କରୋନାର ଦୁଇ ଭୟଙ୍କର ରୂପ

ବରେନ୍ଦ୍ର କୃଷ୍ଣ ସାହୁ

କ’ଣ ରହିବ କରୋନାର ପାର୍ଶ୍ୱ ପ୍ରତିକ୍ରିୟା ? ମାନବ ଜଗତର କେତେ କ୍ଷତି ଘଟାଇବ ଏ ଅଦୃଶ୍ୟ ଆତଙ୍କବାଦୀ ? ମହାମାରୀ ମାଡ଼ରେ ଧରାଶାୟୀ ଅର୍ଥନୀତି କେବେ ସୁଧୁରିବ ? 2007-09 ଆର୍ଥିକ ମାନ୍ଦାବସ୍ଥାରୁ ମୁଣ୍ଡ ଟେକିଥିବା ବିଶ୍ୱ, ପୁଣି ଆର୍ଥିକ ମାନ୍ଦାବସ୍ଥାରେ ଡୁବି ଯିବନି ତ ? 1918-19ର ସ୍ପାନିସ୍ ଫ୍ଲୁ ଭଳି ମହାମାରୀ ରୂପରେ ଆସିଥିବା କରୋନା, ବିଶ୍ୱରେ 1929-39ର ମହା ମାନ୍ଦାବସ୍ଥା ଭଳି ଆଉ ଏକ ପରିସ୍ଥିତି ସୃଷ୍ଟି କରିବନି ତ ?  

 

 

ଟଙ୍କା ହିଁ ତାକତ୍, ଅର୍ଥନୀତି ହିଁ ବିକାଶର ମାନଦଣ୍ଡ । ପୁଣି ବଞ୍ଚିବା ପାଇଁ ନିହାତି ଦରକାର ଖାଦ୍ୟ । କିନ୍ତୁ ଏବେ କରୋନା ଦାଉରୁ ଜୀବନ ବଞ୍ଚାଇବାକୁ ମଣିଷ ରାହା ଖୋଜୁଥିବା ବେଳେ ଭିତରେ ଭିତରେ ଭୁଶୁଡ଼ିବାରେ ଲାଗିଛି ଅର୍ଥନୀତି । ରୋଜଗାର ଠପ୍, ଖର୍ଚ୍ଚ ଚାଲିଛି । ଏଭଳି ସ୍ଥିତିରେ ଲୋକଙ୍କ ପକେଟରୁ ଏବଂ ସରକାରଙ୍କ ପାଣ୍ଠିରୁ ପଇସା ଖାଲି ହେବାରେ ଲାଗିଛି । କେମିତି ଚଳିବ ଘର… କେମିତି ଚଳିବ ଦେଶ ? କେମିତି ବଞ୍ଚିବ ଜୀବନ ?

 

1918-19ରେ ସାରା ବିଶ୍ୱକୁ ଗ୍ରାସିଥିଲା ସ୍ପାନିସ୍ ଫ୍ଲୁ । ସେତେବେଳେ ବିଶ୍ୱର ଲୋକସଂଖ୍ୟା ଥିଲା ପ୍ରାୟ ଦେଢ଼ ଶହ କୋଟି। ଏକ ତୃତୀୟାଂଶ ବା 50 କୋଟି ଲୋକ ଏହି ଫ୍ଲୁରେ ଆକ୍ରାନ୍ତ ହୋଇଥିବା ବେଳେ 5 କୋଟିଙ୍କ ଜୀବନ ଯାଇଥିଲା । ସେହିଭଳି ବର୍ତ୍ତମାନ ସୁଦ୍ଧା, କରୋନା ନେଲାଣି ପାଖାପାଖି 3 ଲକ୍ଷ ମୁଣ୍ଡ । 4 ନିୟୂତରୁ ଅଧିକ ଲୋକ ଏବେ ଆକ୍ରାନ୍ତ ହେଲେଣି । ପୁଣି ଏହା ଦିନକୁ ଦିନ ବଢ଼ି ଚାଲିଛି । ବର୍ତ୍ତମାନ ବିଶ୍ୱର ଲୋକସଂଖ୍ୟା ପ୍ରାୟ 780 କୋଟି । ଆଉ କରୋନା ଯଦି ସ୍ପାନିସ୍ ଫ୍ଲୁ ଭଳି ଭୟାନକ ରୂପ ନିଏ, ତେବେ ଏକ ତୃତୀୟାଂଶ ବା 260 କୋଟି ଲୋକ ଏଥିରେ ଆକ୍ରାନ୍ତ ହୋଇପାରନ୍ତି । ସେହି ହିସାବରେ ଦେଖିଲେ, 25 କୋଟି ଲୋକଙ୍କ ଜୀବନ ଯାଇପାରେ । ପରାଧୀନ ଭାରତରେ ପ୍ରଥମେ ବମ୍ବେରେ ଦେଖା ଦେଇଥିଲା ସ୍ପାନିସ୍ ଫ୍ଲୁ । ଯେଉଁଥି ପାଇଁ ତାକୁ ବମ୍ବେ ଜ୍ୱର ମଧ୍ୟ କୁହାଯାଏ । ଏଥିରେ ଭାରତରେ 14ରୁ 17 ନିୟୂତ ଲୋକ ପ୍ରାଣ ହରାଇଥିଲେ । ପ୍ରଥମ ବିଶ୍ୱଯୁଦ୍ଧ ପରେ ୟୁରୋପରୁ ଜାହାଜରେ ଆସିଥିବା ଏହି ଭୂତାଣୁ 2018 ଜୁନରେ ଭାରତରେ ପ୍ରବେଶ କରିଥିଲା । ଅଗଷ୍ଟ ମାସ ବେଳକୁ ସାରା ଦେଶରେ ବ୍ୟାପି ଗଲା । ଆଉ ସେପ୍ଟେମ୍ବର ଶେଷ ସପ୍ତାହରେ ବମ୍ବେରେ, ଅକ୍ଟୋବର ମଧ୍ୟ ଭାଗରେ ମାଡ୍ରାସରେ ଏବଂ ନଭେମ୍ବର ମଧ୍ୟଭାଗରେ କଲିକତାରେ ଦେଖାଇଲା ଭଲ ରକମ ମୃତ୍ୟୁର ତାଣ୍ଡବ । ମୃତକଙ୍କ ମଧ୍ୟରେ ଅଧିକାଂଶ ଥିଲେ 20ରୁ 40 ବର୍ଷ ବୟସ ମଧ୍ୟରେ । ତେବେ କରୋନା ଭଳି ସ୍ପାନିସ୍ ଫ୍ଲୁରେ ମହିଳା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ଖୁବ୍ କମ୍ ଥିଲା ।

ସ୍ପାନିସ୍ ଫ୍ଲୁ ଥିଲା ମାନବ ଜାତି ପାଇଁ ଏକ ଭୟଙ୍କର ବିପଦ । ତେବେ ସ୍ପାନିସ୍ ଫ୍ଲୁ ଭଳି ସମାନ୍ତରାଳ ଭାବେ ଆଉ ଏକ ଭିନ୍ନ ରୂପରେ ଆସିଛି କରୋନା । ମାନବ ଜୀବନ ପାଇଁ ସିଧାସଳଖ ବିପଦ ସାବ୍ୟସ୍ତ ହୋଇଥିବା ଏହି ମହାମାରୀ, ବିଶ୍ୱ ଅର୍ଥନୀତିକୁ କରି ଦେଇପାରେ ଛାରଖାର । ଯାହା 1930 ଦଶକର ମହା ମାନ୍ଦାବସ୍ଥା ଭଳି ପରିସ୍ଥିତି ସୃଷ୍ଟି କରିବା ସମ୍ଭାବନା ରଖୁଛି । ସ୍ପାନିସ୍ ଫ୍ଲୁରୁ ମୁକୁଳି, ସମଗ୍ର ବିଶ୍ୱ ଶିଳ୍ପ ବିପ୍ଳବରେ ମାତିଥିବା ବେଳେ 1929ର ଶେଷ ଆଡ଼କୁ ଆରମ୍ଭ ହେଲା ମହା ମାନ୍ଦାବସ୍ଥା । ବ୍ଲାକ୍ ଥର୍ସ ଡେ’ ବା କଳା ଗୁରୁବାରରେ ଆମେରିକାର ଷ୍ଟକ୍ ମାର୍କେଟ୍ କ୍ରାସରୁ ଆରମ୍ଭ ହୋଇଥିବା ଏହି ଆର୍ଥିକ ବିପତ୍ତିର ପ୍ରଭାବ 1939 ଯାଏଁ ସାରା ବିଶ୍ୱରେ ଲାଗି ରହିଲା । ଅନେକ କଳ କାରଖାନା, ଏପରିକି ବ୍ୟାଙ୍କ୍ ବନ୍ଦ ହୋଇଗଲା । ଲକ୍ଷ ଲକ୍ଷ ଲୋକ କେବଳ ଚାକିରି ହରାଇଲେନି, ସେମାନଙ୍କ କଷ୍ଟ ଅର୍ଜିତ ଜମା ଟଙ୍କା ବି ହରାଇଲେ । 10 ବର୍ଷ ଧରି ବିଶ୍ୱରେ ଲାଗି ରହିଲା ବେକାରୀ ସମସ୍ୟା । ପ୍ରତି ଦେଶରେ ବେରୋଜଗାରଙ୍କ ସଂଖ୍ୟା ପାଖାପାଖି 25 ପ୍ରତିଶତ ରହିଲା । ଆର୍ଥିକ ଚାପରେ ମାନସିକ ବିଶାଦଗ୍ରସ୍ତ ହୋଇ କେବଳ ଆମେରିକାରେ 23 ହଜାର ଲୋକ ଆତ୍ମହତ୍ୟା କଲେ । ଆଉ ଏବେ କରୋନା, ଦେଖାଉଛି ସେମିତି କିଛି କରାଳ ରୂପ । ଏପ୍ରିଲ 11 ତାରିଖ ସୁଦ୍ଧା ରୋଜଗାର ହରାଇଥିବା 22 ନିୟୂତ ଆମେରିକୀୟ, ସହାୟତା ପାଇଁ ଆବେଦନ କରିଛନ୍ତି । 2008 ବିଶ୍ୱ ମାନ୍ଦାବସ୍ଥା ବେଳେ ଏହି ସଂଖ୍ୟା 2.6 ନିୟୂତ ଥିଲା, ଯାହାକି 1945ର ବେରୋଜଗାରୀ ଇତିହାସ ପରେ ଆମେରିକାରେ ସର୍ବାଧିକ । ବ୍ରିଟିସ୍ ଶାସନାଧୀନ ଭାରତ ଉପରେ ମଧ୍ୟ ମହା ମାନ୍ଦାବସ୍ଥାର ପ୍ରଭାବ କିଛି କମ୍ ନଥିଲା । ଦୀର୍ଘକାଳୀନ ଶିଳ୍ପ ବ୍ୟବସ୍ଥାକୁ ଲାଗିଥିଲା ଶକ୍ତ ଝଟକା । ସମୁଦ୍ର ପଥରେ ମାଲ ପରିବହନ ସହ ରେଳବାଇ ଏବଂ କୃଷିକ୍ଷେତ୍ର ଗୁରୁତର ପ୍ରଭାବିତ ହେଲା । ତେବେ ବ୍ରିଟେନକୁ ସୁହାଇଲା ଭଳି ଇଂରେଜ ଶାସକଙ୍କ ନୀତି ନିଷ୍ପତ୍ତି, ଭାରତୀୟଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ଅଧିକ ତୀବ୍ର କରିଥିଲା । ତେଣୁ ଏଥିରୁ ସ୍ପଷ୍ଟ ଅନୁମାନ, ଆଗକୁ କରୋନା, ମାନବ ଜାତି ଏବଂ ଅର୍ଥନୀତି ଉପରେ କିଭଳି ପ୍ରଭାବ ପକାଇବ !

ମହା ମାନ୍ଦାବସ୍ଥା ଯୋଗୁଁ ଶିଳ୍ପସମୃଦ୍ଧ ଦେଶଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ । କିନ୍ତୁ କରୋନାର ପ୍ରଭାବ, ଶିଳ୍ପ ସମୃଦ୍ଧ ଦେଶ ସହ ବିକାଶଶୀଳ ଦେଶଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳୁଛି । ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଆକଳନ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟର ସୁଦ୍ଧା ସାରା ବିଶ୍ୱରେ 195 ନିୟୂତ ଲୋକ କାମ ହରାଇବେ । ଖାଲି ସେତିକି ନୁହେଁ, ଲକ୍ ଡାଉନ୍ ଯୋଗୁଁ ବିଭିନ୍ନ ଦେଶର ଅଭିବୃଦ୍ଧି ହାର ଖସୁଥିବା ବେଳେ ଜାତିସଂଘର ଟ୍ରେଡ୍ ଆଣ୍ଡ୍ ଡେଭଲପମେଣ୍ଟ କନଫରେନ୍ସ (UNCTAD)ର ଆକଳନ ଚିନ୍ତାଜନକ । କେବଳ 2020 ସୁଦ୍ଧା ଜିଡିପି ଦୃଷ୍ଟିକୋଣରୁ ବିଶ୍ୱ ଅର୍ଥନୀତିରେ 1 ଟ୍ରିଲିଅନ୍ ଡଲାର୍ ଘାଟା ହେବ । ଯାହା ପରବର୍ତ୍ତୀ ପର୍ଯ୍ୟାୟରେ 3ରୁ 4 ଗୁଣା ହେବା ମଧ୍ୟ ହୋଇପାରେ ।  

ମଣିଷକୁ ଶାରିରୀକ ଓ ଆର୍ଥିକ ସ୍ତରରେ ଆକ୍ରମଣ କରୁଛି କରୋନା । ଯାହା ପ୍ରକାରାନ୍ତରେ ବ୍ୟକ୍ତିଗତ ଜୀବନରେ ବିଶାଦ ବୃଦ୍ଧି କରିବ । ଯେଉଁଥି ପାଇଁ ସାମାଜିକ ବିଶୃଙ୍ଖଳା, ଘରୋଇ ହିଂସା ଏବଂ ଅପରାଧ ବୃଦ୍ଧି ହୋଇପାରେ । କେତେକଙ୍କ କ୍ଷେତ୍ରରେ ଆତ୍ମହତ୍ୟା ପ୍ରବଣତା ମଧ୍ୟ ଦେଖା ଦେଇପାରେ । ସେପଟେ କରୋନା ଭୟରେ ମଣିଷ, ମଣିଷକୁ ଘୃଣା କରୁଥିବା ବେଳେ ଦେଶ-ଦେଶ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ସୃଷ୍ଟି ହେଲାଣି ବିଦ୍ୱେଷ ଭାବ । ଯାହା ଭିନ୍ନ ଏକ ଦିଗ ଆଡ଼କୁ ମୁହାଁଉଛି ।  

କରୋନା ପାଇଁ ଏ ବର୍ଷ ଚାଷ ପ୍ରଭାବିତ ହେବା ନିଶ୍ଚିତ । ତେଣୁ କିଛି ଦେଶ, ଅନ୍ୟ ଦେଶକୁ ଔଷଧ ଏବଂ ସ୍ୱାସ୍ଥ୍ୟ ଉପକରଣ ପଠାଇ ଉଦାରତାର ପରିଚୟ ଦେଉଛନ୍ତି ସିନା, କିନ୍ତୁ ଖାଦ୍ୟ ରପ୍ତାନୀ ବନ୍ଦ କରିଦେଲେଣି । କରୋନାରୁ ମୁକୁଳିବା ପରେ ଅର୍ଥନୀତି ସୁଧାରିବାକୁ ଖର୍ଚ୍ଚ କାଟ୍ ଏକ ନିଶ୍ଚିତ ମାଧ୍ୟମ । 2007-09 ବିଶ୍ୱ ମାନ୍ଦାବସ୍ଥା ବେଳେ ଅଧିକାଂଶ ଦେଶ ତାହା ଆପଣାଇ ଥିଲେ । କିନ୍ତୁ ସେତେବେଳେ ତାହା ଲୋକଙ୍କ ଉପରେ  ଯେତିକି ଆର୍ଥିକ ଚାପ ପରାଇଥିଲା, ଏବେ ତାହା ଢେର୍ ଅଧିକ ହୋଇପାରେ । ଏଭଳି ସ୍ଥିତିରେ କରୋନା ହଟିବା ପରେ ପରେ ଯଦି, ଦେଶ କିମ୍ବା ରାଜ୍ୟଗୁଡ଼ିକ ସଂକ୍ରମଣ ଫେରିବା ଭୟରେ ସେମାନଙ୍କ ସୀମା ନଖୋଲନ୍ତି, ତେବେ ପରିସ୍ଥିତି ହୁଏତ ଆହୁରି ଭୟଙ୍କର ହୋଇପାରେ । କିଏ କହିବ, ମହା ମାନ୍ଦାବସ୍ଥା ଯେମିତି ଦ୍ୱିତୀୟ ବିଶ୍ୱଯୁଦ୍ଧ ଆଣି ଦେଇଥିଲା, କରୋନା ସେମିତି ତୃତୀୟ ବିଶ୍ୱଯୁଦ୍ଧ ଆଣି ନଦେବ ବୋଲି।

(ଲେଖକ ଜଣେ ସାମ୍ବାଦିକ। ଏହି ସନ୍ଦର୍ଭ ତାଙ୍କ ବ୍ୟକ୍ତିଗତ ଅନୁଶୀଳନ ଉପରେ ଆଧାରିତ)

Leave a Reply

Your email address will not be published.