ପିଆଜ ଚିନ୍ତା: ଚାଷୀ ଆଖିରେ ଲୁହ
ନୂଆଦିଲ୍ଲୀ(ଓଟି): ପିଆଜକୁ ନେଇ ସମସ୍ୟା ଛାଡୁନି । ଗତ କିଛି ମାସ ହେଲା ଆକାଶଛୁଆଁ ଦରକୁ ନେଇ ଗ୍ରାହକ ହନ୍ତସନ୍ତ ହୋଇଥିବାବେଳେ ସମ୍ପ୍ରତି ନୂଆ ସମସ୍ୟା ଦେଖାଦେଇଛି । ଫଳରେ ଚାଷୀକୁଳ ଚିନ୍ତିତ ହୋଇପଡ଼ିଛନ୍ତି । ବଜାର ଚାହିଦା ଅନୁସାରେ ଗ୍ରାହକଙ୍କୁ ପିଆଜ ଯୋଗାଇବା ସହ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ନେଇ ସରକାରଙ୍କୁ ନାକେଦମ୍ ହେବାକୁ ପଡ଼ିଥିବାବେଳେ ଏଥର ଖାଉଟି ବଦଳରେ ଚାଷୀଙ୍କ ଆଖିରେ ଲୁହ ଦେଖାଦେଇଛି । ପିଆଜର ମୂଲ୍ୟ ହ୍ରାସକୁ ନେଇ ସେମାନଙ୍କ ଚିନ୍ତା ବଢ଼ିଯାଇଛି । ପୂର୍ବରୁ ଘରୋଇ ବଜାରରେ ପିଆଜ ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପିଆଜ ରପ୍ତାନି ଉପରେ ରୋକ ଲାଗାଇଥିଲେ ଓ ତାହା ବଳବତ୍ତର ରହିଛି । ତେବେ ନୂଆ ପିଆଜ ଉତ୍ପାଦନକୁ ନେଇ ଘରୋଇ ବଜାରରେ ପର୍ଯ୍ୟାପ୍ତ ପିଆଜ ଉପଲବ୍ଧ ହେଉଛି । ସର୍ବାଧିକ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରର ଲସଲଗାଓଁ ମଣ୍ଡିରେ ୨୩,୯୦୦ କ୍ୱିଣ୍ଟାଲ ପିଆଜ ପହଞ୍ôଚବା ପରେ କ୍ୱିଣ୍ଟାଲ ପିଛା ପିଆଜ ଦର ୨୬୮୦ ଟଙ୍କାକୁ ହ୍ରାସ ପାଇଛି । ପ୍ରତିଦିନ ମଣ୍ଡିକୁ ପ୍ରାୟ ୩୫ ହଜାର କ୍ୱିଣ୍ଟାଲ ପିଆଜ ଆସୁଥିବା ବେଳେ ଆଗାମୀ ଦିନରେ ଦର ଆହୁରି ହ୍ରାସ ପାଇବ ବୋଲି ଲସଲଗାଓଁ କୃଷି ବିପଣନ ବଜାର କମିଟି ଅଧ୍ୟକ୍ଷ ଚିନ୍ତା ବ୍ୟକ୍ତ କରିବା ସହ ଚାଷୀଙ୍କ ସମସ୍ୟା ବଢ଼ିବ ବୋଲି କହିଛନ୍ତି । ତେଣୁ କେନ୍ଦ୍ର ସରକାର ତୁରନ୍ତ ପିଆଜ ରପ୍ତାନି ଉପରୁ ରୋକ୍ ହଟାନ୍ତୁ ବୋଲି ସେ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରରେ ଭାରତର ୩୩ ପ୍ରତିଶତରୁ ଅଧିକ ପିଆଜ ଉତ୍ପାଦନ କରାଯାଉଥିଲାବେଳେ କେବଳ ଉକ୍ତ ମଣ୍ଡିକୁ ସମସ୍ତ ଉତ୍ପାଦନର ୮୦ରୁ ୯୦ ପ୍ରତିଶତ ଆସିଥାଏ ।











