ସବର୍ଣ୍ଣ ଆରକ୍ଷଣ ବିଲକୁ ରାଷ୍ଟ୍ରପତିଙ୍କ ମଂଜୁରୀ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲରେ ଆଜି ସ୍ୱାକ୍ଷର କରି ଏହାକୁ ଅନୁମୋଦନ କରିଛନ୍ତି । ଏହା ଫଳରେ ଏହି ସମ୍ବିଧାନର ୧୨୪ ତମ ସଂଶୋଧନ ବିଲଟି ଆଇନରେ ପରିଣତ ହୋଇଛି । ଫଳରେ ଗରିବ ଉଚ୍ଚବର୍ଗର ଲୋକଙ୍କ ପାଇଁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ପାଇବାର ସ୍ୱପ୍ନ ସାକାର ହୋଇଛି ।
ଗତ ମଙ୍ଗଳବାର ଦିନ ଏହି ବିଲଟି ଲୋକସଭାରେ ପାରିତ ହୋଇଥିଲା । ଏଥିଲାଗି ଅନୁଷ୍ଠିତ ଭୋଟିଂରେ ୩୨୬ ସାଂସଦ ଅଂଶଗ୍ରହଣ କରିଥିଲେ। ଏଥିରେ ସମ୍ବିଧାନ ସଂଶୋଧନ ବିଧେୟକର ପକ୍ଷରେ ୩୨୩ ଭୋଟ ପଡ଼ିଥିଲା। ମାତ୍ର ୩ ଜଣ ସାଂସଦ ଏହାକୁ ବିରୋଧ କରିଥିଲେ। ତା’ ପରଦିନ ଅର୍ଥାତ ବୁଧବାର ଦିନ ରାଜ୍ୟସଭାରେ ଏହି ବିଲ ପାରିତ ହୋଇଥିଲା । ରାଜ୍ୟସଭାରେ ଏହି ବିଲ ସପକ୍ଷରେ ୧୬୫ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୭ ଭୋଟ୍ ପଡ଼ିଥିଲା। ସଂସଦର ଦୁଇ ସଦନରେ ପାରିତ ହେବା ପରେ ଏହାକୁ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି ।
ଅର୍ଥନୈତିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମଂଜୁରୀ ପରେ ଏହା ସହିତ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଦଶ ପ୍ରତିଶତ ସଂରକ୍ଷଣ ରାସ୍ତା ସଂପୂର୍ଣ୍ଣ ଭାବେ ପରିଷ୍କାର ହୋଇଛି। ଏହାକୁ ନେଇ ସରକାର ବିଜ୍ଞପ୍ତି ଜାରି କରିଛନ୍ତି। କୁହାଯାଇଛି ଯେ ଗୋଟିଏ ସପ୍ତାହ ମଧ୍ୟରେ ୧୦ ପ୍ରତିଶତ ସଂରକ୍ଷଣର ଲାଭ ଲୋକଙ୍କୁ ମିଳିବ ଆରମ୍ଭ ହୋଇଯିବ। ସାମାଜିକ ନ୍ୟାୟ ଓ ଅଧିକାରିକ ମନ୍ତ୍ରାଳୟ ଗୋଟିଏ ସପ୍ତାହ ମଧ୍ୟରେ କାନୁନ ସହ ଜଡିତ ପ୍ରାବଧାନକୁ ଅନ୍ତିମ ରୂପ ଦେବେ।
ଉଲ୍ଲେଖଯୋଗ୍ୟ ସାଧାରଣ ବର୍ଗରେ ଆର୍ଥିକ ରୂପେ ଅନଗ୍ରସର ଲୋକଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଦେବା ନିଷ୍ପତ୍ତି ଉପରେ ନରେନ୍ଦ୍ର ମୋଦି କ୍ୟାବିନେଟ୍ ଜାନୁଆରୀ ୭ରେ ମୋହର ମାରିଥିଲେ। ସେହି ଦିନ ହିଁ ଏହାର ସୂଚନା ଦେଶବାସୀଙ୍କୁ ଦିଆଯାଇଥିଲା।
ଏହି ମାନଙ୍କୁ ମିଳିବ ସଂରକ୍ଷଣର ଲାଭ
- ପ୍ରସ୍ତାବିତ କାନୁନର ଲାଭ ବ୍ରାହ୍ମଣ, ରାଜପୁତ(ଠାକୁର), ଜାଟ, ମରାଠା, ଭୂମିହାର, ଅନେକ ବ୍ୟବସାୟୀ ଜାତି, କାପୁ ଓ କମ୍ମା ସହିତ ଅନ୍ୟ ଓବିସି ଜାତିଙ୍କୁ ଏହାର ଲାଭ ମିଳିବ।
- ଅନ୍ୟ ଧର୍ମର ଗରିବଙ୍କୁ ମଧ୍ୟ ସଂରକ୍ଷଣର ଲାଭ ମିଳିବ।
- ଏହା ସହିତ ଯେଉଁ ଲୋକଙ୍କ ପାଖରେ ନଗର ନିଗମ ଅଞ୍ଚଳରେ ୧୦୦୦ ବର୍ଗ ଫୁଟ କିମ୍ବା ଏଥିରୁ ଅଧିକ କ୍ଷେତ୍ରଫଳର ଫ୍ଲାଟ ନଥିବ ଏବଂ ୨୦୦ ୟାର୍ଡରୁ ଅଧିକ କୋଠା ନଥିବ ସେମାନଙ୍କୁ ସଂରକ୍ଷଣର ଲାଭ ମିଳିବ।
- ବାର୍ଷିକ ଆୟ ୮ ଲକ୍ଷ ଟଙ୍କାରୁ କମ ଥିବ।
- ଯେଉଁ ବ୍ୟକ୍ତି ଏ ପର୍ଯ୍ୟନ୍ତ କୌଣସି ପ୍ରକାରର ସଂରକ୍ଷଣ ଅନ୍ତର୍ଗତ ନଥିବେ।
- ଯେଉଁ ମାନଙ୍କ ପାଖରେ ୫ ଏକରରୁ କମ ଜମି ଥିବ।
- ଏ ପର୍ଯ୍ୟନ୍ତ ସମ୍ବିଧାନରେ ଏସସି-ଏସଟି ବ୍ୟତୀତ ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣର ପ୍ରାବଧାନ ରହିଛି। ମାତ୍ର ଏଥିରେ ଆର୍ଥିକ ରୂପେ ଦୁର୍ବଳ ଲୋକଙ୍କ ବିଷୟରେ କୌଣସି ବ୍ୟବସ୍ଥା ନଥିଲା।