ଆମଦାନୀ ସାମଗ୍ରୀରେ ବଢ଼ିବ ଶୁଳ୍କ

ନୂଆଦିଲ୍ଲୀ(ଓଟି): ବିଭିନ୍ନ ରାଷ୍ଟ୍ରରୁ ଦେଶକୁ ଆମଦାନୀ କରାଯାଉଥିବା କେତେକ ସମାଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗାମୀ ବଜେଟରେ ଘୋଷଣା କରିପାରନ୍ତି ବୋଲି ବିଶେଷସୂତ୍ରରୁ କୁହାଯାଇଛି। ବିଶେଷକରି ଚୀନରୁ ସର୍ବାଧିକ ଭାବେ ଆମଦାନୀ କରାଯାଉଥିବା ଇଲେକ୍ଟ୍ରାନିକ୍ସ ଓ ଇଲେକ୍ଟ୍ରିକାଲ ସାମଗ୍ରୀ, ରାସାୟନିକ ଦ୍ରବ୍ୟ ଏବଂ ହସ୍ତଶିଳ୍ପ ସାମଗ୍ରୀ ଆଦି କ୍ଷେତ୍ରରେ ଆମଦାନୀ ଶୁଳ୍କ ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି । ଚୀନରୁ ଅପେକ୍ଷାକୃତ ଶସ୍ତା ମୂଲ୍ୟରେ ଭାରତକୁ ମୋବଇଲ ଫୋନ ଚାର୍ଜର, ଶିଳ୍ପ କ୍ଷେତ୍ରରେ ବ୍ୟବହୃତ ରାସାୟନିକ ଦ୍ରବ୍ୟ, ଇଲେକ୍ଟ୍ରିକାଲ ଲ୍ୟାମ୍ପ, କାଠ ଆସବାବପତ୍ର, ମହମବତୀ, ଜୁଏଲାରୀ ଏବଂ ବିଭିନ୍ନ କିସମର ହସ୍ତଶିଳ୍ପ ସାମଗ୍ରୀ ଆମଦାନୀ କରାଯାଉଥିବାବେଳେ ଏହା ଘରୋଇ ଶିଳ୍ପକ୍ଷେତ୍ର ପ୍ରତି ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରୁଛି। ଗୋଟିଏପକ୍ଷରେ ମାନ୍ଦାବସ୍ଥାକୁ ନେଇ ଦେଶର ଅଭିବୃଦ୍ଧି ପ୍ରକ୍ରିୟା ଶିଥିଳ ହୋଇପଡ଼ିଥିବାବେଳେ ସର୍ବାଧିକ ଆମଦାନୀ ମଧ୍ୟ ବିତ୍ତୀୟ ବ୍ୟବସ୍ଥାକୁ ପ୍ରଭାବିତ କରୁଛି। ତେଣୁ ସବୁଦୃଷ୍ଟିରୁ ବିଚାର କରି ପ୍ରାୟ ୭୫ଟି ସାମଗ୍ରୀ ଉପରେ କେନ୍ଦ୍ର ସରକାର ଆମଦାନୀ ଶୁଳ୍କ ବୃଦ୍ଧି କରିବାକୁ ଯାଉଛନ୍ତି ବୋଲି କୁହାଯାଇଛି। ଏଥିରେ ସୁନା ସମେତ ଅଟୋମୋବାଇଲ୍ ସାମଗ୍ରୀ ମଧ୍ୟ ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି।

Leave a Reply

Your email address will not be published.