ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଉଦ୍ଧବ
ଭୁବନେଶ୍ୱର,(ଓଡ଼ିଶା ଟାଇମ୍) : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟ ବିଧାନ ପରିଷଦ ନିର୍ବାଚନ ପାଇଁ ସୋମବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ୱେ ଉଦ୍ଧବ ବିଧାନସଭା କିମ୍ବା ବିଧାନ ପରିଷଦର ସଦସ୍ୟ ନଥିବାରୁ ଏହି ନିର୍ବାଚନ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ଏହି ନିର୍ବାଚନରେ ବିଜୟୀ ହେବା ଉଦ୍ଧବ ପାଇଁ ଜରୁରୀ । ବିଧାନ ପରିଷଦର ୯ଟି ଆସନ ପାଇଁ ମେ ୨୧ରେ ଭୋଟ ଗ୍ରହଣ ହେବ । ଶିବସେନାର ସହଯୋଗୀ କଂଗ୍ରେସ ୯ଟି ଆସନରେ ପ୍ରାର୍ଥି ଦେଇଛି । ତେବେ ଉଦ୍ଧବଙ୍କ ପାଇଁ ଗୋଟିଏ ଆସନରୁ କଂଗ୍ରେସ ଏହାର ପ୍ରାର୍ଥୀ ପ୍ରତ୍ୟାହାର କରିନେବାକୁ ରବିବାର ରାତିରେ ନିଷ୍ପତ୍ତି ନେଇଥିଲା। କଂଗ୍ରେସର ଏହି ନିଷ୍ପତ୍ତି ଦ୍ୱାରା ଉଦ୍ଧବ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବାକୁ ଯାଉଛନ୍ତି । ଅନ୍ୟପଟେ ଠାକରେ ପରିବାରର ଦ୍ୱିତୀୟ ସଦସ୍ୟ ଭାବେ ଉଦ୍ଧବ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ଏହା ପୂର୍ବରୁ ତାଙ୍କ ପୁଅ ଆଦିତ୍ୟ ଠାକରେ ପ୍ରଥମ କରି ଗତବର୍ଷ ଅକ୍ଟୋବରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଉଦ୍ଧବ ବିଧାନସଭା ନିର୍ବାଚନରେ ବିଜୟୀ ହେବା ସହିତ ରାଜ୍ୟର ମେଣ୍ଟ ସରକାରରେ ମନ୍ତ୍ରୀ ପଦ ପାଇଛନ୍ତି । ଆଜିର ପ୍ରାର୍ଥିପତ୍ର ଦାଖଲ ସମୟରେ ଉଦ୍ଧବଙ୍କ ସହିତ ପତ୍ନୀ ରଶ୍ମୀ, ଦୁଇ ପୁଅ ଆଦିତ୍ୟ ଓ ତେଜସ ଉପସ୍ଥିତ ଥିଲେ । ଗତବର୍ଷ ବିଧାନସଭା ନିର୍ବାଚନ ପରେ ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ସରକାର ଗଠନ ସମ୍ଭବ ହୋଇପାରି ନଥିଲା । ରାଜ୍ୟରେ ଅନେକ ରାଜନୈତିକ ନାଟକ ପରେ ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ସରକାର ଗଠନ ହୋଇଥିଲା । ଉଦ୍ଧବ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ।
୨୦୧୯ ନଭେମ୍ବର ୨୮ରେ ଉଦ୍ଧବ ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ବିଧାନସଭା ଓ ବିଧାନ ପରିଷଦର ସଦସ୍ୟ ନଥାଇ ଉଦ୍ଧବ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଧାନମଣ୍ଡଳର ବିନା ସଦସ୍ୟତାରେ ମୁଖ୍ୟମନ୍ତ୍ରୀ ହୋଇଥିବା ଉଦ୍ଧବଙ୍କୁ ୬ମାସ ମଧ୍ୟରେ ନିର୍ବାଚନ ଲଢି ସଦସ୍ୟତା ହାସଲ କରିବାକୁ ପଡିବ । ଅନ୍ୟଥା ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ହରାଇବାକୁ ପଡିବ । ଉଦ୍ଧବଙ୍କ ଏହି ୬ମାସର ଅବଧି ମେ ୨୮ ତାରିଖରେ ଶେଷ ହେବାକୁ ଯାଉଥିବାବେଳେ ମେ ୨୧ରେ ସେ ବିଧାନପରିଷଦକୁ ବିଜୟୀ ହେବା ନିଶ୍ଚିତ ହୋଇଛି ।