୬ ମାସରେ ବଦଳିଲେ ୬ ମୁଖ୍ୟମନ୍ତ୍ରୀ: କାହିଁକି, କେମିତି ଓ କେଉଁଠି ଜାଣନ୍ତୁ ସମ୍ପୂଣ୍ଣ ରିପୋର୍ଟ

ବିଗତ ୬ ମାସ ମଧ୍ୟରେ ୫ ରାଜ୍ୟରେ ବଦଳିଲେଣି ୬ ଜଣ ମୁଖ୍ୟମନ୍ତ୍ରୀ । ଖାଲି ବିଜେପି ଶାସିତ ରାଜ୍ୟରେ ନୁହେଁ, କଂଗ୍ରେସ ବି ସମ୍ଭାବୃ୍ୟ ନିର୍ବାଚନରେ ନିଜର ସ୍ଥିତିକୁ ସୁଧାରିବା ଲାଗି ଏହି ରଣନୀତିକୁ ଆପଣାଇଛି। ତେବେ କିଏ କେଉଁଠି କେଉଁ ପରିସ୍ଥିତିରେ  ବିଦା ହୋଇଛନ୍ତି ଆଉ କାହାର ପୂରିଛି ଚର୍ମ ଆଉ କାହାର ପୂରିନି ? ପୁଣି ଲଗାତାର ମୁଖ୍ୟମନ୍ତ୍ରୀ ପଦରେ ରହିବାରେ କେଉଁମାନେ କରିଛନ୍ତି ରେକର୍ଡ, ଏଇ ରିପୋର୍ଟରେ ଜାଣନ୍ତୁ ସେସବୁର ବିଶ୍ଳେଷଣ।

ବିଗତ ୬ ମାସରେ ଦେଶର ୫ ରାଜ୍ୟରେ ୬ ଜଣ ମୁଖ୍ୟମନ୍ତ୍ରୀ ବଦଳିଲେଣି । ରାଜନୀତିକ ଭଗାଷାରେ କହିବାକୁ ଗଲେ ପାର୍ଟି ହାଇକମାଣ୍ଡଙ୍କ ଇଙ୍ଗିତରେ ଏମାନଙ୍କୁ ବଦଳାଗଲାଣି।  ଭାରତୀୟ ରାଜନୀତିରେ ଗତ ମାର୍ଚ୍ଚ ମାସରୁ ଏମିତି ଟ୍ରେଣ୍ଡ ତ୍ବରିତ ହୋଇଥିବା ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡ, ଆସାମ, କର୍ଣ୍ଣାଟକ, ଗୁଜରାଟ ଏବଂ ପଞ୍ଜାବରେ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଯାଇଛି ।ପୁଣି  ଏହି ୬ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କୁ ସେମାନଙ୍କ ଟର୍ମ ପୂରା କରିବାକୁ ବି ସୁଯୋଗ ମିଳି ନାହିଁ। ମିଳିନାହିଁ।

ପ୍ରଥମେ ଉତ୍ତରାଖଣ୍ଡ ବିଷୟ।  ଚାରିବର୍ଷ ପୂର୍ତ୍ତିର ଦିନ କେଇଟା ପୂର୍ବରୁ, ଗତ ମାର୍ଚ୍ଚ ମାସରେ ଉତ୍ତରାଖଣ୍ଡରେ ଶାସନ କରୁଥିବା ତ୍ରିଭେନ୍ଦଅ୍ର ସିଂହଙ୍କ ସରକାରକୁ ବଦଳାଇଲା ବିଜେପି। ତାଙ୍କ ସ୍ଥାନରେ   ଲୋକସଭା ସାଂସଦ ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରାଗଲା।  ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ତ୍ରିଭେନ୍ଦ୍ରଙ୍କ ଷ୍ଟାଇଲ୍ ଅଫ୍ ଫଙ୍କସନିଂ ନେଇ ରାଜ୍ୟ ବିଜେପିରେ କିଛିଟା ଅସନ୍ତୋଷ ଦାନା ବାନ୍ଧୁଥିଲା । ଯେଉଁଥି ପାଇଁ ବିଜେପି କେନ୍ଦ୍ରୀୟ ନେତୃତ୍ବ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ । ୨୦୧୭ରେ ବିଜେପିର ବିଜୟ ପରେ ରାଜ୍ୟର ଶାସନ ଭାର ତୁଲାଉଥିଲେ ତ୍ରିଭେନ୍ଦ୍ର ସିଂହ ରାୱତ । ସେପଟେ ୪ ମାସ ଯାଇନି, ଜୁଲାଇ ମାସରେ ପଡ଼ିଲା ତୀରଥ ସିଂହ ରାୱତଙ୍କ ପାଳି । ସାମ୍ବିଧାନିକକ ଆଇନ ପାଇଁ ତାଙ୍କୁ ପଦ ଛାଡ଼ିବାକୁ ପଡ଼ିଲା । କାରଣ, ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବାର ବର୍ଷକ ମଧ୍ୟରେ ହେବାକୁ ଯାଉଛି ନିର୍ବାଚନ । ତେଣୁ ଏଭଳି ସ୍ଥିତିରେ ଜନ ପ୍ରତିନିଧି ଆଇନ ଅନୁଯାୟୀ, ଉପ ନିର୍ବାଚନ କରାଇବାକୁ ନିର୍ବାଚନ କମିଶନ ଅନୁମତି ଦେବାର ନିୟମ ନାହିଁ । ଯେଉଁଥି ପାଇଁ ମୁଖ୍ୟମନ୍ତ୍ରୀ ପଦରେ ରହିବା ତୀରଥ ସିଂହ ରାୱତଙ୍କ ପାଇଁ ସମ୍ଭବ ହେଲାନି । ଫଳରେ ବିଜେପି କେନ୍ଦ୍ରୀୟ ନେତୃତ୍ବ ବାଧ୍ୟ ହୋଇ ତୀରଥଙ୍କୁ ହଟାଇ ତାଙ୍କ ସ୍ଥାନରେ ପୁଷ୍କର ସିଂହ ଧାମିଙ୍କୁ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ଅର୍ଥାତ୍‌ ଉତ୍ତରାଖଣ୍ଡରେ ଭାବମୂର୍ତ୍ତି ବଞ୍ଚାଇବାକୁ ଥରେ ଏବଂ ସାମ୍ବିଧାନିକ ସଙ୍କଟ ମୋଚନ କରିବାକୁ ଆଉ ଥରେ ଏପରି ଗୋଟିଏ ବର୍ଷରେ ଦୁଇଜଣ ମୁଖ୍ୟମନ୍ତ୍ରୀଙ୍କୁ ପରିବର୍ତ୍ତନ କରିଲା ବିଜେପି। 

ସେହିପରି କର୍ଣ୍ଣାଟକରେ ବି ଦଳୀୟ ଅସନ୍ତୋଷ ଯୋଗୁଁ ନେତୃତ୍ବ ପରିବର୍ତ୍ତନ କରିଛି ବିଜେପି । ଜୁଲାଇ ମାସରେ ହୋଇଥିବା ଚେଞ୍ଜ ଅଫ୍ ଗାର୍ଡରେ ବି. ଏସ୍. ୟେଦିୟୁରପ୍ପାଙ୍କ ସ୍ଥାନରେ ବାସବରାଜ ବୋମାଇ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ପରବର୍ତ୍ତୀ ନିର୍ବାଚନ ୨୦୨୩ରେ ହେବାକୁ ଥିବା ବେଳେ ବିଜେପି ଦଳୀୟ ନିୟମ ଅନୁଯାୟୀ ୭୫ ବର୍ଷ ଅତିକ୍ରମ କରି ସାରିଥିବେ ୟେଦିୟୁରପ୍ପା । ଏଭଳି ସ୍ଥିତିରେ ଅନ୍ଧକାରକୁ ଠେଲି ହୋଇଯାଇଛି ୟେଦିଙ୍କ ରାଜନୈତିକ ଭାଗ୍ୟ ।

ସେପ୍ଟେମ୍ବର ମାସରେ ଦୁଇ ଦୁଇଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବିଦା ହେବାକୁ ପଡ଼ିଛି । ବିନା ଶୋର୍ ଶବ୍ଦରେ ପଦ ହରାଇଛନ୍ତି ଗୁଜରାଟର ବିଜୟ ରୁପାଣି । ଗୁଜରାଟରେ ଆସନ୍ତାବର୍ଷ ଶେଷ ଆଡ଼କୁ ନିର୍ବାଚନ ହେବାକୁ ଥିବା ବେଳେ ୨୦୧୬ରୁ ମୁଖ୍ୟମନ୍ତ୍ରୀ ପଦରେ ଥିଲେ ରୁପାଣି । କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କୁ ହଟାଇ ଦେଇ ଭୂପେନ୍ଦ୍ର ଭାଇ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ କରାଇଛି ବିଜେପି ।

ଚାରି ରାଜ୍ୟରେ ବିଜେପି ଏଭଳି ଟ୍ରେଣ୍ଟ ସେଟ୍ କରି ଚାଲିଥିବା ବେଳେ ପଞ୍ଜାବରେ ପଡ଼ିଲା କଂଗ୍ରେସର ପାଳି । ନବଜୋତ୍ ସିଂହ ସିଦ୍ଧୁଙ୍କ ସହ ଦୀର୍ଘଦିନର ବିବାଦ ପରେ ଶେଷରେ ବଳି ପଡ଼ିଲେ ପଞ୍ଜାବରେ ଲୋକଙ୍କ ମହାରାଜା ଭାବେ ଜଣାଶୁଣା କ୍ୟାପଟେନ୍ ଅମରିନ୍ଦର ସିଂହ । ତାଙ୍କ ସ୍ଥାନରେ ଚରଣଜିତ୍ ସିଂହ ଚନ୍ନି ହୋଇଛନ୍ତି ପଞ୍ଜାବର ସିଏମ୍ । ଯିଏକି ମାତ୍ର ୪ ମାସ ପାଇଁ ରାଜ୍ୟ ଶାସନର ମୁଖ୍ୟ ହୋଇଛନ୍ତି ।

ଟର୍ମ ପୂରା ନକରି ଉତ୍ତରାଖଣ୍ଡ, କର୍ଣ୍ଣାଟକ, ଗୁଜରାଟ ଏବଂ ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ହୋଇଥିବା ବେଳେ ଆସାମରେ କିନ୍ତୁ ଟର୍ମ ପୂରା ପରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଛନ୍ତି ସର୍ବାନନ୍ଦ ସୋନୱାଲ । ବିଶ୍ବସନୀୟତାର ପ୍ରଦର୍ଶନ ପାଇଁ ସୋନୱାଲଙ୍କ ସ୍ଥାନରେ ହିମନ୍ତ ବିଶ୍ବଶର୍ମା ହୋଇଛନ୍ତି ଆସାମର ମୁଖ୍ୟମନ୍ତ୍ରୀ ।

ଦଳୀୟ ନେତା ଓ କର୍ମୀଙ୍କ ଇଚ୍ଛାକୁ ଦେଖି, ପୁଣି ଆଗାମୀ ନିର୍ବାଚନ ପାଇଁ ସମ୍ଭାବ୍ୟ ବିଜୟର ରଣନୀତି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ, ବାରତୀୟ ରାଜନୀତିରେ କିଛି ନୂଆ ନୁହେଁ । କିନ୍ତୁ ଏମିତି ବି ନେତା ଥିଲେ ଆଉ ଅଛନ୍ତି। ଯେଉଁମାନେ ମୁଖ୍ୟମନ୍ତ୍ରୀ ପଦରେ କରିଛନ୍ତି ରେକର୍ଡ । ଏ ଦୃଷ୍ଟିରୁ ଦେଖିବାକୁ ସ୍ବାଧୀନ ଭାରତରେ ମୁଖ୍ୟମନ୍ତ୍ରୀ ପଦରେ ଲଗାତାର ଭାବେ ଅଧିକ ବର୍ଷ ରହିବାର ବର୍ତ୍ତମାନ ସୁଦ୍ଧା ସର୍ବୋଚ୍ଚ ରେକର୍ଡ ରହିଛି ସିକିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପୱନ କୁମାର ଚାମଲିଂଙ୍କ ହାତରେ । ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟର ପ୍ରତିଷ୍ଠାତା ପୱନ କୁମାର, ୧୯୯୪ରୁ ୨୦୧୯ ଯାଏଁ ଥିଲେ ମୁଖ୍ୟମନ୍ତ୍ରୀ । ଦ୍ବିତୀୟ ସର୍ବୋଚ୍ଚ ରେକର୍ଡର ଅଧିକାରୀ ହେଉଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜ୍ୟୋତି ବାସୁ । ୧୯୭୭ରୁ ୨୦୦୦ ମସିହା ଯାଏଁ ମୁଖ୍ୟମନ୍ତ୍ରୀ ପଦରେ ଥିଲେ ସେ ।

ତୃତୀୟରେ ଅଛନ୍ତି ଆମ ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଦଶନ୍ଧିରୁ ଅଧିକ ହେବ ଲଗାତାର ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି ସେ । ସେହିଭଳି ତ୍ରିପୁରାରେ ୧୯୯୮ରୁ ୨୦୧୮ ଯାଏଁ ମାଣିକ ସରକାର, ରାଜସ୍ଥାନରେ ୧୯୫୪ରୁ ୧୯୭୧ ଯାଏଁ ମୋହନଲାଲ୍ ସୁଖାଡିଆ, ଛତିଶଗଡ଼ରେ ୨୦୦୩ରୁ ୨୦୧୮ ଯାଏଁ ରମଣ ସିଂହ, ଦିଲ୍ଲୀରେ ୧୯୯୮ରୁ ୨୦୧୩ ଯାଏଁ ଶୀଲା ଦୀକ୍ଷିତ, ଆସାମରେ ୨୦୦୧ରୁ ୨୦୧୬ ଯାଏଁ ତରୁଣ ଗୋଗୋଇ, ମଣିପୁରରେ ୨୦୦୨ରୁ ୨୦୧୭ ଯାଏଁ ଓକରାମ ଇବୋବି ଏବଂ ଗୁଜରାଟରେ ୨୦୦୧ରୁ ୨୦୧୪ ଯାଏଁ ମୁଖ୍ୟମନ୍ତ୍ରୀ ଥିଲେ ନରେନ୍ଦ୍ର ମୋଦି।

Leave a Reply

Your email address will not be published.