ସାରା ଦେଶ ଚାତକ, କିଏ ହେବେ ତାଙ୍କ ପ୍ରତିନିଧି
ଯଦିଓ ବିଭିନ୍ନ ଏକ୍ଜିଟ୍ ପୋଲ୍ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ଦେଶବାସୀ ଦେଇଛନ୍ତି ବୋଲି ଆକଳନ କରିଛନ୍ତି କିନ୍ତୁ ସନ୍ଦେହ ଏଯାଏ ଦୂର ହୋଇ ନାହିଁ। ଗଣମାଧ୍ୟମଠାରୁ ଆରମ୍ଭ କରି ସାଧରଣ ଜନତା, ଷ୍ଟକ୍ ମାର୍କେଟଠୁ ଆରମ୍ଭ କରି ଏଫ୍ଡିଆଇ ଏଜେନ୍ସୀ ଏବଂ ପାକିସ୍ତାନଠୁ ଆରମ୍ଭ କରି ଆମେରିକାର କୂଟ ନୀତିଜ୍ଞ ଅପେକ୍ଷା କରିଛନ୍ତି ଭାରତରେ ଏଥର କାହାର ସରକାର ଆସିବ? କିଏ ହେବେ ପ୍ରଧାନମନ୍ତ୍ରୀ। ସାରା ଦେଶରେ ନିର୍ବାଚନ କମିଶନଙ୍କଠାରୁ ଆରମ୍ଭ କରି ସରକାରୀ ଓ ଘରୋଇ ଗଣମାଧ୍ୟମ ପକ୍ଷରୁ ନିର୍ବାଚନ ଫଳାଫଳ ଘୋଷଣା କରାଯିବାର ବ୍ୟବସ୍ଥା କରିଛନ୍ତି। ଆଉ ତାହାକୁ ଚାତକ ପରି ଅନାଇ ବସିଛନ୍ତି ସାରା ଭାରତ।
ଭେଲୋରକୁ ଛାଡ଼ି ୫୪୨
ପାଖାପାଖି ୨ ମାସ ଧରି ଚାଲିଥିବା ନିର୍ବାଚନ ପ୍ରକ୍ରିୟାରେ ସମୁଦାୟ ୫୪୨ ଆସନରେ ଲୋକଙ୍କ ମତାମତ ଇଭିଏମ୍ ଯୋଗେ ସଂଗ୍ରହ କରାଯାଇଛି। ତାମିଲ୍ନାଡ଼ୁର ଭେଲୋର୍ ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କୁ ଲାଞ୍ଚ ଦେବା ମାମଲାରେ ପ୍ରକ୍ରିୟା ବାତିଲ୍ କରାଯାଇଛି। ଯେଉଁ ୫୪୨ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଛି ସେଗୁଡ଼ିକର ଫଳାଫଳ ଆଜି ପ୍ରକାଶ ପାଇବ। ଏଥିଲାଗି ସକାଳ ୮ଟାରୁ ଗଣତି ଆରମ୍ଭ ହେବ।
ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍
ସର୍ବ ପ୍ରଥମେ ପୋଷ୍ଟାଲ୍ ବ୍ୟାଲଟ୍ ଗଣତି କରାଯିବ। ପାଖାପାଖି ୧୮ ଲକ୍ଷ ପଞ୍ଜିକୃତ ଭୋଟରଙ୍କ ଭିତରୁ ସାଢ଼େ ୧୬ ଲକ୍ଷ ଭୋଟର ପୋଷ୍ଟାଲ୍ ବ୍ୟାଲଟ୍ ମାଧ୍ୟମରେ ଭୋଟ୍ ଦାନ କରିଛନ୍ତି। ସେମାନଙ୍କ ଭୋଟ୍କୁ ପ୍ରଥମେ ଗଣତି କରିବା ପରେ ରିଟଣ୍ଣିଂ ଅଫିସର ଇଭିଏମ୍ ଖୋଲିବା ପାଇଁ ଅନୁମତି ଦେବେ। ଇଭିଏମ୍ ଗଣତି ପୂବର୍ର୍ରୁ ଭିଭିପ୍ୟାଟ୍ ମସିନ୍ ସହ ତାଳମେଳ କରାଯିବ ନାହିଁ। ସମୁଦାୟ ଗଣତି ସରିବା ପରେ ପ୍ରତି ନିର୍ବାଚନ ମଣ୍ଡଳୀରୁ ୫ଟି ଲେଖାଏଁ ଭିଭିପ୍ୟାଟ୍ ମସିନ୍ ତାଳମେଳ କରାଯିବ।
୮୦୪୦ ପ୍ରାର୍ଥୀ ଙ୍କ ଭାଗ୍ୟ ଫଳ
ଜନତା କାହାକୁ ପ୍ରତିନିଧି ଭାବେ ବାଛିଛନ୍ତି, କାହାକୁ ନୁହେଁ, ତାହା ବାସ୍ତବରେ ଏହି ଗଣତି ପରେ ହିଁ ଜଣାପଡ଼ିବ। ଭାରତବର୍ଷର ୮୦୪୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ପଡ଼ିଛି। ଏମାନଙ୍କ ଭାଗ୍ୟକୁ ସାରା ଦେଶର ୯୦ କୋଟି ୯୯ ଲକ୍ଷ ଭୋଟର୍ପରଖିଛନ୍ତି। ସେଥିମଧ୍ୟରୁ ୪୬ କୋଟି ୮୦ ଲକ୍ଷ ପୁରୁଷ ଭୋଟର ହୋଇଥିବାବେଳେ ୪୩ କୋଟି ୨୦ ଲକ୍ଷ ହେଉଛନ୍ତି ମହିଳା ଭୋଟର। ଏହି ଭୋଟିଂ ପ୍ରକ୍ରିୟାରେ ସମୁଦାୟ ୩୮୩୨୫ ଜଣ ତୃତୀୟ ଲିଙ୍ଗୀ ଭୋଟର ନିଜର ମତ ସାବ୍ୟସ୍ତ କରିଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।
ବିଳମ୍ବିତ ସନ୍ଧ୍ୟାରେ ପୂଣ୍ଣ ସ୍ଥିତି
ବାସ୍ତବ ଫଳାଫଳ କ’ଣ ହୋଇଛି ତାହା ନିର୍ବାଚନ କମିଶନ ଘୋଷଣା କରିବା ବେଳକୁ ବିଳମ୍ବିତ ସନ୍ଧ୍ୟା ହେବା ଆଶା କରାଯାଉଛି। କିନ୍ତୁ ଅନେକ ନିର୍ବାଚନ ମଣ୍ଡଳୀର ସ୍ଥିତି ଦିନ ୧୧ଟା ସୁଦ୍ଧା ସ୍ପଷ୍ଟ ହୋଇଯିବ। ଅପରାହ୍ଣରେ ବିଜିତ ପ୍ରାର୍ଥୀମାନେ ନିଜର ଶୋଭାଯାତ୍ରା ବାହାର କରିବେ ବୋଲି ସରକାରୀ କଳ ନୁମାନ କରିଛି। ଏଣୁ ବିଭିନ୍ନ ପୁଲିସ ଷ୍ଟେସନ୍କୁ ଏଥିନେଇ ସତର୍କ ରହିବା ତଥା ହିଂସା ଏଡ଼ାଇବା ଲାଗି ପଦକ୍ଷେପ ନେବାକୁ କୁହାଯାଇଛି।