ଚୀନ୍‌ର ୧୧ ଟି କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଲା

ଚୀନ୍‌ର ୧୧ ଟି କମ୍ପାନୀ ଉପରେ ଆମେରିକା ବାଣିଜ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି । ଚୀନ୍‌ରେ ମୁସଲମାନ ଜନସଂଖ୍ୟା ଥିବା ଜିନଜିଆନ୍ ଅଞ୍ଚଳରେ ମାନବିକ ଅଧିକାରର ଉଲ୍ଲଂଘନ ସହ ଜଡ଼ିତ ଥିବାରୁ ଏହି କମ୍ପାନୀଗୁଡ଼ିକ ବିରୋଧରେ ଅଭିଯୋଗ ରହିଛି।

ସୋମବାର ଆମେରିକା ଘୋଷଣା କରିଥିବା ଏହି ପ୍ରତିବନ୍ଧକ ଚୀନ୍ ଉପରେ ଚାପ ପକାଇବାକୁ ଏକ ନୂଆ ପ୍ରୟାସ । ଚୀନ୍‌ର ଶାସକ କମ୍ୟୁନିଷ୍ଟ ପାର୍ଟି ଏହି ଅଞ୍ଚଳର ମୁସଲମାନ ସଂଖ୍ୟାଲଘୁଙ୍କୁ ଦୁର୍ବ୍ୟବହାର କରିବା, ଶ୍ରମିକଙ୍କୁ ଦାଦନ କରିବା ଏବଂ ବହୁ ଲୋକଙ୍କୁ ଅଟକ ରଖିଥିବା ଅଭିଯୋଗ ହୋଇଛି ।

ଆମେରିକା ଏବଂ ଚୀନ୍ ମଧ୍ୟରେ ସମ୍ପର୍କର ଅବନତିର କାରଣ ହେଉଛି ମାନବ ଅଧିକାର, ବାଣିଜ୍ୟ ଏବଂ ପ୍ରଯୁକ୍ତିବିଦ୍ୟା ତଥା ଜିନଜିଆନ୍ ଅଞ୍ଚଳର ପ୍ରସଙ୍ଗ ।

ଏହି ଅଭିଯୋଗ ହେତୁ ଆମେରିକାର ଡୋନାଲ୍ଡ ଟ୍ରମ୍ପ ସରକାର ଚୀନ୍‌ର ଚାରିଜଣ ଅଧିକାରୀଙ୍କ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ଏଥି ସହିତ ଏହାର ପ୍ରତିଶୋଧ ନେଇ ବେଜିଂ ଆମେରିକାର ଚାରିଜଣ ସିନେଟରଙ୍କ ଉପରେ ଦଣ୍ଡବିଧାନ କରିବାକୁ ଘୋଷଣା କରିଛି ଯେଉଁମାନେ ଏହାର ମାନବିକ ଅଧିକାର ରେକର୍ଡକୁ ବିରୋଧ କରିଥିଲେ ।

ଆମେରିକାର ବାଣିଜ୍ୟ ବିଭାଗ କହିଛି ଯେ ନିଷେଧାଦେଶ ହେତୁ ଏହି ୧୧ ଟି କମ୍ପାନୀର ଆମେରିକୀୟ ସାମଗ୍ରୀ ଏବଂ ପ୍ରଯୁକ୍ତିବିଦ୍ୟାରେ ସୀମିତ ସୁବିଧା ରହିବ । ତେବେ କେଉଁ ବସ୍ତୁ ପ୍ରଭାବିତ ହେବ ସେନେଇ ବିଭାଗ ସୂଚନା ଦେଇନାହିଁ ।

ଆମେରିକାର ବାଣିଜ୍ୟ ମନ୍ତ୍ରୀ ୱିଲବୁର ରସ ଏକ ବିବୃତ୍ତିରେ କହିଛନ୍ତି ଯେ ଏହି ପ୍ରତିବନ୍ଧକ ନିଶ୍ଚିତ କରିବ ଯେ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ସେଠାରେ ଥିବା ଅସହାୟ ମୁସଲମାନ ସଂଖ୍ୟାଲଘୁଙ୍କ ବିରୋଧରେ ଆମେରିକାର ସାମଗ୍ରୀ ଏବଂ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିପାରିବ ନାହିଁ ।

Leave a Reply

Your email address will not be published.