ରାଜ୍ୟସଭାରୁ ପ୍ରତାପଙ୍କ ଇସ୍ତଫା କେବେ?
ନବନିର୍ବାଚିତ ଆଳି ବିଧାୟକ ପ୍ରତାପ ଦେବ ଏପର୍ଯ୍ୟନ୍ତ ରାଜ୍ୟସଭାରୁ କାହିଁକି ଇସ୍ତଫା ଦେଇ ନାହାନ୍ତି? ଏହାକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। ଏଥର ନିର୍ବାଚନରେ ରାଜ୍ୟସଭାର ୪ଜଣ ସଦସ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା। ସେଥିମଧ୍ୟରୁ ଦୁଇଜଣ ଲୋକସଭା ପାଇଁ ଏବଂ ଅନ୍ୟ ଦୁଇଜଣ ବିଧାନସଭା ସକାଶେ ପ୍ରାର୍ଥୀ ଥିଲେ। ଅନୁଭବ ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ଏବଂ ଅଚ୍ୟୁତ ସାମନ୍ତଙ୍କୁ କନ୍ଧମାଳରୁ ଲୋକସଭାସକାଶେ ପ୍ରାର୍ଥୀ କରାଯାଇଥିଲା। ପ୍ରତାପ ଦେବଙ୍କୁ ତାଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ଆଳିରୁ ଏବଂ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ପ୍ରାର୍ଥୀ କରିଥିଲା ଦଳ। ଚାରିଜଣଯାକ ବିଜୟୀ ହୋଇଛନ୍ତି।
ଗତବର୍ଷ ସୌମ୍ୟ ଏବଂ ଅଚ୍ୟୁତ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସୌମ୍ୟ ‘ଆମ ଓଡ଼ିଶା’ ପାର୍ଟିର ସଭାପତି ଥିଲେ। ବିଜେଡିରେ ଯୋଗଦେବା କ୍ଷଣି ତାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିଲେ ନବୀନ ପଟ୍ଟନାୟକ। ଅଚ୍ୟୁତ ରାଜନୀତିରେ ପ୍ରତ୍ୟକ୍ଷ ଭାବେ ନଥିଲେ। ସେ ବିଜୁ ଜନତା ଦଳରେ ଯୋଗଦେବା ସହିତ ରାଜ୍ୟସଭା ପ୍ରାର୍ଥୀ ହେଲେ। ଉଭୟଙ୍କ କାର୍ଯ୍ୟକାଳ ୨୦୨୪ରେ ସରିଥାନ୍ତା।
କିନ୍ତୁ ନବୀନ ସୌମ୍ୟଙ୍କୁ ଖଣ୍ଡପଡ଼ା ବିଧାନସଭା ଆସନ ସକାଶେ ଏବଂ ଅଚ୍ୟୁତଙ୍କୁ କନ୍ଧମାଳ ଆସନ ଲାଗି ପ୍ରାର୍ଥୀ କରିଥିଲେ। ଗତଥର ସୌମ୍ୟ ଆମ ଓଡ଼ିଶା ପ୍ରାର୍ଥୀ ଭାବେ ଅଳ୍ପ ଭୋଟ ବ୍ୟବଧାନରେ ବିଜୁ ଜନତା ଦଳର ଅନୁଭବ ପଟ୍ଟନାୟକଙ୍କଠାରୁ ହାରି ଯାଇଥିଲେ। ଏତେ ଦୀର୍ଘ କାର୍ଯ୍ୟକାଳ ଥିବା ସତ୍ତ୍ୱେ ସେମାନଙ୍କୁ କାହିଁକି ପ୍ରାର୍ଥୀ କରାଗଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
ଅନୁଭବ ମହାନ୍ତିଙ୍କ କାର୍ଯ୍ୟକାଳ ଆସନ୍ତାବର୍ଷ ସରୁଥିଲା। ତାଙ୍କୁ ମର୍ଯ୍ୟାଦାଜନକ କେନ୍ଦ୍ରାପଡ଼ା ଆସନରୁ ପ୍ରାର୍ଥୀ କରିଥିଲା ବିଜେଡି। ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସକୁ ସତ୍ୟ ସାବ୍ୟସ୍ତ କରି ଅନୁଭବ ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଦେଇଥିଲେ। ତେଣୁ ତାଙ୍କୁ ପ୍ରାର୍ଥୀ କରାଯିବାକୁ ନେଇ ଦ୍ୱନ୍ଦ୍ୱ ନଥିଲା।
ବିଷ୍ଣୁ ଦାସଙ୍କ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନରେ ବିଜୟୀ ହୋଇ ପ୍ରତାପ ଦେବ ରାଜ୍ୟସଭାକୁ ଯାଇଥିଲେ। ତାଙ୍କ କାର୍ଯ୍ୟକାଳ ପୂରିଥାନ୍ତା ୨୦୨୨ରେ। କିନ୍ତୁ ଇତିମଧ୍ୟରେ ସୌମ୍ୟ, ଅଚ୍ୟୁତ ଏବଂ ଅନୁଭବ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ମାତ୍ର ଆଳି ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପ୍ରତାପ ଦେବ ଦେଇନାହାନ୍ତି ରାଜ୍ୟସଭାରୁ ଇସ୍ତଫା। ଅବଶ୍ୟ ତାଙ୍କ ନିକଟତମ ମହଲ କହୁଛନ୍ତି ଯେ, ଆସନ୍ତା ୧୪ ତାରିଖରେ ସେ ରାଜ୍ୟସଭା ଛାଡ଼ିବେ।
କିନ୍ତୁ ଏବେ ତାଙ୍କୁ ନେଇ ବିଜୁ ଜନତା ଦଳରେ ଅନ୍ୟ ଧରଣର କଳ୍ପନାଜଳ୍ପନା ଆରମ୍ଭ ହୋଇଗଲାଣି। କୁହାଯାଉଛି ଯେ, ପ୍ରତାପ ଛାଡ଼ି ନପାରନ୍ତି ରାଜ୍ୟସଭା ସଦସ୍ୟ ପଦ। ସେ ଆଳି ବିଧାୟକ ପଦରୁ ଦେଇପାରନ୍ତି ଇସ୍ତଫା।
ବିଜୁ ଜନତା ଦଳରେ ରାଜ୍ୟସଭାକୁ ଯିବା ପାଇଁ ଆଶାୟୀଙ୍କ ତାଲିକା ଖୁବ ଲମ୍ୱା। ୪ଟି ଆସନ ଖାଲି ପଡ଼ୁଛି ବୋଲି ଏବେ ଲବି ପ୍ରବଳ ହୋଇଗଲାଣି। ମୁଖ୍ୟମନ୍ତ୍ରୀ ଅନେକଙ୍କୁ ରାଜ୍ୟସଭା ପଠାଇବେ ବୋଲି ପ୍ରତିଶ୍ରୁତିର ଥୋପ ଦେଇଛନ୍ତି। ଯେଉଁ ଦୁଇଜଣଙ୍କ ନାଁ ବେଶୀ ଆଲୋଚିତ ହେଉଛି, ସେମାନେ ହେଲେ ପ୍ରସନ୍ନ ପାଟଶାଣି ଏବଂ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ।
ପାଟଶାଣିଙ୍କୁ ରାଜ୍ୟସଭା ପଠାଯିବ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବାହାରେ ପ୍ରକାଶ କରିସାରିଛନ୍ତି ଯେ, ତାଙ୍କୁ ଦିଲ୍ଲୀ ପଠାଇବା ସକାଶେ ନବୀନ ବାବୁ ପ୍ରତିଶ୍ରୁତି ଦେଇଛନ୍ତି। ବାକି ରହିଲା ଦୁଇଟି ଆସନ। ଯଦିଆଳି ବିଧାୟକ ରାଜ୍ୟସଭା ନଛାଡ଼ନ୍ତି, ତେବେ ନବୀନ ବାବୁଙ୍କ ପାଇଁ ତୃତୀୟ ଆସନ ସକାଶେ ଅନ୍ୟ ଜଣଙ୍କୁ ବାଛିବା ସହଜ ହୋଇଯିବ।
କିନ୍ତୁ ଯଦି ପ୍ରତାପ ରାଜ୍ୟସଭାରୁ ଇସ୍ତଫା ଦିଅନ୍ତି, ତେବେ ଦୁଇଟି ଆସନ ଲାଗି ପ୍ରାର୍ଥୀ ମନୋନୟନ କରିବାକୁ ଯାଇ ନବୀନ ପଟ୍ଟନାୟକ ପ୍ରବଳ ଚାପରେ ପଡ଼ିବେ।
ଯେଉଁ ବିଶିଷ୍ଟ ବ୍ୟକ୍ତିଙ୍କ ନାମ ଚର୍ଚ୍ଚା ପରିସରରେ ଅଛି, ସେମାନେ ହେଲେ-ଅମରାନନ୍ଦ ପଟ୍ଟନାୟକ, ଅରୁପ ପଟ୍ଟନାୟକ, ରବୀନ୍ଦ୍ର ଜେନା ଓ ଦେବାଶିଷ ନାୟକ। ଏହାଛଡ଼ା ପୁରୀର ପରାଜିତ ପ୍ରାର୍ଥୀ ମହେଶ୍ୱର ମହାନ୍ତି ମଧ୍ୟ ଅଛନ୍ତି ଲବିରେ। ଏଣୁ ଦୁଇଟି ଆସନ ପାଇଁ ଏମାନଙ୍କ ମଧ୍ୟରୁ ପ୍ରାର୍ଥୀ ବାଛିବା ଚାପ ଅଧିକ ବଢ଼ିବ ନବୀନଙ୍କ ଉପରେ।
କିନ୍ତୁ ପ୍ରତାପ ଦେବ ଯଦି ଆଳି ଆସନ ଛାଡ଼ି ଦିଅନ୍ତି, ତେବେ ରାଜ୍ୟସଭା ଚାପ ଅନେକ କମିଯିବ। ଏହାର ଆଉ ଏକ ରାଜନୈତିକ ଗୁରୁତ୍ୱ ରହିଛି। ଆଗକୁ ଆସୁଛି ପାଟକୁରା ନିର୍ବାଚନ। ନବୀନଙ୍କ ମନ୍ତ୍ରିମଣ୍ଡଳରେ କେନ୍ଦ୍ରାପଡ଼ାରୁ କାହାରିକୁ ନିଆଯାଇନାହିଁ। ଯଦିଓ ୩ଜଣ ବରିଷ୍ଠ ନେତାଙ୍କ ଦାବିଦାରୀ ଥିଲା। ସେମାନେ ହେଲେ କେନ୍ଦ୍ରାପଡ଼ାର ଶଶିଭୂଷଣ ବେହେରା, ମହାକାଳପଡ଼ାର ଅତନୁ ସବ୍ୟସାଚୀ ନାୟକ ଏବଂ ଆଳିରୁ ପ୍ରତାପ ଦେବ। ତିନିଜଣଯାକ ପୂର୍ବତନ ମନ୍ତ୍ରୀ। କିନ୍ତୁ କାହାରିକୁ ମନ୍ତ୍ରୀ କଲେ ପାଟକୁରା ନିର୍ବାଚନ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରୁଛନ୍ତି ନବୀନ।
ଏବେ ଆଳି ବିଧାୟକ ପଦରୁ ପ୍ରତାପ ଇସ୍ତଫା ଦେଲେ ଅତନୁଙ୍କ ପାଇଁ ବାଟ ଖୋଲିଯିବ। ଅତନୁଙ୍କ ସମର୍ଥନ ଅଧିକ ଦରକାର କରୁଛି ବିଜେଡି। କାରଣ ସେ ହେଉଛନ୍ତି ପାଟକୁରାର ପୂର୍ବତନ ବିଧାୟକ। କାଳେ ବିଜେଡିର ଗଣିତ ବିଗାଡ଼ି ଦେବେ, ସେହି କାରଣରୁ ପ୍ରତାପ ଦେବଙ୍କୁ ରାଜ୍ୟସଭାରେ ସାମୟିକ ଭାବେ ରହିବା ସକାଶେ ନିଦ୍ଦେର୍ଶ ଦିଆଯାଇଛି। ୧୪ ତାରିଖରେ ଯଦି ରାଜ୍ୟସଭାରୁ ଇସ୍ତଫା ନଦିଅନ୍ତି ପ୍ରତାପ, ତେବେ ନବୀନଙ୍କ ରାଜନୀତିର ଆଉ ଏକ ସୂକ୍ଷ୍ମ ଦିଗ ଉନ୍ମୋଚିତ ହୋଇଯିବ।