ଗୀତା ମାହାତ୍ମ୍ୟ- ୨୩: ମୋଠୁ ଆରମ୍ଭ, ମୋ ପାଖରେ ଶେଷ
ଅର୍ଜୁନଙ୍କ ସଂଶୟ ଓ ବିଷାଦ ଦୂର ପାଇଁ ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ଜୀବର ମୃତ୍ୟୁର ସମୟାନୁସାରେ ଜୀବାତ୍ମାର ପୁନର୍ଜନ୍ମ ଓ ବ୍ରହ୍ମପ୍ରାପ୍ତି ନିର୍ଦ୍ଧାରିତ ହେଉଥିବା କହିବା ସହ ଅର୍ଜୁନ ସମବୁଦ୍ଧିରୂପକ ଯୋଗରେ ଯୁକ୍ତହୋଇ ଈଶ୍ୱର ପ୍ରାପ୍ତି ପାଇଁ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ଏହାସତ୍ତେ୍ୱ ଅର୍ଜୁନଙ୍କ ସଂଶୟ ଓ ବିଶାଦ ଦୂର ନହେବାରୁ ଭଗବାନ ତାଙ୍କୁ ଏ ସମ୍ପର୍କରେ ଅଧିକ ବିସ୍ତୃତ ଭାବେ ବୁଝାଇବାକୁ ଯାଇ ରାଜବିଦ୍ୟା ରାଜଗୁହ୍ୟ ଯୋଗ ସମ୍ପର୍କରେ କହିଥିଲେ ।
ରାଜବିଦ୍ୟା ରାଜଗୁହ୍ୟ ଯୋଗ ବିଷୟରେ କହିବା ପୂର୍ବରୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, “ହେ ଅର୍ଜୁନ, ତୁମପରି ଦୋଷ ଶୂନ୍ୟ ଭକ୍ତଙ୍କୁ ଏହା କହିବି, ଯାହା ଜାଣିବା ପରେ ତୁମେ ଦୁଃଖ ରୂପୀ ସଂସାରରୁ ମୁକ୍ତି ପାଇପାରିବ । ଏହି ଜ୍ଞାନ ହେଉଛି ସକଳ ଜ୍ଞାନର ରାଜା ଓ ଅତ୍ୟନ୍ତ ପବିତ୍ର, ଉତ୍ତମ, ପ୍ରତ୍ୟକ୍ଷ ଫଳ ଦାୟୀ ଏବଂ ଧର୍ମମୟ ହୋଇଥିବାରୁ ସାଧନା କରିବାରେ ଏହା ଅତ୍ୟନ୍ତ ସୁଗମ ଓ ଅବିନାଶୀ ହୋଇଥାଏ । ଏହି ଜ୍ଞାନ ବା ଧର୍ମରେ ଶ୍ରଦ୍ଧା ରଖୁନଥିବା ଲୋକମାନେ ମୋତେ ପାଇ ନପାରି ମୃତ୍ୟୁ ରୂପକ ସଂସାର ଚକ୍ରରେ ଘରି ବୁଲନ୍ତି । ସଂସାରର ସକଳ ଭୂତ ମୋ (ନିରାକାର ପରମାତ୍ମା) ଅନ୍ତର୍ଗତ ସଂକଳ୍ପ ଆଧାରରେ ସ୍ଥିତ ହୋଇ ରହିଥିଲେ ବି ମୁଁ ସେମାନଙ୍କ ମଧ୍ୟରେ ନାହିଁ, କି ସେହି ଭୂତ ସମୂହ ମୋ ଠାରେ ଅବସ୍ଥିତ ନୁହଁନ୍ତି । ମୋ ଇଶ୍ୱରୀୟ ଯୋଗ ଶକ୍ତି ସକଳ ପ୍ରାଣୀଙ୍କର ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଓ ପୋଷଣକର୍ତ୍ତା ହୋଇଥିଲେ ବି ପ୍ରକୃତରେ ମୋର ଆତ୍ମା ପ୍ରାଣୀମାନଙ୍କ ମଧ୍ୟରେ ଅବସ୍ଥିତ ନୁହେଁ ।
“ଆକାଶରୁ ଉତ୍ପନ୍ନ ଓ ସର୍ବତ୍ର ବିଚରଣ କରୁଥିବା ବାୟୁ ଯେପରି ସଦାସର୍ବଦା ଆକାଶରେ ଅବସ୍ଥିତ ହୋଇ ରହିଥାଏ ଠିକ୍ ସେହିପରି ମୋ ସଂକଳ୍ପରୁ ଉତ୍ପନ୍ନ ସମସ୍ତ ଭୂତ ମୋଠାରେ ଅବସ୍ଥିତ ହୋଇ ରହିଥାଆନ୍ତି ।”
ଏଥିସହ ଭଗବାନ ମଧ୍ୟ କହିଛନ୍ତି,
ସର୍ବଭୂତାନି କୌନ୍ତେୟ ପ୍ରକୃତିଂ ଯାନ୍ତି ମାମିକାମ ।
କଳ୍ପକ୍ଷେୟେ ପୁନସ୍ତାନି କଳ୍ପାଦୌ ବିସ୍ତୃଜାମ୍ୟହମ୍ । ।
ପ୍ରକୃତିଂ ସ୍ୱାମବଷ୍ଟଭ୍ୟ ବିସୃଜାମିପୁନଃ ପୁନଃ ।
ଭୁତଗ୍ରମମିମଂ କୃତ୍ସ୍ନମବଶଂ ପ୍ରକୃତେର୍ବର୍ଶାତ୍ । ।
ଅର୍ଥାତ ହେ କୌନ୍ତେୟ, କଳ୍ପଶେଷରେ ସକଳ ପ୍ରକୃତି ମୋ ପ୍ରକୃତି ପ୍ରାପ୍ତ ହୁଅନ୍ତି ବା ମୋ ଠାରେ ଲୀନ ହୁଅନ୍ତି ଓ କଳ୍ପ ଆରମ୍ଭରେ ସେମାନଙ୍କୁ ମୁଁ ପୁଣି ଥରେ ସୃଷ୍ଟି କରେ । ପରତନ୍ତ୍ର ହୋଇଥିବା ସମସ୍ତ ଭୂତଙ୍କୁ ସେମାନଙ୍କ କର୍ମ ଅନୁସାରେ ବାରମ୍ବାର ସୃଷ୍ଟି କରିଥାଏ ।”
ଏଥିସହ ଭଗବାନ ଅର୍ଜୁନଙ୍କୁ ଆହୁରି ମଧ୍ୟ କହିଛନ୍ତି ମୁଁ ସବୁ କର୍ମରେ ଅନାସକ୍ତ ଓ ଉଦାସୀନ(ଯେ ସମସ୍ତ କର୍ମ କତୃତ୍ତ୍ୱ ଅଭିମାନ ରହିତ ହୋଇ କରନ୍ତି) ରହିଥିବାରୁ ମୋତେ କୌଣସି କର୍ମ ବାନ୍ଧିପାରେ ନାହିଁ । ମୋ ଶକ୍ତି ଦ୍ୱାରା ପ୍ରକୃତି, ଚରାଚର ସହିତ ସମସ୍ତ ଜଗତ ସୃଷ୍ଟି ହୋଇଛି ଓ ସେହି ହେତୁ ସଂସାର ଚକ୍ର ଘୁରିଚାଲିଛି । ହେଲେ ଯୋଗମାୟା ଦ୍ୱାରା ସଂସାରର ଉଦ୍ଧାର ପାଇଁ ସାଧାରଣ ମନୁଷ୍ୟ ରୂପରେ ମୁଁ ବିଚରଣ କରୁଥିବାରୁ ମୋର ପରମ ଭାବ ଜାଣି ନଥିôବା ମୂଢ଼ ଲୋକମାନେ ମୋତେ ସାଧାରଣ ମନୁଷ୍ୟ ବୋଲି ଭାବନ୍ତି ।
ବ୍ୟର୍ଥ ଆଶା ରଖି ବ୍ୟର୍ଥ କର୍ମ କରୁଥିବା ଓ ବ୍ୟର୍ଥ ଜ୍ଞାନଯୁକ୍ତ ଅଜ୍ଞାନୀମାନେ ପରଜନ୍ମରେ ରାକ୍ଷସୀ, ଅସୁରୀ ଓ ମୋହିନୀ ପ୍ରକୃତି ଧାରଣ କରନ୍ତି । କିନ୍ତୁ ଦୈବୀ ପ୍ରକୃତିରେ ଆଶ୍ରିତ ମହାତ୍ମାମାନେ ମୋତେ ସକଳ ଭୂତଙ୍କର ସନାତନ କାରଣ ଓ ଅବିନାଶୀ ଅକ୍ଷର ସ୍ୱରୂପ ଜାଣି ଅନ୍ୟଚିତ୍ତରେ ଯୁକ୍ତ ହୋଇ ମୋତେ ନିରନ୍ତର ଭଜନ କରନ୍ତି ।