‘ଉରି’ ପରେ ‘ମହାଭାରତ’ କରିବେ ବିକି
‘ଉରି’ର ବ୍ଲକବଷ୍ଟର୍ ସଫଳତା ପରେ ନିର୍ଦ୍ଦେଶକ ଆଦିତ୍ୟ ଧର ଆଉ ଏକ ଯୁଦ୍ଧଭିତିକ ଫିଲ୍ମ ନେଇ ଆସୁଛନ୍ତି । ‘ଉରି’ ଐତିହାସିକ ପୃଷ୍ଟଭୂମି ଉପରେ ଆଧାରିତ ଥିବାବେଳେ ଆଦିତ୍ୟଙ୍କ ଆଗାମୀ ଫିଲ୍ମ ‘ମହାଭାରତ’ ପୌରାଣିକ କଥାବସ୍ତୁକୁ ନେଇ ରଚନା କରାଯାଇଛି । ଏଥିରେ ପୁଣିଥରେ ଉରି ଫେମ୍ ବିକି କୌଶଲଙ୍କୁ ସାଇନ୍ କରାଯାଇଥିବାର ଖବର ମିଳିଛି । ଏଥିରେ ବିକି ପୌରାଣିକ ଚରିତ୍ର ଅଶ୍ୱଥାମ୍ମାଙ୍କ ଭୂମିକାରେ ନଜର ଆସିବେ । ଅନେକ ଦିନରୁ ଆଦିତ୍ୟ ଏହି ପ୍ରୋଜେକ୍ଟରେ ଲାଗି ପଡ଼ିଛନ୍ତି । ଫିଲ୍ମ ସମ୍ପର୍କିତ କିଛି କାମ ପାଇଁ ସେ ଖୁବ୍ ଶୀଘ୍ର ଆମେରିକା ଯିବେ ବୋଲି ଖବର ମିଳିଛି । ଆଦିତ୍ୟଙ୍କ ଭଳି ବିକି ମଧ୍ୟ ତାଙ୍କର ଆଗାମୀ ଫିଲ୍ମ ପାଇଁ ଅନେକ କିଛି ପୂର୍ବ ପ୍ରସ୍ତୁତି କରୁଛନ୍ତି ବୋଲି ସୂଚନା ମିଳିଛି ।
ଚଳିତବର୍ଷ ଶେଷ ଭାଗରେ ଏହାର ସୁଟିଂ ଆରମ୍ଭ କରାଯିବ ଏବଂ ଆଗାମୀ ବର୍ଷ ମଧ୍ୟ ଭାଗରେ ଏହା ମୁକ୍ତିଲାଭ କରିପାରେ । ଏହି ଫିଲ୍ମ ବ୍ୟତୀତ ବିକି ବଲିଉଡର ଆଗାମୀ ଫିଲ୍ମ ‘ତଖତ’ରେ ନଜର ଆସିବେ । ଏହାପରେ ବିକି କୌଶଲ୍ ସୁଜିତ ସରକାରଙ୍କ ଫିଲ୍ମ ଉଧମ୍ ସିଂଙ୍କ ବାୟୋପିକ୍ ସୁଟିଂ ମଧ୍ୟ ଆରମ୍ଭ କରିବେ ।