‘ଏଜିଟି’ ଚାମ୍ପିଅନ୍ ହେଲା ମୁମ୍ବାଇର ଡ୍ୟାନ୍ସ ଗ୍ରୁପ୍

ମୁମ୍ବାଇ(ଓଟି): ମୁମ୍ବାଇର ଜଣାଶୁଣା ଡ୍ୟାନ୍ସ ଗ୍ରୁପ ଭି-ଅନ୍‌ବିଟେବଲ୍‌ ଆମେରିକାର ଚର୍ଚ୍ଚିତ ଲାଇଭ୍‌ ଶୋ’ରେ ଚାମ୍ପିଅନ୍‌ ହୋଇଛି। ଫଳରେ ଉକ୍ତ ଟିମ୍‌କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଆମେରିକାନ୍‌ ଗଟ୍‌ ଟ୍ୟାଲେଣ୍ଟର ବିଜେତା ହେବା କୌଣସି ସାଧାରଣ ପ୍ରସଙ୍ଗ ନୁହେଁ। ଏଥିରେ ବିଶ୍ୱର ବିଭିନ୍ନ ଦେଶର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଆମେରିକା ଗଟ୍‌ ଟ୍ୟାଲଣ୍ଟର ପଞ୍ଚଦଶତମ ସଂସ୍କାରଣର ବିଜେତା ମୁମ୍ବାଇର ଉକ୍ତ ଟିମ୍‌ ଭାରତର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ସମସ୍ତଙ୍କ ଆଶୀର୍ବାଦ ଓ ଶୁଭକାମନା ପାଇଁ ସଫଳତା ମିଳିଛି ବୋଲି କହିଥିବା ଟିମ୍‌ ଭି ଅନ୍‌ବିଟେବଲ୍‌ ବେଶ୍‌ ଭଲ ଡ୍ୟାନ୍ସ ପ୍ରଦର୍ଶନ କରିଥିଲେ।

ଆମେରିକାର ଏହି ଶୋ’ରେ ବିଜୟ ସାରା ଦେଶ ପାଇଁ ଗୌରବର ବିଷୟ ବୋଲି ଡ୍ୟାନ୍ସ ଗ୍ରୁପ ପକ୍ଷରୁ କୁହାଯାଇଛି। ତେବେ ପ୍ରତିଯୋଗିତା ବେଶ୍‌ କଷ୍ଟକର ଓ ପ୍ରତିଦ୍ୱନ୍ଦ୍ଵିତା ଦେଇ ଗତି କରିଥିଲା। ଏଥିରେ ୪୦ଟି ଦେଶର ବିଭିନ୍ନ ଦକ୍ଷତାସମ୍ପନ୍ନ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସୂଚନାଯୋଗ୍ୟ ଗ୍ରୁପ ଭି-ଅନ୍‌ବିଟେବଲ୍‌ ଗତ ବର୍ଷ ଆମେରିକାର ଡ୍ୟାନ୍ସ ପ୍ଲସରେ ଚତୁର୍ଥ ସ୍ଥାନରେ ଥିବାବେଳେ ଚଳିତ ବର୍ଷ ଆମେରିକା ଗଟ୍‌ ଟ୍ୟାଲେଣ୍ଟରେ ପ୍ରଥମ ସ୍ଥାନ ଅଧିକାର କରିପାରିଛନ୍ତି ।

Leave a Reply

Your email address will not be published. Required fields are marked *