ଧାରା ୩୨ କ’ଣ ? କାହିଁକି ମନୀଷ କଶ୍ୟପଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିନାହିଁ ?

ନୂଆଦିଲ୍ଲୀ: ବିହାରର ୟୁଟ୍ୟୁବର ମନୀଷ କଶ୍ୟପଙ୍କୁ ସୁପ୍ରିମକୋର୍ଟ ଝଟକା ଦେଇଛନ୍ତି । ଧାରା ୩୨ ଅନୁଯାୟୀ ରିଲିଫ୍ ପାଇଁ ସୁପ୍ରିମକୋର୍ଟରେ କରିଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଦେଇଛନ୍ତି । ଏହା ସହ ମନୀଷ କଶ୍ୟପ ତାଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ରୁଜୁ ହୋଇଥିବା ମାମଲାକୁ ଚ୍ୟାଲେଞ୍ଜ କରିଥିଲେ । ମନୀଷ କଶ୍ୟପଙ୍କ ବିରୋଧରେ ତାମିଲନାଡୁରେ ପ୍ରବାସୀ ଶ୍ରମିକଙ୍କ ସହ ହିଂସାର ନକଲି ଭିଡିଓ ସେୟାର କରିଥିବା ଅଭିଯୋଗ ହୋଇଛି । ଶୁଣାଣି ସମୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସମ୍ବିଧାନର ଧାରା ୩୨ ଅନୁଯାୟୀ ସେ ନିଜର ଅଧିକାର ବ୍ୟବହାର କରିପାରିବେ ନାହିଁ । ଏଭଳି ସ୍ଥିତିରେ ପ୍ରଶ୍ନ ଉଠୁଛି, ଧାରା ୩୨ କ’ଣ ? ତେବେ ସୁପ୍ରିମକୋର୍ଟରେ କାହିଁକି ଏହା ଉଲ୍ଲେଖ କରାଗଲା ?

ଧାରା ୩୨ ହେଉଛି ସମ୍ବିଧାନର ଆତ୍ମା ଓ ହୃଦୟ

ସମ୍ବିଧାନର ଧାରା ୩୨ ମୌଳିକ ଅଧିକାର ସମ୍ପର୍କରେ ରହିଛି । ଧାରା ୩୨ ହେଉଛି ସାମ୍ବିଧାନିକ ପ୍ରତିକାରର ଅଧିକାର । ଧାରା ୩୨ରେ ମୌଳିକ ଅଧିକାର ଉଲ୍ଲଂଘନ ହେଲେ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାର କ୍ଷମତା ରହିଛି । ସମ୍ବିଧାନରେ ସାମ୍ବିଧାନିକ ଉପଚାର କରିବାର ଅଧିକାର ନିଜେ ଏକ ଅଧିକାର ନୁହେଁ ବରଂ ଅନ୍ୟ ମୌଳିକ ଅଧିକାରର ସୁରକ୍ଷା ପାଇଁ ଏକ ପଦକ୍ଷେପ । ଏହା ଅଧୀନରେ ମୌଳିକ ଅଧିକାର ଉଲ୍ଲଂଘନ ହେଲେ ଯେ କୌଣସି ବ୍ୟକ୍ତି ଅଦାଲତର ଆଶ୍ରୟ ନେଇପାରିବେ । ସମ୍ବିଧାନର ନିର୍ମାତା ଡ. ଆମ୍ବେଦକର ଧାରା ୩୨କୁ ସମ୍ବିଧାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଧାରାବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏହା ବିନା ସମ୍ବିଧାନ ଅର୍ଥହୀନ, ଏହା ସମ୍ବିଧାନର ଆତ୍ମା ଏବଂ ହୃଦୟ ।

ପାଞ୍ଚ ପ୍ରକାର ରିଟ୍ ଜାରି କରିବାର ଅଧିକାର

ଧାରା ୩୨, ସୁପ୍ରିମକୋର୍ଟ ଏବଂ ଧାରା ୨୨୬ ଅନୁଯାୟୀ ହାଇକୋର୍ଟ ବ୍ୟକ୍ତିର ମୌଳିକ ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ ୫ ପ୍ରକାର ରିଟ୍ ଜାରି କରିପାରିବେ । ଏଥିରେ ହେବିୟସ୍ କର୍ପସ୍, ମାଣ୍ଡାମସ୍, ସାର୍ଟିଓରାରି, ରାଇଟ୍ ୱାରେଣ୍ଟ ଜାରି କରାଯାଇପାରିବ ।

ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇସାରିଛନ୍ତି

ଏ ସଂକ୍ରାନ୍ତରେ ଶୁଣାଣି କରି ସୁପ୍ରିମକୋର୍ଟ କହିଥିଲେ ଯେ ଧାରା ୩୨ ଅଧୀନରେ ଅନେକ ପିଟିସନ୍ ଦାଖଲ ହୋଇଛି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଲୋକମାନେ ସେମାନଙ୍କମୌଳିକ ଅଧିକାର ଉଲ୍ଲଂଘନ କ୍ଷେତ୍ରରେ ସମ୍ପୃକ୍ତ ହାଇକୋର୍ଟକୁ ଯିବା ପରିବର୍ତ୍ତେ ସିଧାସଳଖ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରୁଛନ୍ତି । ସମ୍ବିଧାନର ଧାରା ୨୨୬ ଅନୁଯାୟୀ ହାଇକୋର୍ଟଙ୍କୁ ଏଭଳି ମାମଲାରେ ରିଟ୍ ଜାରି କରିବାର ଅଧିକାର ଦିଆଯାଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ ପ୍ରଥମେ ସମ୍ପୃକ୍ତ ହାଇକୋର୍ଟକୁ ଯିବା ଉଚିତ ।

Leave a Reply

Your email address will not be published.