ନବୀନଙ୍କୁ ଚିଠି ଦେଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର (ଓଟି): ମହାମାରୀ କରୋନା ଆତଙ୍କ ବେଳାରେ ସରକାର ରାସନ କାର୍ଡ ହିତାଧିକାରୀଙ୍କୁ ଆବଶ୍ୟକ ସହାୟତା ଯୋଗାଉଛନ୍ତି। କିନ୍ତୁ ଯେଉଁମାନଙ୍କର ରାସନ କାର୍ଡ ନାହିଁ କିନ୍ତୁ ସହାୟତା ଆବଶ୍ୟକ କରୁଛନ୍ତି; ସେମାନଙ୍କୁ ଚିହ୍ନଟ କରିବାକୁ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ। ଏନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଜଣାଇଛନ୍ତି ଯେ କରୋନା ଭାଇରସ୍ ସ୍ଥିତି ନେଇ ଦେଶ ଓ ରାଜ୍ୟ ଲକ୍ଡାଉନରେ ରହିଛି। ତେଣୁ ଏହିପରି ପରିସ୍ଥିତିରେ ଲୋକଙ୍କୁ ରାସନ ସାମଗ୍ରୀ ଯୋଗାଇବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାସନ କାର୍ଡ ନଥିବା ଗରିବ ଓ ନିରାଶ୍ରୟ ଲୋକେ ଖାଦ୍ୟ ନପାଇ ବଡ଼ ହନ୍ତସନ୍ତ ହେଉଛନ୍ତି। ତେଣୁ ପଞ୍ଚାୟତ ସ୍ତରରେ ଏହିପରି ଲୋକଙ୍କୁ ଚିହ୍ନଟ କରିବାକୁ କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି।