କି ଉତ୍ତର ଦେବେ ଧର୍ମେନ୍ଦ୍ର?
୨୦୧୯ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। ଏହି ଫଳାଫଳକୁ ନେଇ କେନ୍ଦ୍ରୀୟ ବିଜେପି କାର୍ଯ୍ୟାଳୟରେ ଉତ୍ସବର ପରିବେଶ ଥିବାବେଳେ ରାଜ୍ୟ ବିଜେପିର ନେତାମାନେ ହତୋତ୍ସାହିତ ହୋଇପଡ଼ିଛନ୍ତି। କାରଣ ସାରା ଦେଶରେ ମୋଦି ଲହର କାମ କରିଥିବାବେଳେ ଓଡ଼ିଶାରେ ଏହା ସମ୍ପୁର୍ଣ୍ଣ ବିଫଳ ହୋଇଛି। ଫଳରେ ୧୨୦ ବିଧାନସଭା ଆସନରେ ବିଜୟୀ ହୋଇ ସରକାର ଗଠନ କରିବାକୁ ସ୍ୱପ୍ନ ଦେଖୁଥିବା ରାଜ୍ୟ ବିଜେପି ନେତାମାନଙ୍କର ସ୍ୱପ୍ନ ଭଙ୍ଗ ହୋଇଛି। ବିଜେପିର ଏହି ବିଫଳତା ପାଇଁ କେନ୍ଦ୍ରମନ୍ତ୍ରୀ ତଥା ଦଳର ପୋଷ୍ଟର ବୟ ସାଜିଥିବା ଧର୍ମେନ୍ଦ୍ର ପ୍ରଧାନ କି ଉତ୍ତର ଦେବେ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ ନେଇ ଧର୍ମେନ୍ଦ୍ର ଚଳିତ ନିର୍ବାଚନରେ ନିଜ ପସନ୍ଦ ମୁତାବକ ପ୍ରାର୍ଥୀ ଚୟନ କରିଥିଲେ। ଧର୍ମେନ୍ଦ୍ରଙ୍କ ଏହି ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ଅଧ୍ୟକ୍ଷ ଅମିତ୍ ଶାହ ମଧ୍ୟ ମୋହର ମାରିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ଓ ଦଳର ଅଧ୍ୟକ୍ଷ ଶାହ ପ୍ରଚାର ପାଇଁ ଓଡ଼ିଶା ବାରମ୍ୱାର ଆସି ପ୍ରଚାର କରି ଦଳ ସପକ୍ଷରେ ଏକ ବାତାବରଣ ସୃଷ୍ଟି କରିଥିଲେ। ଏହା ଛଡ଼ା ଅନେକ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଓଡ଼ିଶା ଆସି ଦଳର ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ।
କେନ୍ଦ୍ରମନ୍ତ୍ରୀମାନଙ୍କ ସହିତ ଧର୍ମେନ୍ଦ୍ର ମଧ୍ୟ ବ୍ୟାପକ ପ୍ରଚାର କରିଥିଲେ। ପ୍ରଚାର ସମୟରେ ବିଜେପି ୧୨୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ବାରମ୍ୱାର କହିବାରେ ଲାଗିଥିଲେ। କିନ୍ତୁ ଫଳାଫଳ ବାହାରିବା ପରେ ବିଜେପି କେବଳ ଫମ୍ପା ପ୍ରଚାରରେ ମାତିଥିଲା ବୋଲି ପ୍ରମାଣିତ ହୋଇଛି। ଫଳରେ ବିଜେପିର ବିଧାୟକଥିବା କନକ ବର୍ଦ୍ଧନ ସିଂହଦେଓ, ରବି ନାଏକ, ପ୍ରଦୀପ ପୁରୋହିତ, ଗୋବିନ୍ଦ ଦାସ, ରାଧାରାଣୀ ପଣ୍ଡା ପ୍ରମୁଖ ପରାଜୟର ମୁହଁ ଦେଖିଛନ୍ତି।
ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଯେପରି ସଫଳତା ପାଇଥିଲା ତାହା ଚଳିତ ନିର୍ବାଚନରେ ଦୋହରାଇବ ବୋଲି ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି ପ୍ରକାଶ କରୁଥିଲେ। କିନ୍ତୁ ପ୍ରକୃତ ପକ୍ଷେ ତାହା ହୋଇନାହିଁ। ଯେଉଁ ମୟୁରଭଞ୍ଜ ଜିଲ୍ଲାରେ ବିଜେପି ପଞ୍ଚାୟତ ନିର୍ବାଚନରେ ଅତ୍ୟଧିକ ସଫଳତା ପାଇଥିଲା ସେହି ଜିଲ୍ଲାରେ ଚଳିତ ନିର୍ବାଚନରେ ତାହା ଦୋହରାଇ ପାରିନାହିଁ। ଏପରିକି ଧର୍ମେନ୍ଦ୍ର ପ୍ରଭାରୀ ଥିବା କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜେପି ଧୂଳି ଚାଟିବାକୁ ବାଧ୍ୟ ହୋଇଛି। ଏଥିପାଇଁ ଧର୍ମେନ୍ଦ୍ରଙ୍କ ସମର୍ଥକ ଭୁବନମୋହନ ଜେନା ଗୃହଭେଦୀ ବିଭୀଷଣ ଭଳି କାମ କରିଛନ୍ତି ବୋଲି ଆଲୋଚନା ହୋଇଛି।
କେବଳ କେନ୍ଦ୍ରାପଡ଼ା ନୁହେଁ ରାଜ୍ୟର ସମସ୍ତ ନିର୍ବାଚନ ମଣ୍ଡଳୀରେ ଧର୍ମେନ୍ଦ୍ରଙ୍କ ସମର୍ଥକମାନେ ଦଳ ବିରୋଧି କାମ କରିଥିବା ଆଲୋଚନା ହେଉଛି। ଏପରିକି ଧର୍ମେନ୍ଦ୍ରଙ୍କ ନିଜ ଜିଲ୍ଲା ଅନୁଗୁଳରେ ବିଜେପି ଧରାଶାୟୀ ହୋଇଛି। ଧର୍ମେନ୍ଦ୍ର ଦଳରେ ନିଜର ଗୋଷ୍ଠୀ ତିଆରି କରିଥିବାରୁ ଦଳର ପୁରୁଣା କର୍ମୀମାନେ ଦଳଠାରୁ ଦୂରେଇ ରହିଥିବା ଦେଖିବାକୁ ମଳିଛି। ଦଳର ଅଧ୍ୟକ୍ଷ ଅମିତ୍ ଶାହ ବୁଥ ସ୍ତରରେ ସଂଗଠନ କରିବାକୁ ବାରମ୍ୱାର ଗୁରୁତ୍ୱ ଦେଇଥିଲେ ହେଁ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ରଙ୍କ ସମର୍ଥକମାନେ ଏଥିରେ ଖିଲାପ କରିଛନ୍ତି ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ଏଭଳି ସ୍ଥିତିରେ ଧର୍ମେନ୍ଦ୍ର କି ଉତ୍ତର ଦେବେ ବୋଲି ପ୍ରଶ୍ନ ଉଠିବାରେ ଲାଗିଲାଣି।