ସାଲୋନ୍ରୁ କରୋନା ଡେଇଁଲା, ଗାଁ ସିଲ୍
ନୂଆଦିଲ୍ଲୀ(ଓଡ଼ିଶା ଟାଇମ): ଦେଶରେ କରୋନା ସଂକ୍ରମଣକୁ ନେଇ ଆଉ ଏକ ଦୁଃଖଦ ଖବର ଆସିଛି। ଜଣେ ଚୁଟି କାଟିବା ଦ୍ଵାରା ୬ ଜଣଙ୍କୁ ମହାମାରୀ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏପରିକି ଆବଶ୍ୟକ ଦୃଷ୍ଟିରୁ ସମ୍ପୃକ୍ତ ଗାଁକୁ ସିଲ୍ କରିଦିଆଯାଇଛି। ଏଭଳି ଘଟିଛି ମଧ୍ୟପ୍ରଦେଶ ଖରଗୋନ ଜିଲ୍ଲା ବଡ଼ଗାଓଁରେ।
ସୂଚନା ଅନୁସାରେ ବଡ଼ଗାଓଁରେ ସେଲୁନ ଯୋଗୁ ବ୍ୟାପିଛି କରୋନା। ଜଣେ ଯୁବକ ଦାଢ଼ି-ଚୁଟି କାଟି ଗାଁକୁ ଫେରିବା ପରେ ତାଙ୍କଠାରୁ ସଂକ୍ରମଣ ବ୍ୟାପିଯାଇଛି। ଫଳରେ ୩୪ ଜଣଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିବାବେଳେ ସେ ମଧ୍ୟରୁ ୬ ଜଣ କୋଭିଡ୍-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ପ୍ରଶାସନ ପକ୍ଷରୁ ଗାଁକୁ ସିଲ୍ କରିଦିଆଯାଇଛି। ଗାଁର ସମ୍ପୃକ୍ତ ଯୁବକ ନିକଟରେ ଇନ୍ଦୋରରୁ ଫେରିଥିଲେ ଏବଂ ଗାଁ ସେଲୁନକୁ ଦାଢ଼ି-ଚୁଟି କାଟିବାକୁ ଯାଇଥିଲେ। ତେବେ ଚୁଟି କାଟୁଥିବା ବ୍ୟକ୍ତି ଜଣଙ୍କ ସଚେତନତା ଅଭାବରୁ ବିନା ସାନିଟାଇଜ୍ରେ ଅନ୍ୟମାନଙ୍କ ଦାଢ଼ି ମଧ୍ୟ ସେଭିଂ କରିଥିଲେ। ଏନେଇ ଗାଁରେ ଅସନ୍ତୋଷ ଦେଖାଦେଇଥିବା ବେଳେ ୨୬ ଜଣ ଲୋକ କରୋନା ପରୀକ୍ଷଣ ଲାଗି ସାମ୍ପଲ ଦେଇଥିଲେ। ଦୁଇଟି ପର୍ଯ୍ୟାୟରେ ସଂଗୃହୀତ ସାମ୍ପଲର ପ୍ରଥମ ପର୍ଯ୍ୟାୟରେ ୧୭ଟି ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ପରେ ଆସିଥିବା ୯ଟି ରିପୋର୍ଟରୁ ୩ଟି ନେଗେଟିଭ ଥିବା ବେଳେ ୬ଟି ପଜିଟିଭ ଆସିଥିଲା।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଲକ୍ଡାଉନ୍ ସମୟରେ ମଧ୍ୟ ଆବଶ୍ୟକ ଦୃଷ୍ଟିରୁ କେନ୍ଦ୍ର ସରକାର କିଛି ଜରୁରୀ ଦୋକାନ ସର୍ତ୍ତ ଭିତ୍ତିରେ ଖୋଲିବାକୁ ଅନୁମତି ଦେଇଛନ୍ତି। ସେ ମଧ୍ୟରେ ସାଲୋନ୍ ଓ ମଦ ଦୋକାନ ଭଳି କେତେକ କାରବାର ପାଇଁ ଅନୁମତି ଦିଆଯାଇନି।
ଅବଶ୍ୟ ପଢ଼ନ୍ତୁ: