ଟ୍ରମ୍ପ୍‌ଙ୍କୁ ଇରାନ୍‌ର ଟିଟକାରି: ବଢୁଛି ଯୁଦ୍ଧ ଆଶଙ୍କା, ବିଶ୍ୱବ୍ୟାପୀ ଆତଙ୍କ

ନୂଆଦିଲ୍ଲୀ: ଆମେରିକା ସେନାଙ୍କ ଏୟାର୍ ଷ୍ଟ୍ରାଇକ୍ ରେ ବାଗଦାଦ ଏୟାରପୋର୍ଟରେ ଇରାନ ସେନା କମାଣ୍ଡର ସୁଲେମାନୀ ନିହତ ହେବା ପରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଯୁଦ୍ଧମୁହାଁ ହୋଇଛନ୍ତି ଦୁଇ ଦେଶ। ଏପରିକି ଏହା ତୃତୀୟ ବିଶ୍ୱଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରୁଥିବା ବିଶେଷଜ୍ଞ ମତ ଦେଲେଣି। ବିଭିନ୍ନ ଦେଶ ଏନେଇ ନିଜର ଆଭିମୁଖ୍ୟ ପ୍ରକାଶ ମଧ୍ୟ କଲେଣି।

ଅନ୍ୟପକ୍ଷରେ ପ୍ରତିଶୋଧ ନିଆଁରେ ଜଳୁଥିବା ଇରାନ୍ ଯୁଦ୍ଧ ଲାଗି ଲାଲ୍ ସଂକେତ ସୂଚକ ପତାକା ଉଡାଇଥିବା ବେଳେ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ମଧ୍ୟ ପାଲଟା ଜବାବରେ ଯୁଦ୍ଧର ସ୍ୱର ତୀବ୍ର କରିଛନ୍ତି। ଫଳରେ ସ୍ଥିତି ସଂଗୀନ ହୋଇପଡିଛି। ବାଗଦାଦସ୍ଥିତ ଆମେରିକା ଦୂତାବାସ ଓ ବଲାଦ ଏୟାରବେସକୁ ଇରାନ ସମର୍ଥିତ ବିଦ୍ରୋହୀ ଶନିବାର ରାତିରେ ଟାର୍ଗେଟ କରିବାକୁ ନେଇ ଆହୁରି କଠୋର ହୋଇଛନ୍ତି ଟ୍ରମ୍ପ। ସେ ସିଧାସଳଖ ଭାବେ ଇରାନକୁ ପୁନଃ ଆକ୍ରମଣ ଧମକ ଦେଇଛନ୍ତି। ତାଙ୍କ ନିକଟରେ ଅତ୍ୟାଧୁନିକ ଜ୍ଞାନକୌଶଳର ଯୁଦ୍ଧାସ୍ତ୍ର ରହିଥିବାବେଳେ ଇରାନର ୫୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିବାକୁ ସେ ସ୍ପଷ୍ଟ ପ୍ରକାଶ କରିଛନ୍ତି। ଆମେରିକାର କୌଣସି ସୈନ୍ୟ କିମ୍ବା ସମ୍ପତ୍ତିକୁ ଟାର୍ଗେଟ କଲେ ସେ ଆଦୌ ଛାଡ଼ିବେ ନାହିଁ ବୋଲି ଦେଇଛନ୍ତି ଚେତାବନୀ। 

ଉଲ୍ଲେଖଯୋଗ୍ୟ; ୧୯୭୯-୮୧ ଇରାନ ବିପ୍ଳବ ବେଳେ ୫୨ ଆମେରିକୀୟଙ୍କୁ ପଣବନ୍ଦୀ ରଖିଥିଲା ତେହେରାନ। ସେଇଥି ପାଇଁ ଶତ୍ରୁପକ୍ଷର ସମାନ ସଂଖ୍ୟକ ସାଂସ୍କୃତିକ ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନକୁ ଉଡ଼ାଇ ଦେବା କଥା ଟୁଇଟ କରିଛନ୍ତି ଟ୍ରମ୍ପ । ତେବେ ଇରାନ ମଧ୍ୟ ଆମେରିକା ବିରୋଧୀ ଅଭିଯାନ ଚଳାଇଛି । କୋମ ସହରସ୍ଥିତ ଏକ ମସଜିଦରେ ଲାଲ ପତାକା ଉଡ଼ାଇ ଯୁଦ୍ଧର ସଂକେତ ଦେଇସାରିଛି। ଏପରିକି ଗତ ରବିବାର ଆମେରିକାର ଏକ ସରକାରୀ ୱେବସାଇଟକୁ ଇରାନ ହ୍ୟାକରମାନେ ହ୍ୟାକ କରିନେଇଥିଲେ। ଏଥିସହ ଆମେରିକାକୁ ସତର୍କ କରାଇ ମୁଥ ମାଡ଼ରେ ଟ୍ରମ୍ପଙ୍କ ମୁହଁରୁ ରକ୍ତ ବାହାରୁଥିବା ଏକ ଫଟୋ ପୋଷ୍ଟ କରିବା ଦେଖାଯାଇଛି।

ସେପଟେ ଇରାକ ପାର୍ଲାମେଣ୍ଟରେ ଆମେରିକା ବିରୋଧରେ ଏକ ବଡ଼ ପ୍ରସ୍ତାବ ଗୃହୀତ ହୋଇଛି। ଇରାକ ମାଟିରୁ ଆମେରିକୀୟ ସୈନ୍ୟଙ୍କୁ ବିଦା କରିବା ପାଇଁ ସଂଖ୍ୟାଗରିଷ୍ଠ ଶିଆ ଏମପିମାନେ ଏକମତ ହୋଇଛନ୍ତି। ଫଳରେ ଆଇଏସ ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ଇରାକ ଆସିଥିବା ୫ ହଜାରରୁ ଅଧିକ ଆମେରିକୀୟ ସୈନ୍ୟଙ୍କୁ ନିଜ ଦେଶ ଫେରିବାକୁ ହେବ। ତେବେ କେତେକ ରାଜନୀତି ବିଶ୍ଲେଷକଙ୍କ କହିବା ହେଲା- ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଦୃଷ୍ଟିରେ ରଖି ପୁଣି ଜିତିବା ଆଶାରେ ଟ୍ରମ୍ପ ଯୁଦ୍ଧ ଉନ୍ମାଦ ସୃଷ୍ଟି କରୁଥିବା କୁହାଯାଉଛି। ଅନ୍ୟପକ୍ଷରେ ଆମେରିକା ଓ ଇରାନ ସହ ସମ୍ପର୍କକୁ ସନ୍ତୁଳିତ କରିବା ପାଇଁ ଚାଁହୁଥିବା ଭାରତକୁ ଯୁଦ୍ଧ ପରିସ୍ଥିତିରେ ସର୍ବାଧିକ କ୍ଷତି ସହିବାକୁ ପଡ଼ିପାରେ ବୋଲି ମତ ପ୍ରକାଶ ପାଇଛି।

#ଏସପି

Leave a Reply

Your email address will not be published.