କିଏ ହେବ ବିରୋଧୀ ଦଳ ନେତା?

ବିଧାନସଭାର ଚିତ୍ର ସ୍ପଷ୍ଟ। ବିଜୁ ଜନତା ଦଳ ପାଖରେ ୧୧୨ର ନିରଙ୍କୁଶ ସଂଖ୍ୟା। ବିଜେପିର ବିଧାୟକ ସଂଖ୍ୟା ୨୩। କଂଗ୍ରେସର ୯। ତେଣୁ ଭାରତୀୟ ଜନତା ପାର୍ଟିରୁ କାହାରିକୁ ବିରୋଧୀ ଦଳ ନେତା ପଦ ମିଳିବ।

ବିଧି ଅନୁସାରେ ମୁଖ୍ୟ ବିରୋଧୀ ଦଳ ମର୍ଯ୍ୟାଦା ପାଇବାକୁ ହେଲେ ଓଡ଼ିଶା ବିଧାନସଭାରେ ସର୍ବନିମ୍ନ ବିଧାୟକ ସେହି ଦଳର ରହିବା ଆବଶ୍ୟକ। ଏହି ନିୟମ ବିଜେପି ପୂରଣ କରୁଛି। କିନ୍ତୁ ପ୍ରଶ୍ନ, କିଏ ହେବ ବିରୋଧୀ ଦଳର ନେତା?

ଦଳର ସବୁ ପୁରୁଖା ନେତା ଏଥର ନିର୍ବାଚନ ହାରିଛନ୍ତି। କେଭି ସିଂହଦେଓ ପ୍ରଥମ ଥର ପାଇଁ ପାଟଣାଗଡ଼ରୁ ପରାଜୟର ମୁହଁ ଦେଖିଛନ୍ତି। ସେ ଜିତିଥିଲେ ବିରୋଧୀ ଦଳର ନେତା କିଏ ହେବ, ସେ ପ୍ରଶ୍ନ ଉଠିନଥାନ୍ତା। ସେହିପରି ଗତଥର ଯେଉଁମାନେ ବିଜେପି ବିଧାୟକ ଥିଲେ, ସେମାନଙ୍କ ଭିତରୁ କେହି ଏଥର ନିର୍ବାଚିତ ହୋଇନାହାନ୍ତି ବିଧାନସଭାକୁ।

ପୁରୁଖା ବା ଅଭିଜ୍ଞତା ସମ୍ପନ୍ନ ନେତା କହିଲେ କେବଳ ଜୟନାରାୟଣ ମିଶ୍ରଙ୍କ ନାମ ଉଲ୍ଲେଖ କରାଯାଇପାରେ। ଜୟନାରାୟଣ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ସମ୍ୱଲପୁରର ବିଧାୟକ ଥିଲେ। ସେ ମଧ୍ୟ ନବୀନଙ୍କ ମେଣ୍ଟ ସରକାରରେ ଥିଲେ ଜଣେ ମନ୍ତ୍ରୀ। ୨୦୧୪ ନିର୍ବାଚନରେ ସେ ବିଜେଡିର ରାସେଶ୍ୱରୀ ପାଣିଗ୍ରାହୀଙ୍କଠାରୁ ପରାଜିତ ଳହୋଇଥିଲେ। କିନ୍ତୁ ଏଥର ତାଙ୍କୁ ସେ ହରାଇ ନିର୍ବାଚିତ ହୋଇଛନ୍ତି। କିନ୍ତୁ ତାଙ୍କର ସମସ୍ୟା ହେଲା, ସେ ଜଟିଳ ରୋଗରେ ଆକ୍ରାନ୍ତ। କିନ୍ତୁ ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରୁ ଦଳପତି ହେବା ପାଇଁ ତାଙ୍କର ସମସ୍ତ ଯୋଗ୍ୟତା ଅଛି।

ଅନ୍ୟ ଜଣେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ନାୟକ ଭବାନୀପାଟଣା ଆସନରୁ ନିର୍ବାଚିତ ହୋଇଛନ୍ତି। ସବୁ ବିଧାୟକଙ୍କ ସହ ପ୍ରଦୀପଙ୍କ ସମ୍ପର୍କ ଭଲ। କିନ୍ତୁ ସେ ଜଣେ ନରମପନ୍ଥୀର ନେତା। ଜୟନାରାୟଣ ଥାଉଥାଉ ପ୍ରଦୀପଙ୍କୁ ବିଧାୟକ ଦଳର ନେତା କରିବାକୁ ଦଳ ନିଷ୍ପତ୍ତି ନେବ କି?

ଏ ପ୍ରଶ୍ନ ମଧ୍ୟ ଆସୁଛି ସାମ୍ନାକୁ। ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଧାମନଗର ଆସନରୁ ନିର୍ବାଚିତ ହୋଇଛନ୍ତି। ବିଧାୟକ ଭାବେ ତାଙ୍କର ଅଭିଜ୍ଞତା ଅଛି। ସେ ଜଣେ ଆକ୍ରମଣାତ୍ମକ ନେତା। କିନ୍ତୁ ଗୃହ ପରିଚାଳନା ଓ ବିଧି ବ୍ୟବସ୍ଥା ସମ୍ପର୍କରେ ତାଙ୍କର ସେତିକି ପାରଦର୍ଶିତା ଅଛି କି ନାହିଁ, ତାହାକୁ ନେଇ ମଧ୍ୟ ଆଲୋଚନା ହେଉଛି। ତେବେ ବିଷ୍ଣୁ ମୁଖ୍ୟ ସଚେତକ ପଦ ପାଇଁ ଅଧିକ ଫିଟ ବୋଲି କୁହାଯାଉଛି।

ବିଜୁ ଜନତା ଦଳ ଛାଡ଼ି ବିଜେପି ପ୍ରାର୍ଥୀ ଭାବେ ନୀଳଗିରିରୁ ନିର୍ବାଚିତ ହୋଇଛନ୍ତି ପୂର୍ବତନ ବିଧାୟକ ସୁକାନ୍ତ ନାୟକ। କିନ୍ତୁ ବିଜେପି ଦଳକୁ ସେ ଆସିଛନ୍ତି ନିର୍ବାଚନ ପୂର୍ବରୁ। ତେଣୁ ତାଙ୍କ କାନ୍ଧରେ ଅଧିକ ଦାୟିତ୍ୱ ଦେବାକୁ ଦଳ ପସନ୍ଦ କରିବ କି ନାହିଁ, ସେନେଇ ସନ୍ଦେହ ଅଛି।

ଅଧିକାଂଶ ନିର୍ବାଚିତ ସଦସ୍ୟ ନୂଆ। କିନ୍ତୁ ସେମାନଙ୍କ ଭିତରେ ଅନେକ ଟାଣୁଆ ନେତା ଅଛନ୍ତି। ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଗଲେ ବିଧାନସଭା ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟିର ହୋଇପାରିବ। କଂଗ୍ରେସର ବିଧାନସଭା ପ୍ରଦର୍ଶନ ସବୁବେଳେ ନୈରାଶ୍ୟଜନକ ହୋଇଛି। ଯାହାର ପ୍ରତିଫଳ ଦଳ ଭୋଗିଛି ନିର୍ବାଚନରେ।

ଯଦି ବିଜେପି ଆଗକୁ କ୍ଷମତା ଗନ୍ଧ ବାରିବାକୁ ଚାହେଁ, ତେବେ ବିଧାନସଭାରେ ଦଳର ପ୍ରଦର୍ଶନ ସେତେ ଆକର୍ଷଣୀୟ ହେବା ଦରକାର। ଏହା ନିର୍ଭର କରିବ ଦଳପତି ଓ ସଚେତକଙ୍କ ଉପରେ। ବିଜେପି ଏହି ଦୁଇ ପଦବୀ ପାଇଁ କାହାକୁ ଯୋଗ୍ୟ ବିବେଚନା କରୁଛି, ଖୁବ ଶୀଘ୍ର ଜଣାପଡ଼ିଯିବ।

Leave a Reply

Your email address will not be published.