ଲକ୍ଡାଉନ୍ ନିୟମ ନମାନିଲେ ଜେଲ୍ ଓ ଜୋରିମାନା
ନୂଆଦିଲ୍ଲୀ (ଓଟି): ମହାମାରୀ କରୋନା ପାଇଁ ଦେଶରେ ଅଘୋଷିତ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ମୃତକ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୫୦୦ ପାଖେଇଲାଣି। ଏଭଳି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦେଶବାସୀଙ୍କୁ ଘରୁ ନବାହାରିବାକୁ ନିବେଦନ କରିବା ସହ ମଧ୍ୟରାତ୍ରୀରୁ ୨୧ ଦିନ ଲକ୍ଡାଉନ୍ ଘୋଷଣା କରିଛନ୍ତି। ସେହି ଅନୁସାରେ ୨୧ ଦିନ ଯାଏ ଘରୁ ବାହାରିବା ଉପରେ କଟକଣା ଲାଗୁ କରାଯାଇଛି। ନିହାତି ଆବଶ୍ୟକ ଥିଲେ ଜଣେ ଘରୁ ବାହାରିବ। କିନ୍ତୁ ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ଏପରିକି ୨ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ଜୋରିମାନା ଦଣ୍ଡାଦେଶ ହେବ ବୋଲି ଜଣାପଡ଼ିଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା ଅନୁସାରେ ୨୧ ଲକ୍ଡାଉନ୍କୁ କର୍ଫ୍ୟୁ ଭଳି ଧରିନିଆଯାଉ ଅର୍ଥାତ୍ ସେଭଳି ନିୟମ ଲାଗୁ କରାଯାଇଛି। ତେଣୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଧାରା ୫୧ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲକ୍ଡାଉନ୍ ନମାନିଲେ ୨୦୦ ଟଙ୍କା ଜୋରିମାନା ସହ ମାସେ ପାଇଁ ଜେଲ୍ ଦଣ୍ଡାଦେଶ ଥିବାବେଳେ କେହି ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି କରିଲେ ୬ ମାସ ପର୍ଯ୍ୟନ୍ତ ଜେଲ୍ ହୋଇପାରେ। ସେହିପରି ଆଇନ ଉଲ୍ଲଂଘନକାରୀ ଅନ୍ୟ କାହାର କ୍ଷତି ପହଞ୍ଚାଇଲେ ୨ ବର୍ଷ ଯାଏ ଜେଲ୍ ଦଣ୍ଡାଦେଶ ବଢ଼ାଇବାକୁ ସରକାର ନିର୍ଦ୍ଦେଶ ଦେଇଥିବା ସୂଚନା ରହିଛି।
ଅନ୍ୟପକ୍ଷରେ କରୋନା ଭାଇରସକୁ ନେଇ ଗୁଜବ ଖବର ପ୍ରଚାର କରୁଥିଲେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶାଳୟ ଦେଇଛି। ଗୁଜବକାରୀଙ୍କୁ ବର୍ଷେ ଜେଲ୍ ଦଣ୍ଡାଦେଶ ସହ ଜୋରିମାନା ବ୍ୟବସ୍ଥା କରାଯାଇଛି।