ଏଣିକି ସରକାରଙ୍କ ‘ରୂପାନ୍ତର ପ୍ରକ୍ରିୟା’ ସମ୍ଭାଳିବେ ଭିକେ ପାଣ୍ଡିଆନ୍
ଭୁବନେଶ୍ୱର, (ଓଟି): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟ ପାଣ୍ଡିଆନ୍ ଅଧିକ କ୍ଷମତାପନ୍ନ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ରେ ରହିବା ସହ ତାଙ୍କୁ ବର୍ତ୍ତମାନ ସରକାରରେ ଶାସନ ପ୍ରକ୍ରିୟାରେ ଅଧିକ ସ୍ୱଚ୍ଛତା (ଟ୍ରାନ୍ସପରେନ୍ସୀ), କୌଶଳ ( ଟେକ୍ନୋଲୋଜି), ଏକତା ( ଟିମ୍ ୱର୍କ), ରୂପାନ୍ତର ( ଟ୍ରାନ୍ସଫରମେସନ), ଏବଂ ସମୟାନୁବର୍ତ୍ତୀତା (ଟାଇମ୍ ଫର ୱର୍କ)କୁ ଲାଗୁ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ନେବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ତାଙ୍କୁ ଏହି ୫ଟି ବା ରୂପାନ୍ତର ପ୍ରକ୍ରିୟାର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନେଇଛନ୍ତି ।
ଜୁନ୍ ୨୧ ତାରିଖରେ ନୂଆକରି ଚାକିରି ପାଇଥିବା ସରକାରୀ କର୍ମଚାରୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଶାସନକୁ ଅଧିକ ବିକଶିତ କରିବା ତଥା ରାଜ୍ୟର ବିକାଶ ପାଇଁ ଏହି ୫ଟିର ଆବଶ୍ୟକ ରହିଛି । ଏହାକୁ ରୂପାୟନ କରିବାରେ ସେମାନଙ୍କ ଭୁମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ଏହିକ୍ରମରେ ଦେଖିଲେ ପ୍ରଶାସନର ମୁଖ୍ୟ ଭାବେ ସଚିବ ତଥା କମିଶନରମାନେ ଯାହା ନିଷ୍ପତ୍ତି ତଥା କାର୍ଯ୍ୟ କରିବେ ସେଥିରେ ହସ୍ତକ୍ଷେପ କରିବାର ଅଧିକାର ଏଣିକି ଶ୍ରୀ ପାଣ୍ଡିଆନ୍ଙ୍କର ରହିବ । ଅର୍ଥାତ୍ ଶ୍ରୀ ପାଣ୍ଡିଆନ୍ ରାଜ୍ୟ ଶାସନର ପ୍ରମୁଖ ଭୂମିକାରେ ଥିଲେ ମଧ୍ୟ ଯେଉଁ ପର୍ଦ୍ଦା ପଛର ଭୂମିକା ଗ୍ରହଣ କରୁଥିଲେ ଏବେ ସେ ଖୋଲା ଖୋଲି ନିର୍ଦେଶ ଦେଇପାରିବେ ।