କେନ୍ଦ୍ରାପଡ଼ାର ପଶ୍ଚିମବଙ୍ଗ ଲିଙ୍କ: ସ୍ଥଳ ପଥ ସିଲ, ଜଳପଥ ମେଲା, ଆତଙ୍କିତ ଲୋକେ

କେନ୍ଦ୍ରାପଡ଼ା,(ପ୍ରଦୀପ କୁମାର ଜେନା) :କେନ୍ଦ୍ରାପଡ଼ା ଜିଲ୍ଲାର ପଶ୍ଚିମବଙ୍ଗ ରାଜଧାନୀ କୋଲକାତା ଓ ବଙ୍ଗଲାଦେଶ ସହିତ ବର୍ଷ ବର୍ଷ ଧରି ଘନିଷ୍ଠ ସମ୍ପର୍କ ରହିଆସିଛି । ଜିଲ୍ଲାର ବହୁ ସଂଖ୍ୟକ ଲୋକ କଲିକତାରେ ରହି ଜୀବୀକା ନିର୍ବାହ କରନ୍ତି ଓ ଅନେକ ଲୋକଙ୍କର କଲିକତା ସହ ବ୍ୟବସାୟିକ ସମ୍ପର୍କ ରହିଛି । ସେହି ଦୃଷ୍ଟିରୁ ଜିଲ୍ଲାର ଅନେକ ଲୋକ ନିୟମୀତ ଭାବେ କଲିକତା ଯାଆଆସ କରନ୍ତି । ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ଉଗ୍ରରୂପ ଧାରଣ କରିଛି ଓ ରାଜନଗରରୁ ଜଣେ ଯୁବତୀ କଲିକତାରୁ କରୋନା ସଂକ୍ରମିତ ହୋଇ ଓଡ଼ିଶା ଫେରିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ କଳିକତାରୁ ଜିଲ୍ଲାକୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ଜିଲ୍ଲାର ଅନେକ ସଡ଼କ ପଥକୁ ସିଲ କରାଯାଇଛି । ହେଲେ ଜିଲ୍ଲାର ଜଳପଥ ପୂର୍ବ ପରି ଖୋଲା ମେଲା ରହିଛି । ଜଳପଥ ଦେଇ କଲିକତା ବା ପଶ୍ଚିମବଙ୍ଗରୁ ଜିଲ୍ଲା ଭିତରକୁ କେହି କରୋନା ସଂକ୍ରମିତ ପ୍ରବେଶ କଲେ ତାଙ୍କୁ ଚିହ୍ନଟ କରିବା ଅତି କଷ୍ଟସାଧ୍ୟ ବ୍ୟାପାର ।

ଜିଲ୍ଲାର ରାଜନଗର, ମହାକଳପଡ଼ା ଓ ପଟାମୁଣ୍ଡାଇ ବ୍ଲକରେ ବହୁସଂଖ୍ୟକ ବଙ୍ଗଭାଷୀ ବସବାସ କରୁଛନ୍ତି । ଏହି ବଙ୍ଗଭାଷୀମାନେ ମୁଖ୍ୟତଃ ଯନ୍ତ୍ରଚାଳିତ ଡଙ୍ଗା(ଭୁଟଭୁଟି) ଯୋଗେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶକୁ ଯାତାୟତ କରନ୍ତି । ଜିଲ୍ଲାରେ ବାସ କରୁଥିବା ବଙ୍ଗଭାଷୀମାନେ କଲିକତା ସମେତ ପଶ୍ଚିମବଙ୍ଗଳା ଓ ବାଙ୍ଗଲାଦେଶରୁ ବିଭିନ୍ନ ସାମଗ୍ରୀ ଡଙ୍ଗା ଯୋଗେ ଆଣି ଜିଲ୍ଲାରେ ବିକ୍ରି କରିବା ସହିତ ଜିଲ୍ଲାରୁ ମାଛ, କଙ୍କଡ଼ା ସହ ଅନ୍ୟାନ୍ୟ ସାମଗ୍ରୀ ନେଇ କଲିକତା ସମେତ ବଶ୍ଚିମବଙ୍ଗଳାର ବିଭିନ୍ନ ସ୍ଥାନରେ ବିକ୍ରି କରନ୍ତି । ଏପରିକି ଏମାନଙ୍କର ବାଙ୍ଗଲାଦେଶ ସହିତ ମଧ୍ୟ ବ୍ୟବସାୟିକ ସମ୍ପର୍କ ରହିଥିବା ଏକ ଜଣାଶୁଣା କଥା । ସମୁଦ୍ର ଓ ନଦୀମାନଙ୍କରୁ ମାଛ ଧରିବା ଜିଲ୍ଲାର ଉପକୂଳରେ ବାସ କରୁଥିବା ବଙ୍ଗଭାଷୀଙ୍କର ମୁଖ୍ୟ ବେଉସା । ଏଥିସହ ଏମାନେ ଉପକୂଳରେ ମଧ୍ୟ ବହୁ ସଂଖ୍ୟକ ଚିଙ୍ଗୁଡ଼ି ଘେରି ନିର୍ମାଣ କରି ବ୍ୟବସାୟ କରୁଛନ୍ତି । ଏମାନେ ଧରୁଥିବା ମାଛ ଓ ଚିଙ୍ଗୁଡ଼ି ମୁଖ୍ୟତଃ କଲିକତା ବଜାରେ ବିକ୍ରି ହୋଇଥାଏ । ତେଣୁ ଏହି ବଙ୍ଗଭାଷୀମାନେ ଡଙ୍ଗା ଯୋଗେ ନିୟମୀତ ଭାବେ କଲିକତାକୁ ଯାତାୟତ କରନ୍ତି ।

ସେହିପରି ଅନେକ ବଙ୍ଗଭାଷୀଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ରହିଥିବା ସହ ପଶ୍ଚିମବଙ୍ଗଳାର ମେଦିନାପୁର ସମେତ ଅନ୍ୟାନ୍ୟ ସ୍ଥାନରେ ରହିଛି । ଅନେକ ବଙ୍ଗଭାଷୀଙ୍କର ପଶ୍ଚିମବଙ୍ଗଳା ସହିତ ବୈବାହିକ ଓ ପାରିବାରିକ ସମ୍ପର୍କ ମଧ୍ୟ ଅଛି । ତେଣୁ କଲିକତା ଓ ପଶ୍ଚିମବଙ୍ଗରୁ ଯେ କୌଣସି ସମୟରେ କରୋନା ସଂକ୍ରମୀତ କେନ୍ଦ୍ରାପଡ଼ା ଜିଲ୍ଲାକୁ ପଶିଆସି ଅନ୍ୟମାନଙ୍କୁ ସଂକ୍ରମୀତ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଜିଲ୍ଲାର ମୁଖ୍ୟ ରାସ୍ତା ଗୁଡ଼ିକ ଉପରେ ନଜର ରଖାଯାଇଥିଲେ ବି ଜିଲ୍ଲାରେ ମାତ୍ର ୨ଟି ସାମୁଦ୍ରିକ ଥାନା ଥିବାରୁ ସମୁଦ୍ର ପଥ ଦେଇ କିଏ କେତେବେଳେ ଜିଲ୍ଲା ଭିତରକୁ ପଶିବ ତାହା ଜାଣିବା ମୁସ୍କିଲ ।

ଜିଲ୍ଲାର ପଟାମୁଣ୍ଡାଇ, ଆଳି, ରାଜକନିକା ଓ ରାଜନଗର ଅଂଚଳର ସୀମା ଯାଜପୁର ଓ ଭଦ୍ରକ ଜିଲ୍ଲାକୁ ଲାଗିଛି । ପଟାମୁଣ୍ଡାଇ, ଆଳି, ରାଜକନିକା, ରାଜନଗର ଅଂଚଳ ଲୋକେ ସଡ଼କ ପଥ, ବିଭିନ୍ନ ଗଳି ରାସ୍ତା ଓ ଡଙ୍ଗା ଦ୍ୱାରା ବିଭିନ୍ନ ନଦୀ ପାର ହୋଇ ଯାଜପୁର, ଭଦ୍ରକ ଜିଲ୍ଲାକୁ ଯାତାୟତ କରନ୍ତି ଓ ଯାଜପୁର ଓ ଭଦ୍ରକ ଜିଲ୍ଲାର ଲୋକେ ମଧ୍ୟ ସେହିପରି ଭାବେ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆସନ୍ତି । ଜିଲ୍ଲାର ଉପକୂଳ ଅଂଚଳରୁ କଲିକତା, ଦୀଘା, କାନ୍ଥୀ ଆଦି ସ୍ଥାନକୁ ନିୟମୀତ ବସ ଯାତାୟତ କରେ । କିନ୍ତୁ କରୋନା ସଂକ୍ରମଣ ଯୋଗୁ ଏବେ ପଶ୍ଚିମବଙ୍ଗଳାକୁ ବସ ଯାତାୟତ ବନ୍ଦ ଥିଲେ ବି ବଙ୍ଗଭାଷୀମାନେ ବିଭିନ୍ନ ଗଳି ରାସ୍ତା ଓ ଜଳପଥ ଦେଇ ବାଇକ ଯୋଗେ କଲିକତା ସମେତ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।

କିଛି ଦିନ ପୂର୍ବେ ମହାକଳାପଡ଼ା ବ୍ଲକର ପିତାପଟ ଗାଁକୁ ୫ ଜଣ ବାଙ୍ଗଲାଦେଶୀ ଆସି ରହୁଥିବା ଜଣାପଡ଼ିବା ପରେ ଗାଁ ଲୋକେ ତାଙ୍କୁ ଧରି ପୁଲିସ ଜିମା ଦେଇଥିଲେ । ଏହାଛଡ଼ା ପଶ୍ଚିମବଙ୍ଗଳା ଓ ବାଙ୍ଗଲାଦେଶର ମତ୍ସ୍ୟଜୀବୀମାନେ ଉପକୂଳରେ ରହୁଥିବା ବଙ୍ଗଭାଷୀଙ୍କ ସହାୟତାରେ କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳରେ ଟ୍ରଲର ଯୋଗେ ମାଛଧରୁଥିବା କୁହାଯାଉଛି । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ଜଗତସିଂହପୁର ଜିଲ୍ଲାକୁ ଲାଗିଛି ଓ ପାରାଦ୍ୱୀପ ସହିତ ଉପକୂଳରେ ରହୁଥିବା ବଙ୍ଗଭାଷୀଙ୍କ ସମ୍ପର୍କ ଅତି ନିବିଡ଼ । ପଶ୍ଚିମ ବଙ୍ଗଳାରୁ କୌଣସି ବ୍ୟକ୍ତି ଭୁଟଭୁଟି ଯୋଗେ ପାରାଦ୍ୱୀପ ଆସି ସହଜରେ ଜିଲ୍ଲାକୁ ପ୍ରବେଶ କରିପାରିବ । ଜିଲ୍ଲାର ଭୌଗଳିକ ସୀମା ଏହିପରି ଥିବାରୁ ପଶ୍ଚିମବଙ୍ଗଳା ବା ବାଙ୍ଗଲାଦେଶରୁ ଯେ କୌଣସି ବ୍ୟକ୍ତି ସହଜରେ ପ୍ରବେଶ କରିବାର ସମ୍ଭାନା ରହିଛି । ଅପରପକ୍ଷରେ କରୋନା ସଂକ୍ରମଣର ଲକ୍ଷଣ ସହଜରେ ଜଣାପଡ଼ୁ ନଥିବାରୁ ଜଣେ ସଂକ୍ରମିତ ତା’ର ଅଜାଣତରେ ସଂକ୍ରମଣକୁ ବାଂଟି ଚାଲୁଥିବା ଗତ କିଛି ଦିନ ମଧ୍ୟରେ ଜଣାପଡ଼ିଛି । ତେଣୁ ଯଦି ଜଣେ କରୋନା ସଂକ୍ରମିତ ବ୍ୟକ୍ତି ଜିଲ୍ଲା ଭିତରକୁ କୌଣସି ରାସ୍ତା ଦେଇ ଚାଲିଆସେ ତେବେ ସେ ତା’ର ଅଜାଣତରେ ହଜାର ହଜାର ଲୋକଙ୍କୁ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ କରିବାର ଆଶଙ୍କା ରହିଛି ।

ଏହି ଆଶଙ୍କାରେ ଏବେ ଜିଲ୍ଲାବାସୀ ଆତଙ୍କିତ ହୋଇ ରହିବା ସହ ଜିଲ୍ଲାର ସୀମାକୁ ଲାଗିଥିବା ସମସ୍ତ ଗଳିରାସ୍ତା, ନଦୀ ଘାଟ ଓ ସମୁଦ୍ର ପଥ ଉପରେ ନଜର ରଖାଯିବାକୁ ଦାବି ହେଉଛି ।

ଏବେସୁଦ୍ଧା କଲିକତାରୁ କେନ୍ଦ୍ରାପଡ଼ା ଜିଲ୍ଲାକୁ ୯୧୩ ଜଣ ଫେରିଥିବା ପଞ୍ଜିକୃତ ହୋଇଛି ଓ ତାଙ୍କ ମଧ୍ୟରୁ ୨୬ ଜଣଙ୍କର ରକ୍ତ ଓ ସ୍ୱାବ ନମୁନା ପରୀକ୍ଷା କରାଯାଇଛି ଏବଂ ସମସ୍ତ ରିପୋର୍ଟ ନେଗେଟିଭ ଆସିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *