ରଙ୍ଗୀଲାରୁ ରାଜନୀତି ପର୍ଯ୍ୟନ୍ତ ଉର୍ମିଳାଙ୍କ ଯାତ୍ରା
ସିନେ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗ୍ରେସରେ ସାମିଲ ହେବାର ମାତ୍ର ଦୁଇ ଦିନ ପରେ ତାଙ୍କୁ ମୁମ୍ୱାଇ ଉତ୍ତର ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଯେଉଁ ଦିନ ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ ମୁମ୍ୱାଇରେ ରହିବେ ବୋଲି ରାହୁଲ ଗାନ୍ଧୀଙ୍କୁ କହିଥିଲେ। ଏହା ପରେ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ତାଙ୍କୁ ମୁମ୍ୱାଇ ଉତ୍ତର ଆସନରୁ ପ୍ରାର୍ଥୀ କରାଗଲା ବୋଲି ଘୋଷଣା କରିଥିଲା।

ଗତ ୨୭ତାରିଖ ଦିନ ଉର୍ମିଳା କଂଗ୍ରେସର ମହାରାଷ୍ଟ୍ର ଅଧ୍ୟକ୍ଷ ମିଳିନ୍ଦ ଦେଓରା, ପୂର୍ବତନ ଅଧ୍ୟକ୍ଷ ସଞ୍ଜୟ ରାଉତ ଓ ପାର୍ଟି ପ୍ରବକ୍ତା ରଣଦୀପ ସିଂହ ସୁରେଜୱାଲଙ୍କ ଉପସ୍ଥିତିରେ ଦଳରେ ଯୋଗଦେଇ ସଦସ୍ୟତା ଗ୍ରହଣ କରିଥିଲେ।
ଏହାପରେ କଂଗ୍ରେସ ନିର୍ବାଚନ କମିଟି ଦ୍ୱାରା ନିଜେ ଲଢ଼ିବା ପାଇଁ ଲୋକସଭା ଆସନ ସ୍ଥିର ହେବା ପରେ ଉର୍ମିଳା ନିଜେ ଟ୍ୱିଟରରେ କଂଗ୍ରେସରେ ଯୋଗ ଦେବା ସମ୍ପର୍କରେ ସୂଚନା ଦେବା ସହିତ ଫଟୋ ଲଗାଇଥିଲେ।
ଏହି ସୂଚନାରେ ଉର୍ମିଳାଙ୍କୁ ମୁମ୍ୱାଇ ଉତ୍ତର ଆସନରୁ ପ୍ରାର୍ଥୀ କରାଯାଇଥିବାରୁ ସେ ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଥିଲେ। କଂଗ୍ରେସରେ ଯୋଗ ଦେବା ପରେ ଉର୍ମିଳା କହିଛନ୍ତି, ସକ୍ରିୟ ରାଜନୀତିରେ ତାଙ୍କର ଏହା ପ୍ରଥମ ପଦକ୍ଷେପ। ସେ କହିଛନ୍ତି ଗ୍ଲାମର ଯୋଗୁ ନୁହେଁ ବରଂ ବିଚାରଧାରା ଯୋଗୁଁ କଂଗ୍ରେସରେ ସାମିଲ ହୋଇଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ସମ୍ପର୍କରେ ଉର୍ମିଳା କହିଛନ୍ତି, ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିପାରୁଥିବା ନେତା ଦେଶକୁ ଦରକାର ରହିଛି। ଦେଶର ନେତା ଭେଦଭାବ କରିବା ଉଚିତ୍ ନୁହେଁ। ଉର୍ମିଳାଙ୍କ ମତରେ ରାହୁଲ ଗାନ୍ଧୀ ଏକମାତ୍ର ନେତା ଯିଏକି ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିପାରିବେ। ଦେଶରେ ଏବେ କଥା ଚିନ୍ତାଧାରା ପ୍ରକଟ କରିବା ଉପରେ ବିପଦ ଦେଖାଦେଇଛି। ଗତ ପାଞ୍ଚ ବର୍ଷ ଭିତରେ ଏ ନେଇ ଅନେକ ଉଦାହରଣ ରହିଛି। ତେଣୁ ସେ କଂଗ୍ରେସରେ ଯୋଗ ଦେବାକୁ ଉଚିତ୍ ମନେ କରିଛନ୍ତି।
ସିନେମାରେ କ୍ୟାରିୟର

୧୯୯୦ ଦଶକରେ ଉର୍ମିଳା ସିନେମା ଜଗତରେ ଜଣେ ଚର୍ଚ୍ଚିତ ତଥା ସୁପରହିଟ୍ ନାୟିକା ଭାବେ ଗଣା ଯାଉଥିଲେ। ୧୯୮୦ରେ ଉର୍ମିଳା ଶିଶୁ କଳାକାର ଭାବେ ‘ଜାକୋଲ’ ସିନେମାରୁ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ଶେଖର କପୁରଙ୍କ ସିନେମା ‘ମାସୁମ’ରେ ଅଭିନୟ କରିଥିଲେ। ୧୯୮୯ରେ ସେ ‘ନରସିଂହ୍ମା’ ସିନେମାରେ ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଥିଲେ।

ଋଙ୍ଗୀଲା, ସତ୍ୟା, ଖୁବସୁରତ, ଜୁଦାଇ, ଜଙ୍ଗଲ, ଚାିନା ଗେଟ, ଳଜ୍ଜା, ପିଞ୍ଜର ଭଳି ସିନେମାରେ ଅଭିନୟ କରି ସୁପରିହିଟ ଦେଇ ସିନେମା ଜଗତରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସିନେମା ବାଦେ ଉର୍ମିଳା ତେଲଗୁ, ତାମିଲ, ମରାଠୀ ସିନେମାରେ ଅଭିନୟ କରିଛନ୍ତି। ଶେଷ ଥର ଉର୍ମିଳା ଇରଫାନ ଖାନଙ୍କ ଅଭିନୀତ ‘ବ୍ଲାକମେଲ’ରେ ଅଭିନୟ କରିଛନ୍ତି। ଏହି ସିନେମାରେ ସେ ଆଇଟମ ଗୀତରେ ଅଭିନୟ କରିଛନ୍ତି। ଉର୍ମିଳା ତାଙ୍କ ସିନେମା କ୍ୟାରିୟରରେ ଜ୍ୟାକି ସ୍ରଫ, ଅମିର ଖାନ, ଗୋବିନ୍ଦା, ଅଜୟ ଦେବଗନ, ସଲମାନ ଖାନଙ୍କ ଭଳି ବଡ଼ ବଡ଼ ଅଭିନେତାଙ୍କ ସହିତ ଅଭିନୟ କରିଛନ୍ତି।

ସିନେମା ଜଗତରେ ତାଙ୍କର ଚାହିଦା କମୁଛି ବୋଲି ଅନୁଭବ କରିବା ପରେ ନିଜଠାରୁ ୯ବର୍ଷ ଛୋଟ କାଶ୍ମୀରର ବ୍ୟବସାୟୀ ମହମ୍ମଦ ଅଖତର ମୀରଙ୍କୁ ବିବାହ କରିଛନ୍ତି।