କେବେ ଗିରଫ ହେବେ ଦବଙ୍ଗ ବିଜେଡି ବିଧାୟକ ସରୋଜ?
କନିଷ୍ଠଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠବସ କରାଇବାର ତିନିଦିନ ବିତିଗଲାଣି। ଅଥଚ ପାଟଣାଗଡ଼ର ଦବଙ୍ଗ ବିଜେଡି ବିଧାୟକ ସରୋଜ ମେହେରଙ୍କୁ ଗିରଫ କରିନାହିଁ ପୁଲିସ। ଏପରିକି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଏ ବାବଦରେ ମୁହଁ ବି ଖୋଲିନାହାନ୍ତି। ବର୍ଷକ ତଳେ ବିଜେପୁର ଉପନିର୍ବାଚନ ସମୟରେ ଅହିଂସାର ପୂଜାରୀ ସାଜିଥିଲେ ନବୀନ। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ନିଜ ଦଳର ଜଣେ ନୂଆ ବିଧାୟକଙ୍କର ଏଭଳି ଭୟଙ୍କର କାରନାମା ପରେ ନିରବ ରହିଛନ୍ତି ମୁଖ୍ୟମନ୍ତ୍ରୀ। ଏଣେ ଆଉ କିଛି ନୂଆ ତଥ୍ୟ ସାମ୍ନାକୁ ଆସିଛି।
ଜେଇ ଜୟକାନ୍ତ ଶବରଙ୍କୁ କେବଳ ବିଧାୟକ ମେହେର ଉଠବସ କରାଇନଥିଲେ ବରଂ ନିର୍ବାହୀଯନ୍ତ୍ରୀ ଲୋକନାଥ ମିଶ୍ରଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଶାସକ ଦଳ ବିଧାୟକଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି ଲୋକନାଥ ଏହି ଆଦିବାସୀ ଜେଇଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଗୋଟିଏ ଦିନ ପୁଲିସ ହେପାଜତରେ ରହିବା ପରେ ଜୟକାନ୍ତଙ୍କୁ ଛଡ଼ାଯାଇଛି। ଅଥଚ ବିଧାୟକଙ୍କ ନାମରେ ଏତଲା ପରେ ବି ତାଙ୍କୁ ଗିରଫ କରିନାହିଁ ପୁଲିସ। ଘଟଣାର ଦଫାରଫା ଲାଗି ଶାସକ ଦଳ ଏବଂ ଜିଲା ପ୍ରଶାସନ ଲାଗିପଡ଼ିଛନ୍ତି।
ପୂର୍ତ୍ତ ବିଭାଗର ରାସ୍ତାକାମ ନିମ୍ନମାନର ହୋଇଥିବା ଅଭିଯୋଗ କରି କିଛି ଲୋକ ବିଧାୟକ ସରୋଜ ମେହେରଙ୍କ ନିକଟରେ ଅଭିଯୋଗ କରିଥିଲେ। ଗୁରୁବାର ସକାଳେ ଜେଇ ଜୟକାନ୍ତଙ୍କୁ ଘରୁ ଡାକିନେଇଥିଲେ ବିଧାୟକ। ପରେ ବିଚ ରାସ୍ତାରେ ଶହଶହ ଲୋକଙ୍କ ସାମ୍ନାରେ ତାଙ୍କୁ ୫ ମିନିଟରେ ୧୦୦ଥର ଉଠବସ ହେବାକୁ ଆଦେଶ ଦେଇଥିଲେ। ମୁଁ ବିଧାୟକ, ଆଦେଶ ଦେଉଛି ଉଠବସ ହୁଅ। ନହେଲେ ମାଡ଼ ଖାଇବ। ଏତେ ଲୋକଙ୍କୁ ଦେଖି ଡରିଯାଇଥିଲେ ଜେଇ। ଉଠବସ ମଧ୍ୟ ହୋଇଥିଲେ। ଏହାର ଭିଡିଓ ଭାଇରାଲ ହୋଇଯାଇଥିଲା।
ଜଣେ ବିଧାୟକ ଆଇନକୁ ହାତକୁ ନେଇ ଅନୁସୂଚିତ ଜନଜାତିର ଜଣେ ଜେଇଙ୍କୁ ଲାଞ୍ଛିତ ଏବଂ ଦଣ୍ଡଦେବା ଘଟଣାକୁ ସବୁ ମହଲ ନିନ୍ଦା କରିବା ପରେ ବିଧାୟକ ଏଥିପାଇଁ ଦୁଃଖ ପ୍ରକାଶ କରିଥିଲେ। ସଫେଇରେ କହିଥିଲେ ଯେ ଲୋକଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ ସେ ଏମିତି କରିଥିଲେ। କିନ୍ତୁ ନିଜେ ବିଧାୟକ ତାଙ୍କୁ ଘରୁ ଡାକି ଆଣିଥିବା କଥା ଲୁଚାଇଥିଲେ। ଗୁରୁବାର ଦିନ ଜୟକାନ୍ତଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ। ତେବେ ଶୁକ୍ରବାର ସାମ୍ନାକୁ ଆସିଥିଲେ ଜେଇ। ଆହୁରି ନୂଆ ତଥ୍ୟ ସାମ୍ନାକୁ ଆସିଥିଲା।
ବିଧାୟକଙ୍କ ନିର୍ଦ୍ଦେଶରେ ନିର୍ବାହୀ ଯନ୍ତ୍ରୀ ଲୋକନାଥ ମିଶ୍ର ତାଙ୍କୁ ମାଡ଼ ମାରିଥିଲେ ବୋଲି ନିଜେ ଜେଇ ଅଭିଯୋଗ କରିଥିଲେ। ଏଣୁ ସ୍ପଷ୍ଟ ହୋଇଯାଉଛି ଯେ ବିଧାୟକ ମାଡ଼ମରା ଘଟଣାରେ ପ୍ରତ୍ୟକ୍ଷ ଭାବରେ ଦାୟୀ।ହିଂସାକାଣ୍ଡ ଉସୁକାଇବା ସହ ସେ ଜେଇଙ୍କ ସମ୍ପର୍କରେ ଜାତିଆଣ ମନ୍ତବ୍ୟ ଦେଇଥିଲେ ବୋଲି ଜଣାପଡ଼ିଛି ଏବଂ ଏ ସମ୍ପର୍କରେ ଥାନାରେ ଏତଲା ମଧ୍ୟ ହୋଇଛି। ଅଥଚ ପୁଲିସ ହାତବାନ୍ଧି ବସିରହିଛି।
ବିଧାୟକଙ୍କ ବିରୋଧରେ ଅନୁସୂଚିତ ଜନଜାତି ଲାଞ୍ଛନା ମାମଲା ଉଠିଥିବାରୁ ତାଙ୍କୁ ଗିରଫ କରାଯିବା ଜରୁରୀ ହୋଇପଡ଼ିଥିବା ବେଳେ ଏବେ ପ୍ରଶାସନ ଘଣ୍ଟ ଘୋଡ଼ାଇବାକୁ ଲାଗିପଡ଼ିଛି। ଜିଲାପାଳ ଅରବିନ୍ଦ ଡାକୁଆ ତଦନ୍ତ ପାଇଁ ଉପଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ରାସ୍ତା କାମର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଥାନାରେ ଯେଉଁ ଏତଲା ଦାୟର ହୋଇଛି, ତାହାରି ମୂଳେ ବିଧାୟକଙ୍କୁ ଗିରଫ କରାଯିବା କଥା। ଭାଇରାଲ ଭିଡିଓ ଏବଂ ଅନ୍ୟମାନଙ୍କ ଅଭିଯୋଗ ପରେ କାହିଁକି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।