ଓଡିଆଙ୍କୁ କାଙ୍ଗାଳ କରିବାକୁ ତିନି ଦଳର ପ୍ରତିଯୋଗୀତା

ନିର୍ବାଚନରେ ନିଜର ରାଜନୈତିକ ଫାଇଦା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ଏବେ ଓଡିଶାବାସୀଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ କାଙ୍ଗାଳ କରିବାକୁ ଯାଉଛନ୍ତି। ଖାଲି କାଙ୍ଗାଳ ନୁହେଁ କର୍ମ କୋଢିଆ ବି କରିଦେବେ। ଏବେ ଠାରୁ ଯଦି ଓଡିଆମାନେ ସଚେତନ ନହେବେ ତାହେଲେ ପରବର୍ତ୍ତୀ ପୀଢି ଭିକ ମାଗିଲେ ବି ସେମାନଙ୍କୁ କେହି ମୁଠାଏ ଦାନା ଦେବେନି।

ଆଗାମୀ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ଯେଭଳି ଗୋଟିଏ ପରେ ଗୋଟିଏ ଘୋଷଣା କରୁଛନ୍ତି; ତାହାକୁ ଦେଖି ଏତେ ବଡ ମର୍ମସ୍ପର୍ଶୀ କଥା ଏଠି ଏଥିପାଇଁ କହିବାକୁ ପଡୁଛି। ରାଜ୍ୟରେ ପ୍ରାୟ ୨୦ବର୍ଷ ଧରି ଶାସନ କରୁଥିବା ବିଜେଡି ଦଳ ଭୋଟ ପାଇବା ପାଇଁ ନିଜର ସଫଳତାର ଡିଣ୍ଡିମ ପିଟିବା ବଦଳରେ ବିଭିନ୍ନ ଯୋଜନା କରି ଲୋକଙ୍କୁ ଟଙ୍କା ବାଣ୍ଟିବାରେ ଲାଗିଛି। ଖାଲି ଟଙ୍କା ନୁହେଁ ଟଙ୍କିକିଆ ଚାଉଳଠାରୁ ଆରମ୍ଭ କରି ମାଗଣା ବିଦ୍ୟୁତ୍ ବଲ‍୍‌ବ, ପିଲାଙ୍କୁ ଜୋତା ଆଦି ବି ଦେଉଛି। କେବଳ ସେତିକି ନୁହେଁ ପିଲା ପେଟରେ ରହିବାଠାରୁ ଆରମ୍ଭ କରି ମଲାପରେ ମଶାଣୀ ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏହା କେବଳ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ବୋଲି ସମସ୍ତେ ଜାଣିଛନ୍ତି। ଜାଣିବା ପରେ ବି ଲୋକମାନେ ସଚେତନ ହେବା ପରିବର୍ତ୍ତେ ସରକାରୀ ସହାୟତା ନେବାକୁ ପ୍ରତିଯୋଗୀତା କରିବାକୁ ପଛାଉନାହାନ୍ତି। ଓଡିଆମାନେ ମାଗଣା ଖାଇବାରେ ଏଭଳି ଅଭ୍ୟସ୍ତ ହୋଇଗଲେଣି ଯେ ଯାହା କିଛି ମିଳିଗଲେ ନିଜକୁ ଧନ୍ୟ ମନେ କରୁଛନ୍ତି। ଯଦି କିଏ ପଚାରୁଛି ତେବେ ସିଏ ନେଲା ମୁଁ କାହିଁକି ନନେବି ବୋଲି କହି ଅଲାଜୁକଙ୍କ ଭଳି ଯୁକ୍ତି କରୁଛନ୍ତି।

ବିଜେଡି ଏଭଳି ବଣ୍ଟାକୁଣ୍ଟାରେ ମାତିଥିବାବେଳେ ଏବେ ରାଜ୍ୟର ଋଣଭାର ହୁ ହୁ ହୋଇ ବଢିବାରେ ଲାଗିଛି। ଅଗାମୀ ୨୦୨୦ ମାର୍ଚ୍ଚ ବେଳକୁ ଏହା ଲକ୍ଷେ କୋଟି ଟଙ୍କାକୁ ଟପିଯିବ ବୋଲି ଖୋଦ‍୍‌ ଅର୍ଥମନ୍ତ୍ରୀ କହିଲେଣି। ଓଡିଶା ସରକାର ପ୍ରତିମାସ ଖୋଲା ବଜାରରୁ ପ୍ରଚୁର ଋଣ କରୁଛନ୍ତି। ଅର୍ଥଶାସ୍ତ୍ରୀଙ୍କ ମତରେ ଖୋଲା ବଜାରରୁ ଋଣ କରିବା ବିପଦକୁ ନିମନ୍ତ୍ରଣ ସଦୃଶ। ଗୋଟିଏ ରାଜ୍ୟ ପାଇଁ ଋଣ କରିବା କିଛି ଖରାପ ନୁହେଁ। ହେଲେ ଋଣ କରି ଭୋଟ ପାଇଁ ଟଙ୍କା ବାଣ୍ଟିବା ଓ ଆଉ କିଛି ଟଙ୍କାରେ ଲୋକଙ୍କୁ ଜୋତା, ଛତା ଆଦି ଦେବା ବହୁତ ଖରାପ ପରମ୍ୱରା ସୃ୍ଯେି କରାଯାଉଛି। ଏହାଦ୍ୱାରା ଲୋକେ ତ ଖାଲି ଅଳସୁଆ ହେଉନାହାନ୍ତି ବରଂ ରାଜ୍ୟ ସରକାର ଦିନକୁ ଦିନ ଋଣରେ ବୁଡିଚାଲିଛନ୍ତି। ଋଣ ଅର୍ଥରେ ସେଭଳି ଉତ୍ପାଦନ ହେଉନଥିବାରୁ ରାଜ୍ୟର ଆର୍ଥିକ ମେରୁଦଣ୍ଡ ବି ଦୋହଲି ଗଲାଣି। ଭୋଟ ପୂର୍ବରୁ ଲୋକଙ୍କ ଟିକସ ପଇସାରେ ଚାଲିଛି ସରକାରୀଦଳର ପ୍ରଚାର। ପ୍ରତିଦିନ ଉଡାଜାହାଜ ବୁଲା ଓ ଫାଳ ଫାଳ ବିଜ୍ଞାପନ ବୋଝ ଯେ ରାଜ୍ୟବାସୀ ମୁଣ୍ଡାଇ ଚାଲିଛନ୍ତି ତାହା ଖୁବ‍୍‌ କମ‍୍‌ ଲୋକେ ଜାଣୁଛନ୍ତି। ଜାଣି ପ୍ରତିବାଦ କରିବା ପୂର୍ବରୁ ସେମାନଙ୍କ ମୁହଁରେ ଟଙ୍କିକିଆ ଚାଉଳ ନହେଲେ ୫୦୦୦ ଟଙ୍କା ସହାୟତାର ଚୁଣ୍ଟା ମରାଯାଉଛି।

ଖୋଦ‍୍‌ ୨୦ବର୍ଷ ଶାସନରେ ରହି ଏଭଳି କାର୍ଯ୍ୟରେ ବିଜେଡି ମାତିଥିବାବେଳେ ସରକାରକୁ ଆସିବାପାଇଁ ଦିନ ରାତି ସ୍ୱପ୍ନ ଦେଖୁଥିବା ବିଜେପି ଓ କଂଗ୍ରେସ ବି କିଛି ପଛରେ ନାହାନ୍ତି। ବିଜେପି ତ ମାଗଣାରେ ଗ୍ୟାସ ସାଙ୍ଗକୁ ବିଜୁଳି ଯୋଗାଇବାରେ ଲାଗିଛି। ପ୍ରତିଦିନ କେନ୍ଦ୍ର ସରକାର କିଛି ନା କିଛି ନୂଆ ଘୋଷଣା କରିବାରେ ଲାଗିଛନ୍ତି। କେତେବେଳେ ଭତ୍ତା ବଢୁଛି ତ ଆଉ କେତେବେଳେ ସରକାରୀ କର୍ମଚାରୀଙ୍କ ଦରମା। ଖୋଦ‍୍‌ ପ୍ରଧାନମନ୍ତ୍ରୀଙ୍କ ସହିତ କେନ୍ଦ୍ରୀୟ ନେତାମାନେ ଯେଭଳି ନିର୍ବାଚନ ପୂର୍ବରୁ କୋଟି କୋଟି ଟଙ୍କା ଉଡାଇ ସାରା ଦେଶରେ ଯୋଜନାର ପ୍ରଚାର ଓ ଘୋଷଣା କରୁଛନ୍ତି ତାହାର ଆର୍ଥିକ ବୋଝ ସାଧାରଣ ଲୋକଙ୍କ ଉପରେ ପଡୁଛି। କାରଣ ସେହି ଅର୍ଥରେ ଲୋକଙ୍କୁ ପିଇବାପାଣି କିମ୍ୱା ଔଷଧ ଟିକେ ମିଳିଥାନ୍ତା; ହେଲେ ସେଥିପ୍ରତି କାହାର ନିଘା ନାହିଁ।

କଂଗ୍ରେସ ଏବେ ନିକଟରେ ୩ଟି ରାଜ୍ୟରେ ବିଜେପିକୁ ହରାଇ କ୍ଷମତା ହାସଲ କରିବାପରେ ଚାଷୀଫର୍ମୁଲାକୁ ନେଇ ଓଡିଶାରେ ନିର୍ବାଚନ ପ୍ରଚାର ଆରମ୍ଭ କରିଦେଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତି କଂଗ୍ରେସ କ୍ଷମତାକୁ ଆସିଲେ କୃଷି ଋଣଛାଡ ହେବା ସହିତ ଧାନର ସହାୟକ ମୂଲ୍ୟ ବୃଦ୍ଧି ପାଇବ। ଧାନ ଦର ବଢିଲେ ଚାଷୀ ଲାଭ ପାଇବ। ହେଲେ ଋଣ ଛାଡ ହେଲେ ଚାଷୀର ସେଭଳି ଲାଭ ହେବାର ନାହିଁ। ବରଂ ବ୍ୟାଙ୍କମାନେ ସେହି ଋଣ ଛାଡ ଅର୍ଥକୁ ନେଇ ଚାଷୀ ଉପରେ ଆହୁରି ଋଣ ବୋଝ ଲଦିଦେବୋ ଚାଷୀ ବି ଋଣଛାଡ ମୋହରେ ଏଭଳି ସ୍ଥିତିରେ ଅଛନ୍ତି ଯେ ସେମାନେ କଂଗ୍ରେସ ଭରସାରେ ଅଧିକ ଋଣ କରିବାରେ ଲାଗିଛନ୍ତି। ଯଦି କଂଗ୍ରେସ କ୍ଷମତାକୁ ନଆସିଲା ତେବେ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବହୁ ମାତ୍ରାରେ ଦେଖିବାକୁ ମିଳିପାରେ। କେବଳ ଧାନ କିମ୍ୱା ଋଣଛାଡ ନୁହେଁ ସାମାଜିକ କଲ୍ୟାଣ ଭତ୍ତା ବୃଦ୍ଧିଠାରୁ ଆରମ୍ଭ କରି ବେକାରୀ ଭତ୍ତା ପ୍ରଦାନ ପାଇଁ କଂଗ୍ରେସ ଘୋଷଣା କରିବାରେ ଲାଗିଛ।

ଏହି ସବୁ ଘୋଷଣାର ଗୋଟିଏ ଲକ୍ଷ୍ୟ ହେଉଛି ଯେମିତି ହେଉ କ୍ଷମତାକୁ ଆସିବା। କ୍ଷମତାକୁ ଆସିଲା ପରେ ଦେଖାଯିବ କେତେ ଋଣ ହୋଇଛି ଓ ଆଉ କେତେ ଋଣ କରିବାକୁ ପଡିବ। କାରଣ ଯେତେ ଋଣ ହେଲେ ବି ତାହାକୁ ଗରିବ ଓଡିଆଙ୍କ ମୁଣ୍ଡରେ ଲଦି ଦେଇହେବ। କେହି ଏଠି ପ୍ରତିବାଦ କରିବେ ନାହିଁ। ପ୍ରତିବାଦର ସ୍ୱର ସରକାରଙ୍କର ମିଛ ସଫଳତା ତଳେ ଚାପି ହୋଇଯିବ। ଓଡିଆ ଯୁବକମାନଙ୍କୁ ପ୍ରଲୋଭନର ବଶବର୍ତ୍ତୀ କରି ନିର୍ବାଚନ ବୈତରଣୀ ପାରିପାଇଁ ତିନିଦଳ ଯେଉଁ ପ୍ରତିଯୋଗିତା କରିଛନ୍ତି ତାହା ଓଡିଶାକୁ ଯେ ଆଗାମୀ ଦିନରେ ରସାତଳଗାମୀ କରିବ ଏଥିରେ କୌଣସି ସନ୍ଦେହନାହିଁ। ଯେଉଁ ଦଳ ସରକାରକୁ ଆସିଲେ ବି ଓଡିଆମାନେ ଦିନକୁ ଦିନ ଯେ ଋଣବୋଝ ଚାପରେ ନଇଁ ପଡିବେ ତାହା ଜଳ ଜଳ ହୋଇ ଦିଶୁଛି। ଏବେ ଠାରୁ ସଚେତନ ନହେଲେ ଆଗାମୀ ଦିନ ଓଡିଆମାନେ ଦେଶର ଏକ ନମ୍ୱର ଦରିଦ୍ର ଅଥବା ଭିକାରୀ ରାଜ୍ୟର ମାନ୍ୟତା ପାଇବେ ତାହା ଅନ୍ୟାୟସରେ କୁହାଯାଇପାରେ।

Leave a Reply

Your email address will not be published.