ଗୀତା ମାହାତ୍ମ୍ୟ-୨୯: ବିଶ୍ୱରୂପ ଦର୍ଶନ
କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କ ସଂଶୟ ଓ ବିଷାଦ ଦୂର ପାଇଁ ଭଗବାନ ଶ୍ରୀକୃଷ୍ଣ ନିଜର ଦିବ୍ୟ ବିଭୁତିଗୁଡ଼ିକ ସମ୍ପର୍କରେ କହିବା ପରେ ଅର୍ଜୁନଙ୍କ ସଂଶୟ ଦୂର ହୋଇଥିଲା ଓ କହିଥିଲେ, ‘ଆପଣ ଅନୁଗ୍ରହ କରି ଯେଉଁ ପରମ ଗୋପନୀୟ ଆଧ୍ୟାତ୍ମିକ ବିଷୟ କହିଲେ ତାହାଦ୍ୱାରା ମୋର ଅଜ୍ଞାନ ନଷ୍ଟ ହୋଇଛି । ପ୍ରାଣୀମାନଙ୍କ ଉତ୍ପତ୍ତି ଓ ପ୍ରଳୟ ବିଷୟ ଓ ଆପଣଙ୍କ ଅବିନାଶୀ ମହିମା ମୁଁ ଆପଣଙ୍କ ଠାରୁ ବିସ୍ତୃତ ଭାବେ ଶୁଣିଲି । ଏବେ ଆପଣଙ୍କର ଜ୍ଞାନ, ଐଶ୍ୱର୍ଯ୍ୟ, ଶକ୍ତି, ବଳ, ବୀର୍ଯ୍ୟ ଓ ତେଜଯୁକ୍ତ ଦିବ୍ୟରୂପ ମୁଁ ପ୍ରତ୍ୟକ୍ଷ ଭାବେ ଦେଖିବାକୁ ଚାହୁଁଛି । ଯଦି ମୋ ଦ୍ୱାରା ଆପଣଙ୍କର ସେହି ଦିବ୍ୟ ରୂପ ଦେଖିବା ସମ୍ଭବ ବୋଲି ଆପଣ ମନେ କରୁଛନ୍ତି, ତେବେ ଆପଣ ନିଜର ସେହି ଅବିନାଶୀ ସ୍ୱରୂପ ଦର୍ଶନ କରାନ୍ତୁ।’
ଅର୍ଜୁନଙ୍କ ଠାରୁ ଏପରି ଶୁଣିବା ପରେ ଭଗବାନ କହିଥିଲେ, ‘ଏବେ ତୁମେ ମୋର ନାନା ବର୍ଣ୍ଣର, ନାନା ପ୍ରକାରର ତଥା ନାନା ଆକୃତିର, ଶତ ଶତ, ସହସ୍ର ସହସ୍ର ଅଲୌକିକ ରୂପ ଦେଖ । ମୋ ଦେହରେ ଅଦିତିଙ୍କର ଦ୍ୱାଦଶ ପୁତ୍ରଙ୍କୁ, ଅଷ୍ଟବସୁଙ୍କୁ, ଏକାଦଶ ରୁଦ୍ରଙ୍କୁ, ଦୁଇ ଅଶ୍ୱିନୀକୁମାରଙ୍କୁ, ଅଣଚାଷ ମରୁତଙ୍କୁ ଦେଖିବା ସହିତ ପୂର୍ବରୁ କେବେ ଦେଖିନଥିବା ବହୁ ଆଶ୍ଚର୍ଯ୍ୟମୟ ରୂପ ମଧ୍ୟ ଦେଖ । ମୋ ଶରୀରର ଗୋଟିଏ ଅଂଶରେ ସ୍ଥିତ ଚରାଚର ସମସ୍ତ ଜଗତକୁ ଦେଖିବା ସହିତ ଆଉ ଯାହା କିଛି ଦେଖିବାକୁ ଚାହୁଁଛ ତାହା ବି ଦେଖ । କିନ୍ତୁ ତୁମେ ରକ୍ତମାଂସର ଏହି ଚକ୍ଷୁ ଦ୍ୱାରା ମୋର ଦିବ୍ୟ ରୂପ ଦେଖିବା ସମ୍ଭବ ହୋଇପାରିବ ନାହିଁ । ତେଣୁ ମୁଁ ତୁମକୁ ଦିବ୍ୟ ବା ଅଲୌକିକ ଦୃଷ୍ଟିଶକ୍ତି ପ୍ରଦାନ କରୁଛି । ସେହି ଅଲୌକିକ ଦୃଷ୍ଟିଶକ୍ତି ଦ୍ୱାରା ତୁମେ ମୋର ଇଶ୍ୱରୀୟ ଯୋଗଶକ୍ତି ଦେଖିପାରିବ ।’
ଏହାପରେ ଭଗବାନ ଶ୍ରୀକୃଷ୍ଣ ନିଜର ଐଶ୍ୱର୍ଯ୍ୟମୟ ଦିବ୍ୟସ୍ୱରୂପ ପ୍ରକାଶ କଲେ । ଭଗବାନଙ୍କ ଶରୀରରେ ସକଳ ଦିଗରେ ଅନେକ ମୁଖ, ଅନେକ ନେତ୍ର, ଅନେକ ଅଦ୍ଭୁତ ରୂପ ଅର୍ଜୁନ ଦେଖିବା ସହ ଭଗବାନ ନିଜ ଶରୀରରେ ଅନେକ ଦିବ୍ୟ ଭୂଷଣ, ଦିବ୍ୟ ବସ୍ତ୍ର, ଦିବ୍ୟ ମାଳା ପରିଧାନ କରିଥିବା, ଦିବ୍ୟ ଶସ୍ତ୍ର ଧାରଣ କରିଥିବା, ଭଗବାନଙ୍କ ଶରୀର ଦିବ୍ୟଚନ୍ଦନ ଦ୍ୱାରା ଅନୁଲେପିତ ହୋଇଥିବା, ସବୁପ୍ରକାର ଆଶ୍ଚର୍ଯ୍ୟପୂର୍ଣ୍ଣ ଓ ଅସୀମ ବିରାଟ ସ୍ୱରୂପକୁ ଅର୍ଜୁନ ଦର୍ଶନ କଲେ ।
ଆକାଶରେ ଏକସଙ୍ଗେ ସହସ୍ର ସୂର୍ଯ୍ୟ ଉଦୟ ହେଲେ ଯେଉଁ ଜ୍ୟୋତି ଉତ୍ପନ୍ନ ହୁଏ ତାହା ବିଶ୍ୱରୂପ ପରମାତ୍ମାଙ୍କ ଜ୍ୟୋତି ସହ ମଧ୍ୟ ସମାନ ହୋଇ ପାରୁ ନଥିôବା ଅର୍ଜୁନ ଉପଲବ୍ଧି କରିବା ସହତ ଅନେକ ଭାଗରେ ବିଭକ୍ତ ହୋଇଥିôବା ସମ୍ପୂର୍ଣ୍ଣ ଜଗତକୁ ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରର ଗୋଟିଏ ଅଂଶରେ ଅର୍ଜୁନ ଦେଖି ଅଭିଭୂତ ହୋଇପଡ଼ିଥିଲେ । ଶ୍ରୀକୃଷ୍ଣଙ୍କର ଏହି ଦିବ୍ୟ, ଅଦ୍ଭୁତ ରୂପକୁ ଅର୍ଜୁନ ଦେଖିବା ପରେ ସେ ଆଶ୍ଚର୍ଯ୍ୟଚକିତ ଓ ପୁଲକିତ ହୋଇ ଶ୍ରଦ୍ଧା ତଥା ଭକ୍ତିର ସହିତ ଭଗବାନଙ୍କ ନିକଟରେ ନତମସ୍ତକ ହୋଇ ପ୍ରଣାମ କଲେ ଏବଂ ହାତଯୋଡ଼ି ସ୍ତୁତି କରିବାକୁ ଲାଗିଲେ ।