ପାକ୍ ମିଡିଆରେ ଓଡ଼ିଶା: ସ୍ଵାମୀ ପଛେ ମରୁ, ସଉତୁଣି ବିଧବା ହେଉ
ଚାଞ୍ଚଲ୍ୟ ସୃଷ୍ଟିକାରୀ ଖବର ଆଗରେ ବନ୍ଧା ହୋଇଗଲା ଦେଶର ସ୍ଵାର୍ଥ। ଶତ୍ରୁପକ୍ଷ ରାଷ୍ଟ୍ରକୁ ବି ଫୁଟେଜ୍ ପଠାଇବାକୁ ପଛ ଘୁଞ୍ଚା ଦେଲେନି ଓଡ଼ିଶାର ଜଣେ ବରିଷ୍ଠ ସାମ୍ବାଦିକ। ନିଜର ଅଜ୍ଞାନ ହେଉ ବା ଅହଙ୍କାରର ପ୍ରତିଫଳନ, ସେ କିନ୍ତୁ ଭାରତର ପ୍ରତିଚ୍ଛବିକୁ ଆନ୍ତର୍ଜାତୀକ ସ୍ତରରେ ନ୍ୟୁନ କରିବାକୁ ପଛାଇ ନାହାନ୍ତି। ଏହା ପୁଣି କିଛି ସେକେଣ୍ଡର ଭିଜୁଆଲ୍ ମାଧ୍ୟମରେ।
ହଁ, ଆମେ ଏଠାରେ ପୁଲ୍ୱାମା ଶହୀଦଙ୍କ ପ୍ରତି କଟକ ବାରବାଟୀ ବିଧାୟକ ଦେବାଶୀଷ ସାମନ୍ତରାୟଙ୍କ ଅଶାଳୀନ ବ୍ୟବହାର ବାବଦରେ ଉଲ୍ଲେଖ କରୁଛୁ। ଶହୀଦଙ୍କ ମରଶରୀର ଆଗରେ ତାଙ୍କ ଦାଦାଙ୍କୁ ଧକିଆ ମାରିବା ପରି ଆଚରଣ ବାବଦରେ ଚର୍ଚ୍ଚା କରୁଛୁ, ଯାହା ଶ୍ରୀ ସାମନ୍ତରାୟ କରିଛନ୍ତି ତାହା ଦେଶଭକ୍ତିକୁ କ୍ଷୁର୍ଣ୍ଣ କରୁଛି। ଏହା ନିନ୍ଦନୀୟ। ସେ ଅଜାଣତ କହି ନିଜର ସଫେଇ ଦେଇପାରନ୍ତି କିନ୍ତୁ ଜଣେ ଲୋକ ପ୍ରତିନିଧିଙ୍କ ପାଇଁ ଏପରି କାର୍ଯ୍ୟ ଶୋଭନୀୟ ନୁହେଁ, ଏହା ତାଙ୍କ ଅହଙ୍କାର।
କିନ୍ତୁ କିଛି ରାଜ କାର୍ଯ୍ୟକୁ ଗୁରୁତ୍ଵ ଦେଇ ମିଡିଆର ମଧ୍ୟ କିଛି ନୈତିକତା ରହିଛି। ଆଉ ଏହି ନୈତିକତା ଆଗରେ ଦେଶର ସ୍ଵାର୍ଥ ହେଉଛି ସବୁଠାରୁ ବଡ଼ ଏବଂ ଆଉ ସବୁ ପଛ। ବିଧାୟକଙ୍କ ଏହି ଦୁର୍ବ୍ୟବହାର ବାରମ୍ବାର ପ୍ରଦର୍ଶନ ଦ୍ଵାରା ଦେଶରେ ଏକ ଭିନ୍ନ ବାତାବରଣ ସୃଷ୍ଟି ହେବ ବୋଲି ଅନେକ ଜାଣନ୍ତି। ଏଣୁ ବୁଦ୍ଧିଜୀବୀ ଓ କିଛି ଗଣମାଧ୍ୟମ ଏନେଇ ଚୁପ୍ ରହିଛନ୍ତି। ହେଲେ ଏ ବିଷୟରେ ଏକ ନିର୍ଦିଷ୍ଟ ଗଣମାଧ୍ୟମ ନିଜର ଅତି ବୁଦ୍ଧିକୁ ସାମ୍ନାକୁ ଆଣିବାକୁ ଯାଇ ନୈତିକତାରେ ତାଲା ପକାଇଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ , ନିଜ ହିତାହିତ ଜ୍ଞାନକୁ ଭୁଲି ସେ ବିଭିନ୍ନ ଚ୍ୟାନେଲ୍ର ସାମ୍ବାଦିକଙ୍କୁ ସମ୍ପୃକ୍ତ ଭିଜୁଆଲ୍ ମଧ୍ୟ ପଠାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ସେ ପାକିସ୍ତାନର ମିଡିଆ ବନ୍ଧୁଙ୍କୁ ମଧ୍ୟ ଭିଜୁଆଲ୍ ସେୟାର କରିଥିବା ଅଭିଯୋଗ ହୋଇଛି। ଯଦି ଏ ଅଭିଯୋଗ ସତ୍ୟ ହୋଇଥାଏ, ତେବେ ଏହା ଦେଶଦ୍ରୋହଠାରୁ କମ୍ ଅପରାଧ ନୁହେଁ।
ସାମ୍ବାଦିକ ଜଣକ ସମ୍ପାଦକ ପଦବୀରେ ଅଧିଷ୍ଠିତ। ସେ କିଛିଦିନ ତଳେ ଆମେରିକା ଯାଇଥିଲେ। ଆଉ ସେଠାରେ ବିଦେଶୀ ସାମ୍ବାଦିକ ବନ୍ଧୁଙ୍କୁ ଅର୍ଜନ କରିଥିଲେ। ଆଉ ସେଇ ବନ୍ଧୁଙ୍କ ସହ ମିଶି ଏକ ବନ୍ଧୁ ନେଟ୍ୱର୍କ ମଧ୍ୟ ତିଆରି କରିଛନ୍ତି। ନିଜର ନେଟ୍ୱର୍କ ତିଆରି କରିବା କିଛି ଗହିର୍ତ୍ତ ଅପରାଧ ନୁହେଁ, କିନ୍ତୁ ନିଜ ଦେଶକୁ ଅପମାନିତ କରିବା ପାଇଁ ଏମିତି କିଛି ଭିଜୁଆଲ୍ ସେୟାର କରିବା ବା ଏଥିଲାଗି କାହାକୁ ପ୍ରବର୍ତ୍ତାଇବା କ’ଣ ନିଜର ବାହାଦୂରୀରେ ଗଣାଯିବ? ଏ ବାବଦରେ ତଦନ୍ତ କରାଯାଇ ସମ୍ପୃକ୍ତ ସାମ୍ବାଦିକଙ୍କ କାରନାମା ଲୋକଲୋଚନକୁ ଆସିବା ଅନୁଚିତ କି?
ଟେଲିଭିଜନ୍ ପର୍ଦାରେ ନିଜକୁ ’ସବ୍ଜାନ୍ତା’ ବୋଲି ପରିଚୟ ଦେଇ ଅନେକ ଥର ଅପମାନିତ ହୋଇଥିବା ଏହି ସାମ୍ବାଦିକ କ’ଣ ସେଇ ଦୁର୍ବ୍ୟବହାରକାରୀ ବିଧାୟକଙ୍କଠାରୁ କମ୍ ଦୋଷୀ?
ପୁଣି ପାକିସ୍ତାନୀ ମିଡିଆରେ ଆମର ଇଜ୍ଜତ୍ ଉଡ଼ୁଛି ବୋଲି ଲୋକଙ୍କୁ ଦେଖାଇବା ଦିନ ଦ୍ଵିପ୍ରହରରେ ଦୁଷ୍କର୍ମ ଭଳି ନୁହେଁ କି?