ପାଟକୁରା : କିଏ ହେବ ବିଜେଡି ପ୍ରାର୍ଥୀ
ପାଟକୁରା ବିଜେଡି ବିଧାନସଭା ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ହେବାରୁ ୨୯ ତାରିଖରେ ହେବାକୁ ଥିବା ଭୋଟ ଗ୍ରହଣ କାର୍ଯ୍ୟକ୍ରମକୁ ନିର୍ବାଚନ ଅଧିକାରୀ ସ୍ଥଗିତ ରଖିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଉପରେ ରାଜ୍ୟ ନିର୍ବାଚନ ଅଧିକାରୀ ଭାରତର ନିର୍ବାଚନ ଅଧିକାରୀଙ୍କୁ ଏନେଇ ଅବଗତ କରାଇଥିଲେ।
ସ୍ଥଗିତ ଥିବା ପାଟକୁରା ବିଧାନସଭା ପାଇଁ ସାନି ବିଜ୍ଞପ୍ତି ପ୍ରକାଶ ସମ୍ପର୍କରେ ଭାରତର ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ତେବେ ନିର୍ବାଚନ ଶେଷ ପର୍ଯ୍ୟାୟ ସୁଦ୍ଧା ହେଉ କିମ୍ୱା ପରେ କେବଳ ବିଜେଡି ପ୍ରାର୍ଥୀ ହିଁ ନାମାଙ୍କନପତ୍ର ଦାଖଲ କରିବେ। ତେବେ ବିଜେଡିର କିଏ ପ୍ରାର୍ଥୀ ହେବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଏଠାରେ ବିଜେପିରୁ ବିଜୟ ମାହାପାତ୍ରଙ୍କ ଭଳି ହେଭିଓ୍ବେଟ ନେତା ନିର୍ବାଚନ ଲଢୁଛନ୍ତି। କଂଗ୍ରେସରୁ ଲଢୁଛନ୍ତି ଜୟନ୍ତ ମହାନ୍ତି।
ଏବେ ରାଜନୈତିକ ଦୃଷ୍ଟିରୁ ଅତି ସମ୍ୱେଦନଶୀଳ ବୋଲି କୁହାଯାଉଥିବା ଏହି ଆସନରେ ବିଜେଡି କାହାକୁ ପ୍ରାର୍ଥୀ କରିବ ବୋଲି ବିଜେଡି ଶିବିରରେ ଚର୍ଚ୍ଚାର ବିଷୟ ହୋଇଛି। ବିଜେଡି ଟିକଟ ପାଇଁ ପୂର୍ବରୁ ଦାବିଦାର ଥିଲେ ରାଜ୍ୟ ଖଦୀ ବୋର୍ଡ ଅଧ୍ୟକ୍ଷ ତେଜେଶ୍ୱର ପରିଡା, ବିଜେଡି ସଭାପତି ଅମରେଶ ପତ୍ରୀ, ଅଧ୍ୟାପକ ଅଜୟ ରାଉତ, ଯୁବନେତା ତଥା ସମାଜସେବୀ ଶାନ୍ତନୁ ନାୟକ, କେନ୍ଦ୍ରାପଡା କୋଅପରେଟିଭ ବ୍ୟାଙ୍କ ସଭାପତି ପ୍ରମୋଦ ସାହୁ ଓ ଅଧ୍ୟାପକ ଲିଙ୍ଗରାଜ ଶତପଥୀ ପ୍ରମୁଖ।
ଏମାନଙ୍କ ମଧ୍ୟରୁ ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଭାଇ ଶାନ୍ତନୁ ନାୟକ ଦୀର୍ଘ ୧୦ବର୍ଷ ହେବ ଦଳର ବିଭିନ୍ନ ସାଙ୍ଗଠନିକ କାର୍ଯ୍ୟକ୍ରମ କରି ଚାଲିଥିଲେ। ପାଟକୁରାର ପୂର୍ବତନ ବିଧାୟକ ସ୍ୱର୍ଗତ ରାଜକିଶୋର ନାୟକଙ୍କ ପୁତ୍ର ହେଉଛନ୍ତି ଶାନ୍ତନୁ ନାୟକ। ବିଭିନ୍ନ ସମୟରେ ଶାନ୍ତନୁ ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଯୁବଗୋଷ୍ଠୀ ଦ୍ୱାରା ବେଶ ଆଦୃତ ହୋଇଥାଆନ୍ତି।
ରାଜନୈତିକ ମହଲରେ କହିବା କଥା ହେଉଛି ଯଦି ବେଦୁଙ୍କ ପୁଅ ସଞ୍ଜୟ ହାତକୁ ପୁଣି ଟିକଟ ଯାଏ ତେବେ କିଛି ପରିମାଣରେ ସମବେଦନାମୂଳକ ଭୋଟ ମିଳିପାରେ। ଜଣାଶୁଣା ନଥିବା ଓ ରାଜନୀତିରେ ସମ୍ପୂର୍ଣ୍ଣ ରୂପେ ନୂଆ ସଞ୍ଜୟ କେତେଦୂର କର୍ମୀମାନଙ୍କର ଆଦୃତ ହୋଇପାରି ଭାଟୋରମାନଙ୍କର ଆଦୃତ ହୋଇପାରିବେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଏହା ନିଶ୍ଚିତ ଯେ ମହାକାଳପଡା ବିଧାୟକ ଅତନୁସବ୍ୟସାଚୀ ନାୟକ ପୂର୍ବରୁ ପାଟକୁରାରେ ବିଧାୟକ ଥିଲେ ଓ ନିର୍ବାଚନମଣ୍ଡଳୀ ପୁନର୍ଗଠିତ ପରେ ସେ ମହାକାଳପଡା ବିଧାୟକ ହୋଇଚାଲିଛନ୍ତି। କିନ୍ତୁ ପୂର୍ବରୁ ହୋଇଥିବା ପ୍ରତ୍ୟେକ ନିର୍ବାଚନରେ ତାଙ୍କର କୃତିତ୍ୱ ରହିଆସିଛି । ତେଣୁ ବିଜେପିର ହେଭିଓ୍ବେଟ ନେତା ବିଜୟଙ୍କୁ ସମ୍ମୁଖୀନ ହେବା ପାଇଁ ନିର୍ବାଚନ ପରିଚାଳନାରେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କ ଭୂମିକା ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ହେବ।