ବିଜେଡି-କଂଗ୍ରେସଠାରୁୁ ବଳିଗଲା ବିଜେପି ଘରର କଳି
ଚଳିତ ନିର୍ବାଚନରେ ଠଟିକଟ ପାଇନଥିବା ବିଜେଡି ଓ କଂଗ୍ରେସ ନେତାମାନେ ବିଜେପିରେ ଯୋଗ ଦେଉଥିବାବେଳେ ବିଜେପି ନେତାମାନେ ଖୁସି ସମ୍ଭାଳି ପାରୁନଥିଲେ। ଏଥିରେ ବିଜେପି ନେତାମାନେ ଆଉପାଦେ ଆଗକୁ ଯାଇ ଏହି ଦୁଇ ଦଳର ମୁଖିଆଙ୍କୁ ସମାଲୋଚନା କରିବାକୁ ପଛାଉନଥିଲେ। କିନ୍ତୁ ଟିକଟ ବଣ୍ଯନ ପରେ ଏବେ ବିଜେପି ଘରର କଳି ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ବର୍ଷ ବର୍ଷ ଧରି ବିଜେପି ସଂଗଠନରେ କାମ କରୁଥିବା ନେତାମାନଙ୍କୁ ଜରେ କେନ୍ଦ୍ରମନ୍ତ୍ରୀଙ୍କ ମହତ୍ତ୍ୱକାଂକ୍ଷା ପୂରଣ ପାଇଁ ଚଳିତ ନିର୍ବାଚନରେ ଦଳୀୟ ଟିକଟରୁ ବଞ୍ଚିତ କରାଯାଇଥିବାରୁ ରାଜ୍ୟ କାର୍ଯ୍ୟାଳୟକୁ କୌଣସି ନେତା ମାଡ ଭୟରେ ଆସୁନାହାଁନ୍ତି। ବସ୍ତୁତଃ ରାଜ୍ୟ ବିଜେପି କାର୍ଯ୍ୟାଳୟ ଏବେ ପଣବନ୍ଦୀ ହୋଇଛି।

ଦଳୀୟ ଟିକେଟରୁ ବଞ୍ଚିତ କୃଷ୍ଣ ପଣ୍ଡା ଓ ଅମୀୟ ଦାଶଙ୍କ ସମର୍ଥକମାନେ ବିଜେପି ପାର୍ଟି ଅଫିସରେ ତାଲା ପକାଇ ହଙ୍ଗମା କରିଛନ୍ତି। ଭୁବନେଶ୍ବର ଏକାମ୍ରରୁ ୨୦୧୪ରେ ନିର୍ବାଚନ ଲଢ଼ିଥିବା ଅମୀୟ ଦାଶଙ୍କ ସମର୍ଥକମାନେ ଗତକାଲି ଭଳି ଆଜି ମଧ୍ୟ ବିଜେପି ପାର୍ଟି ଅଫିସରେ ତାଲା ପକାଇ ନାରାବାଜୀ କରିଛନ୍ତି। ସେହିପରି ରାଜନଗରରୁ ଅଲେଖ ଜେନାଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ଆଳି ଓ ରାଜନଗରର ବହୁ ଦଳୀୟ କର୍ମୀ ବିଜେପି ପାର୍ଟି ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି କାରଣରୁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କ ମିଶ୍ରଣ ପର୍ବ ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଙ୍କ ବାସଭବନରେ କରାଯାଇଛି।
ସେହିପରି ବରଗଡ଼ ଲୋକସଭା ଆସନରେ ସୁବାସ ଚୌହ୍ବାନଙ୍କ ବଦଳରେ ସୁରେଶ ପୂଜାରୀଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଥିବାରୁ ଚୌହ୍ବାନଙ୍କ ସମର୍ଥକମାନେ ବଡ଼ ଧରଣର ପ୍ରତିବାଦ କରିଛନ୍ତି। ବରଗଡ଼ରେ ଚୌହ୍ବାନଙ୍କ ସମର୍ଥକମାନେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନାରାବାଜୀ କରିଛନ୍ତି।
ଭଦ୍ରକରେ ମଧ୍ୟ ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ସାମ୍ନାକୁ ଆସିଛି। ବାସୁଦେବପୁରରୁ ଦୀନବନ୍ଧୁ ପତିଙ୍କୁ ଟିକେଟ ଦିଆଯାଇ ନଥିବାରୁ ତାଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ଏଠାରେ ବିଜେପି ମାଧବାନନ୍ଦ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି।
ଅନ୍ୟ ପକ୍ଷରେ ଦଳୀୟ ଟିକେଟରୁ ବଞ୍ଚିତ ବିଜେପିର ବରିଷ୍ଠ ନେତା ତଥା ଖଡିଆଳ ବିଧାୟକ ଦୁର୍ଯ୍ୟୋଧନ ମାଝୀ ଇସ୍ତଫା ଦେଇଛନ୍ତି । ତେବେ ଖଡିଆଳ ଆସନରୁ ରିତାରାଣୀ ବଗର୍ତିଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଦୁର୍ଯ୍ୟୋଧନ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ସେପଟେ ବିଜେପିରେ ଟିକଟ ବଂଟନକୁ ନେଇ ପଦାକୁ ଆସିଛି ଦଳୀୟ ଅସନ୍ତୋଷ । କୋରାପୁଟ ଲକ୍ଷ୍ମୀପୁରରେ ବିଜେପି ଅଫିସରେ ଭଂଗାରୁଜା ସହିତ ପୋଡାଜଳା କରିଛନ୍ତି ଦଳୀୟ କର୍ମୀ । ଲକ୍ଷ୍ମୀପୁର ଆସନରୁ କୁମୁଦ ଚନ୍ଦ୍ର ସାଉନ୍ତଙ୍କୁ ଟିକଟ ମିଳିବା ପରେ ଏହି ବିରୋଧ ସାମ୍ନାକୁ ଆସିଛି । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ୭ଟି ମଣ୍ଡଳର ସଭାପତିଙ୍କ ସହିତ କର୍ମକର୍ତା ଓ ଆଶାୟୀ ପ୍ରାର୍ଥୀ ବିରୋଧ ପ୍ରଦର୍ଶନ କରିବା ପରେ, ବ୍ଲକ ଅଫିସରେ ପୋଡାଜଳା କରିଥିଲେ । ଚଳିତ ଥର ଏଠାରୁ ଟିକଟ ଆଶାୟୀ ଥିଲେ ୬ ଜଣ ।
ତେବେ ମାତ୍ର ୨ ମାସ ତଳେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା କୁମୁଦଙ୍କୁ ମିଳିଛି ବିଧାନସଭା ଟିକଟ । ଜିଲ୍ଲା ବିଜେପି ସଭାପତି ଓ ବରିଷ୍ଠ ନେତା ଜୟରାମ ପାଙ୍ଗୀ, ଟଙ୍କା କାରବାର କରି କୁମୁଦ ସାଉନ୍ତଙ୍କୁ ଟିକେଟ୍ ଦେଇଥିବା ଅଭିଯୋଗ ହୋଇଛି । ତେବେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜୟରାମ । ସେପଟେ କୁମୁଦ ସାଉନ୍ତଙ୍କ ଟିକେଟ ପ୍ରତ୍ୟାହାର ନକଲେ ୫ ହଜାର କର୍ମୀଙ୍କ ସହିତ ୪ ଟି ମଣ୍ଡଳର ସଭାପତି ଦଳରୁ ଇସ୍ତଫା ଦେବେ ବୋଲି ଚେତାବନୀ ଦିଆଯାଇଛି ।

ଦଳର ଶୀର୍ଷ ନେତାମାନେ ପକ୍ଷପାତିତା କରୁଥିବା ଅଭିଯୋଗ କରି ଆଶାୟୀ ବିପିନ କୁମାର ମଣ୍ଡିକାଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟ ମଧ୍ୟକୁ ପଶି ଭଙ୍ଗାରୁଜା କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନାରାବାଜି କରିଥିଲେ । ଉତ୍ୟକ୍ତ ବିଜେପି କର୍ମୀମାନେ ଦଳୀୟ ପୋଷ୍ଟର ଓ ବ୍ୟାନରକୁ ଚିରି ଦେଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, କୁମୁଦା ଦଳର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ସହ ଘନିଷ୍ଠ ସମ୍ପର୍କ ଥିବାରୁ ତାଙ୍କୁ ଦଳୀୟ ଟିକେଟ ମିଳିଛି । ହେଲେ ନିର୍ବାଚନମଣ୍ଡଳୀରେ ଅନେକ ଜନକଲ୍ୟାଣକାରୀ ଯୋଜନା କରିଥିବା ମଣ୍ଡିକାଙ୍କ ଅଣଦେଖା କରାଗଲା ।
ଦଳର ଟିକେଟ ବଣ୍ଟାକୁ ନେଇ ଭୁବନେଶ୍ୱର, ଚଣ୍ଡିଖୋଲ, ଲକ୍ଷ୍ମୀପୁର ସବୁଠି ବିଦ୍ରୋହର ପ୍ରତିଧ୍ୱନି । ଚଣ୍ଡୀଖୋଲରେ ଅମର ନାୟକଙ୍କ ପ୍ରାର୍ଥୀତ୍ବକୁ ବିରୋଧ କରି ମୂଳ ବିଜେପି କର୍ମୀମାନେ ପ୍ରତିବାଦ ରାଲି କରିଥିଲେ ।