ଆମ୍ବେଦକରଙ୍କ ଜୟନ୍ତୀରେ ସ୍ଵରାଷ୍ଟ୍ରମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ (ଓଟି): ଭାରତୀୟ ସମ୍ବିଧାନର ପ୍ରଣେତା ଡ. ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ପୁଷ୍ପାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତେବେ ମହାମାରୀ କରୋନା ପାଇଁ ଦେଶରେ ଲକ୍ଡାଉନ୍ ଜାରି ରହିଥିବାରୁ ସମସ୍ତ କାର୍ଯ୍ୟକ୍ରମ ନିରାଡ଼ମ୍ବର ଭାବେ କରାଯିବା ଭଳି ଆମ୍ବେଦକରଙ୍କ ଜୟନ୍ତୀ କେବଳ ବିଧି ପୂର୍ବକ ପାଳନ କରାଯାଇଛି। ଏଥିପାଇଁ ବିଶେଷ କାର୍ଯ୍ୟକ୍ରମ କରାଯାଇପାରିନି। ଏହାପୂର୍ବରୁ ପୂର୍ବାହ୍ନ ୧୦ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଦୂରଦର୍ଶନ ଜରିଆରେସମ୍ବୋଧନ କରିବା ବେଳେ ମଧ୍ୟ ଆମ୍ବେଦରଙ୍କୁ ସ୍ମରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।
ଅନୁରୂପ ଭାବେ ବିଜେପି ସଭାପତି ଜେପି ନଡ୍ଡା ମଧ୍ୟ ଡ. ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ଟ୍ୱିଟ୍ ଯୋଗେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଏସପି ନେତ୍ରୀ ମାୟାବତୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।
ସୂଚନାଯୋଗ୍ୟ ଯେ ଡ. ଆମ୍ବେଦକର ୧୮୯୧ ଏପ୍ରିଲ ୧୪ରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୫୬ ଡିସେମ୍ବର ୬ରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।