କିଏ ମିଛ କହୁଛନ୍ତି; ମୋଦି ନା ପ୍ରଦୀପ
ଭବନେଶ୍ୱର,(ଓଟି): ରାଜ୍ୟ ରାଜନୀତିରେ କ୍ଷମତାକୁ ଆସିବା ପାଇଁ ସ୍ୱପ୍ନ ଦେଖୁଥିବା ରାଜ୍ୟ ବିଜେପି ନେତାମାନେ ଆଗାମୀ ନିର୍ବାଚନରେ ଅତି ସହଜରେ ସଫଳତା ପାଇବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବ୍ୟବହାର କରୁଛନ୍ତି। ପୁରୀ ଲୋକସଭା ଆସନରୁ ୨୦୧୯ ନିର୍ବାଚନରେ ମୋଦି ପ୍ରାର୍ଥୀ ହେବେବୋଲି ରାଜ୍ୟର ନେତାମାନେ ଗତ ବର୍ଷେ ହେଲା ପ୍ରଚାର କରିଆସୁଛନ୍ତି। କିନ୍ତୁ ଏହି ପ୍ରଚାରକୁ ଗତ ୧ତାରିଖରେ ନିଜେ ପ୍ରଧାନମନ୍ତ୍ରୀ ଖାରଜ କରିସାରିଛନ୍ତି। ଏହା ପରେ ବି ରାଜ୍ୟ ବିଜେପି ନେତାମାନେ ତାଙ୍କୁ ମିଛୁଆ ବୋଲି ପ୍ରମାଣିତ କରିବାକୁ ଅପଚେଷ୍ଠା ଜାରିରଖିଛନ୍ତି।
କଣ କହିଛନ୍ତି ମୋଦି

ଆଗାମୀ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଣ ଓଡ଼ିଶାର ପୁରୀରୁ ନିର୍ବାଚନ ଲଢିବେ ? ଏହି ପ୍ରଶ୍ନ ବିଗତ କିଛି ମାସ ଧରି ଓଡ଼ିଶାର ରାଜନୈତିକ ମହଲରେ ଓ ଗଣମାଧ୍ୟମରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । କିନ୍ତୁ ଏସଂପର୍କରେ ଆଜି ଖୋଦ ପ୍ରଧାନମନ୍ତ୍ରୀ ମୁହଁ ଖୋଲିଛନ୍ତି । ସେ ପରୋକ୍ଷରେ ସୂଚାଇ ଦେଇଛନ୍ତି ଯେ ଏହା ଏକ କଳ୍ପନାଜଳ୍ପନା ମାତ୍ର । ଏହା ମଧ୍ୟ କହିଛନ୍ତି ଯେ ଏହା ଗଣମାଧ୍ୟମର ଏକ ପରିକଳ୍ପନା ।
ଗତ ୧ ତାରିଖରେ ନ୍ୟୁଜ ଏଜେନ୍ସି ଏଏନଆଇକୁ ଏକ ସାକ୍ଷତକାର ଦେଇ ସାକ୍ଷାତକାର ଦେଇ ମୋଦି କହିଛନ୍ତି ଯେ, ପୁରୀରୁ ଲୋକସଭା ନିର୍ବାଚନ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ମିଡ଼ିଆର ପରିକଳ୍ପନା। ଏଥିରେ କୌଣସି ସତ୍ୟତା ନାହିଁ।
ନରେନ୍ଦ୍ର ମୋଦି ପୁରୀରୁ ଲଢ଼ିବାର ୯୦ ପ୍ରତିଶତ ସମ୍ଭାବନା ରହିଛି : ପ୍ରଦୀପ ପୁରୋହିତ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ଆସିବାର ୨୪ଘଣ୍ଟା ନପୂରୁଣୁ ରାଜ୍ୟ ବିଜେପିର ବିଧାୟକ ପ୍ରଦୀପ ପୁରୋହିତ ଖଣ୍ଡନ କରିବା ସହିତ ମୋଦିଙ୍କ କଥାରେ ସତ୍ୟତା ନାହିଁ ବୋଲି ପ୍ରମାଣିତ କରିବାକୁ ଉଦ୍ୟମ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ରହିଛି ଓଡ଼ିଶା। ସେଥିପାଇଁ ସେ ୨୦୧୯ ସାଧାରଣ ନିର୍ବାଚନରେ ପୁରୀରୁ ଲଢ଼ିବା ନେଇ ୯୦ ପ୍ରତିଶତ ସମ୍ଭାବନା ରହିଛି ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ।
ସେ କହିଛନ୍ତି, ୨୦୧୪ ସାଧାରଣ ନିର୍ବାଚନ ପ୍ରଚାର ଆରମ୍ଭରୁ ମୋଦିଜୀ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ। ମହାପ୍ରଭୁଙ୍କ ଆଶିଷ ନେଇ ସେ ସଫଳ ହୋଇଥିଲେ ଓ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ। ପରେ ସେ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଯାଇଥିଲେ। ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ସେ ଆଜି ବିଶ୍ୱର ଶ୍ରେଷ୍ଠ ଓ ଶକ୍ତିଶାଳି ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି।