଳଖ ଉତ୍ତର ହେଉଛି ଯେଉଁ ସରକାର ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାରେ ସଫଳ ହେବ ଭାରତ ଯଦିଓ ଲାଭବାନ ନହେବ କିନ୍ତୁ ସେହି ରାଜନୈତିକ ଦଳର ସରକାର ନିଜର କୂଟନୈତିକ ବିଜୟ ଦର୍ଶାଇ ଭୋଟ ବ୍ୟାଙ୍କ୍ ହାତେଇବାରେ ସଫଳ ହେବ । ଏଭଳି ମତ ଦିଅନ୍ତି ଅବସରପ୍ରାପ୍ତ ଏକାଧିକ ରକ୍ଷା ବିଶେଷଜ୍ଞଙ୍କ ସମେତ ଆତଙ୍କବାଦ ସଂଗଠନ ଉପରେ ଗବେଷଣା କରୁଥିବା ଗବେଷକ ।
ଏମାନଙ୍କ ମତରେ ଚୀନ ପାକିସ୍ତାନ ଭଳି ଅନୈତିକ ରାଷ୍ଟ୍ର ପାଇଁ ଏଭଳି ନୈତିକ ମୂଲ୍ୟବୋଧର ଆହ୍ୱାନ ବାସ୍ତବରେ କୌଣସି ମୂଲ୍ୟ ରଖେନାହିଁ । ମାସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣ ଆବେଦନକୁ ଚୀନ ଜାତିସଂଘରେ ଖାରଜ କରିବା ପଛରେ ଏକ କାରଣ ହେଉଛି ଚୀନ ଦକ୍ଷିଣ ଏସିଆରେ ନିଜର ସାମ୍ରାଜ୍ୟ ଓ ସ୍ୱାର୍ଥ ସାଧନ ବୃଦ୍ଧି କରି ଏକକ ଶକ୍ତିଶାଳୀ ରାଷ୍ଟ୍ର ହେବାର ନୀରବଛିନ୍ନ ପ୍ରୟାସ ।
ଏଠାରେ ଉଲ୍ଲେଖ କରାଯାଇପାରେ, ଭାରତର ପୂର୍ବତନ ମନମୋହନ ସିଂହଙ୍କ ସରକାର ଅବା ବର୍ତ୍ତମାନର ମୋଦୀ ସରକାର ନିରାସକ୍ତ ଭାବରେ ଏକଥା ବିଚାର କରିବା ଆବଶ୍ୟକ ଯେ, ବିଶ୍ୱ ଆତଙ୍କବାଦୀ ତାଲିକାରେ ମାସୁଦ ଆଝାରକୁ ସାମିଲ କଲେ ଭାରତର କ’ଣ ଲାଭ ହେବ? ଏଥିପାଇଁ ଅତୀତକୁ ନିରୀକ୍ଷଣ କରିବା ନିତାନ୍ତ ଦରକାର ।

ଯେତେ ପ୍ରତିବନ୍ଧକ ସେତେ ପ୍ରସାର

୨୬/୧୧ ଆତଙ୍କବାଦୀ ଆକ୍ରମଣ ପରେ ଲସ୍କର-ଏ-ତୋଇବା ଆତଙ୍କବାଦୀ ମୂଳ ସଂଗଠନ ଜମାତ୍-ଉଦ୍-ଦାୱା ଏବଂ ଏହାର ମୁଖ୍ୟ ହାଫିଜ୍ ସଇଦ୍ ଉପରେ ଜାତିସଂଘ ଓ ବିଶ୍ୱ ସମୁଦାୟ ପ୍ରତିବନ୍ଧକ ଜାରି କରିବା ସତ୍ତେ୍ୱ ପାକିସ୍ତାନରେ ଏହି ଆତଙ୍କବାଦୀ ସଂଗଠନ ତାର ଆତଙ୍କବାଦ ସାମରିକ ଭିତ୍ତିଭୂମି ତଥା ଆତଙ୍କବାଦୀ କାର୍ଯ୍ୟକଳାପଗୁଡ଼ିକୁ ବନ୍ଦ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ହୋଇପାରିନାହିଁ । ଯୁକ୍ତରାଷ୍ଟ୍ର ଆମେରିକାର ଟ୍ରେଜେରୀ ବିଭାଗ ଆତଙ୍କବାଦୀ ଦାଉଦ୍ ଇବ୍ରାହିମ କସର ବିପକ୍ଷରେ ଦୃଢ଼ ପ୍ରତିବନ୍ଧକ ଲାଗୁ କରିଥିଲେ ମଧ୍ୟ ଏହା ଦାଉଦ୍ ଇବ୍ରାହିମ୍‍କୁ କରାଚୀରେ ସମସ୍ତଙ୍କ ଆଖିଆଗରେ ଖୋଲାଖୋଲି ଭାବରେ ଚଳପ୍ରଚଳ କରିବାରୁ ରୋକ ଲାଗାଇ ପାରିନାହିଁ । ବହୁବର୍ଷ ହେଲା ପାକିସ୍ତାନରେ ଏହା ଚାଲୁଛି ଏବଂ ବିଶ୍ୱ ସମୁଦାୟ ଓ ଜାତିସଂଘ ତଥା ଖୋଦ୍ ଆମେରିକା ଏହାକୁ ଦେଖୁଛି ।


ଅନେକ ସମୟରେ ଏକଥା ପାସୋରି ହୋଇଯାଏ ଯେ ଏକ ଆତଙ୍କବାଦ ସଙ୍ଗଠନ ହିସାବରେ ଜୈସ-ଏ-ମହମ୍ମଦକୁ ୨୦୦୧ ମସିହାରୁ ବେଆଇନ ଘୋଷଣା କରାଯାଇଛି । ଏହା ସତ୍ତେ୍ୱ, ବାହାବଲପୁରରେ ଆତଙ୍କବାଦୀଙ୍କ ସୁରକ୍ଷା ପାଇଁ ଜୈସ-ଏ-ମହମ୍ମଦ ମାଦ୍ରାସା ନିର୍ମାଣ କରିବା ଓ ତାଲିମ ଶିବିରମାନ ଚଳାଇବା କିମ୍ବା ଆତଙ୍କବାଦ ଆକ୍ରମଣ କରିବାରୁ ଜୈସକୁ ବିରତ କରାଯାଇ ପାରିନାହିଁ ।
ବାସ୍ତବରେ ୟୁ.ଏନ୍.ର ୧୨୬୭ କମିଟିର ଜାତୀୟ ମିନିଟରିଂ ରିପୋର୍ଟ ଏକଥା ଦର୍ଶାଉଛି ଯେ ଆନ୍ତର୍ଜାତିକ ପ୍ରତିବନ୍ଧକ ସତ୍ତେ୍ୱ ତାଲିବାନ ତା’ର ନିଶା କାରବାର ତଥା ରୋଜଗାର ବଢାଇ ଚାଲିଛି । ଆନ୍ତର୍ଜାତିକ ସ୍ତରରେ ପ୍ରତିବନ୍ଧକ ଲାଗୁ କରିବାର ଯେଉଁ ପ୍ରକ୍ରିୟା ଆମେରିକାର ୯/୧୧ର ଆକ୍ରମଣ ପରେ ହୋଇଥିଲା ତାହା ଯେ ଅନ୍ତଃସାରଶୂନ୍ୟ ହୋଇ ଯାଇଛି ତାହା ଏଇଥିରୁ ପ୍ରମାଣିତ ହେଉଛି । ଅଲକାଏଦା ସେତେବେଳେ ଯେତିକି ଅଞ୍ଚଳରେ ପ୍ରାଧାନ୍ୟ ବିସ୍ତାର କରିଥିଲା ଏବେ ତାହାଠାରୁ ବହୁଗୁଣ ଅଧିକ ଅଞ୍ଚଳରେ ତାହାର ପ୍ରଭୂତ୍ୱ ବିସ୍ତାର କରିଥିବା ଜଣାପଡ଼ିଛି ।

ମାସୁଦ୍‍ ପ୍ରେମ

ଏଥର ଫେରିବା ଚୀନର କାହିଁକି ଓ କ’ଣ ପାଇଁ ଆତଙ୍କବାଦ ପ୍ରତି କେତେ ଅନାବିଳ ଆନ୍ତରିକତା ଓ ଆତଙ୍କବାଦୀ ମାସୁଦ ଆଝାର ପ୍ରତି ଚୀନର ଏକନିଷ୍ଠ ପ୍ରେମ ପ୍ରସଙ୍ଗକୁ । କ୍ଷମତା ଦଖଲ କରିବାପରେ ଚୀନର ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ ପ୍ରତିଜ୍ଞା କରିଥିଲେ ଯେ ଜିଙ୍ଗଜିଆଙ୍ଗ ପ୍ରଦେଶର ସଂଖ୍ୟା ଗରିଷ୍ଠ ମୁସଲମାନ ସଂପ୍ରଦାୟର ଲୋକମାନଙ୍କଠାରୁ ତଥାକଥିତ ଜିହାଦୀ ଆତଙ୍କବାଦ ହିଂସାରୁ ମୁକ୍ତ ରଖିବା ପାଇଁ ଚୀନର ବିଶାଳ ପ୍ରାଚୀର ପରି ଅନ୍ୟ ଏକ ଲୁହାର ପ୍ରାଚୀର ଗଢିଦେବେ । ମାତ୍ର ସିରିଆରେ ଆଇ.ଏସ୍ ଆତଙ୍କବାଦୀ ଯୁଦ୍ଧର ପରିସମାପ୍ତି ଚୀନ ପାଇଁ ନିରାପତ୍ତା ସଂପର୍କିତ ଏକ ଦୁଃସ୍ୱପ୍ନ ପାଲଟିଯାଇଛି । ଚୀନର ଜିଙ୍ଗଜିଆଙ୍ଗ ପ୍ରଦେଶର କେତେ ଜଣ ତଥାକଥିତ ମୁସଲମାନ ଆତଙ୍କବାଦୀ ଜିହାଦୀ ସିରିଆରେ ଥିଲେ ସେ ସଂପର୍କିତ ଆକଳନରେ ଅନେକ ତାରତମ୍ୟ ରହିଛି । କେତେକ କୁହନ୍ତି ସିରିଆରେ ଜିଙ୍ଗଜିଆଙ୍ଗର ମୁସଲମାନ ଆତଙ୍କବାଦୀ ସଂଖ୍ୟା ୧୦୦୦ ରୁ ୨୦୦୦, କିମ୍ବା ୨୦୦୦ ରୁ ୩୦୦୦ ଅବା ୪୦୦୦ ରୁ ୫,୦୦୦ । ଗତ ଗ୍ରୀଷ୍ମ ଋତୁରେ ଚୀନର ସ୍ୱତନ୍ତ୍ର ଦୂତ ଜୀ ଜିଆଓୟାନ କହିଥିଲେ ସିରିଆରେ ଥିବା ଜିଙ୍ଗଜିଆଙ୍ଗର ମୁସଲମାନ ଆତଙ୍କବାଦୀଙ୍କ ସଂଖ୍ୟା ଏହାଠାରୁ ମଧ୍ୟ ଅଧିକ” ।
ଆମେରିକାର ସୈନ୍ୟବାହିନୀର ହସ୍ତଗତ ହୋଇଥିବା ଇସ୍ଲାମିକ୍ ଷ୍ଟେଟର ମହିଳା ସଦସ୍ୟମାନଙ୍କର ନାମ ଲେଖାଯାଇଥିବା ଖାତାରେ ଉପରୋକ୍ତ ଅଂଶ ଏହାର ସତ୍ୟତା ପ୍ରଦାନ କରୁଛି । ଏହି ଖାତାରେ ମୋଟ ୧,୧୩୯ ମହିଳାଙ୍କର ନାମ ଉଲ୍ଲେଖ କରାଯାଇଥିଲା । ସେମାନଙ୍କ ମଧ୍ୟ ୭୬ ଜଣଙ୍କ ମୂଳ ବାସସ୍ଥାନ ଚୀନର ଜିନ୍ଜିଆଙ୍ଗ ବୋଲି ଦର୍ଶାଯାଇଛି । ଏହି ଖାତାରେ ଦାଗେସ୍ତାନରୁ ସର୍ବାଧିକ ୨୦୦ ଜଣ ମହିଳା ଏବଂ ତା’ପଛକୁ ତୁର୍କୀରୁ ୧୨୪ ଜଣ ମହିଳା ଆତଙ୍କବାଦୀ ଆସି ଇସ୍ଲାମିକ୍ ଷ୍ଟେଟ୍ରେ ଯୋଗଦେଇଥିବା ପ୍ରମାଣ ମିଳୁଛି । ସଂଖ୍ୟା ଦୃଷ୍ଟିରୁ ଚୀନର ପଶ୍ଚିମ ପ୍ରାନ୍ତ ଜିନ୍ଜିଆଙ୍ଗରୁ ଆସିଥିବା ମହିଳାମାନଙ୍କ ସ୍ଥାନ ତୃତୀୟ ।
ଏହି ସଂଖ୍ୟାଗୁଡିକୁ ଏକ ପୃଷ୍ଠଭୂମିରେ ବିଚାର କରିବା ସକାଶେ ଏକଥାକୁ ତର୍ଜମାକୁ ଅଣାଯାଉ: ସିରିଆର ଯୁଦ୍ଧରେ ମାତ୍ର ୨୩ ଜଣ ଭାରତୀୟ ଯୋଗ ଦେଇଥିବାର ଜଣାଯାଇଛି । ପାକିସ୍ତାନ ଓ ଇଣ୍ଡୋନେସିଆର ପ୍ରାୟ ଏକ ଶହ ପାଖାପାଖି ଲୋକେ ଏହି ଯୁଦ୍ଧରେ ଯୋଗ ଦେଇଥିଲେ । ଏସିଆର ଅନ୍ୟଦେଶରେ ମଧ୍ୟ ଏହି ଉଗ୍ରବାଦର ସମ୍ଭାବ୍ୟ ବିପଦର ପରିପ୍ରକାଶ ଘଟିଛି । ଇସଲାମିକ୍ ଷ୍ଟେଟର ଆତଙ୍କବାଦୀମାନଙ୍କଠାରୁ ମାରାୱି ସହରକୁ ମୁକ୍ତ କରିବା ସକାଶେ ଫିଲିପାଇନ୍ସର ସଶସ୍ତ୍ର ବାହିନୀକୁ ଦୀର୍ଘ ପାଞ୍ଚ ମାସକାଳ ଘମାଘୋଟ ଲଢେଇ କରିବାକୁ ପଡିଥିଲା ।
ଚୀନର ଭୟ ଯେ ସିରିଆରୁ ତଡା ଖାଇଥିବା ଆତଙ୍କବାଦୀମାନେ ଏହାର ଆଖପାଖ ଇଲାକାରେ ପହଞ୍ଚିଯାଇ ପାରନ୍ତି ଏବଂ ତା’ପରେ ସେମାନେ ଆଫଗାନିସ୍ତାନ ଓ ପାକିସ୍ତାନରେ ରହି ଜିନଜିଆଙ୍ଗ ପ୍ରଦେଶରେ ଅନୁପ୍ରବେଶ କରିପାରନ୍ତି ।

ଉଇଘୁଇ ଜନଜାତି


ଆଲ କାଏଦାର ଉଇଘୁର ଜନଜାତି ଅଂଶର ଆତଙ୍କବାଦୀ କମାଣ୍ଡର ଆବୁ ଓମାର ଅଲ୍-ତୁର୍କୀସ୍ଥାନୀଙ୍କ ଜୀବନୀରୁ ଆମେ ଜାଣିଛୁ ଯେ ଉପସାଗରୀୟ ଅଞ୍ଚଳରେ ଚୀନର ଜିନ୍ଜିଆଙ୍ଗ ପ୍ରଦେଶରେ ଇସ୍ଲାମିକ୍ ଷ୍ଟେଟ୍ ସଦସ୍ୟମାନଙ୍କର ଆତଙ୍କବାଦ ଚେର ବେଶ ଗଭୀରକୁ ମାଡ଼ିଛି । ଚୀନର ଜିଙ୍ଗଜିଆଙ୍ଗ ପ୍ରଦେଶରେ ଜନ୍ମଗ୍ରହଣ କରିଥିବା ଆବୁ ଓମାର ଅଲ-ତୁର୍କୀସ୍ତାନୀ ଓସାମା ବିନ୍ ଲାଦେନଙ୍କ ସହ ମିଶି ତୋରାବୋରା ପାର୍ବତ୍ୟ ଅଞ୍ଚଳରେ ଆମେରିକା ସୈନ୍ୟବାହିନୀ ବିପକ୍ଷରେ ଯୁଦ୍ଧ କରିଥିଲେ । ଏହା ପରେ ଆବୁ ଓମାର ପ୍ରାୟ ଗୋଟିଏ ଦଶନ୍ଧି ଧରି ପାକିସ୍ତାନୀ ଜେଲରେ ରହିଥିଲା । ତା’ପରେ ଆବୁ ଓମାର ଆଫଗାନିସ୍ତାନକୁ ଫେରିଆସି “ଇସଲାମିକ ମୁଭମେଣ୍ଟ ଅଫ୍ ଉଜ୍ବେକିସ୍ତାନ’ ସହ ସଂପୃକ୍ତ ଏକ ଗୋଷ୍ଠୀରେ ଯୋଗ ଦେଇଥିଲା । ସେଠାରୁ ସେ ଅଲକାୟଦା ସହ ମିଶି ଏଲେପୋ ଓ ଲାଟାକିଆରେ ଯୁଦ୍ଧ କରିଥିଲା । ୨୦୧୭ ମସିହା ଡ୍ରୋନ୍ଆକ୍ରମଣରେ ଉତ୍ତର ପଶ୍ଚିମ ସିରିଆରେ ଆବୁ ଓମାର ନିହତ ହୋଇଥିଲା ।
ଇସଲାମୀୟ ଆହ୍ୱାନର ସାମାନ୍ୟତମ ସୂଚନା ପାଇବା ସଙ୍ଗେ ସଙ୍ଗେ ଚୀନ ଅଭୁତ ନିଷ୍ଠାର ସହ ପ୍ରତିକ୍ରିୟା ପ୍ରକାଶ କରି ଦମନଲୀଳା ଜିଙ୍ଗଜିଆଙ୍ଗରେ ପ୍ରଦର୍ଶନ କରିଛି । ଜିଙ୍ଗଜିଆଙ୍ଗରେ ଦାଢୀ କିମ୍ବା ବୁର୍ଖା ପରି ସାମାନ୍ୟତମ ଇସ୍ଲାମ ଧର୍ମୀୟ ପରିପ୍ରକାଶରେ ଚୀନ ପ୍ରତିକ୍ରିୟାଶୀଳ ହୋଇଉଠିଛି । ଚୀନ ଏହି ଅଞ୍ଚଳରେ ଅର୍ଥର ବନ୍ୟା କରାଇ ଦେଇଛି ଏବଂ ନିଜ ଦେଶର ଅନ୍ୟ ପ୍ରାନ୍ତରୁ ଅନ୍ୟ ଧର୍ମର ଲୋକମାନଙ୍କୁ ଏଠାକୁ ଆଣି ଥଇଥାନ କରିଛି । ଠିକ୍ ଯେପରି ତିବ୍ଦତ୍ରେ କରାଇଥିଲା । କିନ୍ତୁ ଏସବୁ ପଦକ୍ଷେପଗୁଡିକ ଫଳରେ ଏଠାକାର ସମସ୍ୟାର ସମାଧାନ ହୋଇନାହିଁ କିମ୍ବା ଚୀନର ଲକ୍ଷ୍ୟ ସଫଳ ହୋଇନାହିଁ । ୨୦୧୬ ମସିହାରେ ବିଶକେକ୍ର ଚୀନ ଦୂତାବାସରେ କାରବୋମା ବିସ୍ଫୋରଣ, ୨୦୧୫ ମସିହାରେ ଆକ୍ସୁ କୋଇଲା ଖଣିରେ ଗଣହତ୍ୟା, ୨୦୧୪ ମସିହାରେ କୁନ୍ମିଙ୍ଗ ହତ୍ୟା, ଏବଂ ୨୦୧୩ ମସିହାରେ ଚୀନର ପ୍ରସିଦ୍ଧ ଟିଆନାମେନ ସ୍କୋୟାରରେ ବୋମାମାଡ ଇତ୍ୟାଦି ଏହି ଗୁରୁତର ବିପଦର ପ୍ରମାଣ ଦେଉଛି । ଜିନ୍ଜିଆଙ୍ଗର ମୁସଲମାନଙ୍କ ପ୍ରତି ଏକଦା ଚୀନର ଏହି ପ୍ରତିକ୍ରିୟାଶୀଳ ଆଚରଣକୁ ଲକ୍ଷ୍ୟକରି ଜୈନିକ ଆତଙ୍କବାଦୀ ସଂଗଠନ ଚୀନରେ ରକ୍ତ ନଦୀ ବୁହାଇଦେବାର ଧମକ ଦେଇ ସେଠାକାର ସରକାର ଓ ପ୍ରଶାସନକୁ ବିବ୍ରତ କରିଦେଇଥିଲା ।

ଲୌହ ପ୍ରାଚୀର


କାରାକୋରମ୍ ପର୍ବତମାଳାରୁ ଆସୁଥିବା ବିପଦକୁ ପ୍ରତିରୋଧ କରିବା ପାଇଁ ଚୀନର ଲୌହ ପ୍ରାଚୀର ପରିକଳ୍ପନାର ଯଥେଷ୍ଟ ଗୁରୁତ୍ୱ ରହିଛି । ଏହି ଲୌହ ପ୍ରାଚୀର ଗଠନ କରିବା କ୍ଷେତ୍ରରେ ପାକିସ୍ତାନର ଇଣ୍ଟର ସର୍ଭିସେସ୍ ଏଜେନ୍ସି (ଆଇ.ଏସ୍.ଆଇ) ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଚୀନ ବୁଝିପାରିଛି ଆଇ.ଏସ୍.ଆଇ. କେବଳ ପାକିସ୍ତାନରେ ଆତଙ୍କବାଦୀମାନଙ୍କୁ ଅଟକାଇ ରଖି ପାରିବ ନାହିଁ ବରଂ ଏହା ମଧ୍ୟ ଆଫଗାନ ତାଲିବାନ ଆତଙ୍କବାଦୀ ସଂଗଠନର ଆତଙ୍କବାଦୀ (ଗୋଟିଏ ସମୟର ପାକିସ୍ତାନର ପୃଷ୍ଠପୋଷକ)ମାନଙ୍କୁ ମଧ୍ୟ ପ୍ରଭାବିତ କରି ପାରିବାର କ୍ଷମତା ରଖିଛି । ଅନ୍ୟପଟରେ ଚୀନ ଆତଙ୍କବାଦୀ ମାସୁଦ ଆଝାର ପ୍ରେମରେ ପଡ଼ିବାର ଅନ୍ୟ ଏକ କାରଣ ହେଉଛି, ଜିଙ୍ଗଜିଆଙ୍ଗ ପ୍ରଦେଶରେ ଚୀନ ସରକାର ଓ ପ୍ରଶାସନ ସେଠାରେ ମୁସଲମାନଙ୍କ ଉପରେ ଚଳାଇଥିବା ବର୍ବର ଦମନଲୀଳା ପ୍ରସଙ୍ଗରେ ମାସୁଦ ଆଝାର କେବେ ସାମାନ୍ୟତମ ଅଭିଯୋଗ ଚୀନ ବିରୋଧରେ କରିନାହିଁ । ଏହି ପରିପ୍ରେକ୍ଷୀରେ ଯେତେବେଳେ ଭାରତ -ପାକିସ୍ତାନ ମଧ୍ୟରେ ଆତଙ୍କବାଦୀ ମାସୁଦ ଆଝାରକୁ ନେଇ ବିବାଦ ଚାଲିଛି ଚୀନ ନିଜ ସ୍ୱାର୍ଥ ସାଧନ ପାଇଁ ଜିଙ୍ଗଜିଆଙ୍ଗରେ ମୁସଲମାନ ଦମନଲୀଳାକୁ ସମର୍ଥନ ହାସଲ କରିବାକୁ ଆତଙ୍କବାଦ ପ୍ରତି ଆନ୍ତରିକତା ଓ ମାସୁଦ ଆଝାରକୁ ପ୍ରେମ କରିବା ଆରମ୍ଭ କରିଦେଇଛି ।
ଚୀନ ସକାଶେ ଆଇ.ଏସ୍.ଆଇକୁ ଖୁସି ରଖିବା ପାଇଁ ଭାରତକୁ ବିରକ୍ତ କରିବାର ମୂଲ୍ୟ ନଗଣ୍ୟମାତ୍ର ଏହା ଚୀନ ବୁଝିପାରିଛି । ଯଦିଓ ଚୀନ ଭାରତ-ପାକ୍ ମଧ୍ୟରେ ଅସ୍ଥିରତା କିମ୍ବା ଭାରତ-ପାକିସ୍ତାନ ଯୁଦ୍ଧ ହେବା ଯୋଗୁଁ ହେବାକୁ ଥିବା ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ଚାହୁଁନାହିଁ କିନ୍ତୁ ଯୁଦ୍ଧଠାରୁ କମ୍ ଯେ କୌଣସି ମାସୁଦ୍ ଆଝାର ଆତଙ୍କବାଦୀ ହମଲା ଭଳି ଆକ୍ରମଣ ପରିସ୍ଥିତି ଚୀନ ପାଇଁ ସ୍ୱାଗତଯୋଗ୍ୟ ।
ଗୋଟିଏ ପଟେ ଚୀନ ଆତଙ୍କବାଦ କାର୍ଯ୍ୟ ଓ ଆକ୍ରମଣକୁ ନିନ୍ଦା କରୁଛି, ଅନ୍ୟପଟେ ମାସୁଦ ଆଝାରକୁ ଏବଂ ପାକିସ୍ତାନ ପ୍ରରୋଚିତ ଆତଙ୍କବାଦୀ କାର୍ଯ୍ୟକୁ ଜାତିସଂଘରେ ସୁରକ୍ଷା ଦେଇଆସୁଥିବା ଦୋମୁହାଁ ନୀତି ଅବଲମ୍ବନ କରୁଛି । ଜିଙ୍ଗଜିଆଙ୍ଗ ପ୍ରଦେଶରେ ଚୀନ ଇସଲାମ୍ ଧର୍ମ ଓ ମୁସଲମାନ ମଣିଷଙ୍କ ଉପରେ ଯେଉଁ ବର୍ବର ଦମନଲୀଳା ଚଳାଇ ସେଠାକାର ନିର୍ଦ୍ଦୋଷ, ସରଳ ଓ ନିରୀହ ବ୍ୟକ୍ତିବିଶେଷଙ୍କୁ ଷଡ଼ଯନ୍ତ୍ର କରି ଆତଙ୍କବାଦୀ ସଜାଇ ଦେଉଛି ବୋଲି ରୁକିୟେ ତରର୍ଦ୍ଦୁଷ ଅଭିଯୋଗ କରନ୍ତି । ଜିଙ୍ଗଜିଆଙ୍ଗ ପ୍ରଦେଶର ମୁସଲମାନ ସମ୍ପ୍ରଦାୟର ମହିଳା ରୁକିୟେ ତରର୍ଦ୍ଦୁଷ କୁହନ୍ତି, “”ଗୋଟିଏ ପଟେ ମାନବିକତାକୁ ହତ୍ୟା କରି ମଣିଷ ରକ୍ତରେ ହାତଧୋଉଥିବା ଆତଙ୍କବାଦୀ ମାସୁଦ ଆଝାରକୁ ଚୀନ ସୁରକ୍ଷା ଦେଇ ଆସୁଛି । ଅନ୍ୟପଟେ “ଉଇଘୁର’ ମୁସଲମାନ ସମ୍ପ୍ରଦାୟର ନିରୀହ ମଣିଷକୁ ଆତଙ୍କବାଦୀ ସଜାଇ ଅମାନୁଷିକ ନିର୍ଯ୍ୟାତନା ଚୀନ ସରକାର ଦେଇଆସୁଛି । ଏହି ନିରୀହ ଉଇଘୁର ସମ୍ପ୍ରଦାୟର ମୁସଲମାନ ମଣିଷ ନିଜର ବଞ୍ôଚବାର ହକ୍ ତଥା ମଣିଷର ଧର୍ମ -ସଂସ୍କୃତି -ପରମ୍ପରା ଭଳି ସାଧାରଣ ଅଧିକାର ମାଗୁଛି । ମାତ୍ର ଚୀନର ଜି ଜିନ୍ପିଙ୍ଗ୍ ସରକାର ଏଇ ଉଇଘୁର ମୁସଲମାନଙ୍କ ଉପରେ ସୈନ୍ୟବାହିନୀ ଲଗାଇ ସେମାନଙ୍କୁ ଲହୁଲୁହାଣ କରି ନିର୍ମମ ନିର୍ଯ୍ୟାତନା ଓ ଅତ୍ୟାଚାର ଚଳାଉଛି । ବିଶ୍ୱ ସମୁଦାୟ ନିକଟରୁ ତଥା ବିଶ୍ୱ ଗଣମାଧ୍ୟମଠାରୁ ଷଡ଼ଯନ୍ତ୍ର କରି ଚୀନ ଏସବୁ ଲୁଚାଇ ରଖିଛି ।”
ପ୍ରସିଦ୍ଧ ଟି.ଭି. “ଅଲ୍ ଜଜିରା’ ଚାନେଲରେ ରୁକିୟେ ତରର୍ଦ୍ଦୁଷ ଏହା ଦର୍ଶାଇଛନ୍ତି । କୌଶଳ କରି ଓ ଷଡ଼ଯନ୍ତ୍ର ପୂର୍ବକ ଚୀନ ସରକାର ଉଇଘୁର ପୁରୁଷ ଓ ମହିଳାମାନଙ୍କୁ ଇସ୍ଲାମିକ୍ ଷ୍ଟେଟ୍ ଭଳି ଆତଙ୍କବାଦୀ ସଙ୍ଗଠନର ସଦସ୍ୟ ଘୋଷଣା କରୁଛି ବୋଲି ରୁକିୟେ ତରର୍ଦ୍ଦୁଷ ମତଦେଉଛନ୍ତି । ଇସ୍ଲାମ ଓ ମୁସଲମାନଙ୍କ ସୁରକ୍ଷାର କଥା କହୁଥିବା ସଂଗଠନ ଓ ଦେଶମାନଙ୍କୁ ଚୀନର ଏଭଳି ବର୍ବରତା କିପରି ଦେଖାଯାଉନାହିଁ ବୋଲି ରୁକିୟେ ତରର୍ଦ୍ଦୁଷ ପ୍ରଶ୍ନ କରୁଛନ୍ତି ।
ସୌଖିନ କୂଟନୈତିକ ପଦକ୍ଷେପ ସଂପର୍କରେ ଟେଲିଭିଜନରେ କରାଯାଉଥିବା ସମ୍ବେଦନଶୀଳ କାର୍ଯ୍ୟକ୍ରମ ପ୍ରସାରଣ ଖୁବ୍ ଭଲ ଲାଗିପାରେ, ମାତ୍ର ଏହା ଭାରତକୁ ଅଧିକ ଦିନ ସୁରକ୍ଷିତ କରିବ ନାହିଁ । ଭାରତ ନିଜର ସୁରକ୍ଷା ପାଇଁ ଏହାର ଆତଙ୍କବାଦ ବିରୋଧୀ କାର୍ଯ୍ୟକ୍ରମଗୁଡିକ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀତ କରିବା ଆବଶ୍ୟକ । ଏହା ସଙ୍ଗେ ସଙ୍ଗେ ଭାରତ ସେହି ସମାନ ଶତ୍ରୁଗୁଡିକର ସମ୍ମୁଖୀନ ହେଉଥିବା ଆଫଗାନିସ୍ତାନ ଓ ଇରାନ ପରି ରାଷ୍ଟ୍ରଗୁଡିକ ସହ ଯୋଡି ହୋଇ ନିଜର ସମ୍ପର୍କକୁ ସୁଦୃଢ଼ କରିବା ଦରକାର । ଟେଲିଭିଜନ ଚାନେଲ କିମ୍ବା ଗଣମାଧ୍ୟମର କୋଳାହଳର ଶଦ୍ଦରେ ଯୁଦ୍ଧ ଜିଣି ହୁଏନାହିଁ । ଦକ୍ଷତା ଓ ଅନ୍ୟଠାରୁ ସମ୍ବଳ ତଥା ସୁବିଧା ହାସଲ କରାଯିବା ଦ୍ୱାରା ଯୁଦ୍ଧ ଜିଣିହୁଏ । ଏହା ସହିତ ଚୀନ ସରକାର ଜିଙ୍ଗଜିଆଙ୍ଗ ପ୍ରଦେଶରେ ଇସଲାମ୍ ଏବଂ ନିଜର ହକ୍ ଓ ଅଧିକାର ମାଗୁଥିବା ସାଧାରର ମୁସଲମାନ ମଣିଷମାନଙ୍କ ବିରୁଦ୍ଧରେ ଯେଉଁ ଅମାନୁଷିକ ବର୍ବର ଅତ୍ୟାଚାର ଚଳାଇ ସେମାନଭ୍କୁ ଆତଙ୍କବାଦୀ ଘୋଷଣା କରି ନିର୍ଯ୍ୟାତନା ଦେଉଛି ଏହି ସତ୍ୟକୁ ବିଶ୍ୱ ସମୁଦାୟ ନିକଟରେ ମୁଖ୍ୟତଃ ଇସ୍ଲାମୀୟ ଦେଶର ଦୃଷ୍ଟି ଆକର୍ଷଣ କରିବା ଭାରତ ପାଇଁ ନିତାନ୍ତ ଜରୁରୀ ।


ଶେଷକଥା


୯/୧୧ ପରର ବିଶ୍ୱ ତା’ପୂର୍ବର ବିଶ୍ୱ ସହ ସମାନ ନୁହେଁ । ଏବର ବିଶ୍ୱରେ ଅନୈତିକ, ଅନୀତି ଓ ଅକୃତଜ୍ଞତା ମଧ୍ୟରେ ଆତଙ୍କବାଦ ପ୍ରାଧାନ୍ୟ ବିସ୍ତାର କରିଛି । ବର୍ତ୍ତମାନ ପୃଥିବୀ ଯେପରି ଅଛି, ସେଇଥିରେ ବଞ୍ôଚବାର କଳାକୁ ଭାରତକୁ ଶିଖିବାକୁ ପଡିବ । ନୀତି ନିୟମ ନୈତିକତା ଦୃଷ୍ଟିରୁ ଆଜିର ପୃଥବୀ ଯେପରି ହେବା ଉଚିତ ବୋଲି ଭାରତୀୟ ରାଜନୈତିକ ନେତୃବୃନ୍ଦ ଭାବୁଛନ୍ତି ସେପରି ପୃଥିବୀ ତାଙ୍କୁ ମିଳିବ ନାହିଁ ।

Leave a Reply

Your email address will not be published. Required fields are marked *