ଶାସକ ଯେବେ ଆଦର୍ଶ ହୁଏ

ବିଶ୍ଵରାଜ ପଟ୍ଟନାୟକ

ବିପତ୍ତି ବଳେ ଶାସକର ଅସଲି ଚରିତ୍ର ଧରାପଡ଼େ।  ଚୀନରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୁତାଣୁ ଏବେ ବିଶ୍ଵରେ ପ୍ରାୟ ଦେଢ଼ ଲକ୍ଷ ଜୀବନ ନେଇ ସାରିଲାଣି। ଭାରତରେ ୧୨ ହଜାର ୬୩୭ଜଣ ଏବେ ଏହି ରୋଗରେ ଆକ୍ରାନ୍ତ।  ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁଚିନ୍ତିତ ପଦକ୍ଷେପ ଭରତରେ ଭୁତାଣୁ ସଂକ୍ରମଣର ଶୃଙ୍ଖଳକୁ ଭାଙ୍ଗିବାରେ ପ୍ରାୟତଃ ସକ୍ଷମ ହୋଇଛି। ତଥାପି କିଛି କିଛି ରାଜ୍ୟରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସଭିଏଁ ଜାଣିବା ଦରକାର ଯେ, ନବୀନ ଶାସିତ  ଓଡ଼ିଶା ସତର୍କତା ଓ ପ୍ରତିରୋଧ କ୍ଷେତ୍ରରେ ମୋଦିଙ୍କଠାରୁ ମୂଳରୁ ଦୁଇପାଦ ଆଗୁଆ ଚାଲିଛି। ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବାର ଦୁଇଦିନ ପୂର୍ବରୁ ନବୀନ ପଟ୍ଟନାୟକ ଲକ୍‌ଡାଉନ୍‌ ଘୋଷଣା କରି ସଂକ୍ରମଣକୁ ରୋକିବା ଲାଗି ଫଳପ୍ରଦ ପଦକ୍ଷେପ ନେଲେ। ମୋଦି ନବୀନଙ୍କଠାରୁ ଏହି ସୂତ୍ରଟି ଶିଖ ସାରା ଦେଶରେ ପ୍ରୟୋଗ କଲେ।

 

ଏବେ ଓଡ଼ିଶାରେ ଆକ୍ରାନ୍ତ ରୋଗୀ ଓ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଦେଖିବା। ସମୁଦାୟ ୩୬ଜଣ ଏବେ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ବେଳେ ୨୪ଜଣ ସୁସ୍ଥ ହୋଇ ଫେରିଲେଣି। ଆଜି ୩ଜଣ ସୁସ୍ଥ ହୋଇଛନ୍ତି। ଦୁଇଟି ସଂକ୍ରମିତ ଜିଲ୍ଲାରେ ୨ ସପ୍ତାହ ହେଲା କୌଣସି ରୋଗୀ ଚିହ୍ନଟ ହୋଇ ନାହାନ୍ତି।  ଏହା ଏକ ଗୁରୁତ୍ଵପୂଣ୍ଣ ଅଧ୍ୟାୟ ସୃଷ୍ଟି କରିଛି।

 

ଏ ଭିତରେ ଓଡ଼ିଶା ସମସ୍ତ ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରିବାକୁ ଭଲ ଭାବରେ ପ୍ରସ୍ତୁତ ହୋଇ ସାରିଛି। ଶାସନ କଳର ଅବିରତ ଉଦ୍ୟମରେ ଓଡ଼ିଶାର ପ୍ରତିଟି ଜିଲ୍ଲାରେ ସ୍ଵତନ୍ତ୍ର  କରୋନା ହସ୍‌ପିଟାଲ୍‌ ପ୍ରସ୍ତୁତ ହୋଇପାରିଛି। ରାଜ୍ୟରେ ସଂକ୍ରମିତଙ୍କ ଦ୍ରୁତ ଆକଳନ ଆରମ୍ଭ ହୋଇଛି। ଦୈନିକ ୧୦୦୦ରୁ ଅଧିକ ନମୁନା ପରୀକ୍ଷଣ ବି କରାଯାଉଛି। ସବୁ ପଞ୍ଚାୟତରେ ଅସ୍ଥାୟୀ କୋଭିଡ୍‌ ଶିବିର ପ୍ରସ୍ତୁତ କରାଯାଇଛି। ଫଳରେ ସଂକ୍ରମଣକୁ ପ୍ରାଥମିକ ସ୍ତରରେ ରୋକାଯାଇ ପାରିବ ଆଉ ଏହା ପ୍ରାଥମିକ ସ୍ତରରୁ ବ୍ୟାପିଲେ ବି ତାହାକୁ ମହାମାରୀ ହେବାକୁ ଦିଆଯିବ ନାହିଁ।

 

ଏସବୁର ପଛରେ ଏକକ ନେତୃତ୍ଵ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଅଫିସର କାର୍ଯ୍ୟକର୍ତ୍ତା ଓ ସମସ୍ତ ବିଜ୍ଞ ଅଧିକାରୀମାନେ। କରୋନା ଭୁତାଣୁ ନୂଆ ହେଲେ ବି ବିପର୍ଯ୍ୟୟ ପରିଚାଳନା କରିବାର ବ୍ୟାପକ ଅଭିଜ୍ଞତା ଆଗକୁ ଯେକୌଣସି ବିପତ୍ତିକୁ ସମ୍ମୁଖୀନ ହେବା ପାଇଁ ଓଡ଼ିଶାର ପ୍ରଶାସନିକ କଳକୁ ପ୍ରଚଣ୍ଡ ଶକ୍ତିଶାଳୀ କରି ରଖିଛି। ଦେଶରେ ମୋଦି ଜଣେ ସୁଦକ୍ଷ ପ୍ରଧାନମନ୍ତ୍ରୀ ଭାବେ ପରିଚିତ I ଆଉ ନବୀନ ବିପର୍ଯ୍ୟୟ ପରିଚାଳନାରେ ଜଣେ ଅତି ଜଣାଶୁଣା ଖେଳାଳି I ଯେତେବେଳେ ଦେଶକୁ ଏକ ବିପତ୍ତି ସହ ମୁକାବିଲା କରିବାର ଅଛି, ସେତେବଳେ ଉଭୟ ମୋଦି ଓ ନବୀନ ହାତ ମିଳାଇଲେ ଚମତ୍କାର ଘଟିବାଟା ନିଶ୍ଚିତ।

ଏହା ଅବଶ୍ୟ ସତ୍ୟ ଯେ, କିଛି ରାଜ୍ୟ ସରକାରଙ୍କ କର୍ମଚାରୀ ତରବରରେ ଥିବା ମିଡିଆକୁ ଦ୍ଵନ୍ଦ୍ଵରେ ପକାଇ ପରିସ୍ଥିତିରେ ନିଜର ବାହାବା ସାଉଁଟିବାକୁ ଚାହିଁଛନ୍ତି। କିଛି ସଫଳ ବି ହୋଇଛନ୍ତି। ଏହିକ୍ରମରେ ପ୍ରଥମେ ଆସିବେ କଟକ ଜିଲ୍ଲାପାଳ। କରୋନା ଦୁର୍ବିପାକ ସମୟରେ ତାଙ୍କାର ୯୮ ବର୍ଷ ବୟସର ବାପାଙ୍କ ମୃତ୍ୟୁ ହେଲା। ଏହା ନିଶ୍ଚିତ ଦୁଃଖର ଖବର। କିନ୍ତୁ ସେ ଯେମିତି ଏ ପ୍ରସଙ୍ଗରେ ପ୍ରଶଂସା ଗୋଟାଇବାକୁ ଚେଷ୍ଟା କଲେ ତାହା ବିଭ୍ରାନ୍ତିକର। ତାଙ୍କ ପକ୍ଷରୁ ପ୍ରଚାର କରାଗଲା ଯେ, ସେ କରୋନା ବିପତ୍ତି ସମୟରେ ଲୋକଙ୍କ ସାଙ୍ଗରେ ରହିଛନ୍ତି। ବାପାଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସେହି ଦୁଃଖଦ ମୁହୂର୍ତ୍ତରେ ସାମିଲ୍‌ ନହୋଇ ଲୋକଙ୍କ ସେବା କରୁଛନ୍ତି। ଏହାକୁ ଭିତ୍ତିକରି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍‌ ମୁଖପାତ୍ର ବି ଗଣମାଧ୍ୟମରେ ତାଙ୍କୁ ଅତ୍ୟନ୍ତ ପ୍ରଶଂସା କରିଥିଲେ। ଏହି ଜିଲ୍ଲାପାଳ ଭଲ ଭାବେ ଜାଣିଥିଲେ ଯେ, ୯୮ ବର୍ଷୀୟ ବୁଢ଼ାବାପାଙ୍କ ଲାଗି ସେ ଆଉ କିଛି ଅଧିକ କରି ପାରି ନଥାଆନ୍ତେ। ତାଙ୍କ ଯତ୍ନ ନେବା ଲାଗି ଘରେ ତାଙ୍କର ଭାଇ ଓ ପରିବାର ସଦସ୍ୟମାନେ ରହିଛନ୍ତି, ଏଣୁ ସେ ଗଲେ ନାହିଁ। ହଁ ଯଦି କାହାର ପୁଅ, ଝିଅ, ପତ୍ନୀଙ୍କ ଅପ୍ରାକୃତିକ ବା ଅକାଳ ମୃତ୍ୟୁ ହୋଇଥାଆନ୍ତା ଆଉ ସେ  ରାଜ୍ୟବାସୀଙ୍କ ସେବାରେ ରହି ବ୍ୟକ୍ତିଗତ ଦୁଃଖକୁ ଗୁରୁତ୍ଵ ଦେଇ ନଥାଆନ୍ତେ ତାହା ହୁଏତ ତାଙ୍କୁତ୍ୟାଗୀ ଜନସେବକ ଭାବେ ଉପସ୍ଥାପନ କାଳେ ଭୁଲ୍‌ ହେଇ ନଥାଆନ୍ତା। ଭଗବାନ ତାଙ୍କ ପାଇଁ ଏମିତି ଦୁଃଖଦ ପରିସ୍ଥିତି ସୃଷ୍ଟି ନକରନ୍ତୁ କିନ୍ତୁ ଏହି ବାହାବା ନେବା କଥାଟି ହାସ୍ୟାସ୍ପଦ।

ଅପରପକ୍ଷେ ଦେଶ ଓ ଆମ ରାଜ୍ୟରେ ଅନେକ ଉଦାହରଣ ସୃଷ୍ଟି ହୋଇଛି ଯାହା ଗଣମାଧ୍ୟମ ଚର୍ଚାକୁ ଆସିପାରି ନାହିଁ।

ବିଶାଖାପାଟଣା ମ୍ୟୁନିସିପାଲ୍‌ କମିଶନର ୨୦୧୩ ମସିହା ଆଇଏଏସ୍‌ ଅଧିକାରୀ ଶ୍ରୀଜନା ଗୁମାଲ୍ଲା ନିଜର  ସପ୍ତାହର ଶିଶୁକୁ ଧରି କୋଭିଡ୍‌ ସମୟରେ ଅଫିସ କାର୍ଯ୍ୟକୁ ଆସିବା ଦେଖାଯାଇଥିଲା ଏହାକୁ ଉତ୍ସର୍ଗୀକୃତ ଜନସେବା ବୋଲି ଅନେକ କହୁଛନ୍ତି।

ସେଇଭଳି ଓଡ଼ିଶାର  ମାଲକାନଗିରିରେ ଅବସ୍ଥାପିତ  ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ସୁଧାଂଶୁ ଭୂଷଣ ମହାପାତ୍ର ବି ଏହି ସମୟରେ ନିଜର ବାପାଙ୍କୁ ହରାଇଲେ। କଟକ ଜିଲ୍ଲାପାଳଙ୍କ ବାପାଙ୍କଠାରୁ ଯାହାଙ୍କ ବୟସ କମ୍‌ ଥିଲା। ରତ୍ନଗିରିରେ ନିଜ ପରିବାର ବର୍ଗଙ୍କ ସହ ସେ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବା ଅପେକ୍ଷା ୭୦୦ କିଲୋମିଟର ଦୂର ମାଲକାନଗିରିରେ ଲୋକଙ୍କ ଜରୁରୀ ସ୍ଵସ୍ଥ୍ୟଗତ ଆବଶ୍ୟକତାକୁ ଜରୁରୀ ମନେ କଲେ। ପରେ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଗାଁକୁ ଆସିଥିଲେ। କିନ୍ତୁ ତାଙ୍କ କାହାଣୀ ଗଣମାଧ୍ୟମରେ ପ୍ରସାର ହୋଇପାରିଲା ନାହିଁ। ଯେଉଁ ଜିଲ୍ଲାର ଜିଲ୍ଲାପାଳ ମନୀଶ ଅଗ୍ରୱାଲ ନିଜେ ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ସେଠାରେ ତାଙ୍କରି ଆଦର୍ଶରେ ଡାକ୍ତର ଅନୁପ୍ରାଣିତ ହେବା ଯଥାର୍ଥ। ମନିଶ ନିଜ ଶିଶୁକୁ ମାଲକାନଗିରିର ସରକାରୀ ହସ୍‌ପିଟାଲ୍‌ରେ ଜନ୍ମ କରାଇଥିଲେ। ଏହା ଅନେକ ଚର୍ଚାର ବିଷୟ ହୋଇଥିଲା।

ଆଉ ଜଣେ ବିରତ ଉଦାହରଣ ହେଉଛନ୍ତି ଓଡ଼ିଶା ପୁଲିସରେ କାମ କରୁଥିବା ୧୯୯୬ ବ୍ୟଚ୍‌ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରା। ଯେଉଁଭଳିଭାବେ ସେ ମୁମ୍ବାଇ ସହରର ଜଣେ ୩ ବର୍ଷୀୟ ଭିନ୍ନକ୍ଷମ ଶିଶୁ ପାଖରେ ଓଟ କ୍ଷୀର ପହଞ୍ଚାଇବା ବ୍ୟବସ୍ଥା କଲେ ତାହା ଉଦାହରଣ ଯୋଗ୍ୟ।  ଲକ୍‌ଡାଉନ୍‌ ଘୋଷଣା ହେବା ପରେ ତାଙ୍କ ଶିଶୁ ପାଇଁ ଓଟ କ୍ଷୀର ଯୋଗାଡ଼ କରିବା ଅସମ୍ଭବ ହୋଇପଡ଼ିଛି ବୋଲି କହି ମୁମ୍ବାଇଜର ନେହା ସିହ୍ନା ନାମ୍ନୀ ଜଣେ ମହିଳା ଏକ ଟ୍ବିଟ୍‌ କଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କର ୩ ବର୍ଷୀୟ ଶିଶୁ ଅଟିଷ୍ଟିକ୍‌ରେ ପୀଡ଼ିତ। ସେ ଓଟ କ୍ଷୀର ଏବଂ କିଛି ତୈଳବୀଜ ଶସ୍ୟରେ ବଞ୍ଚୁଛି। ଲକ୍‌ଡାଉନ୍‌ ହଠାତ୍‌ ଘୋଷଣା ହେବା ଯୋଗୁ ସେ ଏହା ପାଇପାରୁ ନାହାନ୍ତି। କିନ୍ତୁ ଏହି ଟ୍ବିଟର କିଛି ଜବାବ ଆସିଲା ନାହିଁ। ଟ୍ବିଟରରେ ଅକ୍ଟିଭ୍‌ ରହୁଥିବା ଅରୁଣଙ୍କୁ କେହି ଜଣେ ଜଣାଶୁଣା ବ୍ୟକ୍ତି ଏହି ଅନୁରୋଧକୁ ଟ୍ୟାଗ୍‌ କଲେ। ଅରୁଣ ଏହା ପଛରେ ନିଜର ଉଦ୍ୟମ ଓ ଚିହ୍ନା ପରିଚୟକୁ ବ୍ୟବହାର କରିଲେ।  ଏଠାରେ ଓଟ କ୍ଷୀର ଯୋଗାଉଥିବା ଆଦ୍ଵିକ ଫୁଡ୍ସ ନାକ ଏକ ସଂସ୍ଥା ସଂହ ଯୋଗ ଯୋଗ କରି ତାଙ୍କ ପାଖରେ ଥିବା ଶେଷ ୪୦୦ ଗ୍ରାମ୍‌ ଓଟ କ୍ଷୀର ପାଉଡରକୁ ନେହାଙ୍କ ପାଖଷର ତୁରନ୍ତ ପହଞ୍ଚାଇଲେ। ଏହା ୬ ତାରିଖ ଘଟଣା। ପୁଣି ଯେଉଁ ଆଦ୍ଵିକ ଫୁଡ୍‌ ଓଟ କ୍ଷୀର ଗୁଣ୍ଡ ପହଞ୍ଚାଇଲେ ତାଙ୍କ ବାପାଙ୍କ ସତବଳେ ଦେହାନ୍ତ ହୋଇଥାଏ। ତଥାପି ସେ ନିଜ ବନ୍ଧୁଙ୍କ ସହାୟତାରେ ଏହାକୁ ସମ୍ପୃକ୍ତ ମହିଳାଙ୍କ ପାଖରେ ପହଞ୍ଚାଇଥିଲେ। ପରବର୍ତ୍ତୀ ସମୟରେ ମହାରାଷ୍ଟ୍ରରେ ଓଟ କ୍ଷୀର ଅଭାବକୁ ରେଳବାଇ ଦ୍ଵାରା ପୂରଣ କରାଯାଇଥିଲା। ଅରୁଣ ବୋଥ୍ରାଙ୍କ ଏହି ଉଦ୍ୟମ ସତରେ ଏକ ଇତିହାସ ହୋଇ ରହିବ।

ଏସବୁ ଏଠାରେ କହିବାର ଆବଶ୍ୟକତା ଏହା ଯେ, ଯେଉଁ ରାଜ୍ୟର ଶାସନ ମୁଖ୍ୟ, ଶାସନ କଳ ଯେମିତି ଉଦାହରଣ ସୃଷ୍ଟି କରିବେ ସେହି ରାସ୍ତାରେ ଅନ୍ୟମାନେ ଚାଲିବାକୁ ଆଗ୍ରହ ପ୍ରକାଶ କରିବେ। ଯାହା ନବୀନ ପଟ୍ଟନାୟକ ଓଡ଼ିଶାରେ ସୃଷ୍ଟି କରିଛନ୍ତି ତାହା ଏକ ମାଇଲ୍‌ ଖୁଣ୍ଟ ଭଳି ଆଉ ତାଙ୍କରି ରାସ୍ତାରେ ଚାଲି ନିଜ ପରିବାର, ସ୍ଵାର୍ଥ ଓ ବ୍ୟକ୍ତିଗତ ଆବଶ୍ୟକତା ଅପେକ୍ଷା  ଗରିବ ଓ ଅସହାୟଙ୍କୁ ଆବଶ୍ୟକ ସମୟରେ ସହାୟତା କରିବାକୁ ଅଧିକାରୀମାନେ ଉଚିତ ମନେ କରୁଛନ୍ତି। ଏହାଦ୍ଵାରା ଗୋଟିଏ ପରେ ଗୋଟିଏ ଉଦାହରଣ ଓଡ଼ିଶାରେ ସୃଷ୍ଟି ହେଉଛି।

ଲେଖକ ଟ୍ରାନ୍ସପରେନ୍ସୀ ଇଣ୍ଟରନ୍ୟାସନାଲ୍‌ର ଜଣେ ସଦସ୍ୟ ଏବଂ ସ୍ଵାଧୀନ ଚିନ୍ତକ ଓ ସ୍ତମ୍ଭକାର। ଏହି ସନ୍ଦର୍ଭରେ ତାଙ୍କର ବ୍ୟକ୍ତିଗତ ଅନୁଶୀଳନ ଓ ମତାମତ ପ୍ରକାଶ ପାଇଛି।

 

 

Leave a Reply

Your email address will not be published.