କୁଆଡେ଼ ଗଲେ କଂଗ୍ରେସର ୩ଜଣିଆ ଯୁବ ବାହିନୀ

୨୦୧୭ ବିଧାନସଭା ନିର୍ବାଚନରେ ଗୁଜୁରାଟରେ କଂଗ୍ରେସର ଭଲ ପ୍ରଦର୍ଶନ ପଛରେ ବଡ଼ ଭୂମିକା ଥିଲା ରାଜ୍ୟର ଯୁବ ନେତା ହାର୍ଦ୍ଦିକ ପଟେଲ, ଜିଗ୍ନେସ ମେୱାଣୀ ଏବଂ ଅଳ୍ପେଶ ଠାକୁରଙ୍କର। ନିଜ ନିଜ ସମାଜରେ ସେମାନଙ୍କର ବଡ଼ ପ୍ରଭାବ ଥିବାରୁ ବିଧାନସଭା ନିର୍ବାଚନ ସମୟରେ ବିଜେପିକୁ ବଡ଼ ଟକ୍କର ଦେଇଥିଲା କଂଗ୍ରେସ। ହେଲେ ବିଧାନସଭା ନିର୍ବାଚନର ୧୮ ମାସ ପରେ ଆରମ୍ଭ ହୋଇଥିବା ଲୋକସଭା ନିର୍ବାଚନରେ ଏହି ସ୍ଥିତି ସମ୍ପୂର୍ଣ୍ଣବଦଳି ଯାଇଛି।

ସେ ଦିନର ହିରୋ ଆଜି ଶାନ୍ତ ପଡ଼ିଯାଇଛନ୍ତି। ଅଳ୍ପେଶ କଂଗ୍ରେସର ହାତ ଛାଡ଼ି ଦେଇଥିଲାବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ହାର୍ଦ୍ଦିକ ନିର୍ବାଚନ ଲଢୁନାହାନ୍ତି। ସେହିପରି ବିଧାୟକ ଜିଗ୍ନେସ ରାଷ୍ଟ୍ରୀୟ ରାଜନୀତିରେ ନିଜକୁ ମଜଭୁତ କରିବା ପାଇଁ ନିଜ ଧାରାରେ ଲାଗିପଡ଼ିଛନ୍ତି।

ପଟିଦାର ଆନ୍ଦୋଳନ ଅଚାନକ ଗୁଜୁରାଟ ରାଜନୀତିରେ ହାର୍ଦ୍ଦିକ ପଟେଲଙ୍କୁ ଏକ ନୂଆ ପରିଚୟ ଦେଇଥିଲା। ରାଜ୍ୟର ମୋଟ ଜନସଂଖ୍ୟାର ୧୨ଞ୍ଝ ପଟିଦାର ସମାଜର ଥିଲା ବେଳେ ଏହି ସମାଜ ପାଇଁ ସଂରକ୍ଷଣ ଦାବି କରି ହାର୍ଦ୍ଦିକ ନିଜକୁ ଜଣେ ମଜଭୁତ ଯୁବ ନେତା ଭାବେ ଉପସ୍ଥାପିତ କରିଥିଲେ। ନିକଟରେ ହାର୍ଦ୍ଦିକ କଂଗ୍ରେସରେ ସାମିଲ ହୋଇଥିଲେ ଏବଂ ଗୁଜୁରାଟରେ ଦଳ ପାଇଁ ପ୍ରଚାର ମଧ୍ୟ କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ମେହଶାଣା ଦଙ୍ଗା ମାମଲାରେ ମିଳିଥିବା ଦଣ୍ଡ ଉପରେ ପ୍ରତିବନ୍ଧକ ଲଗାଇବାର ଆବେଦନ ଖାରଜ ହେବା ପରେ ହାର୍ଦ୍ଦିକ ଏଥର ଲୋକସଭା ନିର୍ବାଚନ ଲଢିପାରୁନାହାନ୍ତି।

ହାର୍ଦ୍ଦିକ ଯେତେବେଳେ ନୂଆ ଯୁବ ନେତା ଭାବେ ନିଜ ପରିଚୟ ସୃଷ୍ଟି କରୁଥିଲେ, ସେତେବେଳେ ଓବିସି ଦାବି ନେଇ ରାସ୍ତାକୁ ଓହ୍ଲାଇ ଥିବା ଅଳ୍ପେଶ ଠାକୁର ମଧ୍ୟ ଚର୍ଚ୍ଚିତ ହେବାରେ ଲାଗିଲେ। ଅଳ୍ପେଶ ଠାକୁରସେନା ଗଠନ କରି ଗୁଜୁରାଟରେ ମଦ କାରବାର ବିରୋଧରେ ଜୋରଦାର ଅଭିଯାନ ଆରମ୍ଭ କରିଥିଲେ। ଆଉ ଏହି ଅଭିଯାନ ତାଙ୍କୁ ରାତାରାତି ନେତା ବନାଇ ଦେଲା। ପରେ ସେ କଂଗ୍ରେସରେ ସାମିଲ ହୋଇଥିଲେ ଏବଂ ବିଧାନସଭା ନିର୍ବାଚନ ମଧ୍ୟ ଲଢି ଜିତିଥିଲେ। ହେଲେ ବର୍ତ୍ତମାନ ଅଳ୍ପେଶ ଠାକୋର ସମାଜର ନିଷ୍ପତ୍ତ ଅନୁସାରେ କଂଗ୍ରେସ ଛାଡ଼ିଦେଇଛନ୍ତି। ତାଙ୍କର ଯୁକ୍ତି ହେଉଛି, ଏବେ ମୁଁ କେବଳ ମୋର ସମାଜ ପାଇଁ କାମ କରିବି।

ଉନ୍ନା ଦଳିତ କାଣ୍ଡ ବିରୋଧରେ ଦୀର୍ଘ ସମୟ ଧରି ସଂଘର୍ଷ କରୁଥିବା ଜିଗ୍ନେସ ଗୁଜୁରାଟର ଜଣେ ଯୁବ ଦଳିତ ଚେହେରା ଭାବେ ପରିଚୟ ସୃଷ୍ଟି କରିଛନ୍ତି। ୨୦୧୭ରେ ବିଧାନସଭା ନିର୍ବାଚନରେ କଂଗ୍ରେସ ସମର୍ଥନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ। ତେବେ ବର୍ତ୍ତମାନ ରାଷ୍ଟ୍ରୀୟ ସ୍ତରରେ ସେ ନିଜକୁ ଜଣେ ଦଳିତ ନେତା ଭାବେ ଉପସ୍ଥାପିତ କରିବା ପାଇଁ ପ୍ରସ୍ତୁତି ଜୋର କରିଥିବାରୁ ଲୋକସଭା ନିର୍ବାଚନରେ ସେ ଏକ ପ୍ରକାର ଦୂରେଇ ରହିଛନ୍ତି। ତେବେ ନିକଟରେ ଜିଗ୍ନେସ ବିହାରର ବେଗୁସରାଇରେ ପ୍ରାର୍ଥୀ ହୋଇଥିବା କହ୍ନେୟା କୁମାରଙ୍କ ପାଇଁ ପ୍ରଚାର କରିଥିଲେ।

Leave a Reply

Your email address will not be published. Required fields are marked *