କରୋନା ମୁକାବିଲା: ଗବେଷଣାରୁ ମିଳୁଛି ନୂଆ ତଥ୍ୟ, ନୂଆ ଆଶା

ନୂଆଦିଲ୍ଲୀ (ଓଟି): ଆମେରିକା ସରକାରଙ୍କ ଗୃହ ସୁରକ୍ଷା ବିଭାଗ ପକ୍ଷରୁ ଏକ ବିଶେଷ ଧରଣର ପରୀକ୍ଷା ନୀରିକ୍ଷା କରାଯାଇଛି। ମହାମାରୀ କରୋନାକୁ ନେଇ ହୋଇଥିବା ଉକ୍ତ ଅଧ୍ୟୟନରୁ ଅନେକ ସକାରାତ୍ମକ ଦିଗ ମିଳିଛି। ସୂର୍ଯ୍ୟକିରଣରେ କରୋନା ଭୂତାଣୁ ଖୁବ୍ ଶୀଘ୍ର ନଷ୍ଟ ହୋଇଯାଇଥିବା ପରୀକ୍ଷାରୁ ଜଣାପଡ଼ିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଏହା ଜଣାପଡ଼ିଥିବାବେଳେ ଅନ୍ତିମ ଫଳାଫଳକୁ ଅପେକ୍ଷା କରାଯାଇଥିବା କୁହାଯାଇଛି। ୟାହୁ ନ୍ୟୁଜ୍ ଏସମ୍ପର୍କରେ କିଛି ରିପୋର୍ଟ ପ୍ରକାଶ କରିଛି।

ସୂଚନାଯୋଗ୍ୟ ଯେ ବୈଜ୍ଞାନିକମାନେ ପୂର୍ବରୁ ମଧ୍ୟ କହିଛନ୍ତି ଯେ ଅଧିକ ତାପମାତ୍ରାରେ କରୋନା ଭୂତାଣୁର ପ୍ରଭାବ କମିପାରେ କିମ୍ବା ନଷ୍ଟ ହୋଇପାରେ। ତେବେ ଆନୁଷ୍ଠାନିକ ଭାବେ ଏନେଇ ତଥ୍ୟ ନିଶ୍ଚିତ ହୋଇପାରିନି। ଆମେରିକାର ଗୃହ ସୁରକ୍ଷା ବିଭାଗ ପରୀକ୍ଷଣରୁ ଜଣାପଡ଼ିଛି ଯେ ଉଚ୍ଚ ତାପମାତ୍ରା ଏବଂ ଉଚ୍ଚ ଆର୍ଦ୍ରତାରେ କରୋନା ଭାଇରସ୍ ଅଧିକ ସମୟ ରହିନଥାଏ। ସେହିପରି ପରୀକ୍ଷାରୁ ଦିବାଲୋକରେ ବାହ୍ୟ ବସ୍ତୁର ସଂସ୍ପର୍ଶରେ ଆସି କରୋନା ସଂକ୍ରମଣ ହେବାର ଆଶଙ୍କା କମ୍ ଦେଖାଯାଇଛି। ତେବେ ଆର୍ଦ୍ରତା କମ୍ ଥିବା ସ୍ଥାନରେ ଯଥେଷ୍ଟ ସତର୍କ ରହିବାର ଆବଶ୍ୟକ ରହିଛି।

ଆମେରିକାର ଗୃହ ସୁରକ୍ଷା ବିଭାଗର ଜଣେ ମୁଖପାତ୍ର ଡେଲି ମେଲକୁ କହିଛନ୍ତି ଯେ, ବିଭାଗ କରୋନା ବିରୋଧରେ ଲଢ଼େଇ ଜାରି ରଖିଛି। କିନ୍ତୁ ନୀତି ନିୟମ ଅନୁସାରେ ଲିକ୍ ହୋଇଥିବା ଡକ୍ୟୁମେଣ୍ଟ ସମ୍ପର୍କରେ ସେ କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। ଅନ୍ୟପକ୍ଷରେ କିଛିଦିନ ପୂର୍ବରୁ ଫ୍ରାନ୍ସର ଆକ୍ସ-ମାର୍ସେଲ ବିଶ୍ଵବିଦ୍ୟାଳୟରେ କରାଯାଇଥିବା ଏକ ପରୀକ୍ଷଣରେ ଜଣାପଡ଼ିଛି ଯେ ୬୦ ଡିଗ୍ରୀ ତାପମାତ୍ରାରେ କରୋନା ଭାଇରସର ପ୍ରଭାବ କିଛି ପରିମାଣରେ କମ୍ ହୋଇଥାଏ କିନ୍ତୁ ସଂକ୍ରମଣ ବିସ୍ତାର କରିବାରେ ସକ୍ଷମ ହୋଇଥାନ୍ତି।


Source:

https://www.dailymail.co.uk/sciencetech/article-8231473/US-government-shows-SUNLIGHT-quickly-destroy-coronavirus-says-not-proven.html

Leave a Reply

Your email address will not be published. Required fields are marked *