ମୋଦିଙ୍କ ପରେ କିଏ?

ଅମିତ୍ ଶାହଙ୍କ ନେତୃତ୍ୱରେ ୨୦୨୪ ନିର୍ବାଚନ ଲଢ଼ିବ ବିଜେପି
ନିଜକୁ ଜନତାଙ୍କ ନେତା ବୋଲି ପ୍ରମାଣ କରିବାକୁ ଲୋକସଭା ନିର୍ବାଚନରେ ଶାହ

ଗତ ସପ୍ତାହରେ ବିଜେପିର ପ୍ରାର୍ଥୀ ତାଲିକାରେ ଗାନ୍ଧୀ ନଗର ଲୋକସଭା ଆସନରୁ ଅମିତ୍ ଶାହଙ୍କ ନାମ ଘୋଷଣା କରି ବିଜେପି ସମସ୍ତଙ୍କୁ ଚମକାଇ ଦେଇଛି। ବିଜେପିର ଭୀଷ୍ମ ପିତାମହ କୁହାଯାଉଥିବା ଲାଲକୃଷ୍ଣ ଆଡ଼ଭାନୀଙ୍କ ଗଡ଼ ଭାବେ ପରିଚିତ ଗାନ୍ଧୀ ନଗର ଆସନରୁ ଶାହ ପ୍ରାର୍ଥୀ ହେବା ତାଙ୍କ ମହତ୍ତ୍ୱକାଂକ୍ଷା ପ୍ରତି ଅଙ୍ଗୁଳୀ ନିର୍ଦ୍ଦେଶ କରୁଛି। ଅମିତ୍ ଶାହ କେବଳ ରାଜନୀତିକ ରଣନୀତିକାର ଓ ପଲିଟିକାଲ ମାଷ୍ଟରମାଇଣ୍ଡ ନୁହଁନ୍ତି, ତାଙ୍କଠାରେ ରାଜନେତା ହେବାର କ୍ଷମତା ରହିଛି। ସେ ଯଦି ରାଜନୈତିକ ପଦକ୍ଷେପ ଉଠାଇବେ ତେବେ ତାକୁ ସଫଳ କରିବାର କ୍ଷମତା ତାଙ୍କ ପାଖରେ ରହିଛି।

ଲୋକସଭା ନିର୍ବାଚନ ଲଢ଼ିବାର ଅର୍ଥ ନୁହେଁ ସେ ପରବର୍ତ୍ତୀ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବେ। କିନ୍ତୁ ଏ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଗୁଜରାଟର ପୂର୍ବତନ ଗୃହମନ୍ତ୍ରୀ ଶ୍ରୀ ଶାହ ରାଜ୍ୟସଭାକୁ ମାତ୍ର ଦେଢ଼ ବର୍ଷ ତଳୁ ନିର୍ବାଚିତ ହୋଇଛନ୍ତି। ଜଣେ ରାଜ୍ୟସଭା ସଦସ୍ୟ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବାରେ କୌଣସି ଅସୁବିଧା ନାହିଁ। କାରଣ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ଥିବା ୨୫ ମନ୍ତ୍ରୀଙ୍କ ମଧ୍ୟରୁ ୧୧ଜଣ ରାଜ୍ୟସଭାର ସଦସ୍ୟ ଅଛନ୍ତି।

ବାଜପାୟୀଙ୍କ ପାଇଁ ଆଡ଼ଭାନୀ ଯେପରି ଗୁରୁତ୍ୱପୂର୍ଣ୍ଣ ଥିଲେ ଠିକ୍ ସେହିପରି ମୋଦି ସରକାର ପାଇଁ ଅମିତ୍ ଶାହ ଅପରିହାର୍ଯ୍ୟ ହୋଇପଡ଼ିଛନ୍ତି। ତେଣୁ ତାଙ୍କୁ ୨ୟ ଥର ପାଇଁ ପାର୍ଟି ଅଧ୍ୟକ୍ଷ ଭାବେ ମୋଦି ଦେଖିବାକୁ ଚାହିଁବେ। ଅମିତ୍ ଶାହ ବିଜେପି ଅଧ୍ୟକ୍ଷ ଭାବେ ନିଜର ପ୍ରଥମ ପାଳି ଗତ ଜାନୁଆରୀରେ ପୂରଣ କରିସାରିଛନ୍ତି। ନିର୍ବାଚନ ଥିବାରୁ ତାଙ୍କ ପଦବୀରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ଗତ ଲୋକସଭା ନିର୍ବାଚନ ପରେ ତତ୍କାଳୀନ ବିଜେପି ଅଧ୍ୟକ୍ଷ ରାଜନାଥ ସିଂହ ସ୍ୱରାଷ୍ଟ୍ର ମନ୍ତ୍ରୀ ହେବା ପରେ ୨୦୧୪ଜୁଲାଇରେ ଅମିତ୍ ଶାହ ବିଜେପି ଅଧ୍ୟକ୍ଷ ଦାୟିତ୍ୱ ନେଇଥିଲେ। ଶାହ ସେ ସମୟରେ ରାଜନାଥ ସିଂହଙ୍କ ବଞ୍ଚିଥିବା ସମୟ ପାଇଁ ପାର୍ଟି ଅଧ୍ୟକ୍ଷ ହୋଇଥିଲେ। ଚଳିତ ନିର୍ବାଚନରେ ଯଦି ବିଜେପି ପୁଣି କ୍ଷମତାକୁ ଆସେ ତେବେ ଅମିତ୍ ଶାହ ରାଜନାଥ ସିଂହଙ୍କ ଭଳି କେନ୍ଦ୍ରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ହୋଇପାରନ୍ତି, ଯାହାକି ଅପୂର୍ବ ସଂଯୋଗ ବୋଲି କୁହାଯାଇପାରେ।

ନିଜକୁ ଜଣେ ଜନନେତା ଭାବେ ପ୍ରତିପାଦିତ କରିବା ପାଇଁ ଅମିତ୍ ଶାହ ଲୋକସଭାକୁ ଆସିବା ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ଭଳି ଅମିତ୍ ଶାହ ୨୫୦ଟି ରାଲି କରି ପ୍ରଚାର କରିବେ। ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମୋଦି ପ୍ରଥମ ପସନ୍ଦ ଥିବାବେଳେ ଶାହ ଦ୍ୱୀତିୟ ପସନ୍ଦ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବହୁତ ପ୍ରଚାର ପାଇଁ ବହୁତ ସମୟ ଦେଇପାରୁନଥିବାରୁ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଅଧିକରୁ ଅଧିକ ରାଲିକୁ ସମ୍ୱୋଧିତ କରିବେ।

ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ କରିବାରେ ଅମିତ୍ ଶାହଙ୍କ ବହୁତ ଯୋଗଦାନ ରହିଛି। ଗୁଜରାଟରୁ ମୋଦିଙ୍କ ସହିତ ଶାହ ରହିଛନ୍ତି। ତେଣୁ ମୋଦି ଆଜିର ଦିନରେ କେବଳ ଶାହଙ୍କୁ ଭରଷା କରୁଛନ୍ତି।

ଅମିତ୍ ଶାହ ସରକାରରେ ପ୍ରବେଶ କରିବା ଦ୍ୱାରା ବିଜେପିର ଉତ୍ତରାଧିକାରୀ ଯୋଜନାର ପ୍ରଥମ ପଦକ୍ଷେପ ହେବ। ୨୦୨୪ ଲୋକସଭା ନିର୍ବାଚନ ବେଳକୁ ମୋଦି ୭୩ ବର୍ଷରୁ ଅଧିକ ହୋଇଯିବେ। ତେଣୁ ସେ ନିଜେ ତିଆରି କରିଥିବା ନିୟମ ଅନୁସାରେ ନିର୍ବାଚନ ଲଢ଼ିବାକୁ ଚାହିଁବେ ନାହିଁ। ତେଣୁ ଅମିତ୍ ଶାହଙ୍କୁ ସରକାରରେ ସାମିଲ କରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ।

ଅମିତ୍ ଶାହ ନିଜର ଭବିଷ୍ୟତ ଯୋଜନାକୁ ଲୁଚାଇ ନାହାଁନ୍ତି। ଏକଥାକୁ ସେ ନିକଟରେ ଏକ ଇଂରାଜୀ ଖବର କାଗଜକୁ ସାକ୍ଷାତକାର ଦେଇ କହିସାରିଛନ୍ତି। ବର୍ତ୍ତମାନ ବିଜେପିରେ ଯେତେ ଲୋକ ଶାହଙ୍କୁ ପ୍ରଧାନମନ୍ତ୍ରୀ ପାଇଁ ସମର୍ଥନ କରିବେ କଂଗ୍ରେସରେ ସେତିକି ଲୋକ ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରିବେ ନାହିଁ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

ବିଜେପି ଛାଡ଼ିଲେ ସୁବାସ ଚୌହ୍ୱାନ

ପୁରୀର ବିକାଶକୁ ପ୍ରସଙ୍ଗ କରି ସେ ଲୋକଙ୍କ ପାଖକୁ ଯିବି : ଡା. ସମ୍ୱିତ ପାତ୍ର

ଆଦିବାସୀ ବହୁଳ ଜିଲ୍ଲାରେ ନୋଟାକୁ ଅଧିକ ସମର୍ଥନ

Leave a Reply

Your email address will not be published.