ବନ୍ଦ କର ଏ ବକୱାସ୍…
Bhubaneswar: ବନ୍ଦ କର ଏ ବକୱାସ୍ । କାରଣ ଓଡ଼ିଶାବାସୀ ଶାନ୍ତିପ୍ରିୟ, ସେମାନେ ଶାନ୍ତିରେ ରହିବାକୁ ଚାହାନ୍ତି… ଶାନ୍ତିରେ ଶୋଇବାକୁ, ଆଉ ସବୁଦିନ ପାଇଁ ଶାନ୍ତିରେ ଶୋଇବାକୁ ମଧ୍ୟ… । ବିଜୁ ବାବୁଙ୍କ ସପନ ଦେଖାଇ… ବିକାଶର ବାଜା ବଜାଇ… ଶିଳ୍ପାୟନର ଢୋଲ ପିଟି, ଓଡ଼ିଶାବାସୀଙ୍କୁ ୨୪ ବର୍ଷ ଧରି ଯଥେଷ୍ଟ Immotional Blackmail କରିଛି ନବୀନ ବାବୁଙ୍କ ବିଜେଡି । ଓଡ଼ିଶା ରାଜନୀତିକୁ ନିକଟରୁ ହେଉ ବା ଦୂରରୁ ଥାଇ ଯଦି କେହି ତୃତୀୟ ନେତ୍ରରେ ଦେଖିଥିବେ, ସେ ଜାଣିଥିବେ ବା ହୃଦବୋଧ କରିଥିବେ, ବିଜେଡି ସୁପ୍ରିମୋ ନବୀନ ବାବୁ କେବେଠାରୁ ତାଙ୍କ ନିଜତ୍ବ ହରାଇ ସାରିଛନ୍ତି, ତାହା ବୋଧହୁଏ ସେ ନିଶ୍ଚୟ ଜାଣିଥିବେ… । ବୋଧ ହୁଏ, Good Officer ଜଣକ ଯେବେଠାରୁ ତାଙ୍କ ଛାଇ ହୋଇଯାଇ ଥିଲେ, ବୋଧ ହୁଏ ୨୦୧୧ରୁ…
୨୦୧୧ ପୂର୍ବରୁ ନବୀନ ବାବୁଙ୍କ ନିରବ Observationର ନିଷ୍ପତ୍ତି, ଅନେକ କିଛି ସ୍ପଷ୍ଟ କରି ଦେଉଥିଲା । କଥାରେ ନୁହେଁ କି ଅଭିଯୋଗ ପାଇବା ପରେ ପରେ ନୁହେଁ, Silently ଅନେକ କିଛି Observe କରିବା ପରେ ନିଜ ବିବେକାନୁମୋଦିତ ନିଷ୍ପତ୍ତି ନେଉଥିଲେ, ଆଉ ନିର୍ଦ୍ଦେଶ ଦେଉଥିଲେ ମଧ୍ୟ । କିନ୍ତୁ ୨୦୧୧ ପରଠାରୁ ତାହା କ୍ରମାଗତ ଭାବେ କମି କମି ଶୂନରେ ପହଞ୍ଚି ସାରିଛି । କେନ୍ଦ୍ରରେ ବିଜେପି ସରକାରର ପ୍ରତିଟି ନିଷ୍ପତ୍ତିକୁ ଯଦି ରାଜ୍ୟର ସେତେବେଳର ବିଜେଡି ନେତୃତ୍ବାଧୀନ ସରକାରର ନିଷ୍ପତ୍ତି ସହ ତୁଳନା କରାଯାଏ, ତେବେ ଦୁଇ ଦଳ ମଧ୍ୟରେ ଯେ, ଜାତକ ରାଜ ଯୋଟକ ପଡ଼ିଛି, ତାହା କହିଲେ ଅତ୍ୟୁକ୍ତି ହେବ ନାହିଁ ।
କିନ୍ତୁ ଏବେ ବିଜେଡି ଖବରରେ… ବିଜେଡିର ଅସ୍ତିତ୍ବ ନେଇ ସବୁଠି ଚର୍ଚ୍ଚା ଚାଲିଛି… କାହିଁକି, କଣ ହୋଇଛି କି ବିଜେଡିର ! ବିଜେଡି Brain Dead ଅବସ୍ଥାରେ ନା Vegetative Stateରେ !! Vegetative Stateରେ ପୂର୍ବାବସ୍ଥାକୁ ଫେରିବାର ସମ୍ଭାବନା ଥାଏ, କିନ୍ତୁ Brain Deadରେ ନଥାଏ…
୨୦୧୪ରୁ ବିଜେପି ସହ ଭିତିରିଆ ଅତି-ମିତ୍ରତା ସ୍ଥାପନ କରିଥିବା ବିଜେଡି କିଛି କମ କଳାକାର ନଥିଲା । ଦରକାର ପଡ଼ିଲେ, ୨୦୧୪ ପରଠାରୁ କେନ୍ଦ୍ରର ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାରର ପ୍ରତିଟି ନିଷ୍ପତ୍ତି ଉପରେ ଗୋଟି ଗୋଟି କରି ବିଶ୍ଳେଷଣ କରାଯାଇ ପାରିବ । ୨୦୧୪ରୁ ସାମ୍ବାଦିକତା, ସମ୍ପୂର୍ଣ୍ଣ ରୂପେ ‘ସାମ୍ବାଧିକତା’କୁ ରୁପାନ୍ତରିତ ହୋଇ ସାରିଥିବାରୁ ଓଡ଼ିଶାବାସୀ ପ୍ରକୃତ ଖବର କଣ, ପ୍ରକୃତରେ ରାଜ୍ୟ ରାଜନୀତି କେମିତି ଚାଲିଛି, ତାହା ଜାଣିପାରି ନାହାନ୍ତି । ଖାସ୍, ସେସବୁର ତ୍ରୁଟିକୁ ଲୋକଲୋଚନକୁ ଆଣିବାକୁ ବୋଧହୁଏ, ୱାକଫ୍ ବୋର୍ଡ ସଂଶୋଧନ ବିଲ୍, ଏବେ ଆବିର୍ଭାବ ହୋଇଛି ।
ନବୀନ ବାବୁ, ଦୟାକରି କହିବେ କି ୱାକଫ୍ ବୋର୍ଡ ସଂଶୋଧନ ବିଲ୍ ଉପରେ କାହିଁକି ବିଜେଡି ୩ ଦିନରେ ୩ ଥର ନିଷ୍ପତ୍ତି ବଦଳାଇଲା ?
କାହିଁକି ମୁନ୍ନା ଖାନଙ୍କୁ ମୋହରା କରି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇଲା ?
ଲୋକସଭା ପରେ ଗତ ୪ ତାରିଖରେ ବିଲକୁ ମିଳିଲା ରାଜ୍ୟସଭାର ଅନୁମୋଦନ । ବିଜେଡିର ରାଜ୍ୟସଭା ସଦସ୍ୟମାନେ, ସସ୍ମିତ ପାତ୍ରଙ୍କ ନିର୍ଦ୍ଦେଶର ଅନୁପାଳନ କରି ନିଜ ବିବେକ ଅନୁସାରେ ଭୋଟ ଦେଲେ…
କିନ୍ତୁ ୪ ଦିନ ପର୍ଯ୍ୟନ୍ତ ଆପଣ ଚୁପ ଥିଲେ…
ମୁନ୍ନା ଖାନ ବି ୪ ଦିନ ଯାଏ ଗଣମାଧ୍ୟମ ଆଗରେ ମୁହଁ ଖୋଲି ନଥିଲେ… ଚାହିଁଥିଲେ ସେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ ଡାକି କହିପାରିଥାନ୍ତେ ।
କିନ୍ତୁ ଓଡ଼ିଶା ଫେରି ଏମିତି ବିଳମ୍ବିତ ସଫେଇ ଦେବାର କାରଣ କଣ ହୋଇପାରେ ?
କାହିଁକି ରାଜ୍ୟର ରାଜଧାନୀରୁ ରାଜ୍ୟବାସୀଙ୍କୁ ଏ ମେସେଜ୍ ଗଲା ଯେ, ବିଜେଡି ଦୁଇ ଫାଳ ବୋଲି ?
ବିଜେଡିକୁ ନେଇ ରାଜ୍ୟ ରାଜନୀତି ଉଠପଡ଼ ହେବା ପରେ ଯାଇ ନବୀନ ବାବୁ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତାଙ୍କୁ ଗଣମାଧ୍ୟମ ଫ୍ରେମରେ ଦେଖିବାକୁ ମିଳୁଛି ।
ତେଣୁ ଏଭଳି ସ୍ଥିତିରେ ଓଡ଼ିଶାବାସୀ ସନ୍ଦେହ ନକରିବାକୁ, ସନ୍ଦେହର ଅବକାଶ ରହୁଛି କେଉଁଠି ?
ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ବଢ଼ିଥିବା ଅଭିଯୋଗ କରି, ଏହାରି ଭିତରେ କଂଗ୍ରେସ ବହେ ରାଜନୀତି କରିସାରିଛି । ଛାପା ଗଣମାଧ୍ୟମର ପ୍ରଥମ ପୃଷ୍ଠା ଏବଂ ବୈଦ୍ୟୁତିକ ଗଣମାଧ୍ୟମର ପ୍ରଥମ ସେଗମେଣ୍ଟ ଦଖଲ କରି ନେଇଛି କଂଗ୍ରେସ । ଏହି ପ୍ରସଙ୍ଗରେ ରାଜ୍ୟ କଂଗ୍ରେସ ପ୍ରତି ବିଜେଡିର ପ୍ରଚ୍ଛଦ୍ଦ ସମର୍ଥନ କାହାକୁ ଅଛପା ନାହିଁ ।
କିନ୍ତୁ ବିରୋଧୀ ଦଳ ନେତା ହିସାବରେ ଆପଣଙ୍କ ମୁହଁରୁ, ଏ ପ୍ରସଙ୍ଗରେ ଏଯାଏ କିଛି ବାହାରି ନାହି… ଯାହା ସନ୍ଦେହକୁ ଅଧିକ ଦୃଢ଼ୀଭୂତ କରୁଛି ।
ପ୍ରକୃତରେ ୱାକଫ୍ ବୋର୍ଡ ସଂଶୋଧନ ବିଲ୍ ଉପରେ, ଆପଣଙ୍କ ଦଳର ରାଜ୍ୟସଭା ସଦସ୍ୟମାନେ ନେଇଥିବା ନିଷ୍ପତ୍ତିକୁ ଆପଣ, ବିଜେଡିର ସୁପ୍ରିମୋ ହିସାବରେ କେଉଁ ଦୃଷ୍ଟିରେ ଦେଖୁଛନ୍ତି ?
ଆପଣ ଦଳର ମୁଖିଆ ଥାଉ ଥାଉ, ଏମିତି ଦଳୀୟ ନିଷ୍ପତ୍ତି ନେଲା କିଏ ?
କାହିଁକି ଓଡ଼ିଶାବାସୀ ଏଯାଏ ଜାଣିପାରିଲେ ନାହିଁ, ୨୦୨୪ ନିର୍ବାଚନରେ ଓଡ଼ିଶାରେ ନବୀନ ପଟ୍ଟନାୟକ ନେତୃତ୍ବାଧୀନ ବିଜେଡି ସରକାରର ପରାଜୟର କାରଣ ?
ଏବେ କିଏ କାହାକୁ କହିବ, ‘ଆପଣମାନେ ଖୁସି ତ’… ନା, ସେମାନେ କହିବେ, ‘ଆପଣ ଖୁସିରେ ଅଛନ୍ତି ତ’… ଏବେ କିଏ କାହାର ହେବ ଫ୍ୟାନ୍ !!!
କିନ୍ତୁ ନିର୍ବାଚନରେ ପରାଜୟ ପରେ ପରେ ଏକ ଜାତୀୟ ଖବର ସରବରାହ ସଂସ୍ଥାକୁ ଆପଣ, ପରାଜୟର କାରଣ ସଂକ୍ରାନ୍ତ ପ୍ରଶ୍ନରେ He is a good officerଙ୍କ କଥା କହିଛନ୍ତି…
ସଂପୃକ୍ତ Good officer କେବେଠାରୁ ଚାକିରିରୁ ଅବସର ନେଇସାରି ଥିବା ବେଳେ, ରାଜ୍ୟରେ ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରି ସାରିଛନ୍ତି ।
କିନ୍ତୁ କିଛିଦିନ ତଳେ ଆପଣ ସେହି Good officerଙ୍କ ସହ ଦିଲ୍ଲୀ ଯାଇଥିଲେ । ଦିଲ୍ଲୀରୁ ଆଉ କେଉଁଆଡ଼େ ଯାଇନାହାନ୍ତି ତ !
ଜଣେ ଚାକିରିରୁ ଅବସର ନେଇ ସାରିଥିବା ଏବଂ ରାଜନୀତିରୁ ସନ୍ନ୍ୟାସ ନେଇ ସାରିଥିବା ବ୍ୟକ୍ତିଙ୍କ ସହ ଆପଣଙ୍କର କି ସମ୍ପର୍କ ରହିଛି ? ବ୍ୟକ୍ତିଗତ ନା ଦଳୀୟ ନା ଏହା ବାଧ୍ୟବାଧକତା !!!
ୱାକଫ୍ ବୋର୍ଡ ସଂଶୋଧନ ବିଲକୁ ନେଇ ବିଜେଡି ଦି-ଫାଳ ସଂକ୍ରାନ୍ତ ଖବର ଟବଟବ ହୋଇ ଫୁଟୁଥିବା ବେଳେ, ଆପଣଙ୍କ ଦଳର ଜଣେ ନିର୍ଦ୍ଦିଷ୍ଟ ନେତା, ସଂପୃକ୍ତ Good officerଙ୍କ ଉପରକୁ ଅଙ୍ଗୁଳି ଉଠାଇଛନ୍ତି … ଆଉ ସଙ୍ଗେ ସଙ୍ଗେ ନହେଲେ ବି ତା ପର ଦିନ, ଆପଣଙ୍କ ଦଳର ଥାକେ ନେତାଏ, ସଂପୃକ୍ତ Good officerଙ୍କ ସପକ୍ଷରେ ବାହାରିଛନ୍ତି …
କାହିଁକି ଜଣେ ଅବସରପ୍ରାପ୍ତ Good officer ତଥା ରାଜନୀତିରୁ ସନ୍ନ୍ୟାସ ନେଇ ସାରିଥିବା ବ୍ୟକ୍ତିଙ୍କ ପାଇଁ ଏମିତି ଚିହିଁକି ଉଠିଛନ୍ତି, ଆପଣଙ୍କ ଦଳର ଏ ଥାକକ ନେତାଏ ?
ସତରେ ବିଜେଡିର ଏହି Criss-Cross Politicsକୁ କେମିତି ବା ଜଣେ ସରଳ ଓଡ଼ିଆ ବୁଝିପାରିବ !!!
ନବୀନ ବାବୁ, ଆପଣ ଦୟାକରି କୁହନ୍ତୁ ନା… ବିଜେଡିର ହେଇଛି କଣ ? କାହିଁକି ବିଜେଡିରେ ଏଭଳି ସ୍ଥିତି ? ସତରେ, ବିଜେଡି ଆଉ ଅଛି ନା ଖାଲି ଖୋଳଟା ପଡ଼ିଛି !!!