ଭିଭିପ୍ୟାଟ୍ ତ୍ରୁଟି: ଦେବଗଡ଼ର ୧୮୩ ନମ୍ବର ବୁଥରେ ପୁଣି ନିର୍ବାଚନ ସୁପାରିସି
ସମ୍ବଲପୁର ଲୋକସଭା ମଣ୍ଡଳୀ ତଥା ଦେବଗଡ଼ ବିଧାନସଭା ମଣ୍ଡଳୀର ୧୮୩ ନମ୍ବର ବୁଥରେ ପୁଣିଥରେ ଭୋଟ୍ ପାଇଁ ନିର୍ବାଚନ ଅଧିକାରୀ ସୁପାରିସି କରିବେ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ବୁଥରେ ଭୋଟ୍ଦାନ ପ୍ରକ୍ରିୟାକୁ ବନ୍ଦ ରଖାଯାଇଛି। ଭିଭିପ୍ୟାଟ୍ ତ୍ରୁଟି ହେତୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ସେ କହିଛନ୍ତି।
ସକାଳୁ ସକାଳୁ ସ୍ଵଭାବିକ ଭାବେ ଏହି ବୁଥରେ ଭୋଟ୍ ଦାନ କାର୍ଯ୍ୟ ଆରମ୍ଭ ହୋଇଥଥିଲା। ଭୋଟର ସେମାନଙ୍କ ପରିଚୟ ପତ୍ର ଦେଖାଇ ଭୋଟ୍ ଦାନ କରିଥିଲେ। ୧୪୩ ଖଣ୍ଡ ଭୋଟ୍ ଗ୍ରହଣ ହେବା ପରେ ଯାଇ ଇଭିଏମ୍ରେ ତ୍ରୁଟି ଦେଖାଯାଇଥିଲା। ଏହାପରେ ଭୋଟ୍ ଗ୍ରହଣକୁ ସାମୟିକ ବନ୍ଦ କରାଯାଇ ନିର୍ଦ୍ଧାରିତ ଅଧିକାରୀଙ୍କ ସହଯୋଗରେ ଭିଭି ପ୍ୟାଟ୍ ବଦଳାଯାଇଥିଲା। କିନ୍ତୁ ଏହି ଭିଭିପ୍ୟାଟ୍ ମସିନ୍ ଭୁଲ୍ ସଙ୍କେତ ଦେଉଥିବା ନେଇ ଜଣେ ଭୋଟର ଅଭିଯୋଗ କଲେ। ସେତେବେଳକୁ ୭୦ ଖଣ୍ଡ ଭୋଟ୍ ଗ୍ରହଣ ସରିଥିଲା। ଅଭିଯୋଗ ପାଇବା ପରେ ଏହାକୁ ନିର୍ଦ୍ଧାରିତ ଅଧିକାରୀି ଯାଞ୍ଚ କରିଥିଲେ ଏବଂ ପରୀକ୍ଷଣ ଭୋଟ କରିଥିଲେ। ଏହି ପରୀକ୍ଷଣ ଭୋଟ୍ ସମୟରେ ଅଭିଯୋଗ ସତ୍ୟ ପ୍ରମାଣିତ ହେବାରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶରେ ଏଠାରେ ଭୋଟ୍ ଗ୍ରହଣକୁ ମୁଲତବୀ କରାଯାଇଛି।