କରୋନା: ଆତଙ୍କର ନୂଆ ନାଁ ‘କୋବିଡ୍-୧୯’
ନୂଆଦିଲ୍ଲୀ(ଓଟି): ଦିନକୁ ଦିନ କାୟା ବିସ୍ତାର କରୁଛି ଭାଇରସ୍ କରୋନା। ବିଶ୍ଵ ପାଇଁ ବିପଦ ସୃଷ୍ଟି କରିଥିବା ଏହି ମାରାତ୍ମକ ଭୂତାଣୁ ୧୧୧୨ ଲୋକଙ୍କ ପ୍ରାଣ ନେଇଥିବାବେଳେ ୪୪,୮୩୩ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏଥିପାଇଁ ବିଶ୍ଵ ସମୂହ ଚିନ୍ତିତ ହୋଇପଡ଼ିଥିବାବେଳେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ବା ‘ହୁ’ ପକ୍ଷରୁ ଏହାର ନୂଆ ନାମକରଣ କରାଯାଇଛି। କରୋନା ଶବ୍ଦର ପ୍ରଥମ ଇଂରାଜୀ ଦୁଇ ଅକ୍ଷର ସି ଆଉ ଓ ଆଧାରରେ କୋ ନିଆଯାଇଥିବାବେଳେ ଭାଇରସ୍ ପାଇଁ ଭିଆଇ ବା ବି ଏବଂ ଡିଜିଜ୍ ଲାଗି ଡି ଅକ୍ଷର ସମୂହକୁ ନେଇ ‘କୋବିଡ୍-୧୯’ ବୋଲି ଏହି ଆତଙ୍କର ନାଁ ରଖାଯାଇଛି।
‘ହୁ’ର ନିର୍ଦ୍ଦେଶକ ଜେନେରାଲ ଟେଡ୍ରୋସ୍ ଆଧାନମ୍ ଘେବ୍ରେସସ୍ ଜେନେଭାରେ ଏ ସମ୍ପର୍କିତ ସୂଚନା ଦେଇଛନ୍ତି।
ଆତଙ୍କରୁ ଆତ୍ମହତ୍ୟା
କୋବିଡ୍ -୧୯ ଭୟରେ ଜଣେ ଭାରତୀୟ ଆତ୍ମହତ୍ୟା କରିଦେବା ଭଳି ଅଭାବନୀୟ ଘଟଣା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ଚିତୁର ଜିଲ୍ଲାରେ ବାଲକୃଷ୍ଣେୟା ନାମକ ୫୪ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଦେଇଛନ୍ତି। ଅସୁସ୍ଥତା କାରଣରୁ ତାଙ୍କୁ ଆନ୍ଧ୍ରର ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ୟୁରିନାରୀ ଇନଫେକ୍ସନ ଥିବା ଜଣାପଡ଼ିଥିଲା। କିନ୍ତୁ ଡାକ୍ତରଙ୍କ ସହିତ କଥାବାର୍ତ୍ତା ପରେ ତାଙ୍କୁ କରୋନା ଭାଇରସ୍ ହୋଇଥିବା ସେ ସନ୍ଦେହ କରିଥିଲେ। ହସ୍ପିଟାଲରୁ ଫେରିବା ପରେ ବାଳକୃଷ୍ଣେୟା ପରିବାର ଲୋକଙ୍କ ସହ ଅସ୍ଵାଭାବିକ ବ୍ୟବହାର କରିଥିଲେ ଏବଂ ସୋମବାର ସକାଳେ ସେ ଆତ୍ମହତ୍ୟା କରିଦେଇଥିଲେ। କରୋନା ବା କୋବିଡ୍-୧୯ ଆତଙ୍କ ତଥା ନିଜକୁ ସଂକ୍ରମଣ ସନ୍ଦେହରେ ସେ ମାନସିକ ଭାରସମ୍ୟ ହରାଇଥିବା କୁହାଯାଉଛି।











