ମହାବିଷୁବ ପର୍ବର ଅଭିନନ୍ଦନ ଜଣାଇଲେ ସ୍ଵରାଷ୍ଟ୍ରମନ୍ତ୍ରୀ
ଭୁବନେଶ୍ୱର (ଓଟି): ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ଚଳିତବର୍ଷ ଉତ୍ସାହଜନକ ଭାବେ କୋଉଠି ପାଳନ ହୋଇପାରିନି। ତେବେ ଓଡ଼ିଆ ଜନମାନସରେ ଏହି ମହାନପର୍ବ ଚିରାଚରିତ ଭାବେ ପାଳିତ ହୋଇଛି। ପରସ୍ପରକୁ ଶ୍ରଦ୍ଧା-ସ୍ନେହ-ପ୍ରେମର ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଆ ଭାଇ-ଭଉଣୀ। ସେହିପରି ଆଜିର ପବିତ୍ର ଦିବସ ପାଇଁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
ପଣା ସଂକ୍ରାନ୍ତି ଅବସରରେ କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହ ଟ୍ୱିଟ୍ ଜରିଆରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସୁଖ ପ୍ରଦାନ କରନ୍ତୁ ବୋଲି ସେ ଓଡ଼ିଆରେ ଲେଖି ସୁମନାସ ଜ୍ଞାପନ କରିଛନ୍ତି। ପ୍ରକାଶ ଥାଉକି ଆଜି ଓଡ଼ିଆ ନୂଆବର୍ଷରେ ନୂଆ ପାଞ୍ଜି ପ୍ରଚଳନ ହୋଇଛି। ତେବେ ବିଭିନ୍ନ କାର୍ଯ୍ୟକ୍ରମ ଓ ଯାନିଯାତରା ଆଦି ହୋଇପାରିନି। କରୋନା ଭୟ ଲାଗି ସବୁ ବନ୍ଦ ରହିଛି। ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା ଝାମୁ, ପାଟୁଆ ଯାତ୍ରା, ଦଣ୍ଡ ଯାତ୍ରା ଆଦି ବନ୍ଦ ରହିଛି। ମନ୍ଦିରରେ କେବଳ ରୀତିନୀତି ହୋଇଛି କିନ୍ତୁ ଶ୍ରଦ୍ଧାଳୁଙ୍କ ଗହଳି ହୋଇପାରିନି।