#କୋଭିଡ୍-୧୯ ଆତଙ୍କ: ଉହାନର ସନ୍ଦିଗ୍ଧ ଲ୍ୟାବ୍ ସହ ଆମେରିକା ଲିଙ୍କ୍!
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ଭାଇରସ୍ ତଥା କୋଭିଡ୍-୧୯ ପାଇଁ ବିଶ୍ଵରେ ଆତଙ୍କ ଲାଗି ରହିଛି। ସଂକ୍ରମଣ ବ୍ୟାପୁଛି ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ପ୍ରକାଶ ପାଇଛି ଏକ ଆଶ୍ଚର୍ଯ୍ୟଜନକ ଖବର। ଭାଇରସ୍ର ଉତ୍ପତିସ୍ଥଳ ଚୀନର ଉହାନ ସହ ଆମେରିକାର ଲିଙ୍କ୍ ରହିଥିବା ଏକ ରିପୋର୍ଟ ପ୍ରକାଶ ପାଇବା ପରେ ବିଶ୍ଵରେ ଆଲୋଡ଼ନ ସୃଷ୍ଟି ହୋଇଛି।

(Image: Daily Mail)
ସୂଚନା ଅନୁସାରେ କରୋନା ଭାଇରସ୍ ସି-ଫୁଡ୍ ମାର୍କେଟ୍ରୁ ମନୁଷ୍ୟ ଦେହକୁ ଆସିଛି ବୋଲି ପ୍ରଥମ ପର୍ଯ୍ୟାୟରେ ଚୀନ୍ କହିଥିଲା। ପରେପରେ ବାଦୁଡ଼ି ନିକଟରେ ଏଭଳି ଭାଇରସ୍ ରହିଥିବା କୁହାଗଲା ଏବଂ ମଣିଷ ଶରୀରକୁ ବ୍ୟାପିଥିବା ଆଶଙ୍କା ସୃଷ୍ଟି ହେଲା। ଏହା ଚର୍ଚ୍ଚା ହେବା ପରେ ଚୀନର ଉହାନ ସ୍ଥିତ ଏକ ଲ୍ୟାବ୍ ଉପରେ ପ୍ରଶ୍ନ ଉଠିଥିଲା। ଉକ୍ତ ଲ୍ୟାବ୍ ଉହାନର ସି-ଫୁଡ୍ ମାର୍କେଟ୍ଠାରୁ କିଛି ଦୂରରେ ଅବସ୍ଥିତ। ଅତ୍ୟାଧୁନିକ ସରଞ୍ଜାମ ଓ ବିଳାସପୂର୍ଣ୍ଣ ଉକ୍ତ ଲ୍ୟାବ୍ ଚୀନ୍ର ସବୁଠାରୁ ବଡ଼ ଗବେଷଣା କେନ୍ଦ୍ର ହୋଇଥିବାବେଳେ ସେଠାରେ ଏଭଳି ଭାଇରସ୍ ଉପରେ ପରୀକ୍ଷା ନିରୀକ୍ଷା କରାଯାଏ। ତେବେ ସେହି ଲ୍ୟାବ୍ ସହ ଆମେରିକାର ଲିଙ୍କ୍ ଥିବା ଜଣାପଡ଼ିଛି। ଡେଲି ମେଲ୍ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଆମେରିକା ସରକାର ଭାଇରସ୍ ଉପରେ ଗବେଷଣା କରୁଥିବା ଉହାନର ଉକ୍ତ ଲ୍ୟାବକୁ ଗତ କିଛି ବର୍ଷ ମଧ୍ୟରେ ୨୮ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆମେରିକୀୟ ନେତାମାନେ ନିଜ ଦେଶ ତରଫରୁ ଚୀନ୍ ଲ୍ୟାବ୍କୁ ଅର୍ଥ ଦିଆଯିବାକୁ ଦୃଢ଼ ବିରୋଧ ଓ ନିନ୍ଦା କରିଛନ୍ତି।

(Image: Daily Mail)
ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ତରଫରୁ ଉହାନର ଉକ୍ତ ଭାଇରୋଲୋଜି ଇନଷ୍ଟିଚ୍ୟୁଟକୁ ୨୮ କୋଟି ଟଙ୍କା ଦିଆଯିବା ପ୍ରସଙ୍ଗରେ ସାଂସଦ ମ୍ୟାଟ୍ ଗେଟଜ ଗଭୀର ଦୁଃଖ ପ୍ରକାଶ କରିବା ସହ ସାରା ବିଶ୍ଵରେ କରୋନା ବିସ୍ତାର କରିବାରେ ତାହା ସହାୟକ ହୋଇଛି ବୋଲି ପ୍ରକାଶ କରିଛନ୍ତି। ସେହିପରି ଆମେରିକାର ହ୍ୱାଇଟ୍ କୋର୍ଟ ୱେଷ୍ଟର ଅଧ୍ୟକ୍ଷ ଆନ୍ଥୋନୀ ବେଲୋଟି ମଧ୍ୟ ଚୀନ୍କୁ ଆମେରିକାର ପାଣ୍ଠି ସହାୟତାକୁ ଦୃଢ଼ା ନିନ୍ଦା କରିଛନ୍ତି। କିଛିଦିନ ପୂର୍ବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଜରୁରୀକାଳୀନ କମିଟି କୋବ୍ରାର ଜଣେ ସଦସ୍ୟ ମଧ୍ୟ ଅନୁରୂପ ଆଶଙ୍କା ବ୍ୟକ୍ତ କରିଥିଲେ। ମାରାତ୍ମକ କରୋନା ଭାଇରସ୍ ଉହାନର ସି-ଫୁଡ୍ ମାର୍କେଟ୍ରୁ ମଣିଷକୁ ବ୍ୟାପିଥିବା ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଶ୍ଵାସ କରାଯାଇପାରେ ବୋଲି ସେ କହିଥିଲେ।
Source: