ଇଭିଏମ-ଭିଭିପଟ ମେଳ ଯୋଗୁ ୪ ଘଣ୍ଟା ଡେରିରେ ଆସିବ ନିର୍ବାଚନ ଫଳ
ଆଉ ଦିନକ ପରେ ଦେଶରେ ଅନୁଷ୍ଠିତ ହେବ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ। ଚଳିତ ଥର ଅନ୍ୟୂନ ୭ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ଏଥର ନିର୍ବାଚନ ଫଳ ବାହାରିବାରେ ଅତିରିକ୍ତ ୪ ଘଣ୍ଟା ବିଳମ୍ୱ ହେବାର ଆଶଙ୍କା ରହିଛ।
ସୋମବାର ସୁପ୍ରିମକୋର୍ଟ ନିର୍ବାଚନ କମିଶନକୁ ପ୍ରତ୍ୟେକ ବିଧାନସଭାର ୫ଟି ମତଦାନ କେନ୍ଦ୍ରରେ ଇଭିଏମର ଭିଭିପଟ ସ୍ଲିପ ସହ ମେଳ କରିବାକୁ ନିର୍ଦ୍ଦେଶ ଦେବା ପରେ ଫଳାଫଳ ପ୍ରକାଶନରେ ୪ ଘଣ୍ଟା ବିଳମ୍ୱ ହେବ ବୋଲି ଆକଳନ କରାଯାଉଛି। ପୂର୍ବରୁ ବିଧାନସଭା ନିର୍ବାଚନରେ ଇଭିଏମ-ଭିଭିପଟର ମେଳ କରାଯାଉଥିବାବେଳେ ଏବେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ମଧ୍ୟ ଏହା ଲାଗୁ ହେବ।
ଲୋକସଭା ନିର୍ବାଚନ ପାଇଁ ଦେଶରେ ୧୦.୩୫ଲକ୍ଷ ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଥିବା ବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅନ୍ୟୂନ ୨୦,୬୦୦ଟି କେନ୍ଦ୍ରରେ ଏବେ ଇଭିଏମ ସହ ଭିଭିପଟ ସ୍ଲିପଗୁଡିକର ମେଳ ହେବ।
ପ୍ରକାଶ ଥାଉ କି, ଇଭିଏମ-ଭିଭିପଟ ମେଳ ସଂଖ୍ୟାକୁ ୫୦% ବୃଦ୍ଧି କରିବା ପାଇଁ ଅନ୍ୟୂନ ୨୧ଟି ବିରୋଧୀ ଦଳ କରିଥିବା ଆବେଦନକୁ ନିର୍ବାଚନ କମିଶନ ବିରୋଧ କରିଥିଲେ। ଏପରି ହେଲେ ଅଧିକ ମାନବ ସମ୍ୱଳ ଆବଶ୍ୟକ ବୋଲି ନିର୍ବାଚନ କମିଶନ କହିବା ସହ ନିର୍ବାଚନ ଫଳାଫଳ ବାହାରିବା ୬ ଦିନ ବିଳମ୍ୱ ହେବ ବୋଲି ନିର୍ବାଚନ କମିଶନ କହିଥିଲେ। ଇସିର ଏହି ଆକଳନ ଅନୁସାରେ, ଏବେ ଇଭିଏମ-ଭିଭିପଟ ମେଳ ୫% ବୃଦ୍ଧି ପାଇଥିବାରୁ ନିର୍ବାଚନ ଫଳାଫଳ ବାହାରିବାକୁ ୪ ଘଣ୍ଟା ବିଳମ୍ୱ ହେବ ବୋଲି କୁହାଯାଉଛି।